Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି

ନୂଆଦିଲ୍ଲୀ: ଫେସବୁକ, ହ୍ୱାଟ୍ସଆପ ଏବଂ ଇନଷ୍ଟାଗ୍ରାମକୁ ସଂଚାଳିତ କରୁଥିବା ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ୍ କ୍ଲେଗ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି।

ଭାରତର ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ମେଟା ଟେକ୍ନୋଲୋଜିକୁ କିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ କେନ୍ଦ୍ରମନ୍ତ୍ରୀ ଏହି ବୈଠକ କାଳରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଜାତୀୟ ଶିକ୍ଷା ନୀତି ଟେକ୍ନୋଲୋଜି ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେଉଛି। ଷ୍ଟାର୍ଟଅପରେ ନିୟୋଜିତ ଥିବା ଯୁବ ଉଦ୍ୟୋଗୀମାନେ କିପରି ସେମାନଙ୍କର ବ୍ୟବସାୟକୁ ଟେକ୍ନୋଲୋଜି ମାଧ୍ୟମରେ ବଢାଇପାରିବେ ସେ ବାବଦରେ ଅବଗତ କରାଇଥିଲେ। ସେହିପରି ଟେକ୍ନୋଲୋଜି ଇନୋଭେସନ, ଉଦ୍ୟମିତା କ୍ଷେତ୍ରକୁ ଉପଯୋଗ କରିବା ଉପରେ ଚର୍ଚ୍ଚା ସହ ଡିଜିଟାଲ ଇଣ୍ଡିଆ ଏବଂ ସ୍କିଲ୍ ଇଣ୍ଡିଆ ମିଶନ ସଶକ୍ତ କରିବା ପାଇଁ ମେଟାକୁ ନିମନ୍ତ୍ରଣ କରିଥିଲେ କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକ୍ କ୍ଲେଗଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କରିବା ସମୟରେ ଓଡ଼ିଶାର ପ୍ରତିଭାସମ୍ପନ୍ନ ବ୍ୟକ୍ତି ଓ କଳାକାରଙ୍କ ସମେତ ରାଜ୍ୟର କଳା, ସଂସ୍କୃତି, ପରମ୍ପରା ଉପରେ ଚର୍ଚ୍ଚା କରିଥିଲେ। ଦେଶ ସମେତ ଓଡ଼ିଶା ଭଳି ରାଜ୍ୟରେ ମେଟା ଟେକ୍ନୋଲୋଜି କିଭଳି ଯୁବ ପ୍ରତିଭାଙ୍କୁ ଅଧିକ ଦକ୍ଷ କରିବା ସହ ସ୍କିଲ୍ କ୍ଷେତ୍ରକୁ ମଜଭୂତ୍ କରିବ, ତାହା ଉପରେ କାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ବସନ୍ତ ପଣ୍ଡାଙ୍କ ଜରିଆରେ କଲାହାଣ୍ଡି ପ୍ରେରକ ସଙ୍ଘର କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ସାଂସଦ ବସନ୍ତ ପଣ୍ଡାଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଦ୍ୱାରା ପ୍ରଚଳିତ ସମଗ୍ର ଶିକ୍ଷା ଅଭିଯାନ ରେ ସମସ୍ତ ପ୍ରେରକ ମାନଙ୍କୁ ସାମିଲ କରିବା ପାଇଁ ଅନୁରୋଧ କରାଯାଇଛି।

ସୂଚନା ଯୋଗ୍ୟ ଯେ, ଭାରତ ସରକାରଙ୍କ ସାକ୍ଷରତା ଅଭିଯାନରେ ୧୫ ବର୍ଷରୁ ଉର୍ଦ୍ଧ୍ଵ ଅଣସାକ୍ଷରମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ୨୦୧୧ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାକ୍ଷର ଭାରତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିଲା। ଏଥିରେ କଲାହାଣ୍ଡି ଜିଲ୍ଲାର ୨୭୩ ଟି ଗ୍ରାମପଞ୍ଚାୟତରୁ ୫୪୭ ଜଣ ପ୍ରେରକ ନିୟୋଜିତ ହୋଇ ମାସିକ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଉଥିଲେ।

