Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁପତ୍ର ତୋଳାଳୀଙ୍କ ବୋନସ ଘୋଷଣାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ

ଭୁବନେଶ୍ୱର : କେନ୍ଦୁ ପତ୍ର ଶ୍ରମିକଙ୍କୁ ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ଏହି ଘୋଷଣା ପରେ ବିଜେପି ଏହାକୁ ସମାଲୋଚନା କରିବା ଆରମ୍ଭ କରିଛି। ବିଜେପି କହିଛି ଓଡିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ, ୪୦ହଜାର ବନ୍ଧେଇ ଶ୍ରମିକ ଓ ୨୨ହଜାର ସିଜିନାଲ କର୍ମଚାରୀ ମାନଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଧୋକା ଦେଇ “ଲଲିପପ୍‌” ଧରାଇ ଦେଲେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି।

ତେବେ ବିଜେପିର ଏହି ସମାଲୋଚନାକୁ ଜବାବ ଦେଇଛି ବିଜେଡି। ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପିର କୌଣସି ଦରଦ ନାହିଁ। ସେମାନେ କେବଳ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ରାଜନୀତି କରିବା ଜାଣନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବଦାନକୁ ସ୍ବୀକାର କରିବାକୁ ରାଜ୍ୟ ବିଜେପି ନେତାମାନଙ୍କ ସତ୍ ସାହାସ ନାହିଁ। କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍ ଓ ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରସଙ୍ଗରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବୟାନକୁ ନେଇ ରାଜ୍ୟ ବିଜେପି ଉପରେ ଏମିତି ବର୍ଷିଛି ବିଜେଡି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳର ନେତା ତଥା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ ସଂଜିତ ମହାନ୍ତି କହିଛନ୍ତି ଯେ ମାନବ୍ୟର ମୁଖ୍ୟମନ୍ତ୍ରୀ ୨୦୨୨ ଶସ୍ୟ ବର୍ଷ ପାଇଁ ରାଜ୍ୟର ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ୩ଟି ପର‌୍ୟ୍ୟାୟରେ ୨୫୦ କୋଟି ୭୮ ଲକ୍ଷ ଟଙ୍କା ବୋନସ୍, ପ୍ରୋତ୍ସାହନ ରାଶି ଓ ଆର୍ଥିକ ସହାୟତା ଦେଇ ସାରିଲେଣି। ସେଥିରୁ ୫୬ କୋଟି ଟଙ୍କା ଗତକାଲି ତୃତୀୟ ପର‌୍ୟ୍ୟାୟରେ ପ୍ରଦାନ କରିଛନ୍ତି।

କୌଣସି ରାଜ୍ୟରେ କେବେ ବି କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ଗୋଟିଏ ବର୍ଷରେ ଏତେ ଟଙ୍କାର ପ୍ରୋତ୍ସାହନ ରାଶି କେହି ଦେଇ ନାହାନ୍ତି। ଏ କଥା ରାଜ୍ୟର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳି ଏବଂ ଏଥିସହ ସଂପୃକ୍ତ ସମସ୍ତ ହିତାଧିକାରୀ ଭଲ ଭାବେ ଜାଣିଛନ୍ତି। ମାତ୍ର ବିଡ଼ମ୍ବନା ହେଲା, ନିଜକୁ କେନ୍ଦୁପତ୍ର ତୋଳାଳି ସଂଘର ନେତା ବୋଲାଉଥିବା ବିଜେପି ନେତା ପ୍ରଦୀପ ପୁରୋହିତ କେବେବି ଏ ବିଷୟରେ ମୁହଁ ଖୋଲିବେନି। କାରଣ ସତ କହିଲେ ତାଙ୍କ ଛାତି ଫାଟିଯିବ।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ କେନ୍ଦୁପତ୍ର ଉପରୁ କେନ୍ଦ୍ର ସଂଗ୍ରହ କରୁଥିବା ୧୮ ପ୍ରତିଶତର ଜିଏସ୍ଟି ଛାଡ଼ କରିବାକୁ ରାଜ୍ୟ ସରକାର ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ଓଡ଼ିଶାର ବିଜେପି ନେତାମାନେ କେବେ କେନ୍ଦ୍ର ସରକାରଙ୍କ ଆଗରେ ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ଏହି ଦାବିକୁ ଉଠାଇଛନ୍ତି କି? ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟରେ ମଧ୍ୟ ଲକ୍ଷଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ରହିଛନ୍ତି।

