Categories
ଜାତୀୟ ଖବର ବିଶେଷ ଖବର

ହଠାତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ପରେ ଆଶଙ୍କାରେ ଅଛନ୍ତି ଆଉ କେତେକ ମନ୍ତ୍ରୀ

ନୂଆଦିଲ୍ଲୀ: ଗତକାଲି ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରିଛନ୍ତି। ଏ ନେଇ ପୂର୍ବରୁ କୌଣସି ସଙ୍କେତ ନ ଥିଲା। ହେଲେ ହଠାତ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଲା ଯେ ଆଇନ ମନ୍ତ୍ରୀପଦରୁ ହଟିଛନ୍ତି କିରଣ ରିଜିଜୁ। ଏହାକୁ ନେଇ ଦିଲ୍ଲୀ ଗଣ ମାଧ୍ୟମ ମଧ୍ୟ କୌଣସି ସୁରାକ ପାଇପାରିଲା ନାହିଁ।

କିରଣ ରିଜିଜୁଙ୍କୁ ଆଇନ ପରି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରୁ ହଟାଇ କମ ଗୁରୁତ୍ବ ଥିବା ଆର୍ଥ ସାଇନସ ବିଭାଗର ମନ୍ତ୍ରୀ କରାଗଲା। ଏହି ବିଭାଗଟି ବହୁ ପୂର୍ବରୁ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପାଖରେ ଥିଲା। ଜିତେନ୍ଦ୍ର ସିଂଙ୍କ ପାଖରେ ପାଞ୍ଚୋଟି ବିଭାଗ ରହିଛି। ସେଥିରୁ ଗୋଟିଏ ବିଭାଗର ମନ୍ତ୍ରୀ ହେଲେ ରିଜିଜୁ।

ତେବେ ରିଜିଜୁଙ୍କୁ ମନ୍ତ୍ରୀ ଆଇନ ମନ୍ତ୍ରୀରୁ ହଟାଇବାର କାରଣ ଗୋଟିଏ ବୋଲି ସମସ୍ତେ ସନ୍ଦେହ ପ୍ରକାଶ କରିଛନ୍ତି। ତାହା ହେଲା ବିଚାରପତିଙ୍କ ସହିତ ତାଙ୍କର ମତଭେଦ। ବିଶେଷ କରି କଲେଜିୟମ ବ୍ୟବସ୍ଥାକୁ ନେଇ ସେ ଅସନ୍ତୁଷ୍ଠ ଥିଲେ। ଫଳରେ ସେ ଯେତେବେଳେ କୌଣସି ସଭାକୁ ଯାଆନ୍ତି ସେଠାରେ ସେ ବିଚାରପତିଙ୍କୁ ପରୋକ୍ଷରେ ସମାଲୋଚନା କରନ୍ତି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରି ପଦକ୍ଷେପ ଗ୍ରହଣ କଲେ।

ରିଜିଜୁଙ୍କୁ ବଦଳ ହେବା ଘଟଣା ଗଣମାଧ୍ୟମ କାହିଁକି ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଅବଗତ ନ ଥିଲେ। ସେମାନେ ମଧ୍ୟ ଏହାର ସାମାନ୍ୟତମ ଗନ୍ଧ ବାରିପାରି ନ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ରାଷ୍ଟ୍ରପତି ଭବନକୁ ଗଲା। ସେଠାରୁ ବିଜ୍ଞପ୍ତି ପ୍ରକାଶ ପରେ ସମସ୍ତେ ଅବଗତ ହେଲେ। ତେଣୁ ଏହା ଏକ ଗୁପ୍ତ ମିଶନ ଭାବେ ଗ୍ରହଣ କରି ପଦକ୍ଷେପ ନିଆଯାଇଛି।

