ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏନ୍ଆଇଆଇଏଫ୍ ପୁଞ୍ଜିଲଗାଣ ପ୍ଲାଟଫର୍ମ ବା ଡେଟ୍ ପ୍ଲାଟଫର୍ମରେ 6000 କୋଟି ଟଙ୍କାର ପୁଞ୍ଜି ନିବେଶ ସଂକ୍ରାନ୍ତ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହି ପ୍ଲାଟଫର୍ମଟି ଜାତୀୟ ପୁଞ୍ଜି ନିବେଶ ଓ ଭିତ୍ତିଭୂମି ପାଣ୍ଠି (ଏନ୍ଆଇଆଇଏଫ୍) ଦ୍ୱାରା ପ୍ରାୟୋଜିତ ହୋଇଛି । ଏହି ପ୍ଲାଟଫର୍ମରେ ଅସୀମ ଇନ୍ଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିମିଟେଡ (ଏଆଇଏଫ୍ଏଲ୍) ଏବଂ ଏନ୍ଆଇଆଇଏଫ୍ ଇନ୍ଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିମିଟେଡ (ଏନ୍ଆଇଆଇଏଫଏଲ୍) ନିମ୍ନଲିଖିତ ସର୍ତ୍ତ ଅନୁସାରେ ପୁଞ୍ଜି ନିବେଶ କରିବେ ।
ସର୍ତ୍ତାବଳୀ
(1) କେବଳ 2000 କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ 2020-21ରେ ପ୍ରଦାନ କରାଯିବ । ତେବେ କରୋନା ମହାମାରୀ କାରଣରୁ ଅଭୂତପୂର୍ବ ଆର୍ଥିକ ସ୍ଥିତି ଏବଂ ସୀମିତ ଆର୍ଥିକ ସମ୍ବଳର ସୁଯୋଗ ଥିବାରୁ ପ୍ରସ୍ତାବିତ ଏହି ଅର୍ଥରାଶି ପରିମାଣକୁ ଋଣ ଆବଶ୍ୟକତାର ଜରୁରୀ ସ୍ଥିତି ଏବଂ ଚାହିଦାକୁ ଦେଖି ଯୋଗାଇ ଦିଆଯିବ ।
(2) ଏନ୍ଆଇଆଇଏଫ୍ ଏ ବାବଦ ଅର୍ଥ ବ୍ୟବସ୍ଥା କରିବାକୁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ । ଆବଶ୍ୟକ ସ୍ଥଳେ ଘରୋଇ ଏବଂ ଗ୍ଳୋବାଲ ପେନସନ ଫଣ୍ଡର ଇକ୍ୟୁଟି ନିବେଶ ଓ ସଭରେନ ୱେଲ୍ଥ ଫଣ୍ଡକୁ ଏହା ତ୍ୱରିତ କାମରେ ଲଗାଇପାରିବ ।
କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରମତୀ ନିର୍ମଳା ସୀତାରମଣ ଭାରତୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ନିମନ୍ତେ 2020 ନଭେମ୍ବର 12 ତାରିଖରେ ଆତ୍ମନିର୍ଭର ଭାରତ 3.0 ପ୍ୟାକେଜରେ ଘୋଷଣା କରିଥିବା ପ୍ରସ୍ତାବର ଏହା ଅଂଶବିଶେଷ ।