ପ୍ରେରକମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣସାକ୍ଷରମାନଙ୍କୁ ସାକ୍ଷର କରିବା ସଙ୍ଗେ ସଙ୍ଗେ ପଞ୍ଚାୟତର ପିଡ଼ିଏସ, ଭତ୍ତାବଣ୍ଟନ, ସ୍ୱଚ୍ଛଭାରତ ମିଶନ ହିତାଧିକାରୀ, ବିପିଏଲ, ଏପିଏଲ ସର୍ଭେ ରେ ପଞ୍ଚାୟତ କର୍ମଚାରୀଙ୍କୁ ସହଯୋଗ କରିଥିଲେ। ୨୦୧୮ ରୁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇ ଥିବାରୁ ବର୍ତ୍ତମାନ ପ୍ରେରକମାନେ ରୋଜଗାର ହରେଇବା ସହ ତାଙ୍କ ପରିବାର ଦୟନୀୟ ପରିସ୍ଥିତିରେ କାଳାତିପାତ କରୁଛନ୍ତି।

କେନ୍ଦ୍ର ସରକାରଙ୍କ ନୂତନ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା ଅଭିଯାନରେ ଓ ପ୍ରି ସ୍କୁଲ ଯୋଜନାରେ ପ୍ରେରକ ମାନଙ୍କୁ ଶିକ୍ଷା ପ୍ରେରକ ଭାବରେ ନିଯୁକ୍ତି ଦେବା ପାଇଁ କଲାହାଣ୍ଡି ଜିଲ୍ଲା ରୁ କଳାହାଣ୍ଡି ପ୍ରେରକ ସଙ୍ଘ ର ସଭାପତି ଅକ୍ରୁର ମହାଳିକ, ସହ ସମ୍ପାଦକ ଛବି ବିହାରୀ, ସାମାଜିକ କର୍ମୀ ଚିନ୍ମୟ ବେହରା ପ୍ରମୁଖ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରେରକଙ୍କ ସାମୁହିକ ସମସ୍ୟା ଓ ପୁନଃ ନିଯୁକ୍ତି କୁ ଗୁରୁତ୍ୱ ଦେଇ ଏହାର କାର୍ଯ୍ୟକାରିତା ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଦ୍ୱିତୀୟ ଜ୍ଞାନର ପ୍ରତୀକ ଭାରତୀୟ ଜ୍ଞାନ ପରମ୍ପରାକୁ ଶିକ୍ଷା ବ୍ୟବସ୍ଥାର ମୁଖ୍ୟସ୍ରୋତରେ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ‘ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକ’ ଉନ୍ମୋଚନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋମବାର ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ଇନଟ୍ରୋଡକ୍ସନ ଟୁ ଭାରତୀୟ ନଲେଜ ସିଷ୍ଟମ’ ତଥା ଇଣ୍ଡିଆନ ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକକୁ ଶ୍ରୀ ପ୍ରଧାନ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ସମସ୍ୟାକୁ ସମାଧାନ କରିବା ଭାରତୀୟ ଜ୍ଞାନ ପରମ୍ପରାର ମୂଳ ଆଧାର ଏବଂ ଏହାକୁ ଆଧୁନିକ ଓ ବୈଜ୍ଞାନିକ ଭାଷାରେ ବିଶ୍ୱ ସାମ୍ନାରେ ଆଣିବା ଆମ ପାଇଁ ଏକ ଆହ୍ୱାନ। ଏ ମର୍ମରେ ସନାତନ ଭାରତୀୟ ଜ୍ଞାନର ସମୃଦ୍ଧ ପରମ୍ପରାକୁ ସ୍ପଷ୍ଟ ଭାବରେ ଲୋକଲୋଚନକୁ ଆଣିବା ଏବଂ ଆଧୁନିକ ପାଠ୍ୟକ୍ରମର ଅଂଶୀଦାର କରିବା ଦିଗରେ ଇଣ୍ଡିଆନ ନଲେଜ୍ ସିଷ୍ଟମ ଉପରେ ଏହି ଗବେଷଣା ଆଧାରିତ ଗ୍ରନ୍ଥ ଉନ୍ମୋଚିତ ହେବା ଗୌରବର ବିଷୟ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପୁସ୍ତକର ତିନି ଲେଖକ ପ୍ରଫେସର ବି. ମହାଦେବନ, ପ୍ର. ବିନାୟକ ରଜତ ଭଟ୍ଟ, ପ୍ର. ନାଗେନ୍ଦ୍ର ପୱନ ଏବଂ ଏଆଇସିଟିଇକୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି ଯେ ସତ୍ୟ, ଅହିଂସା, ନ୍ୟାୟ, ଧର୍ମ ଭଳି ନୀତି ସିଦ୍ଧାନ୍ତ, ବେଦ, ଉପନିଷଦ, ରାମାୟଣ, ମହାଭାରତ ଭଳି ମହାକାବ୍ୟ ଏବଂ ସଂସ୍କୃତ, ପାଲି, ପାକୃତ, ତାମିଲ ଭଳି ପ୍ରାଚୀନ ଭାରତୀୟ ଭାଷା, ଭାରତର ଜୀବନ ପଦ୍ଧତି ଏବଂ ଦର୍ଶନ ହିଁ ଭାରତୀୟ ଜ୍ଞାନ ପରମ୍ପରା ଅଟେ। ଗ୍ରହ ନକ୍ଷତ୍ରର ଚଳଣି, ସମୟର ସଠିକ୍ ଗଣନା, ରସାୟନ ଶାସ୍ତ୍ର, ନାଗରିକ ଶାସ୍ତ୍ର, ବାସ୍ତୁକଳା, ବିଜ୍ଞାନ ଭଳି ଅନେକ କ୍ଷେତ୍ରରେ ଭାରତ ଖ୍ରୀଷ୍ଟପୂର୍ବରୁ ହିଁ ଜ୍ଞାନ ସଂସ୍କୃତିର ପରିଚୟ ରହିଆସିଛି। ଶିଳ୍ପ ବିପ୍ଳବ ଠାରୁ ୧୭୦୦ ରୁ ୨୦୦୦ ବର୍ଷ ପୂର୍ବେ ଭାରତରେ ସ୍ୱତନ୍ତ୍ର ଇସ୍ପାତର ବ୍ୟବହାର ହେଉଥିବାର ବୈଜ୍ଞାନିକ ପ୍ରମାଣ ରହିଛି।