ରିଜିଜୁଙ୍କ ଉପରେ ପଦକ୍ଷେପ ପରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅନେକ ମନ୍ତ୍ରୀ ବର୍ତ୍ତମାନ ଛାନିଆ ହୋଇଯାଇଛନ୍ତି। କାରଣ କାହାର ପାଳି କେତେବେଳେ ପଡିଯିବ ସେ ନେଇ ସେମାନେ ସନ୍ଦେହ ଘେରରେ। ମୁଖ୍ୟତଃ ଯେଉଁ ମନ୍ତ୍ରୀମାନଙ୍କର ଭଲ ଦକ୍ଷତା ନାହିଁ ଏବଂ ଦଳକୁ ଉପରକୁ ନେବା ପାଇଁ କୌଣସି ପଦକ୍ଷେପ ନେଉ ପାରୁ ନାହାଁନ୍ତି ସେମାନେ ଭୟଭୀତ। ବାହାରକୁ କେହି କିଛି କହୁ ନ ଥିଲେ ମଧ୍ୟ ଆଉ କେତେକ ମନ୍ତ୍ରୀଙ୍କ ଉପରେ ଖଣ୍ଡା ଝୁଲୁଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ନୂଆ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବରୁଣ ଗାନ୍ଧୀଙ୍କୁ ଅଣଦେଖା: ପ୍ରତିକ୍ରିୟା ରଖିଲେ ମା’ ମେନକା ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ବିସ୍ତାର ହୋଇଯାଇଥିବା ବେଳେ ମନ୍ତ୍ରୀମାନେ କାମ ଆରମ୍ଭ ମଧ୍ୟ କରିସାରିଲେଣି। ହେଲେ ଏହି କ୍ୟାବିନେଟରେ ଉତ୍ତରପ୍ରଦେଶର ସାଂସଦ ବରୁଣ ଗାନ୍ଧୀ ସାମିଲ ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ। ତେବେ ଏହାକୁ ନେଇ ବରୁଣଙ୍କ ମା’ ତଥା ସାଂସଦ ମେନକା ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି।

ମେନକା ଗାନ୍ଧୀ କହିଛନ୍ତି ଯେ, ସଂସଦରେ ୬୦୦ ରୁ ୬୫୦ ଜଣ ସାଂସଦ ଅଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କେତେଜଣଙ୍କୁ ଜାଗା ଦେଇପାରିବେ। କିନ୍ତୁ ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କ ଟିମରେ ସାମିଲ କରିଛନ୍ତି, ସେମାନେ ସମସ୍ତେ ଦକ୍ଷ ଅଟନ୍ତି। ମେନକା ବର୍ତ୍ତମାନ ଦୁଇ ଦିନିଆ ସୁଲତାନପୁର ଗସ୍ତ ଯାଇଛନ୍ତି। ଯେଉଁଠି ସେ ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ମେନକାଙ୍କୁ ଶିଶୁ ବିକାଶ ମନ୍ତ୍ରୀ ଦାୟିତ୍ଵ ଦିଆଯାଇଥିଲା। କିନ୍ତୁ ଦ୍ଵିତୀୟ ପାଳିରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କାରାଯାଇନାହିଁ। ଉତ୍ତରପ୍ରଦେଶ ନିର୍ବାଚନ ଆସୁଥିବାରୁ ଏଥର ବରୁଣଗାନ୍ଧୀଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏଥର ଉତ୍ତରପ୍ରଦେଶରୁ ୭ ସାଂସଦଙ୍କୁ ଜଣଙ୍କୁ ମନ୍ତ୍ରୀ କରାଯାଇଥିବା ବେଳେ ବରୁଣ ଗାନ୍ଧୀଙ୍କୁ ବାଦ ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏହି ସପ୍ତାହରେ ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ, ବଦଳିବ ଓଡିଶା ଚେହେରା

ନୂଆଦିଲ୍ଲୀ, ବହୁଦିନ ଧରି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ତଥା ସଂପ୍ରସାରଣ ହେବ ବୋଲି ଚର୍ଚ୍ଚା ଜାରି ରହିଛି। ବର୍ତ୍ତମାନ ଏହାର ବାସ୍ତବ ରୂପ ନେବା ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସପ୍ତାହରେ କ୍ୟାବିନେଟ୍ ସଂପ୍ରସାରଣ ସହ ଅଦଳ ବଦଳ କରିବେ। ରିପୋର୍ଟ ଅନୁଯାୟୀ, 7 କିମ୍ବା 8 ଜୁଲାଇରେ ଏହି ସଂପ୍ରସାର ହେବ ବୋଲି ଅନୁମାନ କରାଯାଇଛି।