ଏନ୍ଆଇଆଇଏଫ୍ ଷ୍ଟ୍ରାଟେଜିକ୍ ଅପରଚ୍ୟୁନିଟିଜ ଫଣ୍ଡ ଏକ ଋଣ ପ୍ଲାଟଫର୍ମଭାବେ ଗଠିତ ହୋଇଥିଲା । ଏନ୍ବିଏଫ୍ସି ଇନ୍ଫ୍ରା ଡେଟ ଫଣ୍ଡ ଏବଂ ଏନ୍ବିଏଫ୍ସି ଇନ୍ଫ୍ରା ଫାଇନାନ୍ସ କଂପାନୀକୁ ନେଇ ଏହି ପ୍ଲାଟଫର୍ମ ଗଠିତ ହୋଇଥିଲା । ଏନ୍ଆଇଆଇଏଫ୍ ଏହାର ଷ୍ଟ୍ରାଟେଜିକ୍ ଅପରଚ୍ୟୁନିଟିଜ ଫଣ୍ଡ ମାଧ୍ୟମରେ ଉଭୟ କଂପାନୀରେ ସଂଖ୍ୟାଗରିଷ୍ଠ ଅଂଶଧନର ଅଧିକାରୀ । ଏହା ଇତିମଧ୍ୟରେ ଏହି ପ୍ଲାଟଫର୍ମରେ 1899 କୋଟି ଟଙ୍କା ନିବେଶ କରିସାରିଲାଣି । ଏହି ଷ୍ଟ୍ରାଟେଜିକ୍ ଅପରଚ୍ୟୁନିଟିଜ ଫଣ୍ଡ ସଂକ୍ଷେପରେ ସଫ୍ଫଣ୍ଡ ନାମରେ ପରିଚିତ । ତା ମାଧ୍ୟମରେ ଏନ୍ଆଇଆଇଏଫ୍ର ନିବେଶ କରାଯାଇଛି ।
ଏହି ନିବେଶ ମାଧ୍ୟମରେ ଦୁଇ କଂପାନୀ ଆର୍ଥିକ ସୁବିଧା ଲାଭକରି ଉପଯୁକ୍ତ ଓ ଲାଭଦାୟକ ନିବେଶ ସୁଯୋଗରେ ଅର୍ଥଲଗାଣ କରୁଛନ୍ତି । ପ୍ରଚଳିତ ପ୍ରସ୍ତାବ ଅନୁସାରେ ଭାରତ ସରକାର ସିଧାସଳଖ ଏହି ମଞ୍ଚର ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ନିବେଶ କରିବାର ବ୍ୟବସ୍ଥା ରହିଛି । ବିଭିନ୍ନ କ୍ଷେତ୍ରକୁ ଋଣ ଯୋଗାଇ ସେ ସବୁର ପୁନରୁତ୍ଥାନ କରିବା ଏହାର ଲକ୍ଷ୍ୟ । ଏଥିରେ ଭାରତ ସରକାରଙ୍କ ସଂପୃକ୍ତି ରହୁଥିବାରୁ ଏହି ପ୍ଲାଟଫର୍ମ ମଧ୍ୟ ଆନ୍ତର୍ଜାତିକ ଇକ୍ୟୁଟି ଉଠାଣର ସୁବିଧା ପାଉଛି ।
କେତେକ ଘରୋଇ ଉଦ୍ୟୋଗ ମଧ୍ୟ ଏହି ପ୍ଲାଟଫର୍ମରେ ପୁଞ୍ଜିନିବେଶ କରିଛନ୍ତି । ଆଶା କରାଯାଉଛି ଯେ ବିଭିନ୍ନ ସୂତ୍ରରୁ ଉତ୍ତମ ନିବେଶର ସୁବିଧା ଥିବାରୁ ଏହି ପ୍ଲାଟଫର୍ମ ଯଥେଷ୍ଟ ପୁଞ୍ଜି ସଂଗ୍ରହ କରି 2025 ସୁଦ୍ଧା ବିଭିନ୍ନ ପ୍ରକଳ୍ପକୁ 1,10,000 କୋଟି ଟଙ୍କା ଋଣ ସହାୟତା ଯୋଗାଇ ଦେବାର ସକ୍ଷମ ହେବ ।
ରୂପାୟନ ରଣକୌଶଳ ଓ ଲକ୍ଷ୍ୟ
(କ) ଏଆଇଏଫ୍ଏଲ୍ର ରଣନୀତି ହେଲା ଏହା ମୁଖ୍ୟତଃ ନିର୍ମାଣ, ନୂଆ ପ୍ରକଳ୍ପ, ପୁରୁଣା ସଂପତ୍ତି ବା ଉଦ୍ୟୋଗର ପୁନରୁଦ୍ଧାର (ଯାହା ଆରମ୍ଭର ଏକ ବର୍ଷ ଭିତରେ ବନ୍ଦ ହୋଇଯାଇଥିବ) ଆଦିକୁ ଋଣ ଯୋଗାଇଦେବ । ଯେଉଁ ସଂସ୍ଥାକୁ ଋଣ ଦିଆଯିବ ତାହାର ଦକ୍ଷତା, ସ୍ଥିତି ଓ ଭବିଷ୍ୟତ ଆକଳନ କରିବା କାର୍ଯ୍ୟ ଏନ୍ଆଇଆଇଏଫ୍ ନିଜସ୍ୱ ବ୍ୟବସ୍ଥାରେ କରିବ । ଯେଉଁଠି ପ୍ରକଳ୍ପର ପୁନରୁଦ୍ଧାର ସୁବିଧା ସୁଯୋଗ ଅଧିକ ଥିବ, ସେଠାରେ ଅଧିକ ପାଣ୍ଠି ଯୋଗାଣର ବ୍ୟବସ୍ଥା କରାଯିବ ।
