Categories
ଆଜିର ଖବର ରାଜ୍ୟ ଖବର

ଦୁର୍ନୀତିର ଗନ୍ତା ଘର ପାଲିଟିଛି ଜୁନାଗଡ ଆରଏମସି, ଚୁଟକା ପ୍ରଭାବରେ ହାତୀ ପାଲଟୁଛି ମୂଷା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ସ୍ଥଳ ଜୁନାଗଡ ଠାରେ ସ୍ଥାନୀୟ କୃଷିଜାତ ସାମଗ୍ରୀ ଗୁଡିକର ଉଚିତ ବଜାର ବ୍ୟବସ୍ଥା ପାଇଁ ଓ ଏପିଏମ ଆଇନ ଆଧାରରେ ସତୁରୀ ଦଶକରେ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଗଠନ କରାଯାଇଥିଲା ଏବଂ ରାଜ୍ୟ ସମବାୟ ବିଭାଗ ଅଧୀନରେ ରଖା ଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ( ଓସାମା ବୋର୍ଡ ) ଗଠନ କରାଯାଇ ସମଗ୍ର ରାଜ୍ୟର ଆରଏମସି ଗୁଡିକୁ ନିୟନ୍ତ୍ରିତ କରିବା ଦାୟିତ୍ବ ଦିଆଯାଇଥିଲା। କୃଷକ ମାନଙ୍କର କଷ୍ଟ ଲବ୍ଧ କୃଷି ସାମଗ୍ରୀ ବିକ୍ରି କରିବା ପରେ ସେଥିରୁ ଶତକଡା ଅଢେଇ ଭାଗ ଟଙ୍କା କମିଶନ ମାଧ୍ୟମରେ ଆରଏମସି ଗୁଡିକୁ ଦିଆଯାଉଥିବା ବେଳେ ଆୟ ଅନୁସାରେ ଆର ଏମ ସି ଗୁଡିକୁ ଏ, ବି, ସି ଗ୍ରେଡେସନ କରା ଯାଇ ଥିବା ଜଣା ପଡିଛି। ସେହି କ୍ରମରେ ଜୁନାଗଡ ଆରଏମସିକୁ ଏ ଗ୍ରେଡ ତାଲିକାରେ ଥିବା କୁହା ଯାଉଥିବା ବେଳେ ଏଠାରେ ଦୁର୍ନୀତି ଘର କରି ରହିଯାଇଥିବା ଅଭିଯୋଗ ହେଉଛି।

କେତେକ ଦୁର୍ନୀତିଖୋର କର୍ମଚାରୀ ବିଭିନ୍ନ ଉପାୟରେ ଏହି ଆର ଏମ ସି ରୁ ହରି ଲୁଟ କରୁଥିବା ଅନେକ ଅଭିଯୋଗ ହେଉଛି। କେତେକାଂଶରେ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଗୁଡିକ ଫାଇଲ ତଳେ ଚାପି ହୋଇ ଯାଇଥିବା କୁହାଯାଉଛି। ମାନ୍ୟବର ସମବାୟ ସଚିବଙ୍କ ନିର୍ଦ୍ଦେଶରେ ଆର ଏମ ଓ ତଦନ୍ତ କରି ରିପୋର୍ଟ ଦେଇଥିବା ବେଳେ ତାକୁ ଚାପି ଦେବାକୁ ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ସଫଳ ହୋଇଥିବା ପ୍ରକାଶ। ଏପରିକି ମାନ୍ୟବର ହାଇ କୋର୍ଟ କଳାହାଣ୍ଡି ଜିଲ୍ଲପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ମଧ୍ୟ ବୁଢିଆଣୀ ଜାଲ ମଧ୍ୟରେ ଛନ୍ଦି ହୋଇ ଯାଇଥିବା କୁହାଯାଉଛି। କର୍ମଚାରୀ ନିଯୁକ୍ତି, ଗ୍ରେଡିଂ ଇକ୍ୟୁପମେଣ୍ଟ କିଣା, ରିଫ୍ରେଶ ମେଣ୍ଟନାମରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଆସୁଛି।