ବିଜେପି ସଭାପତି ଜେପି ନାଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ଆଲୋଚନା କରିଛନ୍ତି। ଅନେକ ନୂଆ ଚେହେରା ଏହି ସଂପ୍ରସାରଣରେ ସ୍ଥାନ ପାଇବେ। ଏମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ନାମ ପ୍ରାୟ ସ୍ଥିର ହୋଇଛି ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦିଆଯିବ।

ଅନେକ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ଖବର ଅନୁଯାୟୀ, ମୋଦୀ କ୍ୟାବିନେଟର ସମ୍ପ୍ରସାରଣରେ ଏନଡିଏର ସହଯୋଗୀ ଜନତା ଦଳ ୟୁନାଇଟେଡ ଏବଂ ଲୋକ ଜନଶକ୍ତି ପାର୍ଟିର ପାରାସ ଦଳର ନେତାମାନଙ୍କୁ ମଧ୍ୟ ସ୍ଥାନ ଦିଆଯିବ। ଦୁଇ ବର୍ଷରୁ ଅଧିକ ସମୟ ପରେ ମୋଦୀଙ୍କ କ୍ୟାବିନେଟ-୨ ଗଠନ ହେବାକୁ ଯାଉଛି।

ବିଜେପିର ସୂତ୍ରରୁ ପ୍ରକାଶ ଯେ ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ଏପରି ଲୋକଙ୍କୁ ସ୍ଥାନ ଦେବାକୁ ଚେଷ୍ଟା କରାଯାଉଛି ଯେଉଁମାନେ ଦଳକୁ ଦୃଢ ସମର୍ଥନ କରୁଛନ୍ତି। କାରଣ ବର୍ତ୍ତମାନ ମୁଦ୍ରାସ୍ଫୀତି, କରୋନା, ରାମ ମନ୍ଦିର ଭଳି ସମସ୍ୟା ରହିଛି, ଯାହା ଉପରେ ଦଳର ପକ୍ଷ ଦୁର୍ବଳ ଥିବା ଜଣାପଡିଛି।

କେଉଁମାନେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ

ଖବର ଅନୁଯାୟୀ, ମୋଦୀ କ୍ୟାବିନେଟ 19-20 ଜଣ ନୂଆ ଚେହେରା ମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବନନ୍ଦ ସୋନୋୱାଲ, ବିହାରର ପୂର୍ବତନ ଡେପୁଟି ସିଏମ, ବରୁଣ ଗାନ୍ଧୀ, ସନ୍ତୋଷ କୁଶୱା, ଜାମିଆଙ୍ଗ ସେରିଙ୍ଗ ନାମଗିଆଲ, ଲକେଟ ଚାଟାର୍ଜୀ ପାଇପାରିବେ। ଏକ ସ୍ଥାନ ଏହା ବ୍ୟତୀତ ଏଲଜେପି ନେତା ପଶୁପତି ପରାସଙ୍କ ନାମ ମଧ୍ୟ ଆଲୋଚନା ଚାଲିଛି। ତାଙ୍କୁ କ୍ୟାବିନେଟରେ ମଧ୍ୟ ଏକ ପଦ ଦିଆଯାଇପାରେ।