ମହାତ୍ମା ଗାନ୍ଧି ଦୁନିଆକୁ ଏକ ନୂଆ ବିଚାର ଦେଇଥିଲେ। ସମାଜରେ ସତ୍ୟ ଓ ଅହିଂସା ଦ୍ୱାରା ଲୋକତନ୍ତ୍ର ସ୍ଥାପନ ହେବାର ନୂଆ ଦିଗଦର୍ଶନ ଦେଇଥିଲେ। ଗାନ୍ଧିଜୀଙ୍କୁ ଶ୍ରୀମଦ୍ ଭାଗବତ ଗୀତାରୁ ହିଁ ସତ୍ୟ ଓ ଅହିଂସା ପଥରେ ଚାଲିବାର ପ୍ରେରଣା ମିଳିଥିଲା। ଗୀତା ମାନବ ଜୀବନ ସହ ଜଡ଼ିତ ଜ୍ଞାନର ଏକ ପ୍ରାସଙ୍ଗିକ ସଙ୍କଳନ। ଜଳର ଉପଲବ୍ଧତାରୁ ଆମର ସଭ୍ୟତା ସଂସ୍କୃତି ବିକଶିତ ହୋଇଛି। ବୁନ୍ଦେଲଖଣ୍ଡର ନଈ ଭଳି ଜଳ ପ୍ରବନ୍ଧନର ପୁରାତନ ଇତିହାସ ଏବଂ ଭାରତର କୋଣ ଅନୁକୋଣରେ ଏଭଳି ଅନେକ ଉଦାହରଣ ଭାରତୀୟ ଜ୍ଞାନ ପରମ୍ପରାର ବୈଭବର ସାକ୍ଷୀ ହୋଇଛି। ମାତ୍ର ଭାରତ ଉପରେ ବିଦେଶୀ ଆକ୍ରମଣ ସହ ଆମର ଜ୍ଞାନ ପରମ୍ପରାକୁ ସଂକୁଚିତ କରିବା ପାଇଁ ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଦ୍ୱାରା ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଔପନିବେଶୀକରଣ କରିବା ଦିଗରେ ଚେଷ୍ଟା ଆରମ୍ଭ ହୋଇଛି।

କରୋନା ସମୟରେ ଯୋଗ ଏବଂ ଆୟୁର୍ବେଦ ଭଳି ଭାରତର ବ୍ୟବସ୍ଥା ବିଶ୍ୱର ଆହ୍ୱାନ ଗୁଡ଼ିକୁ ସମାଧାନ କରିବାର ବାଟ ବାହାର କରିଥିଲେ, ଏହା ହିଁ ହେଉଛି ଭାରତୀୟ ଜ୍ଞାନ ବ୍ୟବସ୍ଥା। ବିଶ୍ୱର ସବୁ ବିକଶିତ ଦେଶ ନିଜର ଜ୍ଞାନ ପରମ୍ପରା ଦ୍ୱାରା ମହାଶକ୍ତି ହୋଇପାରିଛନ୍ତି।

ଭାରତକୁ ଜ୍ଞାନ ଆଧାରିତ ମହାଶକ୍ତି କରିବା ତଥା ଏକବିଂଶ ଶତାବ୍ଦୀରେ ବୈଶ୍ୱିକ ମାନବ ପ୍ରସ୍ତୁତ କରିବା ଦିଗରେ ଆମେ ଆମର ନିଜ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଧାରିତ ଶିକ୍ଷା ଭିତିଭୂମି ପ୍ରସ୍ତତ କରିବା,ଯାହା କେବଳ ନିଜ ପାଇଁ ନୁହେଁ ବରଂ ବିଶ୍ୱର ସମସ୍ୟାକୁ ସମାଧାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶ ନିର୍ବାଚନ ଲାଗି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଦାୟିତ୍ବ, ପାଞ୍ଚଜଣ ସହ-ପ୍ରଭାରୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀଙ୍କ ନାମ ବିଜେପି ଘୋଷଣା କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଅନୁରାଗ ଠାକୁର, ସରୋଜ ପାଣ୍ଡେ ଏବଂ ଅର୍ଜୁନ ରାମ ମେଘୱାଲଙ୍କୁ ୟୁପିର ସହ-ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେହିଭଳି ଉତ୍ତରାଖଣ୍ଡଶରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଲୋକସଭା ସାଂସଦ ଲକେଟ୍ ଚାଟାର୍ଜୀ ଓ ଜାତୀୟ ମୁଖପାତ୍ର ସର୍ଦ୍ଦାର ଆରପି ସିଂ ସହ-ଦାୟିତ୍ୱରେ ରହିବେ ଏବଂ ସେଠାରେ ରହିବେ।

