Categories
ଆଜିର ଖବର ଜାତୀୟ ଖବର

‘ମୁଁ ବଜରଙ୍ଗୀ’: ପ୍ରଥମେ ବଜରଙ୍ଗ ଦଳକୁ ସମର୍ଥନ, ବିରୋଧ ପରେ ପୋଷ୍ଟ ହଟାଇଲେ କୁସ୍ତିଯୋଦ୍ଧା ପୁନିଆ

ନୂଆଦିଲ୍ଲୀ: ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାମାନଙ୍କ ବିରୋଧ ଚାଲିଛି। ରେସଲର ବଜରଙ୍ଗ ପୁନିଆ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଏହି ପ୍ରତିବାଦ ମଧ୍ୟରେ ବଜରଙ୍ଗ ଦଳକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ ମଧ୍ୟ କିଛି ସମୟ ପରେ ସେ ତାଙ୍କ ପୋଷ୍ଟ ଡିଲିଟ କରିଦେଇଥିଲେ। ସେ କ’ଣ ଲେଖିଛନ୍ତି ଏବଂ ପରେ କାହିଁକି ଏହାକୁ ହଟାଇଦେଲେ ଆସନ୍ତୁ ଜାଣିବା।

ପ୍ରକୃତରେ, ପୁନିୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହିନ୍ଦୁ ସଂଗଠନ ବଜରଙ୍ଗ ଦଳର ସମର୍ଥନରେ ଏକ କାହାଣୀ ସେୟାର କରିଥିଲେ। ଏଥିରେ ସେ ଏକ ଫଟୋ ରଖିଥିଲେ ଯେଉଁଥିରେ ଲେଖାଥିଲା, “ମୁଁ ବଜରଙ୍ଗୀ ଏବଂ ମୁଁ ବଜରଙ୍ଗ ଦଳକୁ ସମର୍ଥନ କରେ”। ଏହି ଫଟୋର କ୍ୟାପସନରେ ଲୋକମାନେ ଏହାକୁ ହ୍ଵାଟସ୍ ଆପ୍ ଡିପିରେ ରଖିବା ଏବଂ ଫଟୋ ପ୍ରଦର୍ଶନ କରିବାକୁ ନିବେଦନ କରାଯାଇଥିଲା।

ଇନଷ୍ଟାଗ୍ରାମରେ ବ୍ୟବହାରକାରୀଙ୍କ ଏକ ବର୍ଗ ଦ୍ୱାରା ତାଙ୍କ ପୋଷ୍ଟକୁ ତୀବ୍ର ସମାଲୋଚନା କରାଯାଇଥିଲା। ଏହା ପରେ ହିଁ ସେ ତାଙ୍କର ପୋଷ୍ଟ ଡିଲିଟ କରିଥିଲେ। ତାଙ୍କ ପୋଷ୍ଟ ଏପରି ଏକ ସମୟରେ ଆସିଛି, ଯେତେବେଳେ କଂଗ୍ରେସର ଘୋଷଣା ପତ୍ରକୁ ନେଇ ବିବାଦ ଦେଖାଦେଇଛି। ଯେଉଁଥିରେ ଦଳ କ୍ଷମତାକୁ ଆସିବା ପରେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରତିଶୃତି ଦେଇଛି।

ଯୌନ ଉତ୍ପୀଡ଼ନ ଅଭିଯୋଗରେ ବଜରଙ୍ଗ ପୁନିଆ, ସାକ୍ସି ମଲିକ ଏବଂ ବିନେଶ ଫୋଗାଟଙ୍କ ସମେତ ଅନେକ ବରିଷ୍ଠ କୁସ୍ତିଯୋଦ୍ଧା ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ସମୟରେ କୁସ୍ତିଯୋଦ୍ଧାମାନେ ମଧ୍ୟ ଚାଷୀଙ୍କ ସମର୍ଥନ ହାସଲ କରୁଛନ୍ତି। ବିରୋଧୀ କୁସ୍ତିଯୋଦ୍ଧାଙ୍କ ସହ ଖାପ ପଞ୍ଚାୟତ ନେତାମାନେ ବିଜେପି ସାଂସଦ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ୧୫ ଦିନ ସମୟ ଦେଇଛନ୍ତି।

ଫେଡେରେସନ୍ ମୁଖ୍ୟଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି, ଯାହାଙ୍କ ଉପରେ POCSO ଅଧିନିୟମ ଅନୁଯାୟୀ ଦୁଇଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଯୌନ ଉତ୍ପୀଡ଼ନ ଅଭିଯୋଗରେ ଶୀର୍ଷ ରେସଲରମାନେ ପ୍ରଥମେ ଜାନୁଆରୀରେ WFI ମୁଖ୍ୟଙ୍କ ବିରୋଧରେ ବିକ୍ଷୋଭ କରିଥିଲେ। ଏବେ ଏପ୍ରିଲ ୨୩ ତାରିଖରୁ ପୁଣି ଥରେ କୁସ୍ତିଯୋଦ୍ଧାମାନେ ଧାରଣାରେ ବସିଛନ୍ତି।