ନୂତନ ମନ୍ତ୍ରୀ ମଣ୍ଡଳରେ ଓଡିଶାର ଚେହେରା କଣ ହବ

ମୋଦୀଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ କିଏ ରହିବ ସେ ନେଇ ଚାଲିଛି ବିଶେଷ ଚର୍ଚ୍ଚା। ସେହି ଅନୁସାରେ କହିବାକୁ ଗଲେ ଧର୍ମେନ୍ଦ୍ର ପ୍ରଧାନଙ୍କର ପୂର୍ବପରି ପେଟ୍ରୋଲିୟମ ବିଭାଗ ରହିବ। ହେଲେ ଇସ୍ପାତ ବିଭାଗଟି ତାଙ୍କ ହାତରୁ ଖସିପାରେ। ଏପରି ଦିଲ୍ଲୀରେ ମଧ୍ୟ ଚର୍ଚ୍ଚା ଚାଲିଛି ଯେ ଧର୍ମେନ୍ଦ୍ରଙ୍କ ପୁରା ବିଭାଗ ବଦଳି ଯିବ, ତାଙ୍କୁ ନୂଆ ବିଭାଗର ଦାୟିତ୍ବ ପ୍ରଦାନ କରାଯିବ। ସେହିପରି ଓଡିଶାର ଅନ୍ୟତମ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ପଦ ଚାଲିଯାଇପାରେ ବୋଲି ଆଲୋଚନା ଚାଲିଛି। କାରଣ ତାଙ୍କର ବିଭାଗରେ ସେ ସନ୍ତୋଷଜନକ କାର୍ଯ୍ୟ କରିପାରି ନାହାଁନ୍ତି।

ତେବେ ଏହି ମନ୍ତ୍ରୀମଣ୍ଡଳରେ ଓଡିଶାରୁ ଯିଏ ସ୍ଥାନ ପାଇବେ ସେ ହେଉଛନ୍ତି ରାଜ୍ୟ ସଭା ସାଂସଦ ଅଶ୍ବନୀ ବୈଷ୍ଣବ। ତାଙ୍କର ଦିଲ୍ଲୀ ଦରବାରରେ ବେଶ ଦବଦବା ରହିଥିବାରୁ ତାଙ୍କୁ କ୍ୟାବିନେଟ ପ୍ୟାହା ଦିଆଯିବ। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମ ପ୍ରଥମେ ଚର୍ଚ୍ଚାରେ ଥିଲା। ହେଲେ ପରବର୍ତ୍ତି ସମୟରେ ତାଙ୍କ ନାମ ଆଉ ଆଲୋଚନା କରାଯାଉ ନାହିଁ। ଫଳରେ ସେ ମନ୍ତ୍ରୀ ହେବା ସମ୍ଭାବନା ନାହିଁ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ଶେଷ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଏହି ମାସରେ ହେବ ନୂଆ ମନ୍ତ୍ରୀମଣ୍ଡଳର ଶପଥ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଏକାଥରେ ପାଞ୍ଚୋଟି ବୈଠକ କରିସାରିଲେ। ପ୍ରାୟ ସବୁ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଅମିତ ଶାହା ରହିଛନ୍ତି। ଅନ୍ୟାନ୍ୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରହିଛନ୍ତି। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଏ ସବୁ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଛି ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଏବଂ ସଂପ୍ରସାରଣ। ଏହି ପ୍ରସଂଗ ବ୍ୟତିତ୍ୟ ଏହା ଅନ୍ୟ କିଛି ନୁହେଁ ବୋଲି ସେମାନଙ୍କ ଅନୁମାନ।

ଚଳିତ ମାସରେ କେନ୍ଦ୍ରସରକାରଙ୍କ ଗତିବିଧିକୁ ଲକ୍ଷ କଲେ ଏହି ଅନୁମାନ ସ୍ପଷ୍ଟ ହେଉଛି। କାରଣ ପୂର୍ବରୁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ନୂଆଦିଲ୍ଲୀ ଆସି ବିଭିନ୍ନ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି। କାରଣ ସେ ହେଉଛନ୍ତି ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେଉଛିବାର ଚର୍ଚ୍ଚା ଚାଲିଛି।