ଏହା ବ୍ୟତୀତ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମଣିପୁର ବିଜେପିର ନିର୍ବାଚନ ଦାୟିତ୍ୱରେ ରହିବେ। ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖୱାତ ପଞ୍ଜାବର ଦାୟିତ୍ୱରେ ଥିବାବେଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗୋଆ ଦାୟିତ୍ୱରେ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଛାତ୍ରଛାତ୍ରୀମାନେ ସହଜରେ ପଢିବା ଓ ଗଣିବା ପାଇଁ ଆରମ୍ଭ ହେଲା ନୂଆ ଅଭିଯାନ”ନିପୁଣ ଭାରତ”

ନୂଆଦିଲ୍ଲୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଆଜି ‘ନିପୁଣ ଭାରତ’କୁ ଉଦଘାଟନ କରିଛନ୍ତି, ଯାହାକି ପଢିବା ଦକ୍ଷତା ଏବଂ ଗଣତି କୌଶଳ ବୁଝିବା ପାଇଁ ଏକ ଭିନ୍ନ ପଦକ୍ଷେପ। ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ପଢିବା, ଲେଖିବା ଏବଂ ଗଣିବା କୈଶଳ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

ନିପୁଣ ଭାରତ ଆରମ୍ଭ କରି ଶ୍ରୀ ପୋଖରିଆଲ କହିଛନ୍ତି ଯେ ଏହି ପଦକ୍ଷେପ ନୂତନ ଶିକ୍ଷା ନୀତିର ଏକ ଦୃଢ ସ୍ତମ୍ଭ ହେବ। ସେ କହିଛନ୍ତି ଯେ ଏହି ପଦକ୍ଷେପ ପ୍ରାଥମିକ ଶିକ୍ଷା ସମୟରେ ପିଲାମାନଙ୍କ ମଧ୍ୟରେ ଶିକ୍ଷଣ ଏବଂ ଗଣନ କୌଶଳକୁ ମାଗଣା ବିକାଶରେ ସହାୟକ ହେବ। ସେ କହିଛନ୍ତି ଯେ ଏହି ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହଜରେ କିପରି ଗଣନା କାର୍ଯ୍ୟ କରିପାରିବେ ତାହା ଶିକ୍ଷା ପ୍ରଦାନ କରାଯିବ।

ନିପୁଣ ଭାରତକୁ ଏକ ଚମତ୍କାର ପଦକ୍ଷେପ ବୋଲି ବର୍ଣ୍ଣନା କରି ରାଜ୍ୟ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଧୋଟ୍ରେ କହିଛନ୍ତି ଯେ ଏହି ପଦକ୍ଷେପ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଦ୍ୟାଳୟ ଶିକ୍ଷାର ଭବିଷ୍ୟତକୁ ବଦଳାଇଦେବ। ଏହା ପିଲାମାନଙ୍କ ମଧ୍ୟରେ ଏକ ଦୃଢ ମୂଳଦୁଆ ପକାଇବ ଏବଂ ଭବିଷ୍ୟତରେ ଉଚ୍ଚଶିକ୍ଷା କରିବାରେ ସେମାନଙ୍କୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ଜାତୀୟ ଶିକ୍ଷା ନୀତି 2020 ର କାର୍ଯ୍ୟକାରିତା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ନିପୁଣ ଭରତ ଏହି ପର୍ଯ୍ୟାୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଜି କାର୍ଯ୍ୟକ୍ରମ ସମୟରେ ନିପୁଣ ଭାରତ ଉପରେ କ୍ଷୁଦ୍ର ଭିଡିଓ, ଗୀତ ଏବଂ କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ତଥା ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ଅନୁଷ୍ଠାନର ମୁଖ୍ୟମାନେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା କେନ୍ଦ୍ରର ସ୍କୁଲ ଶିକ୍ଷା ପାଇଁ ପିଜିଆଇ ରିପୋର୍ଟ, ଭିତ୍ତିଭୂମିରେ ଓଡିଶାର ୨୦ ପ୍ରତିଶତ ସୁଧାର

