Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ନବ ଦାସ ହତ୍ୟାକାଣ୍ଡର ଜଣାପଡିଲା କାରଣ, ୫୪୩ ପୃଷ୍ଠାର ଚାର୍ଯ୍ୟସିଟ ଦାଖଲ କଲା କ୍ରାଇମ ବ୍ରାଞ୍ଚ

ଭୁବନେଶ୍ବର: ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟାକାଣ୍ଡର ଚାର୍ଯ୍ୟସିଟ ଦାଖଲ କରିଛି। ତିନିଜଣିଆ ଟିମ ପ୍ରାରମ୍ଭିକ ୫୪୩ ପୃଷ୍ଠାର ତଦନ୍ତ ରିପୋର୍ଟ କୋର୍ଟରେ ପ୍ରଦାନ କରିଛନ୍ତି।

ଦୀର୍ଘ ଦିନ ଧରି କ୍ରାଇମ ବ୍ରାଞ୍ଚ ଏହି ଚାଞ୍ଚଲ୍ୟ ହତ୍ୟାକାଣ୍ଡର ତଦନ୍ତ କରିବା ପରେ ଏହି ଚାର୍ଯ୍ୟସିଟ ଦାଖଲ କରିଛି। ଏଥିରେ ଗୋପାଳ ଦାସଙ୍କୁ ତଦନ୍ତ ସଂସ୍ଥା ହତ୍ୟାକାରୀ ଭାବେ ଅଭିହିତ କରି ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗୋପାଳ ଦାସ ସୁସ୍ଥ ମସ୍ତିସ୍କରେ ଏହି ହତ୍ୟାକାଣ୍ଡ କରିଛି। ସେ ଏହି ହତ୍ୟା ନିଜ ଜୀବନକୁ ଭୟ କରି ହତ୍ୟା କରିଛି ବୋଲି କୁହାଯାଇଛି।

ଚାର୍ଯ୍ୟସିଟରେ ପ୍ରକୃତରେ କଣ ରହିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବିଭିନ୍ନ ସୁତ୍ରରୁ ଜଣାପଡିଛି ଯେ, ନବ ଦାସ ଏବଂ ତାଙ୍କର ସମର୍ଥକଙ୍କୁ ଗୋପାଳ ଭୟ କରୁଥିଲା। କାଳେ ସେମାନେ ତାକୁ ମାରି ଦେବେ, ତା ପୂର୍ବରୁ ସେ ନବ ଦାସକୁ ମାରି ଦେଲା ବୋଲି ଏହି ରିପୋର୍ଟରେ ରହିଛି ବୋଲି କୁହାଯାଇଛି।

ଗୋପାଳ ବିଭିନ୍ନ ସମୟରେ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପାଖକୁ ଯାଇ ବିଭିନ୍ନ ଅଭିଯୋଗ କରୁଥିଲା। ସାହାଯ୍ୟ ପାଇଁ ଅନୁରୋଧ କରୁଥିଲା। ହେଲେ ନବ ଦାସ ତାହା ଶୁଣି ନ ଥିଲେ। ଏହାକୁ ନେଇ ଗୋପାଳର ସନ୍ଦେହ ସୃଷ୍ଟି ହୋଇଥିଲା ଯେ, ନବ ଦାସ ତାଙ୍କ ଉପରେ କାଳେ ରାଗ ରଖିଛନ୍ତି। ସେ ତାଙ୍କ ସମର୍ଥକଙ୍କୁ ଲଗାଇ କାଳେ ତାଙ୍କୁ ହତ୍ୟା କରିଦେବେ ତା ପୂର୍ବରୁ ସେ ନବ ଦାସଙ୍କୁ ହତ୍ୟା କରିଦେଲା।

ନବ ଦାସଙ୍କ ହତ୍ୟା ପରେ ପୋଲିସ ଗୋପାଳ ଦାସଙ୍କୁ ପିସ୍ତଲ ସହିତ ଗିରଫ କରିଥିଲା। ଏହାପରେ ଗୋପାଳ ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ କ୍ରାଇମ ବ୍ରାଞ୍ଚ ତରଫରୁ ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା।

ଦିଲ୍ଲୀ ଫରେନସିକ୍ ଲ୍ୟାବ୍ର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲ୍ଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା। ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମର ଯାଞ୍ଚ ସହ ନିମହାନ୍ସ ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ।