ସେହିପରି ସୋମବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଦିଲ୍ଲାରେ ପହଁଚିଛନ୍ତି। ବର୍ତ୍ତମାନ ନୂଆ ମନ୍ତ୍ରୀମଣ୍ଡଳରେ ନୀତିଶଙ୍କ ଦଳ ସାମିଲ ହେବ। ସେ ନେଇ ସେ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଜାଙ୍କ ସହିତ ଆଲୋଚନା କରିବେ। ତାଙ୍କର ଗସ୍ତ ରାଜ୍ୟରେ କରୋନା ମହାମାରୀ ବୋଲି କୁହାଯାଉଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଉପରେ ହେବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରୀ ବାସଭବନରେ ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ କେତେକ କେନ୍ଦ୍ର ମନ୍ତ୍ରୀଙ୍କ ସହ ପୁଣି ଆଲୋଚନା କରିଛନ୍ତି।  ଖବର ଅନୁଯାୟୀ, ଏହି ବୈଠକ ମଧ୍ୟ ସେହି ସମ୍ଭାବ୍ୟ କ୍ୟାବିନେଟ୍ ସମ୍ପ୍ରସାରଣ ସହିତ ପାଞ୍ଚୋଟି ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯାଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଏ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟର ହିସାବ ନେଇଛନ୍ତି। ଏଥିରେ ସେ ବିଭିନ୍ନ ବିଭାଗର କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରାୟ ପାଞ୍ଚୋଟି ବୈଠକ କରିଥିଲେ। କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ର ମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଭାଗ ନେଇଥିଲେ। ଏହି ସମସ୍ତ ସଭାରେ ବିଜେପି ସଭାପତି ମଧ୍ୟ ଉପସ୍ଥିତ ଥିଲେ।

ସୂତ୍ରରୁ ପ୍ରକାଶ ଯେ ଅମିତ ଶାହ ଏବଂ ରାଜନାଥ ସିଂଙ୍କ ବ୍ୟତିତ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଯୋଗ ଦେଇଥିଲେ। ନଡ୍ଡା ବ୍ୟତୀତ ବିଜେପିର ଜାତୀୟ ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ।

ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତରେ କେନ୍ଦ୍ର ସରକାରଙ୍କ ଏପରି ଗତିବିଧି ସମ୍ଭାବ୍ୟ କ୍ୟାବିନେଟ୍ ସଂପ୍ରସାରଣ ଏବଂ ଅଦଳବଦଳ ସଙ୍କେତ ପ୍ରଦାନ କରୁଛି। ସୂଚନା ଅନୁସାରେ ମୋଦି ଚଳିତ ସପ୍ତାହରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଏବଂ ସଂପ୍ରସାରଣ କରିପାରନ୍ତି । ଚଳିତ ଜୁନରେ ଦେଶବାସୀ ନୂଆ ମନ୍ତ୍ରୀମଣ୍ଡଳ ଦେଖିବେ ବୋଲି ଆଶା କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହୋଇଗଲା ଖେଳ, ମନ୍ତ୍ରୀ ଆଶାୟୀ ତିନି ନେତାଙ୍କ ଆଶା ମଉଳିଲା

ନୂଆଦିଲ୍ଲୀ, କେନ୍ଦ୍ରର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ଜଣାପଡିବା ପରେ ବର୍ତ୍ତମାନ ଦେଶର ରାଜନୀତିରେ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ମନ୍ତ୍ରୀ ତଥା ସାଂସଦଙ୍କ ସହିତ ବାରମ୍ବାର ବୈଠକ ଏହି ସଂପ୍ରସାରଣକୁ ନିଶ୍ଚିତ କରୁଛି। ସେଥିପାଇଁ କିଏ ମନ୍ତ୍ରୀ ହେବ କାହାର ମନ୍ତ୍ରୀ ପଦ ଯିବ ସେ ନେଇ ଚାଲିଛି ମନ୍ଥନ।

