Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ସରକାର ପ୍ରକାଶ କଲେ ଭାରତୀୟ ଜଙ୍ଗଲ ରିପୋର୍ଟ ୨୦୨୧, ଜାଣନ୍ତୁ କଣ ରହିଛି ଓଡିଶା ସ୍ଥିତି

ଭୁବନେଶ୍ୱର: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଡେରାଡୁନ୍‌ସ୍ଥିତ ସ୍ୱୟଂଶାସିତ ସଂସ୍ଥା ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ଦ୍ୱାରା ପ୍ରସ୍ତୁତ ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ ୨୦୨୧ ଆଜି ନୂଆଦିଲ୍ଲୀଠାରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଉନ୍ମୋଚନ କରିଛନ୍ତି ।

ପ୍ରତି ଦୁଇବର୍ଷରେ ଥରେ ଭାରତର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେଉଥିବା ଏହି ସର୍ବେକ୍ଷଣ ଅନୁଯାୟୀ ୨୦୧୯-୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ୫୩୭.୪୪ ବର୍ଗକିଲୋମିଟର ଜଙ୍ଗଲ ଅଭିବୃଦ୍ଧି ଘଟିଛି, ଯାହାକି ଭାରତ ବର୍ଷରେ ତୃତୀୟ ସ୍ଥାନରେ ରହିଛି।

ସେହିଭଳି ବିଗତ ଦୁଇ ବର୍ଷ ମଧ୍ୟରେ ହେନ୍ତାଳବନ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଆହୁରି ମଧ୍ୟ ଜଙ୍ଗଲ ଅଭିବୃଦ୍ଧି ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାରତବର୍ଷର ଶ୍ରେଷ୍ଠ ତିନୋଟି ସ୍ଥାନ ମଧ୍ୟରେ ରହିଛି ।

ଓଡ଼ିଶାର ସମୁଦାୟ ଭୌଗୋଳିକ ଅଞ୍ଚଳ ମଧ୍ୟରୁ ୩୩.୫୦ ପ୍ରତିଶତ ଜଙ୍ଗଲ ଅଚ୍ଛାଦିତ ଅଟେ। ଏକ-ତୃତୀୟାଂଶ ଅଞ୍ଚଳ ଜଙ୍ଗଲ ଓ ବୃକ୍ଷଲତାରେ ପରିପୂର୍ଣ୍ଣ ଯୋଗୁଁ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିପାରିଛି । ୨୦୧୭-୧୮ ବର୍ଷରେ ରାଜ୍ୟରେ ଜଙ୍ଗଲ ଅଭିବୃଦ୍ଧି ୨୩୭ ବର୍ଗ କିଲୋମିଟର ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ପାଖାପାଖି ଦୁଇଗୁଣା ଅଭିବୃଦ୍ଧି ଘଟିଛି ।

ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୩ଟି ଜିଲ୍ଲାରେ ବନାଞ୍ଚଳରେ ଅଭିବୃଦ୍ଧି ଘଟିଛି । ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ବିଗତ ଦୁଇବର୍ଷ ମଧ୍ୟରେ ଅଧିକ ପରିମାଣରେ ବନାଞ୍ଚଳରେ ଅଭିବୃଦ୍ଧି ଘଟିଛି । ରାଜ୍ୟରେ ବିଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ୨୪୩ ବର୍ଗ କିଲୋମିଟର ମଧ୍ୟମ ଧରଣର ଜଙ୍ଗଲ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି ।

ଆହୁରି ମଧ୍ୟ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଓଡ଼ିଶାରେ ୧୧୩୪ ବର୍ଗ କିଲୋମିଟର ଅଣଜଙ୍ଗଲ ଅଞ୍ଚଳରେ ବର୍ତ୍ତମାନ ଆଖିଦୃଶିଆ ବନାଞ୍ଚଳ ସୃଷ୍ଟି ହୋଇଛି । ଭାରତବର୍ଷର ବୃକ୍ଷଲତା ଏବଂ ଜଙ୍ଗଲରୁ ସୃଷ୍ଟି ହେଉଥିବା ସମୁଦାୟ କାର୍ବନ ପରିମାଣର ୬.୧୭ ପ୍ରତିଶତ ଓଡ଼ିଶାରୁ ସୃଷ୍ଟି ହେଉଛି ।

ରାଜ୍ୟ ସରକାରଙ୍କର ଯୁଗ୍ମ ଜଙ୍ଗଲ ପରିଚାଳନା ପଦକ୍ଷେପ ସହିତ ସବୁଜ ମିଶନ, ସବୁଜ ମହାନଦୀ ମିଶନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକ୍ରମ, ଜିଲ୍ଲା ଖଣିଜ ପାଣ୍ଠି, ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ଏବଂ ଅନ୍ୟାନ୍ୟ ସଂସ୍ଥାଙ୍କ ନିରବଚ୍ଛିନ୍ନ ଉଦ୍ୟମର ଫଳ ସ୍ୱରୂପ ରାଜ୍ୟରେ ଆଜି ଏହା ସମ୍ଭବ ହୋଇପାରିଛି ।