Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀ କଲେ ପ୍ରଚାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମଧ୍ୟ ମର୍ଯ୍ୟାଦାପୂର୍ଣ୍ଣ ନିର୍ବାଚନ ପ୍ରଚାର କରି ରାଜନୀତିର ପରିଭାଷାକୁ ମାର୍ଜିତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୋକଙ୍କ ଭିତରେ ଅଭୂତପୂର୍ବ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେମାନେ ସମସ୍ତେ ବିଭୋର ହୋଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଶାନ୍ତ, ସରଳ ‘ପ୍ରଶ୍ନୋତ୍ତର’ ପ୍ରଚାର ଷ୍ଟାଇଲ ଲୋକଙ୍କ ଭିତରେ ବେଶ ଆଦୃତି ଲାଭ କରିଥିଲା। ରାଜ୍ୟ ସରକାରଙ୍କ ସବୁ ପ୍ରମୁଖ ଯୋଜନାର ନା ଧରି ମୁଖ୍ୟମନ୍ତ୍ରୀ ପଚାରିଲେ ଏ ସବୁ ଭଲ କାମ କରୁଛି ତ? ମୁଖ୍ୟମନ୍ତ୍ରୀ ପ୍ରଥମେ ଖରା ଓ ଗରମରେ ଲୋକମାନେ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ, ତାପରେ ପଚାରିଥିଲେ ‘ଆପଣମାନେ ଭଲ ଅଛନ୍ତି ତ?’। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ କାମ କରୁଛି ତ?’। ମମତା ଯୋଜନା, ଲକ୍ଷ୍ମୀ ବସ୍‌, ମଧୁବାବୁ ପେନ୍‌ସନ୍‌, କାଳିଆ ଯୋଜନା, ମିଶନ ଶକ୍ତି ଆଦି ସବୁ ଯୋଜନା ଭଲ କାମ କରୁଛି ତ?

ସବୁର ଉତ୍ତର ଥିଲା ‘ହଁ’ ।

ଶେଷରେ ସେ ପଚାରିଥିଲେ ‘ନବୀନ ପଟ୍ଟନାୟକ ଭଲ ତ?’ ଏହାପରେ ସମବେତ ଜନତା ବିପୁଳ ଉତ୍ସାହରେ ଠିଆ ହୋଇ ‘ହଁ’ ଶବ୍ଦ ଧ୍ୱନି ସହିତ କରତାଳି ଦେଇଥିଲେ।

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ବିଜେପି ଦଳର ଯଦି ସତ୍‌ ସାହସ ଅଛି, ତାହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଘୋଷଣା କରନ୍ତୁ । ସେ ପୁଣି କହିଥିଲେ ଯେ ଯଦି କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରନ୍ତି, ତାହେଲେ ୧୦ ପ୍ରତିଶତ ସିଟ୍‌ ମଧ୍ୟ ପାଇବେ ନାହିଁ।

ବିଜେପି ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରି ପାଣ୍ଡିଆନ କହିଲେ ଯେ ବର୍ଷକୁ ୨ କୋଟି ଚାକିରୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶୃତି ଦେଇଥିଲେ। ଦଶ ବର୍ଷରେ ୨୦ କୋଟି ନିଯୁକ୍ତି ମିଳିବା କଥା । ସେହି ହିସାବରେ ଓଡିଶାରେ ୮୦ ଲକ୍ଷ ଚାକିରୀ ମିଳିବା କଥା। କୁଆଡେ ଗଲା ସେ ଚାକିରୀ ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ସେ କହିଥିଲେ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁ ଓଡିଶାରେ ବେକାରୀ ସମସ୍ୟା ସବୁଠୁ କମ୍‌ ରହିଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଓଡିଶାରେ ବେକାରୀ କମ୍।

ରାୟଗଡାରେ ଲୋକସଭା ପ୍ରାର୍ଥୀ ଶ୍ରୀମତୀ କୌଶଲ୍ୟା ହିକକା କହିଥିଲେ ଯେ ନବୀନ ବାବୁ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି। 5T ଗ୍ୟାରେଣ୍ଟି ହେଉଛି ସବଠୁ ବଡ ଗ୍ୟାରେଣ୍ଟି। ସେ କହିଥିଲେ ଯେ ନବୀନ ପଟ୍ଟନାୟକ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଅଛନ୍ତି ଏବଂ ଓଡିଶାବାସୀ ତାଙ୍କ ହୃଦୟରେ ଅଛନ୍ତି।