ନୂଆଦିଲ୍ଲୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ମଞ୍ଜୁରି କ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ଫରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ୨୦୧୯-୨୦ ପ୍ରକାଶ କରାଯାଇଛି। କେନ୍ଦ୍ର ସରକାର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ୭୦ଟି ମାନଦଣ୍ଡର ଏକ ସେଟ୍ ସହିତ ପ୍ରଦର୍ଶନ ମାନ୍ୟତା ସୂଚକାଙ୍କ ବା ପିଜିଆଇର ପ୍ରାରମ୍ଭ କରିଛନ୍ତି।

ପିଜିଆଇର ଭିତ୍ତିଭୂମି ଓ ସୁବିଧା ଡୋମେନରେ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ୧୦ ପ୍ରତିଶତ (୧୫ ପଏଣ୍ଟ) କିମ୍ବା ତତୋଧିକ ସୁଧାର ପ୍ରଦର୍ଶନ କରିପାରିଛନ୍ତି। ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ଏବଂ ଓଡ଼ିଶା ୨୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ପ୍ରଦର୍ଶନରେ ସୁଧାର ଆଣିପାରିଛନ୍ତି। ସେହିପରି ପିଜିଆଇର ଇକ୍ୟୁଟି ଡୋମେନରେ ଅରୁଣାଚଳ ପ୍ରଦେଶ, ମଣିପୁର ଓ ଓଡ଼ିଶା ୧୦ ପ୍ରତିଶତ ପ୍ରଦର୍ଶନ ସୁଧାର କରିପାରିଛନ୍ତି।

ଏହି ରିପୋର୍ଟ ଅନୁସାରେ ପଞ୍ଜାବ, ଚଣ୍ଡିଗଡ଼, ତାମିଲନାଡ଼ୁ, ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ତଥା କେରଳକୁ ୨୦୧୯-୨୦ ଲାଗି ସର୍ବୋଚ୍ଚ ଗ୍ରେଡ (ଇ++) ମିଳିଛି। ପୂର୍ବ ବର୍ଷ ତୁଳନାରେ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ନିଜର ଗ୍ରେଡିଂରେ ସୁଧାର ଆଣିପାରିଛନ୍ତି।

ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ, ଅରୁଣାଚଳ ପ୍ରଦେଶ, ମଣିପୁର, ପୁଡ୍ଡୁଚେରୀ, ପଞ୍ଜାବ ଏବଂ ତାମିଲନାଡ଼ୁ ସାମଗ୍ରୀକ ପିଜିଆଇ ସ୍କୋରରେ ୧୦ ପ୍ରତିଶତ ସୁଧାର କରିପାରିଛନ୍ତି, ଅର୍ଥାତ ୧୦୦ କିମ୍ବା ତତୋଧିକ ପଏଣ୍ଟ ହାସଲ କରିଛନ୍ତି। ପିଜିଆଇର କାଯ୍ୟକ୍ଷେତ୍ର (ଡୋମେନ) ଆକ୍ସେସ କ୍ଷେତ୍ରରେ ଆଣ୍ଡାମାନ ଓ ନିକୋବାର ଦ୍ବୀପ ସମୂହ, ଲାକ୍ଷାଦ୍ବୀପ ଓ ପଞ୍ଜାବ ୧୦ ପ୍ରତିଶତ (୮ପଏଣ୍ଟ) କିମ୍ବା ତତୋଧିକ ସୁଧାର ଆଣିପାରିଛନ୍ତି।