ତେବେ ଏହି ସଂପ୍ରସାରଣ ଏବଂ ଅଦଳବଦଳ ଭିତରେ ଓଡିଶାର ଭାଗ୍ୟରେ କଣ ଅଛି ତାହାକୁ ନେଇ ମଧ୍ୟ ଚାଲିଛି ଯୁକ୍ତିତର୍କ। ସଦ୍ୟତମ ତଥ୍ୟ ଅନୁସାରେ ଓଡିଶାର କୁଆଡେ ତିନି ଜଣ ନେତା ମନ୍ତ୍ରୀ ହେବେ ବୋଲି ପାୱାର କରିଡର ସହିତ ଯୋଗାଯୋଗରେ ଅଛନ୍ତି। ହେଲେ ଶେଷ ମୂର୍ହୁତରେ ସେମାନଙ୍କ ଆଶା ଆଶାରେ ରହିଯାଇଛି। କାରଣ ଏହି କଥା ବିରୋଧୀ ପାୱାର କରିଡର ଜାଣିବା ପରେ କୁଆଡେ ଖେଳ କରିଦେଇଛନ୍ତି।

ନୂଆଦିଲ୍ଲୀର ସୂଚନା ଅନୁସାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପାଇଁ ତିନିଜଣଙ୍କ ନାମ ଦିଲ୍ଲୀରେ ଚର୍ଚ୍ଚା ଚାଲିଥିଲା। ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ଅପରାଜିତା ଷଡାଙ୍ଗୀ ସହ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏହି ତିନିଜଣଙ୍କର ଦିଲ୍ଲୀ ଦରବାରରେ ବେଶ୍ ଦବଦବା ମଧ୍ୟ ରହିଛି।

ତେବେ ଏହି ତିନି ଜଣଙ୍କ ମଧ୍ୟରୁ ବୈଜୟନ୍ତ ଏବଂ ସମ୍ବିତ କୌଣସି ଗୃହର ସଦସ୍ୟ ନାହାଁନ୍ତି। ହେଲେ ସେମାନଙ୍କୁ ଏହି ସଂପ୍ରସାରଣରେ ସାମିଲ କରି ପରବର୍ତ୍ତି ସମୟରେ ରାଜ୍ୟସଭା ସଦସ୍ୟ କରିବା ନେଇ ଯୋଜନା ଚାଲିଥିଲା। ହେଲେ ସେସବୁ ଜଣାପଡିବାର ପରେ ଏହି ବିରୋଧୀ ପାୱାର କେନ୍ଦ୍ର ସେସବୁକୁ ଛାରଖାର କରି ଦେଇଛି। ତେବେ ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବନୀ ବୈଷ୍ଣବଙ୍କ ନାମ ଏ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟା ଶେଷ, ଏକ ବଡ ତାଲିକା ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ, ସୁତ୍ର

ନୂଆଦିଲ୍ଲୀ, କେନ୍ଦ୍ର କ୍ୟାବିନେଟ ଅଦଳବଦଳ ପକ୍ରିୟା ବର୍ତ୍ତମାନ ଶେଷ ହୋଇଛି। ନୂଆଦିଲ୍ଲୀରୁ ମିଳିଥିବା ଏକ ନିର୍ଭର ଯୋଗ୍ୟ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା ଏବଂ  ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ମିଳିତ ଭାବେ ପୁଣି ବୈଠକ କରିଥିଲେ।

ଏହି ବୈଠକରେ ଏକ ବିସ୍ତୁତ ତାଲିକା ପ୍ରଧାନମନ୍ତ୍ରୀଙ୍କ ବିଚାର ପାଇଁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହାକୁ ଅନୁଧ୍ୟାନ କରି ଶେଷ ସ୍ପର୍ଶ ଦେବେ ବୋଲି ଜଣାପଡିଛି। ଏହି ସୁତ୍ର ଅନୁସାରେ ଖୁବ ଶିଘ୍ର ପ୍ରଧାନମନ୍ତ୍ରୀ ଏ ନେଇ ରାଷ୍ଟ୍ରପତି ଭବନକୁ ଅବଗତ କରାଇବେ। ଫଳରେ ଆସନ୍ତା ସପ୍ତାହରେ ଏହି ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବ ବୋଲି କୁହାଯାଉଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଓଡିଶାରୁ ଆଉ ଜଣେ ମନ୍ତ୍ରୀ ହେବା ସମ୍ଭାବନା, ଚର୍ଚ୍ଚାରେ ଦୁଇ ଜଣ