ପାରଳାଖେମୁଣ୍ଡିରେ ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ଓଡିଶାର ସବୁ ପରିବାର ପାଖରେ ପହଞ୍ଚିଛି। ବିରୋଧୀ ଦଳ ଯଦି କ୍ଷମତାକୁ ଆସେ ତାହେଲେ ଏସବୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରାମ ବନ୍ଦ କରିଦେବେ। ନବୀନ ବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ନୂଆ ଇତିହାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।

ରାୟଗଡାରେ ବିଧାୟକ ପ୍ରାର୍ଥୀ ଅନସୂୟା ମାଝୀ, ବିଷମକଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା, ଗୁଣୁପୁରରେ ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗୋ ଏବଂ ପାରଳାଖେମୁଣ୍ଡିରେ ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଓ ମୋହନାରେ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗୋ BJD ସପକ୍ଷରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

‘ନବୀନ ପଟ୍ଟନାୟକ ଜିନ୍ଦାବାଦ’ ବୋଲି କାହିଁକି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ଭୁବନେଶ୍ବର: ନବୀନ ପଟ୍ଟନାୟକ ଜିନ୍ଦାବାଦ……, ନବୀନ ପଟ୍ଟନାୟକ ସ୍ବାଗତଂ…………, କୋରାପଟକୁ ସ୍ବାଗତଂ……..। ଏହିପରି ନାରା ଦେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀ ପତି। ଯଦି ବିଜେଡି ନେତା ବା ବିଧାୟକଙ୍କ ମୁହଁରେ ଏହା ହୋଇଥାଆନ୍ତା ତେବେ ତାହା କୌଣସି ବଡ କଥା ନୁହେଁ। ହେଲେ ବିରୋଧୀ ଦଳର ବିଧାୟକ ତାରାଙ୍କ ମୁହଁରେ ନବୀନ ଜିନ୍ଦାବାଦକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

ଆଜି କୋରାପୁଟ ଜୟପୁରସ୍ଥିତ ବିକ୍ରମ ଦେବ କଲେଜର ପ୍ଲାଟିନିୟମ ଜୁବୁଲି ଉତ୍ସବ ଥିଲା। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ତାରା ସ୍ଥାନୀୟ ବିଧାୟକ ତଥା କଲେଜ କମିଟ ସଭାପତି ଭାବେ ସେହି ସଭାର ଆୟୋଜକ ଭାବେ ମଞ୍ଚରେ ବସିଥିଲେ। ହେଲେ ସେ ଯେତେବେଳେ ଭାଷଣ ଦେଲେ ସେତେବେଳେ ‘ନବୀନ ପଟ୍ଟନାୟକ ଜିନ୍ଦାବାଦ’ ବଡ ପାଟିରେ କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

କେବଳ ସେତିକି ନୁହେଁ, ତାରାଙ୍କର ବିଜେଡି ପ୍ରତି ଆହୁରି ବହୁ ଭକ୍ତି ଭାବ ସେହି ମଞ୍ଚରେ ଉକୁଟି ଉଠିଥିଲା। ତାହା ହେଲେ ସେ ସେହି ଭାଷଣରେ ବବି ବାବୁଙ୍କ ମଧ୍ୟ ଧନ୍ୟବାଦ ଦେବାକୁ ଭୁଲି ନ ଥିଲେ। ସେ ମଞ୍ଚ ଉପରେ ବସି ନ ଥିଲେ ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା ଏବଂ ତାଙ୍କ ନାମ ବାରମ୍ବାର ନେବାକୁ ମଧ୍ୟ ଭୁଲି ନ ଥିଲେ ତାରାପ୍ରସାଦ। ଯାହାକୁ ନେଇ ତାରାଙ୍କ ରାଜନୈତିକ ଭବିଷ୍ୟତ ନେଇ ଏକ ସନ୍ଦେହ ସୃଷ୍ଟି ହୋଇଛି।

