Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରଜ ଦୋଳି ଗୀତର ଲେଖକ କିଏ ସେ ? ନୟାଗଡର ମାଗୁଣୀ ମହାପାତ୍ର କି ? ଏକ ବିବାଦୀୟ ପ୍ରଶ୍ନ

ଭୁବନେଶ୍ବର, ଓଡିଶାର ଲୋକ ଗୀତ ଭାବେ ବେଶ୍ ପରିଚିତ ହୋଇଛି ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ। ଏହି ଗୀତଟି ସାରା ଓଡିଶାର ପୁରପଲ୍ଲୀରେ ବେଶ୍ ପ୍ରଭାବ ବିସ୍ତାର କରିଛି। ତେବେ ଓଡିଶାର ଯେତେ ସବୁ ଲୋକଗୀତ ରହିଛି ସେ ସବୁର ଲେଖକଙ୍କ ନାମ ଜଣା ନ ଥାଏ।

କୁଆଁରୀ ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ, ହଳିଆ ଗୀତ, କାନ୍ଦଣା ଗୀତ ଏବଂ ଏହି ରଜଦୋଳି ଗୀତ, ଲୋକଗୀତ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ। ଯାହାର କିଏ ସେ ଲେଖକ ତାହା ଜଣାପଡି ନାହିଁ। ପ୍ରଖ୍ୟାତ ଲୋକଗୀତ ଗବେଷକ କୁଂଜବିହାରୀ ଦାସ ତାଙ୍କ ଲୋକଗୀତ ସଂକଳନରେ ଏହି ରଜ ଗୀତକୁ ମଧ୍ୟ ସାମିଲ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଏହି ଗୀତର ଲେଖକ କେହି ନାହାଁନ୍ତି।

ହେଲେ ଗତ କିଛି ବର୍ଷ ଧରି ରଜ ଗୀତର ଲେଖକ ନୟାଗଡର ମାଗୁଣୀ ମହାପାତ୍ର ବୋଲି କେତେକ ଦାବୀ କରୁଛନ୍ତି। ସେ ନେଇ ତାଙ୍କ ଲିଖିତ ପୁସ୍ତକକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି। ଏହି ପୁସ୍ତକଟି 1952 ମସିହାରେ ଲେଖାଯାଇଛି ବୋଲି କୁହାଯାଉଛି। ସେଥିରେ ଲେଖକ ତଥା ପ୍ରକାଶକ ମାଗୁଣି ମହାପାତ୍ର ବୋଲି ପ୍ରକାଶିତ ହୋଇଛି। ହେଲେ ସେ ଏହି ଗୀତର ସ୍ରଷ୍ଠା ବୋଲି ଦାବୀ କରିବା କେତେ ଯୁକ୍ତିଯୁକ୍ତ ତାହା ସନ୍ଦେହ ସୃଷ୍ଟି କରିଛି।

କାରଣ ଅନେକ ଗବେଷକଙ୍କ ମତରେ ରଜ ଗୀତ 1952 ମସିହାର ନୁହେଁ। ଏହାର ବହୁ ପୂର୍ବରୁ ଏହି ଗୀତ ଓଡିଶା ଜନମାନସରେ ପ୍ରଚଳିତ ହୋଇ ଆସିଛି। ସେହିପରି ଗବେଷକ ହରିହର କାନୁୃନୁଗୋଙ୍କ ମତରେ ରଜଗୀତ ବହୁ ବର୍ଷ ଧରି ପ୍ରଚଳିତ ରହିଛି। ପରବର୍ତ୍ତି ସମୟରେ ଅନେକ ଅଞ୍ଚଳରେ କେତେକ ସାହିତ୍ୟ ପ୍ରେମୀ ସେହି ଗୀତ ଛାପି ଏହାର ପ୍ରଚାର ପ୍ରସାର କରାଇଛନ୍ତି। ହେଲେ ପ୍ରକୃତରେ ସେମାନେ କେହି ଏହାର ଲେଖକ ନୁହଁନ୍ତି। ଜନସୃତିରୁ ସଂଗ୍ରହ କରି ତାହା ପ୍ରକାଶିତ କରିଛନ୍ତି। ସେଥିପାଇଁ ମାଗୁଣି ମହାପାତ୍ର ରଜଗୀତର ଲେଖକ କହିବା ଠିକ୍ ନୁହେଁ।

ତେବେ ଏହି ଲୋକଗୀତ ପରଂପରା ଉପରେ ବହୁ ଗବେଷଣା କରାଯାଇଛି। ଆହୁରି କରିବାର ଆବଶ୍ୟକତା ମଧ୍ୟ ରହିଛି। କାରଣ ଲୋକ ଗୀତଟି ଯେତେବେଳେ ପ୍ରସାରିତ ହେଲା ସେତେବେଳେ କୌଣସି ବ୍ୟକ୍ତି ନିଶ୍ଚିତ ଏହାର ସ୍ରଷ୍ଟା ଥିବେ। ଯାହା ତାଙ୍କଠାରୁ ସୃଷ୍ଟି ହେବା ପରେ ଧିରେ ଧିରେ ଜନମାନସରେ ଏହା ବାନ୍ଧି ହୋଇ ରହିଲା। ତେଣୁ ସେ ସବୁର ତଥ୍ୟ ପ୍ରମାଣ ସହିତ ଲୋକଗୀତର ରଚୟିତାଙ୍କ ନାମ ପ୍ରକାଶ କରିବାର ଆବଶ୍ୟକତା ରହିଛି।