(ଖ) ଏନ୍ଆଇଆଇଏଫ୍ ଆଇଏଫ୍ଏଲ୍ (ଏନ୍ବିଏଫ୍ସି-ଆଇଡିଏଫ୍) ଏକ ପୋଖତ କାର୍ଯ୍ୟକାରୀ ପୁଞ୍ଜିଭାବେ କାର୍ଯ୍ୟ କରିବ । ଏହା ଭିତ୍ତିଭୂମି କ୍ଷେତ୍ରରେ ନିବେଶକଙ୍କୁ ସହାୟତା ଯୋଗାଇବା ସହ ସୁଲଭ ମୂଲ୍ୟରେ ବ୍ୟାଙ୍କଠାରୁ କମ୍ ସୁଧରେ ଋଣ ଯୋଗାଇଦେବ । ଆସନ୍ତା 5 ବର୍ଷ ମଧ୍ୟରେ ଏନ୍ଆଇଆଇଏଫ୍ ଇନ୍ଫ୍ରାଷ୍ଟ୍ରକଚର ଫାଇନାନ୍ସ ଡେଟ୍ ପ୍ଲାଟଫର୍ମ 1 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ପାଇଁ ଋଣ ଯୋଗାଇ ଦେବାର ଦକ୍ଷତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।
(ଗ) ଏହି ପ୍ଲାଟଫର୍ମ ମଧ୍ୟ ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ବଜାରରୁ ଆସନ୍ତା କେଇବର୍ଷ ମଧ୍ୟରେ ଦୀର୍ଘମିଆଦି ଇକ୍ୟୁଟି ପୁଞ୍ଜି ଓ ଋଣ ଉଠାଇବ । ଭାରତ ସରକାର ଆସନ୍ତା 5 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ 6000 କୋଟି ଟଙ୍କା ବିନିଯୋଗ କରିବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ 14ରୁ 18 ଗୁଣ ବଢାଇବା ପାଇଁ ଏହି ପ୍ଲାଟଫର୍ମ ମଧ୍ୟ ଉଦ୍ୟମ କରିବ ।
(ଘ) ଏନ୍ଆଇଆଇଏଫ୍ ମଧ୍ୟ ଉଭୟ ଘରୋଇ ଓ ଆନ୍ତର୍ଜାତିକ ବଜାରରୁ ଇକ୍ୟୁଟି ନିବେଶ ସଂଗ୍ରହ କରିବାକୁ ଉଦ୍ୟମ କରିବ । ଗ୍ଲୋବାଲ ପେନସନ, ଇନ୍ସୁ୍ୟରାନ୍ସ ଓ ସଭରେନ ୱେଲ୍ଥ ଫଣ୍ଡରୁ ଇକ୍ୟୁଟି ସଂଗ୍ରହ କରିବା ପାଇଁ ଏହା ଉଦ୍ୟମ ଅବ୍ୟାହତ ରଖିବ ।
ମୋଟ ଖର୍ଚ୍ଚ ପରିମାଣ
ଏନ୍ଆଇଆଇଏଫ୍ ଡେଟ୍ ପ୍ଲାଟଫର୍ମରେ ଆସନ୍ତା ଦୁଇଟି ଆଥିକ ବର୍ଷ ଅର୍ଥାତ୍ 2020-21 ଏବଂ 2021-22ରେ 6000 କୋଟି ଟଙ୍କା ଇକ୍ୟୁଟି ଆକାରରେ ନିବେଶ କରାଯିବ ।
ପ୍ରଭାବ
ଏନ୍ଆଇଆଇଏଫ୍ ଇନ୍ଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିମିଟେଡ ଆସନ୍ତା 5 ବର୍ଷ ମଧ୍ୟରେ ଭିତ୍ତିଭୂମି କ୍ଷେତ୍ରକୁ ପ୍ରାୟ1 ଲକ୍ଷ କୋଟି ଟଙ୍କା ଋଣ ଆକାରରେ ଯୋଗାଇଦେବ ବୋଲି ଆଶା କରାଯାଉଛି । ଏହା ଫଳରେ ଭିତ୍ତିଭୂମି କ୍ଷେତ୍ର ପାଇଁ ଅଧିକରୁ ଅଧିକ ପୁଞ୍ଜି ନିବେଶ ନିମନ୍ତେ ଜାତୀୟ ଇନ୍ଫ୍ରାଷ୍ଟ୍ରକଚର ପାଇପ ଲାଇନରେ ଯେଉଁ ବ୍ୟବସ୍ଥା ରହିଛି ତାହାକୁ ପ୍ରୋତ୍ସାହନ ମିଳିବ ଏବଂ ଅଧିକରୁ ଅଧିକ କ୍ଷେତ୍ରରେ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବ ।