ପିଜିଆଇର ଡୋମେନ ଗର୍ଭନାନ୍ସ ପ୍ରୋସେସରେ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୦ ପ୍ରତିଶତ (୩୬ ପଏଣ୍ଟ) କିମ୍ବା ଏହାଠାରୁ ଅଧିକ ପ୍ରଦର୍ଶନ ସୁଧାର କରିପାରିଛନ୍ତି। ଆଣ୍ଡାମାନ ଓ ନିକୋବାର ଦ୍ବୀପ ସମୂହ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଅତିକମରେ ୨୦ ପ୍ରତିଶତ (୭୨ ପଏଣ୍ଟ କିମ୍ବା ଅଧିକ) ସୁଧାର ପ୍ରଦର୍ଶନ କରିଛନ୍ତି।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଲାଗି ପିଜିଆଇ ପ୍ରଥମ ଥର ୨୦୧୯ରେ ୨୦୧୭-୧୮ ବର୍ଷର ପ୍ରଦର୍ଶନକୁ ଆଧାର କରି ପ୍ରକାଶିତ ହୋଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ପିଜିଆଇ ୨୦୧୯-୨୦ ହେଉଛି ଏହି ସିରିଜର ତୃତୀୟ ପ୍ରକାଶନ। ପିଜିଆଇ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କୁ ବହୁମୁଖୀ କାଯ୍ୟକ୍ରମ କାଯ୍ୟକାରୀ କରିବା ଲାଗି ଅନୁପ୍ରାଣିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଏହା ଫଳରେ ବହୁ ବାଞ୍ଝିତ ସର୍ବୋତ୍କୃଷ୍ଟ ଶିକ୍ଷା ପରିଣାମ ହାସଲ କରାଯାଇପାରିବ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଶିକ୍ଷା କ୍ଷେତ୍ରରେ ରହିଥିବା ଅଭାବ ଅସୁବିଧାକୁ ଦର୍ଶାଇବାରେ ପିଜିଆଇ ସହାୟକ ହେବ ଏବଂ ତଦନୁଯାୟୀ କାଯ୍ୟକ୍ରମର ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ଯାହାର ଫଳସ୍ବରୂପ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀର ସମସ୍ତ ସ୍ତରକୁ ମଜବୁତ କରାଯିବା ସୁନିଶ୍ଚିତ ହୋଇପାରିବ।

Categories
ଜାତୀୟ ଖବର ବିଶେଷ ଖବର

ଶିକ୍ଷକମାନଙ୍କ ପାଇଁ ଖୁସି ଖବର, ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ, କେନ୍ଦ୍ର ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତାକୁ 7 ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପିଛିଲା ଭାବେ 2011 ଠାରୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଯେଉଁ ପ୍ରାର୍ଥୀମାନଙ୍କର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସାର୍ଟିଫିକେଟର ବୈଧତା ସାତ ବର୍ଷର ଅବଧି ପରେ ଶେଷ ହୋଇଯାଇଛି ଏହାକୁ ପୁନଃ ଆଜୀବନ ବୈଧ କରିବା ନିମନ୍ତେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

ପୋଖରିୟାଲ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ କ୍ୟାରିଅର ଗଢ଼ିବା ଲାଗି ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ହେବ।

ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ହେଉଛି ଏକ ଜରୁରି ଯୋଗ୍ୟତା । 2011 ରେ ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ପରିଷଦ ପକ୍ଷର ଏକ ମାର୍ଗଦର୍ଶିକା ଜାରି କରି କୁହାଯାଇଥିଲା ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଆୟୋଜନ କରାଯିବ ଏବଂ ଏହାର ବୈଧତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ତାରିଖ ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରହିବ ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୩୧ ତାରିଖରେ ଘୋଷଣା କରାଯିବ ସିବିଏସଇ ବୋର୍ଡ ପରୀକ୍ଷା!

ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରେ ସିବିଏସଇ ପରୀକ୍ଷା ଘୋଷଣା କରାଯିବ। ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ ଟା ସମୟରେ ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଟୁଇଟ ଯୋଗେ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଆସନ୍ତା ପେବୃଆରି ମାସ ପର୍ଯ୍ୟନ୍ତ ବୋର୍ଡ ପରିକ୍ଷା ହେବ ନାହିଁ ବୋଲି ସୂଚନା ରହିଥିଲା। ତେବେ ଏହି ପରୀକ୍ଷା କେବେ କରାଯିବ ଆସନ୍ତା ୩୧ ତାରିଖରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।