Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ବିଧାନସଭା ପରିଦର୍ଶନ କଲେ କେରଳ ବିଧାନସଭାର ୫ ଜଣିଆ ସଦସ୍ୟ ମଣ୍ଡଳୀ

ଭୁବନେଶ୍ୱର: ଆଜି କେରଳ ବିଧାନସଭାର ସରକାରୀ ଭାଷା ସଂପର୍କିତ କମିଟି ଓଡ଼ିଶା ବିଧାନସଭା ପରିଦର୍ଶନ କରି ଓଡ଼ିଶା ବିଧାନସଭା ଏବଂ ସରକାରୀ ସ୍ତରରେ ମାତୃଭାଷାର ବ୍ୟବହାର ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି ।

ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଆୟୋଜିତ ଏକ ବୈଠକରେ କେରଳ ବିଧାନସଭାର ଏହି ୫ ଜଣିଆ ସଦସ୍ୟ ମଣ୍ଡଳୀଙ୍କୁ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟବହାର ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ସୂଚନା ପ୍ରଦାନ କରିଥିଲେ। ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡ. ହିମାଂଶୁ ଭୂଷଣ ପଣ୍ଡା ଏ ସଂପର୍କିତ ସରକାରୀ ନିର୍ଦ୍ଦେଶାବଳୀ ସଂପର୍କରେ ଆଲୋକପାତ କରିଥିଲେ ।

ସେହିଭଳି କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ମାଲାୟାଲମ୍‌ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ ସୂଚନା ଦେଇଥିଲେ । ପରେ ସଦସ୍ୟ ମଣ୍ଡଳୀ ଓଡ଼ିଶା ବିଧାନସଭା ଗୃହ ଓ ଅନ୍ୟାନ୍ୟ ବିଭାଗ ପରିଦର୍ଶନ କରିଥିଲେ ।

ଓଡ଼ିଶା ବିଧାନସଭା ପକ୍ଷରୁ ସଚିବ ଶ୍ରୀ ଦାଶରଥୀ ଶତପଥୀ କମିଟିକୁ ସ୍ୱାଗତ କରିଥିବା ବେଳେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଅବସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ, ବିଧାନସଭାର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।