Categories
ଆଜିର ଖବର ରାଜ୍ୟ ଖବର

ବଡ଼ମେଡ଼ିକାଲ୍ ଦ୍ୱିତୀୟ ଗେଟ୍ ଖୋଲିବାକୁ କୋର୍ଟର ଆଦେଶ: ଆଦେଶ ନ ମାନିଲେ ତାଲା ଭାଙ୍ଗିବ ପରିଷଦ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ମେଡ଼ିକାଲ୍ ଏମ୍‌କେସିଜିକୁ ଯିବା ପାଇଁ ଦୁଇଟି ଗେଟ୍ ରହିଛି। ଗୋଟିଏ ମୁଖ୍ୟଦ୍ୱାର ଏବଂ ଅନ୍ୟଟି ନୂଆବସ୍‌ଷ୍ଟାଣ୍ଡ ନିକଟସ୍ଥ ଅନ୍ୟ ଗୋଟିଏ ଗେଟ୍। ନୂଆବସ୍‌ଷ୍ଟାଣ୍ଡ ପାଖ ଗେଟ୍‌ଟିରେ ଦୀର୍ଘଦିନ ହେବ କେଉଁ ସ୍ୱାର୍ଥ ନେଇ ତାଲା ମାରି ବନ୍ଦ କରାଯାଇଛି ତାହା ଜଣାପଡ଼ୁନି। ଏହି ଗେଟ୍ ବନ୍ଦ ରହିବା ଯୋଗୁଁ ଆସିକା ରୋଡ଼୍ ଦେଇ ଯେଉଁ ରୋଗୀ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆମ୍ବୁଲାନସରେ ଆସୁଥାନ୍ତି ସେମାନଙ୍କୁ ଆଉ ଦୁଇକିଲୋମିଟର ରାସ୍ତା ବୁଲି ଯିବାକୁ ପଡ଼ିଥାଏ।

ଫଳରେ କିଛି ଲୋକଙ୍କ ରାସ୍ତାରେ ହିଁ ଜୀବନ ଚାଲିଯାଇଥାଏ। ଏହା ସହ ନୂଆଁବସ୍‌ଷ୍ଟାଣ୍ଡ ରାସ୍ତାଟି ପ୍ରବଳ ଜନଗହଳି ହେଉଥିବାରୁ ବହୁ ସମୟ ଧରି ଟ୍ରାଫିକ୍ ଜାମ ରହୁଛି। ତେଣୁ ଆମ୍ବୁଲାନସଟି ଏହି ରାସ୍ତାରେ ମେଡ଼ିକାଲ୍ ଯିବାବେଳେ ବହୁତ ବିଳମ୍ବ ହେବା ସହ ଲୋକଙ୍କ ଜୀବନହାନି ମଧ୍ୟ ହେଉଛି। ଏହି ଦ୍ୱିତୀୟ ଗେଟ୍ ଖୋଲିବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁବାର ଧାରଣା, ଆନ୍ଦୋଳନ କରାଯିବା ସହ ଆର୍‌ଡ଼ିସି, ଜିଲ୍ଲାପାଳ, ମେଡ଼ିକାଲ୍ ସୁପରିଟେଣ୍ଡେଣ୍ଟ୍‌ଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। କିଛି ସୁଫଳ ନ ମିଳିବାରୁ ଉଚ୍ଚ ନ୍ୟାୟାଳୟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଶେଷରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ମାମଲାକୁ ମାନ୍ୟବର ହାଇକୋର୍ଟ ବିଚାର କରି ତୁରନ୍ତ ୨୦ ଦିନ ମଧ୍ୟରେ ମେଡ଼ିକାଲ୍‌ର ଦ୍ୱିତୀୟ ଗେଟ୍‌ଟି ଖୋଲିବାକୁ ଏମ୍‌କେସିଜି ସୁପରିଟେଣ୍ଡେଣ୍ଟଙ୍କୁ କୋର୍ଟ ଆଦେଶ ଦେଇଛନ୍ତି।

ଏହା ଏକ ଐତିହାସିକା ଘଟଣା ସହ ଲୋକଙ୍କ ବୃହତ୍ତର ସ୍ୱାର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ଘଟଣା। ଏହି ମକଦ୍ଦମାକୁ ଆଇନଜୀବୀ ସରୋଜ କୁମାର ପାଢ଼ୀ, ନୃସିଂହ ରାଉତ ଓ ଏସ୍‌କେ ନାୟକ ପରିଚାଳନା କରିଥିଲେ। ଏନେଇ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଥିଲେ ଯଦି କୋର୍ଟର ଆଦେଶ ପ୍ରକାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନୂଆ ବସ୍‌ଷ୍ଟାଣ୍ଡ ଫାଟକ ନ ଖୋଲନ୍ତି ତେବେ ଭାରତୀୟ ବିକାଶ ପରିଷଦ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କୋର୍ଟ ଅବମାନନା କେସ ରୁଜୁ କରିବା ସହିତ ଆବଶ୍ୟକସ୍ଥଳେ ଗେଟ୍‌ର ତାଲା ଭାଙ୍ଗି ଗେଟ୍ ଖୋଲିବାର ବ୍ୟବସ୍ଥା କରାଯିବ।

ଯେତେହୁ ଏହା ଗରିବ, ଖଟିଖିଆ, ସାଧାରଣ ରୋଗୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ବିକାଶ ପରିଷଦ କର ବା ମର ପନ୍ଥା ଆପଣେଇବା ପାଇଁ ବାଧ୍ୟ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।