ଏ ସବୁ ପରୀକ୍ଷାରେ ତାଙ୍କର ମାନସିକ ସ୍ଥିତି ଠିକ ଥିଲା ବୋଲି କୁହାଯାଇଛି। ତେବେ ଏହାପରେ କ୍ରାଇମ ବ୍ରାଞ୍ଚ ପୁଣି ଥରେ ଏହି ହତ୍ୟାକାଣ୍ଡର ଚୁଡାନ୍ତ ରିପୋର୍ଟ ଦାଖଲ କରିବେ।  ଆସନ୍ତା ୨୯ ତାରିଖରେ ଏହି ହତ୍ୟାକାଣ୍ଡକୁ ଚାରିମାସ ପୁରଣ ହେବ। କାରଣ ଗତ ଜାନୁୟାରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନବ ଦାସ ହତ୍ୟାକାଣ୍ଡ: ଝାରସୁଗୁଡାରେ ପହଞ୍ଚିଲେ କ୍ରାଇମ ବ୍ରାଞ୍ଚ ଟିମ, ଦାଖଲ ହେବ ଚାର୍ଯ୍ୟସିଟ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଚାର୍ଯ୍ୟସିଟ ଶୁକ୍ରବାର ଦିନ ଦାଖଲ ହେବ। ସେଥିପାଇଁ ଭୁବନେଶ୍ବରରୁ କ୍ରାଇମବ୍ରାଞ୍ଚ ଟିମ ଝାରସୁଗୁଡାରେ ପହଞ୍ଚିଛନ୍ତି। ତଦନ୍ତ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏହି ଟିମ ଝାରସୁଗୁଡା ଯାଇଥିବାର ଜଣାପଡିଛି। ଆସନ୍ତାକାଲି ଝାରସୁଗୁଡା ଜେଏମଏଫସି କୋର୍ଟରେ ଏହା ଦାଖଲ ହେବ।

୧୨୦ ଦିନ ପୂର୍ବରୁ ମାମଲାର ତଦନ୍ତ କରି ଚାର୍ଜସିଟ୍ ଚୂଡାନ୍ତ କରିସାରିଛି ତଦନ୍ତକାରୀ ସଂସ୍ଥା।
ତେବେ ମାମଲାର ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ କୃଷ୍ଣ ଦାସକୁ ଦୋଷୀ ସାବ୍ୟସ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣା ପଡିଛି।

ଗତ ଜାନୁଆରୀ ୨୯ତାରିଖରେ ବ୍ରଦରାଜରାଜ ନଗର ଗାନ୍ଧୀ ଛକରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଶିଥିବା ସମୟରେ ପୋଲିସ ଗୁଳିରେ ଟଳି ପଡିଥିଲେ ତତକାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ଗିରଫ କରିଥିଲା ପୋଲିସ। ଏହି ଘଟଣା ସାରା ଦେଶରେ ଚହଳ ପକାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବ ଦାସଙ୍କ ହତ୍ୟାର ଅଧିକ ତଥ୍ୟ ପାଇଁ ଆମେରିକା ସଂସ୍ଥାର ନିଆଯିବ ସାହାଯ୍ୟ: ଗୃହରେ ନବୀନଙ୍କ ବିବୃତି

ଭୁବନେଶ୍ବର: ଆଜି ନବ ଦାସ ହତ୍ୟାକାଣ୍ଡ ଉପରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏ ସଂପର୍କରେ ଏବଂ ଘଟଣା ସଂପର୍କରେ ବିସ୍ତୁତ ତଥ୍ୟ ଗୃହରେ ଉପସ୍ଥାପିତ କରିଛନ୍ତି। ଏହାର ତଦନ୍ତ ଦିଗ କେଉଁ ପର୍ଯ୍ୟନ୍ତ ଯାଇଛି ସେ ନେଇ ନବୀନ ବିଧାନସଭାକୁ ଜଣାଇଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ଗୃହକୁ ଏକ ନୂଆ ସୂଚନା ପ୍ରଦାନ କରିଛନ୍ତି। ତାହା ହେଲା ନବ ଦାସ ହତ୍ୟାକାଣ୍ଡର ଅଧିକ ତଥ୍ୟ ସଂଗ୍ରହ ପାଇଁ ଆମେରିକା ତଦନ୍ତ ସଂସ୍ଥାର ସାହାଯ୍ୟ ନିଆଯିବ। ସେ ଗୃହରେ କହିଥିଲେ ଯେ, ଆମେରିକାରେ ଥିବା ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ସଂସ୍ଥାର ସାହାଯ୍ୟ ନିଆଯିବ।