ଜିନ୍ଦାବାଦ କରିବା ସହ ଏହି ବୈଠକରେ ତାରାପ୍ରସାଦ ନବୀନ ପଟ୍ଟନାୟକଙ୍କୁ ଯେପରି ପ୍ରସଂଶା କଲେ ତାହା ହୁଏତ କୌଣସି ବିଜେଡି ମନ୍ତ୍ରୀଙ୍କଠାରୁ ଇଣା ନୁହେଁ। ସେଠାରେ ବିଜେଡି ମନ୍ତ୍ରୀ ବିଧାୟକମାନେ ମଧ୍ୟ ମଞ୍ଚରେ ଥିଲେ ଆଉ ଭାଷଣ ମଧ୍ୟ ଦେଇଥିଲେ। ହେଲେ ତାରାପ୍ରସାଦଙ୍କ ପ୍ରଶଂସା ସବୁଠାରୁ ଅଧିକ ତଥା ଶକ୍ତିଶାଳୀ ଥିଲା। ସେ ଯେପରି ଯାତ୍ରା ଡାଇଲଗ ପରି କହୁଥିଲେ ତାହା ସମସ୍ତଙ୍କ ପ୍ରଶଂସାଠାରୁ ବଳେଇ ଯାଇଥିଲା।

ଯେତେବେଳେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରକୁ ଆସିଲେ ସେତେବେଳେ ତାରାପ୍ରସାଦ ତାଙ୍କୁ ଏକ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ସେତିକିରେ ରହିଥିଲେ କେହି ଆଲୋଚନା କରି ନ ଥାଆନ୍ତେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଥିବା 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ମଧ୍ୟ ସେ ଏକ ଉତ୍ତରୀୟ ଦେଇ ସ୍ବାଗତ କଲେ। ଯାହା ପୂର୍ବରୁ କେହି କେବେ କରି ନ ଥିଲେ। ତେଣୁ ତାରାଙ୍କ ଏପରି ବ୍ୟବହାର ତାଙ୍କ ସମର୍ଥକ ତଥା ବିଜେଡି କର୍ମିଙ୍କ ମହଲରେ ବେଶ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି।

ବିଗତ ବର୍ଷରେ ସ୍ବର୍ଗତ ନବ ଦାସ ଯେତେବେଳେ କଂଗ୍ରେସରେ ଥିଲେ ସେତେବେଳେ ଝାରସୁଗୁଡା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ମଧ୍ୟ ସେ କରିଥିଲେ। ସେ ମଧ୍ୟ ନବୀନଙ୍କୁ ସେତେବେଳେ ପ୍ରଶଂସାରେ ପୋତି ଦେଇଥିଲେ। ପରବର୍ତ୍ତି ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏବେ ଠିକ୍ ସେହିପରି ବିଧାୟକ ତାରା ବାହିନୀପତିଙ୍କ କ୍ଷେତ୍ରରେ ସେପରି ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ତାରା ବିଜେଡି ମୁହାଁ ହେବାର ସମ୍ଭାବନା ଅଧିକ ରହିଛି। କାରଣ ସେ ବର୍ତ୍ତମାନର କଂଗ୍ରେସକୁ ନେଇ ଖୁସି ନାହାଁନ୍ତି। କଂଗ୍ରେସରେ ସେ ସଭାପତି ହେବାର ଆଶା ରଖିଥିଲେ, ଯାହା ହୋଇପାରିଲା ନାହିଁ। ଏପରିକି ଅବିଭକ୍ତ କୋରାପୁଟର କଂଗ୍ରେସ ସଂଗଠନକୁ ନେଇ ତାରା ମଧ୍ୟ ସନ୍ତୁଷ୍ଠ ନାହାଁନ୍ତି। ଦଳ ତାଙ୍କୁ ଯେପରି ଗୁରୁତ୍ବ ଦେବା କଥା ତାହା ଦେଉ ନାହିଁ ବୋଲି ସେ ଅନୁଭବ କରି ସାରିଲେଣି। ଫଳରେ ସେ ଏବେ ବିଜେଡି ମୁହାଁ ହେଉଛନ୍ତି ବୋଲି ଏହି ସଭାରୁ ସ୍ପଷ୍ଟ ପ୍ରତିୟମାନ ହୋଇଛି।