ଏହି ପ୍ରକ୍ରିୟା ବ୍ୟାଙ୍କ ଉଦ୍ୟୋଗକୁ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଚାପମୁକ୍ତ କରିବ । ସେମାନେ ନୂଆ ପ୍ରକଳ୍ପଗୁଡିକ ପାଇଁ ଋଣ ଯୋଗାଣ ନିମନ୍ତେ ଆଗ୍ରହ ଦେଖାଇବେ । ବ୍ୟାଙ୍କମାନେ ସଂପ୍ରତି ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ଋଣ ଦେବାକୁ ବିଭିନ୍ନ କାରଣରୁ ଅନାଗ୍ରହୀ । ଏହା ମଧ୍ୟ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି ନିବେଶ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ ଏବଂ ଏ କ୍ଷେତ୍ରରେ ନଗଦ ପ୍ରବେଶ ପରିମାଣ ବୃଦ୍ଧି ପାଇବ ।
ଭାରତରେ ଭିତ୍ତିଭୂମି ପ୍ରକଳ୍ପଗୁଡିକ ସ୍ପେଶାଲ ପର୍ପସ ଭେଇକିଲ ବା ଏସ୍ପିଭି ଦ୍ୱାରା କାର୍ଯ୍ୟକାରୀ ହେଉଛି । ତେବେ କେତେକ କ୍ଷେତ୍ରରେ ଏସ୍ପିଭି ନିବେଶ ଗ୍ରେଡ ରେଟିଂରେ ଆହ୍ୱାନର ସମ୍ମୁଖୀନ ହେଉଥିବାରୁ ଋଣ ପାଇବାରେ ଅସୁବିଧା ଭୋଗୁଛନ୍ତିି । ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ମଧ୍ୟ ଏସ୍ପିଭିକୁ ରେଟିଂ ମିଳୁନାହିଁ । ତେଣୁ ଏହିସବୁ ଏସ୍ପିଭି ଋଣ ଓ ପୁଞ୍ଜି ସଂଗ୍ରହରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ନୂଆ ବ୍ୟବସ୍ଥାରେ ଡେଟ୍ ପ୍ଲାଟଫର୍ମ, ବଣ୍ଡ ମାର୍କେଟରୁ ପୁଞ୍ଜି ଉଠାଇ ଏକ ବିଶ୍ୱସ୍ତ ମଧ୍ୟସ୍ଥଭାବରେ ବିଭିନ୍ନ ପ୍ରକଳ୍ପକୁ ଋଣ ଯୋଗାଇଦେବ । ଏଆଇଏଫ୍ଏଲ୍କୁ ଏଏ କେୟାର ରେଟିଂ ମିଳିଛି । ସେହିଭଳି ଏନ୍ଆଇଆଇଏଫ୍-ଆଇଏଫ୍ଏଲ୍ କେୟାର ରେଟିଂ ସଂସ୍ଥା ଓ ଆଇସିଏଆରଏ ଦ୍ୱାରା ଏଏଏ ରେଟିଂ ପାଇଛି । ବଣ୍ଡ ଇନ୍ଭେଷ୍ଟର ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କଠାରୁ କମ୍ ସୁଧ ଚାହିଁଥାନ୍ତି ।