ସେଥିପାଇଁ ରାଜ୍ୟ କ୍ରାଇମ ବ୍ରାଞ୍ଚ କେନ୍ଦ୍ର ସରକାରଙ୍କ ଗୃହ ବିଭାଗକୁ ଅବଗତ କରାଇଛି। ସେମାନେ ଏ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ତଦନ୍ତ ଯେପରି ସ୍ବଚ୍ଛ ଏବଂ ନିରପେକ୍ଷ ହେବ ସେ ନେଇ ରାଜ୍ୟ କ୍ରାଇମ ବ୍ରାଞ୍ଚ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ପୂର୍ବରୁ କ୍ରାଇମ ବ୍ରାଞ୍ଚ ଦେଶର ଶ୍ରେଷ୍ଠ ନାର୍କୋ ଆନାଲିସିସ ସଂସ୍ଥା ଗୁଜୁରାଟ ଫର୍ନେସିକ ଲାବ୍ରୋଟୋରୀ ର ମଧ୍ୟ ସହାୟତା ନିଆଯାଇଛି। ସେଠାରେ ମଧ୍ୟ ତାହାର ମାନସିକ ସ୍ଥିତି ସଂପର୍କରେ ପରୀକ୍ଷା କରାଯାଇଛି। ସେହିପରି ତାହାର ଲେୟାରଡ ଭଏସ ଟେଷ୍ଟ ପାଇଁ ମଧ୍ୟ ନୂଆଦିଲ୍ଲୀ ସଂସ୍ଥାର ସହାୟତା ନିଆଯାଇଛି। ସେଠାକାର ବିଶେଷଜ୍ଞମାନେ ଆସି ପରୀକ୍ଷା କରିଛନ୍ତି।

ନବୀନ ଆହୁରି କହିଛନ୍ତି ଯେ, ତଦନ୍ତ ଯେପରି ନିରପେକ୍ଷ ରହିବ ସେଥିପାଇଁ ରାଜ୍ୟ, ରାଜ୍ୟ ବାହାର ଏପରି କି ବିଦେଶୀ ସଂସ୍ଥାର ମଧ୍ୟ ସହାୟତା ନିଆଯାଉଛି। ଏବେ ବାଙ୍ଗୁଲୁରରେ ତାହାର ମାନସିକ ସ୍ଥିତି ଜାଣିବା ପାଇଁ କ୍ରାଇମ ବ୍ରାଞ୍ଚ ପଦକ୍ଷେପ ଗ୍ରହଣ କରିଛି।

ଓଡିଶାର ମାନସିକ ବିଶେଷଜ୍ଞଙ୍କୁ ନେଇ ଏକ ଟିମ ଗଠନ କରି ସେମାନେ ତାହାର ସ୍ଥିତି ପରୀକ୍ଷା କରିଛନ୍ତି। ତଥାପି କ୍ରାଇମ ବ୍ରାଞ୍ଚ ରାଜ୍ୟ ବାହାରର ସଂସ୍ଥାରେ ତାହାର ପରୀକ୍ଷା କରି ଏଥିରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରାଯାଉଛି।

ଶେଷରେ ନବୀନ କହିଲେ ଯେ, ଆମେ ଓଡିଶାର ବିଭିନ୍ନ ପ୍ରସଂଗ ଉପରେ ଆଲୋଚନା କରିବା ଉଚିତ। ହେଲେ ରାଜ୍ୟର ଏପରି ଏକ ସ୍ପର୍ଶକାତର ଘଟଣା ଉପରେ ରାଜନୀତି ନ କରିବା ଉଚିତ। ଓଡିଶାର ଜନ ସାଧାରଣ ଆମ ଉପରେ ବିଶ୍ବାସ ରଖିଛନ୍ତି। ମୋ ସରକାର ନିରପେକ୍ଷ ଏବଂ ସଠିକ ତଥ୍ୟ ପରିପ୍ରକାଶ କରିବାକୁ ସବୁବେଳେ ଚେଷ୍ଠା କରିଛି।ଏହି ଘଟଣାରେ ନିଶ୍ଚିତ ଭାବେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ।

ମୋ ଉପରେ ଓଡିଶାର ଲୋକେ ବିଶ୍ବାସ ରଖିଛନ୍ତି। ସେହି ବିଶ୍ବାସକୁ ସବୁଦିନ ଅତୁଟ ରଖିବା ପାଇଁ ମୁଁ ପ୍ରୟାସ ଜାରୀ ରଖିଛି। ସେଥିପାଇଁ ବିନା ଦ୍ବିଧା, ବିନା ଭୟ, ବିନା ସଙ୍କୋଚରେ ମୁଁ କାମ କରିଚାଲିବି ବୋଲି ନବୀନ ତାଙ୍କର ଅଭିଭାଷଣରେ କହିଥିଲେ।

Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ପୋଲିସଙ୍କୁ ଗୋପାଳ ପଚାରିଲା, ଗୁଳି ମାରିବାର କେତେ ସମୟ ପରେ ନବ ଦାସ ମରିଲେ ?

ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସକୁ କ୍ରାଇମ ବ୍ରାଞ୍ଚ ଚାରିଦିନ ଧରି ରିମାଣ୍ଡରେ ନେବା ପରେ ତାକୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଆଶ୍ଚର୍ଯ୍ୟ କଥା ତଦନ୍ତ ଅଧିକାରୀଙ୍କୁ ସେ ପଚାରୁଛି ଯେ, ନବ ଦାସଙ୍କୁ ଗୁଳି କରିବାର କେତେ ସମୟ ପରେ ସେ ମୃତ୍ୟୁ ବରଣ କଲେ। ଏହାକୁ ନେଇ ତଦନ୍ତ ଅଧିକାରୀ ତାଜୁବ ହୋଇପଡିଛନ୍ତି।

ଏକ ବିଶେଷ ସୁତ୍ର ଅନୁସାରେ ଗୋପାଳକୁ କ୍ରାଇମ ବ୍ରାଞ୍ଚ ଜେରା କରିବା ବେଳେ ସେ କିପରି ଗୁଳି କଲେ କେତେଟା ଗୁଳି କଲେ ବୋଲି ପ୍ରଶ୍ନ କରିଥିଲେ। ଗୋପାଳ କହିଥିଲା ଯେ, ସେ ପ୍ରଥମେ ତାଙ୍କ ଛାତିକୁ ଗୁଳି କରିଥିଲେ। ତାହା ଠିକ ବାଜିଥିଲା, ଏହି ଗୁଳିରେ ସେ ମରିଯିବେ ବୋଲି ଭାବି ନେଲି। ହେଲେ ସନ୍ଦେହରେ ଆଉ ଦଶ ସେକେଣ୍ଡରେ ଆଉ ଏକ ଗୁଳି ମାରିଲି। ହେଲେ ଠେଲାପେଲାରେ ତାହା ତାଙ୍କ ପଛ ଗାଡିରେ ବାଜିଥିଲା।

ଏହାପରେ ଗୋପାଳ ନିଜ ଆଡୁ ପ୍ରଶ୍ନ କରିଥିଲା ଯେ, ନବ ଦାସ ସେହି ସ୍ଥାନରେ ନା ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। ଏପରି ପ୍ରଶ୍ନରେ କ୍ରାଇମ ବ୍ରାଞ୍ଚ ପୋଲିସ ହଡବଡେଇ ଯାଇଥିଲେ। କାରଣ ଗୋପାଳ ପୁରା ଥଣ୍ଡା ଏବଂ ଶାନ୍ତ ମିଜାଜରେ ଏପରି ପ୍ରଶ୍ନ କରୁଥିଲା। ଲାଗୁଥିଲା ସେ ଏତେ ବଡ ହତ୍ୟାକାଣ୍ଡ କରିବା ପରେ ମଧ୍ୟ ଅନୁଶୋଚନା କରି ନାହିଁ।

ଘଟଣାଦିନ ସେ ଗୁଳି ମାରିବା ପରେ ତାଙ୍କୁ ଲୋକେ ଘେରିଯାଇଥିଲେ। ଏହାପରେ ପୋଲିସ କାବୁ କରି ତାଙ୍କୁ ନିଜ ହେପାଜତକୁ ନେଇଯାଇଥିଲେ। ଏହାପରେ ନବ ଦାସଙ୍କର କଣ ହେଲା ସେ ଆଉ କିଛି ଜାଣିପାରି ନାହିଁ। ସେଥିପାଇଁ ସେ ନବ ଦାସଙ୍କର କଣ ହେଲା, କେତେବେଳେ ମୃତ୍ୟୁବରଣ କଲେ ସେ ନେଇ ଜାଣିବାର ଗୋପାଳର ଉତ୍କଣ୍ଠା ରହିଥିଲା।