ବିଗତ ବର୍ଷ ମାନଙ୍କରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏହାର ସତ୍ୟା ସତ୍ୟ ପଦାକୁ ଆସି ପାରିବ ବୋଳି ଦାବୀ ହେଉଛି।

ଓଏପିଏମ ଆଇନ ଅନୁସାରେ ଆର ଏମ ସି ର ପରିଚାଳନା କମିଟିରେ ରେଜୁଲେସନ୍ କରାଯାଇ ପ୍ରତ୍ୟେକ କାର୍ଯ୍ୟ କ୍ରମ ତଥା ଖର୍ଚ୍ଚ କରାଯିବା ବ୍ୟବସ୍ଥା ଥିବା ବେଲେ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୧୫ ଜଣିଆ କମିଟି ରହିଛି। ହେଲେ ଉପଜିଲ୍ଲାପାଳଙ୍କୁ ସମ୍ମାନ ଜଣାଇ ସଭ୍ୟମାନେ କୌଣସି ପ୍ରତିବାଦ କରୁ ନ ଥିବା ବେଳେ ଏହାରି ସୁଯୋଗ ନେଇ ଆର ଏମ ସି ର ଦୁର୍ନୀତି ଗ୍ରସ୍ତ ଧୂର୍ତ୍ତ କର୍ମଚାରୀ ନିଜକୁ ସୁହାଇବା ଭଳି ଏବଂ ଫାଇଦା ଉଠାଇ ପରିବା ଭଳି ରେଜୁଲେଶନ ଲେଖି ଦେଉଥିବା ପ୍ରକାଶ।

ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଅତୀତରେ ଓସାମା ବୋର୍ଡ ର ପତ୍ର ସଂଖ୍ୟା ୨୯୬୮ତା ୧୨.୦୯.୨୦୧୭ କୁ ଖୋଲା ଖୋଲି ଉଲ୍ଲଂଘନ କରି ଫାଇଦା ଉଠାଇବା ପାଇଁ ତରବରିଆ ଭାବେ ସରକାରୀ ଜମି ଜବଦଖଲ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଇ ଥିବା ହେତୁ ଆର ଏମ ସି ଅଧ୍ୟକ୍ଷ ପତ୍ର ସଂଖ୍ୟା ୫୬୧ତା ୨୩.୦୬.୨୦୨୧ ଯୋଗେ ଚାରି କୋଟି ଟଙ୍କା ଭରଣା କରିବାକୁ ଜବାବ ତଲବ କରିଥିବା ବେଳେ ତାହା ମଧ୍ୟ ଏବେ ଫାଇଲ ତଳେ ଚାପି ହୋଇ ଯାଇଥିବା ଜଣା ପଡିଛି।

ଅନ୍ୟ ପକ୍ଷରେ କେତେକ ଦିନ ମଜୁରିଆ ମାନଙ୍କୁ ସ୍ଥାୟୀ କରିଦେବା ପାଇଁ ବ୍ୟାପକ କିକ ବେକ କରିଥିବା ଅଡିଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଚର୍ଚ୍ଚା ହେଉଥିଲା। ସେହି ନଅ ଦିନ ମଜୁରିଆ ମାନଙ୍କୁ ଓସାମା ବୋର୍ଡର ପତ୍ର ସଂଖ୍ୟା ୧୩୧୬ତା ୧୭.୦୫.୨୦୧୬ ଏବଂ ସେପ୍ଟେମ୍ବର ୨୦ କମିଟି ରେଜୁଲେଶନ ଅନୁସାରେ ବାହାର କରିଦିଆଯଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଛଅ ଜଣଙ୍କୁ ପୁନଃ ନିଯୁକ୍ତି ଦେବା ସହ ସ୍ଥାୟୀ କରିଦେବାକୁ ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ପୁରା ଦମ୍ ରେ ଲାଗି ପଡ଼ିଥିବା କୁହାଯାଉଛି।

