Categories
ଅପରାଧ ଆଜିର ଖବର ଜାତୀୟ ଖବର

8 ଦିନରେ ସଫା କାନପୁର ହତ୍ୟାକାରୀ, ହିସାବ ବରାବର, ଏନକାଉଣ୍ଟରରୁ ଆରମ୍ଭ, ଏନକାଉଣ୍ଟରରେ ଶେଷ

କାନପୁର: ଆଠ ଦିନରେ ସଫା ହେଲା କାନପୁର ହତ୍ୟାକାରୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ଠିକ 8 ଦିନ ପୂର୍ବେ ଜୁଲାଇ 2 ଏବଂ 3 ତାରିଖ ରାତିରେ କାନପୁରରେ ବିକାଶ ଦୁବେ ଓ ତା’ର ସହଯୋଗୀମାନେ 8 ଜଣ ପୋଲିସ କର୍ମଚାରୀଙ୍କୁ ଘେରି ଅତର୍କିତ ଆକ୍ରମଣ କରି ନିର୍ମମ ହତ୍ୟା କରିଥିଲେ। ସେହି ଏନକାଉଣ୍ଟରରୁ ଆରମ୍ଭ କାହାଣୀ ଏନକାଉଣ୍ଟରରେ ଶେଷ ହୋଇଛି। ନିହତ ହୋଇଛି ଦେଶରେ ଚହଳ ପକାଇଥିବା ଅପରାଧ ସମ୍ରାଟ ଉତ୍ତର ପ୍ରଦେଶ କାନପୁରର ବିକାଶ ଦୁବେ।
ଗତକାଲି ମଧ୍ୟପ୍ରଦେଶ ଉଜ୍ଜୟିନୀର ମହାକାଳୀ ମନ୍ଦିରରୁ ଗିରଫ ହୋଇଥିଲା most wanted ଅପରାଧୀ ବିକାଶ। ଉତ୍ତର ପ୍ରଦେଶ ଏସ ଟି ଏଫ ତାକୁ ସେଠାରୁ କାନପୁର ଆଣୁଥିବା ବେଳେ ଆଜି ସକାଳୁ ହିନ୍ଦୀ ଫିଲ୍ମର କାହାଣୀ ଭଳି ଘଟିଥିବା ଘଟଣାରେ ପୋଲିସ ଗୁଳିରେ ନିହତ ହୋଇଛି କୁଖ୍ୟାତ ଅପରାଧୀ ବିକାଶ ଦୁବେ। ପୂର୍ବରୁ କାନପୁର ଘଟଣା ପରେ ପରେ ପୋଲିସ ଏନକାଉଣ୍ଟରରେ ତାର ସମସ୍ତ ସହଯୋଗୀ ନିହତ ହୋଇ ସାରିଛନ୍ତି। ଏଥିସହିତ ନିପାତ ହୋଇଛି ବିକାଶର କ୍ରାଇମ ଦୁନିଆ।