Categories
ଆଞ୍ଚଳିକ ରାଜ୍ୟ ଖବର

ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବାବଲମ୍ବୀ କରିବା ପାଇଁ ଜେଏସ୍‌ଡବ୍ଲୁର ପ୍ରୟାସ ଆରମ୍ଭ

ସମୀକ୍ଷା ବ୍ୟୁରୋ

କୁଜଙ୍ଗ: ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତିକରଣ ଓ ଆର୍ଥିକ ସ୍ବାବଲମ୍ବୀଶୀଳ କରିବା ପାଇଁ ବିଭିନ୍ନ ଯୋଜନାର ରୂପାୟନ କରି ଏହାକୁ ସୂଚାରୁରୂପେ ପରିଚାଳନା କରୁଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳରେ ଥିବା ବହୁ ଗରିବ ନିମ୍ନମଧ୍ୟବିତ୍ତ ମହିଳାମାନେ ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବହୁ ସୁବିଧା ସୁଯୋଗର ଲାଭ ଉଠାଇ ପାରୁଛନ୍ତି ଓ ନିଜର ନିଜର ପରିବାର ଆର୍ଥିକ ସମସ୍ୟାକୁ ବହୁ ପରିମାଣରେ ହ୍ରାସ କରିପାରୁଛନ୍ତି। ରାଜ୍ୟ ସରକାରଙ୍କ ଏହି ଜନହିତକର ଯୋଜନାକୁ ଆଉ ପାଦେ ଆଗେଇ ନେବା ପାଇଁ ଜେ.ଏସ୍‌.ଡବ୍ଲୁ ଉତ୍କଳ ଷ୍ଟିଲ୍‌ ତରଫରୁ ପ୍ରୟାସ ଆରମ୍ଭ କରିଛି। ଏହିକ୍ରମରେ ଜେ.ଏସ୍‌.ଡବ୍ଲୁ ପକ୍ଷରୁ ଏରସମା ବ୍ଲକର ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ପଞ୍ଚାୟତର ୫୦ରୁ ୬୦ ଜଣ ଗୋଷ୍ଠୀ ସହାୟିକା (ସିଆରପି) ଓ ଦକ୍ଷନଥି ପତ୍ର ସହାୟିକା (ଏମ୍‌ବିକେ)ମାନଙ୍କୁ ରାଜ୍ୟ ସରକାରଙ୍କ ଓରମାସ୍‌ ଦ୍ବାରା ଆୟୋଜିତ ‘ଶିଶିର ସରସ ମେଳା ୨୦୨୦’କୁ ନିଆଯାଇ, କୁଶଳୀ ଅଧିକାରୀମାନଙ୍କ ଦ୍ବାରା କିଭଳି ମେସିନ୍‌ ସାହାଯ୍ୟରେ ଅଧିକ ଉତ୍ତମ ଗୁଣବତ୍ତା ଥିବା ଧୂପକାଠି ତିଆରି କରାଯାଇପାରିବ ଓ ଏହାର ବିକ୍ରୟ ପାଇଁ ଆବଶ୍ୟକ ଜ୍ଞାନକୌଶଳ ସମ୍ପର୍କରେ ଶିକ୍ଷା ଦିଆଯାଇଛି। ଯାହାଫଳରେ ସେମାନେ ନିଜ ନିଜର ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ତାଲିମ ଦେଇପାରିବେ। ଯାହାଫଳରେ ସ୍ବୟଂସହାୟକ ଗୋଷ୍ଠୀରେ ଥିବା ଗରିବ ନିମ୍ନମଧ୍ୟବିତ୍ତ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ।

ଏହାକୁ ସେହି ଅଞ୍ଚଳର ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି। ଉକ୍ତ ଅଞ୍ଚଳର ବିକାଶ, ଜନସାଧାରଣଙ୍କ ଜୀବନ ଜୀବିକାରେ ଉନ୍ନତି ଓ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାର ପ୍ରୟାସ ଜାରି ରହିବ ବୋଲି କମ୍ପାନୀ ତରଫରୁ ବିଭିନ୍ନ ସମୟ ଏହିଭଳି କାର୍ଯ୍ୟ ହାତକୁ ନିଆଯିବ ବୋଲି ସୂଚନା ଦିଆଯାଇଛି।

Categories
ଆଞ୍ଚଳିକ

ଜେଏସ୍‌ଡବ୍ଲ୍ୟୁ କାର୍ଯ୍ୟାଳୟରେ ଇଞ୍ଜିନିୟରିଂ ଛାତ୍ରଙ୍କ ଭଙ୍ଗାରୁଜା ଘଟଣା: ୧୦ ଛାତ୍ର ଗିରଫ

ସମୀକ୍ଷା ବ୍ୟୁରୋ
ପାରାଦୀପ/କୁଜଙ୍ଗ, ୨୪/୧୨: ନିଯୁକ୍ତି ଆଶାୟୀଙ୍କ ଦ୍ଵାରା ଜେଏସ୍‌ଡବ୍ଲ୍ୟୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ୧୦ଜଣ ଛାତ୍ରକୁ ପୋଲିସ ଗିରଫ କରିଛି। ଆଦର୍ଶ ଥାନା ପୋଲିସ ଉକ୍ତ ଛାତ୍ରମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳେ ପାରାଦୀପରେ ରହିଥିବା ଜେଏସ୍‌ଡବ୍ଲ୍ୟୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ କାର୍ଯ୍ୟାଳୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୦ରୁ ଅଧିକ ଇଞ୍ଜିନିୟରିଂ ଛାତ୍ର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇନଥିବାରୁ ଏହି ଆନ୍ଦୋଳନ କରାଯାଇଥିଲା ବୋଲି ସୂଚନା ରହିଛି।  ଛାତ୍ରଛାତ୍ରୀମାନେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି କୈଫିୟତ ମାଗିବା ସହିତ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଆଇନ ବିରୋଧ କାର୍ଯ୍ୟ କରିବା ଅଭିଯୋଗରେ କିଛି ଛାତ୍ରଛାତ୍ରୀଙ୍କୁ ପୋଲିସ୍‌ ଅଟକ ରଖିଥିଲା। ଏନେଇ ଅନ୍ୟ ଛାତ୍ରଛାତ୍ରୀମାନେ ଥାନାକୁ ଯାଇ ପାଟିତୁଣ୍ଡ କରିଥିଲେ।

ସମ୍ପୃକ୍ତ ଘଟଣାରେ ପୋଲିସ ୧୦ ଜଣ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଆଦର୍ଶ ଥାନାର ଆଇଆଇସି ରଜନୀକାନ୍ତ ସାମଲ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।