ଅନ୍ୟ ପକ୍ଷରେ ଦୀର୍ଘ ଛଅ ସାତ ବର୍ଷ ହେବ ନିୟମିତ ଭାବେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ ଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଅନେକ ଥର କମିଟି ରେଜୁଲେଶନ କରାଯାଇ ଥିବା ବେଳେ ତାହା କାର୍ଯ୍ଯକାରୀ କରାଯାଉନଥିବା ଅଭିଯୋଗ ହେଉଛି। ଆଇନ ଅନୁସାରେ ସଂପାଦକ ସମସ୍ତ ଫାଇଲ ପତ୍ର କାଗଜ ପତ୍ର ଦାୟିତ୍ଵ ରେ ରହିବା ଉଲ୍ଲେଖ ଥିବା ବେଳେ ଜୁନାଗଡ ଆରଏମସି ରେ ବ୍ୟତିକ୍ରମ ଦେଖାଯାଏ।ବିଭିନ୍ନ ସାମଗ୍ରୀ କିଣା ରେ ବ୍ୟାପକ ହେରା ଫେରି ହେଇଥିବା ଏଵଂ ଫଲ୍ସ ବିଲ୍ କରାଉଥିବା ଅଭିଯୋଗ ହେଲେ ମଧ୍ୟ ସେସବୁ ର ତଦନ୍ତ ହୁଏ ନାହିଁ। ଜନୈକ ମାନବାଧିକାର କର୍ମୀ ଅନେକ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଥିବାବେଳେ ସେସବୁ ଶୀତଳ ଭଣ୍ଡାର ରେ ଥିବା କୁହା ଯାଉଛି।

ଏଭଳି ଅନେକ ଦୁର୍ନୀତି ହେଉ ଥିବା ବେଳେ ସେସବୁର ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। କମିଟି ସଭ୍ୟ ମାନେ ବିରୋଧ କଲେ ମଧ୍ୟ ତାହା ଚାପି ହୋଇ ଯାଉଥିବା ଚର୍ଚ୍ଚା ହେଉଛି। ଅନେକ ସଭ୍ୟଙ୍କ ଅଗୋଚରରେ ମିଟିଂ ହେବା ସହ ଯେଉଁମାନେ ଦୁର୍ନିତି ବିରୁଦ୍ଧରେ ସ୍ଵର ଉଠାଉଛନ୍ତି ସେମାନଂକୁ ନ ଜଣାଇ ମଧ୍ୟ କୋରମ୍ ଅନୁସାରେ ମିଟିଂ ସିଟିଂ ସହ ଆନୁସାଙ୍ଗିକ ବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି। ଯେଉଁମାନେ ସ୍ବର ଉଠାଉଛନ୍ତି ସେମାନଂକୁ ବିଭିନ୍ନ ଉପାୟ ରେ ବଦନାମ କରି ଉପ ଜିଲ୍ଲପାଳଙ୍କ ଠାରେ ଉପସ୍ଥାପନ କରିଦେଉଥିବା କୁହାଯାଉଛି, ଏପରିକି ଚାକିରି ଆଶାୟୀ ମାନଙ୍କୁ ଉସୁକାଇ ସେମାନଙ୍କ ସହ ଝଗଡା କରିବାକୁ ପ୍ରବତ୍ତାଉ ଥିବାର ମଧ୍ୟ ଚର୍ଚ୍ଚା ହେଉଛି।

ଯେତେ ଦକ୍ଷ ଅଧିକାରୀ, ସଚ୍ଚୋଟ ସଂପାଦକ ଓ ସଭ୍ୟ ହେଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ବିଭିନ୍ନ ଔଷଧ ଚୁଟୁକା ପ୍ରୟୋଗ କରି ବଶୀଭୂତ କରି ଦେଉଥିବା ଚର୍ଚ୍ଚା ହେଉଛି ଏଵଂ ସମ୍ପୃକ୍ତ ନିଜସ୍ଵ ଶୈଳୀରେ କାରବାର ଚଳାଉଥିବା ହେତୁ ଏହି ଚୁଟୁକା ପ୍ରଭାବରେ ହାତୀ ମଧ୍ୟ ମୂଷା ପାଲଟି ଯାଉଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି।