ପ୍ରଦୀପ ପୁରୋହିତ କହିପାରିବେ କି ଏସବୁ ରାଜ୍ୟରେ କେନ୍ଦୁପତ୍ର ତୋଳାଳିଙ୍କୁ ତାଙ୍କ ରାଜ୍ୟ ସରକାର କେତେ ଟଙ୍କାର ପ୍ରୋତ୍ସାହନ ରାଶି ଦେଉଛନ୍ତି? ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ପ୍ରଦୀପ ପୁରୋହିତଙ୍କ ଭଳି ବ୍ୟକ୍ତିଙ୍କର କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି କୌଣସି ଦରଦ କେବେ ନଥିଲା କି ଆଜି ମଧ୍ୟ ନାହିଁ।

ସେ କେବଳ ସେମାନଙ୍କୁ ନେଇ ରାଜନୀତି କରିବା ଜାଣନ୍ତି। ଏହି କାରଣରୁ ଅଧିକାଂଶ କେନ୍ଦୁପତ୍ର ତୋଳାଳି ଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ତାଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି ଏବଂ ପଦ୍ମପୁରବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Categories
ବିଶେଷ ଖବର

କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା: ୧୦୦୦ ପାଇଲେ ତୋଳାଳୀ, ବନ୍ଧାଳୀଙ୍କୁ ମିଳିଲା ୧୫୦୦

ଭୁବନେଶ୍ବର: ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀ। ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳୀ ୧୦୦୦ ଟଙ୍କା ପାଇଥିବାବେଳେ ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି ୧୫୦୦ ଟଙ୍କା। ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି।

ହିତାଧିକାରୀଙ୍କ ଖାତାକୁ ୪୩ କୋଟି ଟଙ୍କା ଦିଆଗଲା।

DBT ଜରିଆରେ ଏହି ସହାୟତା ହିତାଧିକାରୀଙ୍କ ବ୍ଯାଙ୍କ ଖାତାରେ ଜମା ହୋଇଥିଲା

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି। ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି ଓ ସେମାନଙ୍କ କଲ୍ଯାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର ତୋଳାଳୀ ଓ ଅନ୍ଯ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ଏ ସବୁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

କେନ୍ଦୁପତ୍ର ହେଉଛି ଗରିବ ଲୋକ ର ଦାନା ପାଣିର କଥା। ତେଣୁ ତା ଉପରେ ୧୮ ପ୍ରତିଶତ ଜିଏସଟିକୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ନିକଟରେ ଦାବୀ କରିଥିଲେ।

ଆଜି ନୂଆପଡ଼ା କଳାହାଣ୍ଡି କୋରାପୁଟ ନବରଙ୍ଗପୁର ଅନୁଗୁଳ ସମ୍ବଲପୁର ଝାରସୁଗୁଡା କନ୍ଧମାଳ, ବୌଦ୍ଧ, କେଉଁଝର ଦେବଗଡ଼, ଓ ବଲାଙ୍ଗୀର ଆଦି ବାର ଜିଲ୍ଲାର ସତର ଡିଭିଜନର ହିତାଧିକାରୀ ମାନଙ୍କୁ ଆଜି ସହାୟତା ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ଙ୍କ କଲ୍ଯାଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ ସୂଚନା କରିଥିଲେ।

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡାଃ ମୋନା ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଜଙ୍ଗଲ ପରିବେଶ ବିଭାଗ ର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ହିତାଧିକାରୀ ଶାନ୍ତନୁ କୁମାର ଭୋଇ, ଝାରସୁଗୁଡ଼ାର ପୁଷ୍ପ ଲତା ଭଇଁଶା ଓ ନୂଆପଡ଼ାର ଇଶ୍ଵର ଶବର ଙ୍କ ସହ ସହାୟତା ବିଷୟରେ ଆଲୋଚନା କରି ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।

PCCF କେନ୍ଦୁପତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ତେଇଶି ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏ ସହାୟତା ବିଷୟ ଘୋଷଣା କରିଥିଲେ।