ଭୁବନେଶ୍ବର, ଆସନ୍ତା ବଜେଟ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ତେବେ ଏହାକୁ ନେଇ ଓଡିଶାର ରାଜନୀତି ପାଣିପାଗ ମଧ୍ୟ ବେଶ ଗରମ ହୋଇଯାଇଛି। ଏହି ଅଦଳବଦଳ ବେଳେ ଓଡିଶାରେ ଆଉ ଜଣେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ତେବେ ଓଡିଶାରୁ କିଏ ହେବେ ମନ୍ତ୍ରୀ ସେ ନେଇ ମଧ୍ୟ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ଏଥିରେ କେବଳ ଦୁଇ ଜଣଙ୍କ ନାମ ବର୍ତ୍ତମାନ ଦିଲ୍ଲୀ ଦରବାରରେ ବେଶ୍ ଆଲୋଚନା ଚାଲିଛି।

ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦୁଇ ଜଣ ମନ୍ତ୍ରୀ ଅଛନ୍ତି। ସେମାନେ ହେଲେ କ୍ୟାବିନେଟରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଷଡଙ୍ଗୀ। ହେଲେ କେନ୍ଦ୍ର ନେତୃତ୍ବ ଅନୁଭବ କରିସାରିଲେଣି ଯେ, ଉଭୟଙ୍କ ନେତୃତ୍ବରେ ଓଡିଶାରେ ଫେଲ ମାରୁଛି। ବିଶେଷ କରି ବାଲେଶ୍ବର ଉପ ନିର୍ବାଚନରେ ହାରିବା କେନ୍ଦ୍ର ବିଜେପି ନେତୃତ୍ବଙ୍କୁ ବହୁ ବ୍ୟଥିତ କରିଦେଇଛି। କାରଣ ବାଲେଶ୍ବରରେ ସମବେଦନା ଭୋଟ ସହିତ ବିଜେଡିର ଦୃଢ ପ୍ରାର୍ଥୀ ନ ଥିଲେ। ଏହାକୁ ନେଇ ସେଠାରେ ବିଜେପି ଜିତିବା ନିଶ୍ଚିତ ଥିଲେ ମଧ୍ୟ ତାହା ହେଲା ନାହିଁ।

ବାଲେଶ୍ବର ଉପନିର୍ବାଚନକୁ ନେଇ କେନ୍ଦ୍ର ନେତୃତ୍ବ ବେଶ୍ ତନାଘନା ମଧ୍ୟ କରିଛନ୍ତି। ସେମାନେ ଅନୁଭବ କରିସାରେଲେଣି ଯେ, ବର୍ତ୍ତମାନ ବିଜେପିର ଯେଉଁମାନେ ମଙ୍ଗୁଆଳ ସାଜିଛନ୍ତି ସେମାନଙ୍କ ଦ୍ବାରା 2024 ନିର୍ବାଚନ ସମ୍ମୁଖୀନ ହେବା ଉଚିତ ହେବ ନାହିଁ। ଏପରିକି ତା ପୂର୍ବରୁ ପଞ୍ଚାୟତ ଏବଂ ନଗରପାଳ ନିର୍ବାଚନ ମଧ୍ୟ ତାଙ୍କ ହାତରେ ଟେକି ହେବ ନାହିଁ। ସେଥିପାଇଁ ଓଡିଶାରେ ବିଜେପି କୁଆଡେ ଏକ ବିକଳ୍ପ ମଙ୍ଗୁଆଳ ତିଆରି କରିବା ପାଇଁ ମନସ୍ଥ କରିଥିବାର କୁହାଯାଉଛି।

