Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ଦୁଇ ମାସ ମଧ୍ୟରେ କ୍ରୁଟ ପକ୍ଷରୁ ୨୦୦ଟି ଇ-ବସ୍ ଚଳାଚଳ ଆରମ୍ଭ ହେବ: ଶ୍ରୀ ବୋଥ୍ରା

ଭୁବନେଶ୍ୱର: ରାଜଧାନୀରେ ବସ୍ ଚଳାଚଳ କାର୍ଯ୍ୟରେ ନିୟୋଜିତ ଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆର୍‌ୟୁଟି) ଆଗାମୀ ୨ ମାସ ମଧ୍ୟରେ ୨୦୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଇବ ବୋଲି ଆଡିସ୍‌ନାଲ୍ ଡିଜି (କ୍ରାଇମ୍‌) ତଥା କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି।

କ୍ରୁଟ ଦ୍ୱାରା ବର୍ତମାନ ସହରରେ ୫୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଚଳ ହେଉଥିବା ବେଳେ ସବୁ ବସ୍‌ଗୁଡ଼ିକୁ ଇ-ବସ୍‌ରେ ପରିଣତ କରାଯିବାର ଯୋଜନା ଥିବା ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ୪ ଦିବସୀୟ ଇନ୍‌ଷ୍ଟିଚ୍ୟଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ପକ୍ଷରୁ “ସଷ୍ଟେନେବଲ ଏନର୍ଜି ଆଣ୍ଡ ଫ୍ୟୁଚର୍ ଇଲେକ୍ଟ୍ରିକ୍ ଟ୍ରାନ୍‌ପୋର୍ଟେସନ୍ (ସେଫେଟ୍‌-୨୦୨୩)” ଶୀର୍ଷକ ତୃତୀୟ ଆନ୍ତର୍ଜାତିକ କର୍ମଶାଳାର ଗୁରୁବାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ବୋଥ୍ରା ।

ଜଳବାୟୁ ପରିବର୍ତ୍ତନର ଭୟାଭୟତାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍ ଯାନ ପରିବହନ ବ୍ୟବହାରକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଥିବା ଶ୍ରୀ ବୋଥ୍ରା କହିଛନ୍ତି । ପରିବେଶ ପ୍ରତି ଅନେକ ସମସ୍ୟା ରହିଛି । ପୂର୍ବରୁ ଯେଉଁ ଲୋକମାନେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିଲେ ସେମାନଙ୍କ କଥାକୁ ହସରେ ଉଡ଼ାଇ ଦିଆଯାଉଥିଲା । ତେବେ ବର୍ତମାନ ଆମେ ରାଜସ୍ଥାନରେ ବନ୍ୟା ଓ ହିମାଳୟରେ ବିପର୍ଯ୍ୟୟ ଦେଖୁଛୁ ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ଭୁବନେଶ୍ୱରରେ ବର୍ତମାନ ୫୦ଟି ଇଲେକ୍ଟ୍ରିକ୍ ଅଟୋ ଚାଲୁଥିବା ବେଳେ ଭବିଷ୍ୟତରେ ସରକାରଙ୍କ ପକ୍ଷରୁ ଅଧିକ ୨୦୦ଟି ଇ-ଅଟୋ ଚଳାଚଳ କରାଯିବାର ଯୋଜନା ରହିଛି । ମୁଖ୍ୟତଃ ଏହି ଅଟୋଗୁଡ଼ିକ ମହିଳା, କିନ୍ନର ଓ ଏଚ୍‌ଆଇଭି ଆକ୍ରାନ୍ତ ଲୋକଙ୍କ ଦ୍ୱାରା ଚଳାଚଳ କରାଯିବ ।

ସେହିପରି ଯେଉଁ ଯାନବାହନଗୁଡ଼ିକ ବ୍ୟବହାର ଯୋଗ୍ୟ ହୋଇ ରହିବ ନାହିଁ ସେଗୁଡ଼ିକୁ ଆସନ୍ତା ୩-୪ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ନଷ୍ଟ କରିବାର ପ୍ରକ୍ରିୟା ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ।