Categories
ଆଜିର ଖବର ଜାତୀୟ ଖବର

କୃଷିଜାତ ସାମଗ୍ରୀର ରପ୍ତାନୀ/ଆମଦାନୀ ଓ କୀଟନାଶକ ପଞ୍ଜୀକରଣ କାରବାର ପାଇଁ ଅନଲାଇନ ପୋର୍ଟାଲ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ  କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଆଜି ଦୁଇଟି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ସେଥିରୁ ଗୋଟିଏ କୀଟନାଶକର କମ୍ପ୍ୟୁଟରୀକୃତ ପଞ୍ଜୀକରଣ (କ୍ରପ) ଓ ଅନ୍ୟଟି ପ୍ଲାଣ୍ଟ  କ୍ୱାରାଣ୍ଟାଇନ ଇନଫରେମେସନ୍ ସିଷ୍ଟମ ଓ ପିକ୍ୟୁଆଏଏସ୍। ଏହି ଅବସରରେ ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି ଯେ କୃଷିକ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ରହିଛି ତାହାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି ଦୁଇଟି ପୋର୍ଟାଲକୁ ଆରମ୍ଭ କରାଯାଇଛି। ଏହାଫଳର ଡିଜିଟାଲ କୃଷି ଓ କୃଷି କାରବାରରେ ସୁଗମତା ସମ୍ଭବ ହେବ। ଦେଶର କୃଷିଜାତ ସାମଗ୍ରୀ ରପ୍ତାନୀ ଯଥେଷ୍ଟ ବଢି ଥିବାରୁ ଶ୍ରୀ  ତୋମର ସନ୍ତୋଷ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧାରୀ କହିଥିଲେ  ଯେ  ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଫଳରେ କୃଷି କ୍ଷେତ୍ର ଅଧିକ ଉନ୍ନତ ହେବ। ନୂଆ ପୋର୍ଟାଲ ଦ୍ୱାରା ଚାଷୀ, ରପ୍ତାନୀକାରୀ ଓ ଶିଳ୍ପପତିମାନେ ଉପକୃତ ହେବେ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ(ଡିଏଫଡବ୍ଲୁ) ଫରିଦାବାଦ ପ୍ଲାଣ୍ଟ ପ୍ରୋଟେକନ କ୍ୱାରାଣ୍ଟିାଇନ ଓ ଷ୍ଟୋରେଜ ନିର୍ଦ୍ଦେଶାଳୟ (ଡିପିପିକ୍ୟୁଏସ୍‌) ମାଧ୍ୟମରେ ଭାରତୀୟ କୃଷିଜାତ ସାମଗ୍ରୀ ରପ୍ତାନୀ ଓ ଆମଦାନୀକାରୀଙ୍କ ଆବଶ୍ୟକତା ପୂରଣ କରୁଛି। ଏହା ମଧ୍ୟ ଭାରତୀୟ କୀଟନାଶକ ଉଦ୍ୟୋଗର ଭଲମନ୍ଦ ବୁଝୁଛି। ନୂଆକରି ଉଦ୍‌ଘାଟିତ ପୋର୍ଟାଲ ମାଧ୍ୟମରେ ସେମାନଙ୍କ ଆବଶ୍ୟକତା ପୂରଣ କରାଯିବ।

ଭାରତୀୟ କୃଷିଜାତ ଦ୍ରବ୍ୟର ରପ୍ତାନୀ ଓ ଆମଦାନୀକାରୀ ତଥା କୀଟନାଶକ ଉଦ୍ୟୋଗର ଆବଶ୍ୟକତା ପୂରଣ ପାଇଁ ସେମାନଙ୍କ ପଞ୍ଜୀକରଣ ଆବେଦନ ଉପରେ ତୁରନ୍ତ ନିଷ୍ପତ୍ତି ଗ୍ରହଣର ଆବଶ୍ୟକତା ରହିଛି। ସମନ୍ୱିତ ବ୍ୟବସ୍ଥାରେ ପରିଚାଳିତ ଏହି ଦୁଇ ପୋର୍ଟାଲ ଏହି କାମକୁ ସହଜ କରିପାରିବ। ଅନ୍‌ଲାଇନ ବ୍ୟବସ୍ଥାରେ ଏହା କରାଯିବା ଫଳରେ ଏଥିରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ରକ୍ଷା କରାଯାଇପାରିବ। ଏହା ମାଧ୍ୟମରେ ଇ-ପେମେଣ୍ଟ, ଡକ୍ୟୁମେଣ୍ଟ ଅପଲୋଡ, ପଞ୍ଜୀକରଣ ନବୀକରଣ, ନୂଆ ପଞ୍ଜୀକରଣ, ଅନ୍‌ଲାଇନ ଆକ୍ରେଡିଟେସନ୍‌, ସାର୍ଟିଫିକେଟ ଡାଉନଲୋଡ ସୁବିଧା ଉପଲବ୍ଧ। ହାଇଦରାବାଦର ସିଜିଜି ସଂସ୍ଥା ପୋର୍ଟାଲକୁ ତିଆରି କରିବା ସହିତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି।

ଫସଲକୁ ରୋଗପୋକରୁ ରକ୍ଷା କରିବା ପାଇଁ କିଷାନ ଡ୍ରୋନ ମାଧ୍ୟମରେ କୀଟନାଶକ ସିଂଚନ ନିମନ୍ତେ ୨୦୨୨-୨୩ ବଜେଟ୍‌ରେ ପ୍ରସ୍ତାବ ରହିଛି। ଏଥିପାଇଁ କିଷାନ ଡ୍ରୋନ ବ୍ୟବହାରକୁ ସରକାର ଅନୁମତିି ପ୍ରଦାନ କରିଛନ୍ତି। ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହିତ ବିଚାର ଆଲୋଚନା କରିବା ପରେ କିଷାନ ଡ୍ରୋନର ବ୍ୟବହାର ନିମନ୍ତେ ମାନକ ନୀତି ପ୍ରସ୍ତୁତ ହୋଇଛି। ତଦନୁସାରେ ଏହି ଡ୍ରୋନରୁ ଫସଲ ଉପରେ ନିରାପଦରେ କୀଟନାଶକ ଓ ଅନ୍ୟାନ୍ୟ ପୋଷକତତ୍ୱ ପ୍ରୟୋଗ କରିହେବ। ଯେଉଁସବୁ କୀଟନଶକ ଉତ୍ପାଦକାରୀ କମ୍ପାନୀ ଏବେ ଡ୍ରୋନ ମାଧ୍ୟମରେ କୀଟନାଶକ ପ୍ରୟୋଗ କରୁଛନ୍ତି ସେମାନଙ୍କୁ ଅନ୍ତରୀଣ ବ୍ୟବସ୍ଥା ଭାବେ ଏହା ବ୍ୟବହାର ପାଇଁ ପଞ୍ଜୀକରଣ କରାଯାଇ ଅନୁମତି ପ୍ରଦାନ କରାଯାଇଛି। ଆହୁରି  ମଧ୍ୟ ଏଭଳି ଡ୍ରୋନର ଅଧିକ ନିର୍ମାଣ ଓ ବ୍ୟବହାରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଚାଷୀଙ୍କ ଖର୍ଚ୍ଚ ହ୍ରାସ କରି ସେମାନଙ୍କ ଆୟ ବଢାଇବାକୁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ।

ଏହି କାର୍ଯକ୍ରମରେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, କୃଷି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ, ସେଣ୍ଟର ଫର ଗଭର୍ଣ୍ଣାନ୍ସର ମହାନିର୍ଦ୍ଦେଶକ ରାଜେନ୍ଦ୍ର ନିମ୍‌ଜେ, ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା (ଆଇସିଏଆର)ର ବୈଜ୍ଞାନିକଗଣ, ବିଭିନ୍ନ ରାଜ୍ୟର ପ୍ରତିନିଧି, ଶିଳ୍ପ ଓ କୃଷକ ସଂଗଠନର ପ୍ରତିନିଧିମାନେ ଭାଗ ନେଇଥିଲେ। (ପିଆଇବି)