ତେବେ ସେମାନେ ସର୍ବଦା ଏଏଏ କିମ୍ବା ଏଏ ରେଟିଂର ସଂସ୍ଥାରେ ନିବେଶ କରିବାକୁ ଚାହାନ୍ତି। ନିବେଶ ହୋଇଥିବା ଅର୍ଥର ସୁରକ୍ଷା ପାଇଁ ସେମାନେ ଏହା କରିଥାନ୍ତି । ସେହିଭଳି ଦୀର୍ଘମିଆଦୀ ବଣ୍ଡ ଇନ୍ଭେଷ୍ଟର ତଥା ପେନସନ୍ ଓ ଇନ୍ସୁ୍ୟରାନ୍ସ ଫଣ୍ଡ ଆଦି ଏଏଏ ବଣ୍ଡ ରେଟିଂ ସଂସ୍ଥାରେ ନିବେଶ କରିବାକୁ ଆଗ୍ରହ ଦେଖାଇଥାନ୍ତି ।
ଆଶା କରାଯାଉଛି ଯେ ଉତ୍ତମଭାବେ ପାଣ୍ଠି ପାଉଥିବା ଏବଂ ସୁଶାସିତ ଏନ୍ଆଇଆଇଏଫ୍ ଋଣ ପ୍ଲାଟଫର୍ମ ଭିତ୍ତିଭୂମି ଋଣ ଯୋଗାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଏହା ମଧ୍ୟ ଏଏଏ/ଏଏ ରେଟର ମାନ୍ୟତା ପାଇ ବଣ୍ଡ ମାର୍କେଟର ବିକାଶରେ ମଧ୍ୟ ଉଲ୍ଲେଖନୀୟ ସଂଯୋଜକଭାବେ କାର୍ଯ୍ୟ କରିବ । ଏହା ସିଧାସଳଖ ବଣ୍ଡ ମାର୍କେଟ, ଭିତ୍ତିଭୂମି ପ୍ରକଳ୍ପ ଓ କଂପାନୀମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମନ୍ୱୟ ରକ୍ଷାରେ ସହାୟକ ହେବ ।
ପୃଷ୍ଠଭୂମି
ଜାତୀୟ ଭିତ୍ତିଭୂମି ପ୍ଲାଟଫର୍ମ (ଏନ୍ଆଇପି) ଅନୁସାରେ ଭିତ୍ତିଭୂମି କ୍ଷେତ୍ରରେ ଆସନ୍ତା 5 ବର୍ଷ ମଧ୍ୟରେ 111 ଲକ୍ଷ କୋଟି ଟଙ୍କାର ନିବେଶ କରିବାର ଲକ୍ଷ୍ୟ ରଖାଯାଇଛି । ଏଥିରେ ବିଭିନ୍ନ କ୍ଷେତ୍ର ଓ ଉପକ୍ଷେତ୍ର ମଧ୍ୟ ଅନ୍ତର୍ଭୁକ୍ତ । ଏଥିପାଇଁ ଯେଉଁ ବିପୁଳ ଋଣର ଆବଶ୍ୟକତା ରହିଛି ତାହା ଯୋଗାଡ କରିବା ସବୁଠୁ ବଡ଼ ଆହ୍ୱାନ ।
ଏନ୍ଆଇପିରେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ପୂରଣ କରିବା ପାଇଁ 60ରୁ 70 ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ଆବଶ୍ୟକତା ରହିଛି । ବର୍ତ୍ତମାନର ପରିବେଶରେ ଏଥିପାଇଁ ଉତ୍ତମ ପୁଞ୍ଜି ବ୍ୟବସ୍ଥା ଥିବା ସ୍ୱତନ୍ତ୍ର ଭିତ୍ତିଭୂମି ଭିତ୍ତିକ ଆର୍ଥିକ ଅନୁଷ୍ଠାନର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ଏନ୍ଆଇଆଇଏଫ୍ ବା ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି ଅନ୍ୟତମ । ନିଜର ଏକ ଦୃଢ ପୁଞ୍ଜିଭିତ୍ତି ସହିତ ନିଜର ପେସାଗତ ସାମର୍ଥ୍ୟ ଓ ଦକ୍ଷତା ବଳରେ ଏହି ସଂସ୍ଥା ବିଭିନ୍ନ ଉଦ୍ୟୋଗର ଋଣ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟିତ ।