Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେତେବେଳେ ଭସାଇବେ ଡଙ୍ଗା

ଭୁବନେଶ୍ବର: ଏଥର ଦୀପାବଳିରେ ଯେପରି ସୂର୍ଯ୍ୟ ପରାଗ ଲାଗିଥିଲା, ଠିକ ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଏଥର ଚନ୍ଦ୍ର ଗ୍ରହଣ ଲାଗୁଛି। ଫଳରେ ଏଥର କାର୍ତ୍ତିକ ପୂର୍ଣ୍ଣିମାର ପୂଜାପାଠ ଏବଂ ଡଙ୍ଗା ଭସାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି। ହେଲେ ଏହି ପବିତ୍ର ଦିନରେ ଗ୍ରହଣ ଲାଗୁଥିବାରୁ ଏହାର ପୂଜାପାଠ ତା ପୂର୍ବଦିନ ଭୋର ୫ ଟା ପୂର୍ବରୁ କରିବା ପାଇଁ କୁହାଯାଇଛି।

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୮ ତାରିଖ ମଙ୍ଗଳବାର ବା ଆସନ୍ତାକାଲି ପଡୁଛି। ସେହିଦିନ ମଧ୍ୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ପଞ୍ଜିକା ଅନୁସାରେ ମଙ୍ଗଳବାର ଦିନ ଚନ୍ଦ୍ର ଗ୍ରହଣ ୨ ଟା ୩୯ ମିନିଟ ୧୪ ସେକେଣ୍ଡରେ ଲାଗୁଛି। ସେହିପରି ଏହି ଗ୍ରହଣ ୬ ଟା ୧୯ ମିନିଟ ୪ ସେକେଣ୍ଡରେ ସର୍ବମୋକ୍ଷ ହେବ ବା ଗ୍ରହଣ ଶେଷ ହେବ।

ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯାଇଥାଏ। ସେହି ହିସାବରେ ଦେଖିବାକୁ ଗଲେ ମଙ୍ଗଳବାର ଭୋର ୫ ଟା ୩୯ ମିନିଟରୁ ହାଣ୍ଡିଛାଡ କରାଯିବ। ତେଣୁ ଶାସ୍ତ୍ର ବିଶେଷଜ୍ଞଙ୍କ ଅନୁସାରେ ମଙ୍ଗଳବାର ଭୋର ୫ ଟା ୩୦ ମିନିଟ ପୂର୍ବରୁ ପୂର୍ଣ୍ଣିମା ରୀତିନୀତି ଶେଷ କରାଯିବ। ତେଣୁ ଡଙ୍ଗା ଭସା ଏବଂ ପୂଜାପାଠ ଭୋର ୫ ଟା ୩୦ ପୂର୍ବରୁ ଶେଷ କରିବା ପାଇଁ କୁହାଯାଇଛି।

ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ପୂର୍ବ ପୁରୁଷଙ୍କ ବ୍ୟବସାୟ କୀର୍ତ୍ତିକୁ ମନେପକାଇଥାନ୍ତି। ତେବେ ଏହି ଡଙ୍ଗାଭସା କାର୍ତ୍ତିକ ପୂର୍ଣ୍ଣିମାର ଭୋରରୁ କରାଯାଇଥାଏ। ସେଥିପାଇଁ ପୂର୍ଣ୍ଣିମାରେ ଗ୍ରହଣ ଲାଗିଲେ ମଧ୍ୟ ଡଙ୍ଗା ଭସା କାର‌୍ୟ୍ୟରେ କିଛି ଅସୁବିଧା ପରିଲକ୍ଷିତ ହେବ ନାହିଁ।