ସେଥିପାଇଁ ଦଳ ବର୍ତ୍ତମାନ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ବାହାର କରି ଆଉ ଜଣେ ନୂଆଙ୍କୁ ନେବେ ବୋଲି ଦିଲ୍ଲୀରେ ଚର୍ଚ୍ଚା ଚାଲିଛି। ହେଲେ ଆଉ କେତେକଙ୍କ ମତରେ ଏହି ଦୁଇ ଜଣଙ୍କ ସହିତ ଆଉ ଜଣଙ୍କୁ ମନ୍ତ୍ରୀ ଭାବେ ମୋଦୀ ନେବେ ବୋଲି କୁଆଡେ ସୂଚନା ମିଳିଛି। ଅର୍ଥାତ ଓଡିଶାରୁ ତିନିଜଣ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବେ। ତେବେ ସେହି  ନୂଆ ବ୍ୟକ୍ତି ଜଣଙ୍କ କିଏ ସେ ସେ ନେଇ ଜୋରଦାର ଆଲୋଚନା ଚାଲିଛି।  ସେହି ମଧ୍ୟରେ ଦୁଇ ଜଣଙ୍କ ନାମ ଆଗକୁ ଆସୁଛି। ଜଣେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଆଉ ଜଣେ ହେଲେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ।

ବର୍ତ୍ତମାନ ଓଡିଶା ରାଜନୀତିରେ ଅପରାଜିତା ଷଡଙ୍ଗୀ ଏକକ ନେତୃତ୍ବରେ ଏକ ଦୃଢ ସଂଗଠନ ତିଆରି କରିବାରେ ଲାଗିଲେଣି। ସେଥିପାଇଁ ଧର୍ମେନ୍ଦ୍ର କ୍ୟାମ୍ପ ଛାଡି ଅନେକ ନେତା ଅପରାଜିତା କ୍ୟାମ୍ପରେ ପ୍ରବେଶ ମଧ୍ୟ କଲେଣି। କାରଣ ଗତ ଖୋର୍ଦ୍ଧା ବିଜେପି ସଭାପତି ନିଯୁକ୍ତି ନେଇ ଯେପରି ଟକ୍କରା ଟକ୍କରି ଚାଲିଲା ତାହା ଓଡିଶା ରାଜନୀତିରେ ବେଶ ହଟଚମଟ ସୃଷ୍ଟି କରିଛି। ଏଥିରେ ଦିଲ୍ଲୀ ଦରବାରରେ ଅପରାଜିତାଙ୍କ କ୍ଷମତା କେତେ ତାହା ପ୍ରମାଣିତ ହେଲା। ତେଣୁ ଦିଲ୍ଲୀ ଲିଙ୍କରେ ଅପରାଜିତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ବହୁ ସମ୍ଭାବନା ସୃଷ୍ଟି ହୋଇଛି।

ତେବେ ଅଶ୍ବନୀ ବୈଷ୍ଣବଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ପାଇଁ ଯେଉଁମାନେ କହୁଛନ୍ତି ସେମାନଙ୍କର ଯୁକ୍ତି ମଧ୍ୟ ଠିକ। ଏମାନଙ୍କର ଯୁକ୍ତି ହେଲା ଯେ, ଦୁଇ ଜଣଙ୍କର କଳିରେ ତୃତୀୟ ଜଣଙ୍କର ଲାଭ ନ୍ୟାୟରେ ଅଶ୍ବନୀ ମନ୍ତ୍ରୀ ହୋଇପାରନ୍ତି। ଅପରାଜିତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ ନ କରି ଜଣେ ନିରପେକ୍ଷ ଲୋକଙ୍କୁ ସାମିଲ କଲେ ଭବିଷ୍ୟତରେ କାଦୁଅ ଫିଙ୍ଗା ଖେଳ ହେବ ନାହିଁ। ଅନ୍ୟପକ୍ଷରେ ଅଶ୍ବନୀଙ୍କ ରାଷ୍ଟ୍ରୀୟ ବିଜେପିରେ ଯେପରି ଦବଦବା ରହିଛି ତାହା ଆଉ କାହାର ନାହିଁ। ସେଥିପାଇଁ ଅଶ୍ବନୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ନେଇ ଚର୍ଚ୍ଚା ଯୋର ଧରିଛି।