ସେହିପରି ସରକାରଙ୍କ ପକ୍ଷରୁ ଏକ ଇଲେକ୍ଟ୍ରିକ୍‌୍ ଯାନ ନିୟମ ଆରମ୍ଭ କରାଯାଇଛି ଯାହାଦ୍ୱାରା କି ଯେଉଁ ଲୋକମାନେ ଇଲେକ୍ଟିକ୍ ଯାନ କିଣିବେ ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଉଛି ଯାହାକି ଦେଶରେ ସର୍ବାଧିକ କୁହାଯାଇପାରେ ବୋଲି ଶ୍ରୀ ବୋଥ୍ରା କହିଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର୍‌)ର କୁଳପତି ପ୍ରଫେସର ବିଭୁତି ଭୂଷଣ ବିଶ୍ୱାଳ, ଆଇଇଇଇ ଫେଲୋ ତଥା ସିଙ୍ଗାପୁର ସ୍ଥିତ ସିଂଗାପୁର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଓ ପ୍ରୋଗ୍ରାମ ଲିଡର ଡକ୍ଟର ଅକ୍ଷୟ କୁମାର ରାଠୋର, ଆଇଇଇଇ ସ୍ମାର୍ଟ ଭିଲେଜର ଅଧ୍ୟକ୍ଷ ଡକ୍ଟର ରଞ୍ଜନ କପୁର ଓ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ୍ସ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଡକ୍ଟର କପୁର କହିଥିଲେ ବିଶ୍ୱର ୧୦୦ କୋଟି ଲୋକଙ୍କର ଟେକ୍ନୋଲୋଜି ସହ କୌଣସି ସମ୍ପର୍କ ନାହିଁ । ତେଣୁ ଆଇଇଇଇ ପକ୍ଷରୁ ୪ଟି ମହାଦେଶରେ ଏହି ବ୍ୟବଧାନକୁ ଦୂର କରିବା ପାଇଁ କାର୍ଯ୍ୟ କରାଯାଉଛି । ମାନବ ଜାତିକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡିବା ଆମର ମୂଳ ଲକ୍ଷ୍ୟ ବୋଲି କହିବା ସହ ଗତ ୧୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ୧୦୦ଟି କ୍ଷେତ୍ରରେ ଅନୁଦାନ ପ୍ରଦାନ କରାଯାଇଥିବା ସେ କହିଥିଲେ ।

ଏହି ସମ୍ମିଳନୀରେ ସାରା ପୃଥିବୀରୁ ୫୦୦ ରୁ ଊର୍ଦ୍ଧ୍ୱ ଗବେଷକ ସାମିଲ ହୋଇଥିବା ବେଳେ ଇଞ୍ଜିନିୟର, ଗବେଷକ, ବୈଜ୍ଞାନିକ ଓ ଶିକ୍ଷାବିତ୍‌ମାନେ ରିନ୍ୟୁବଲ୍ ଏନର୍ଜି, ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍‌, ପାୱାର ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକ୍ ଡ୍ରାଇଭ୍‌ସ, କଂଟ୍ରୋଲ୍ ଟେକ୍ନିକ୍ସ, ସ୍ମାର୍ଟ ଗ୍ରୀଡ୍‌ସ, କମ୍ୟୁନିକେସନ୍ ପ୍ରୋଟୋକଲ୍ସ, ଇନ୍‌ଟେଲିଜେନ୍ସ ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଆଣ୍ଡ ଷ୍ଟାଣ୍ଡାର୍ଡ୍‌ସ ସମ୍ପର୍କରେ ନିଜର କାର୍ଯ୍ୟକୁ ପ୍ରଦର୍ଶନ କରିବା ସହ ଅଭିଜ୍ଞତା ଓ ଧାରଣାକୁ ବ୍ୟକ୍ତ କରିବେ ବୋଲି ସେଫେଟ୍‌-୨୦୨୩ର ଜେନେରାଲ୍ ଚେୟାର ପ୍ରଫେସର ରେଣୁ ଶର୍ମା କହିଛନ୍ତି ।

ୟୁନାଇଟେଡ୍ ଷ୍ଟେଟ୍‌ସ ଅଫ୍ ଆମେରିକା, ୟୁନାଇଟେଡ୍ କିଙ୍ଗଡମ୍‌, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଜାପାନ, ଚୀନ୍‌, ନେଦରଲ୍ୟାଣ୍ଡସ, ତାଇୱାନ୍‌, କାତାର ଏବଂ ଥାଇଲାଣ୍ଡ ସମେତ ଅନ୍ୟ କେତେକ ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ପ୍ରଫେସର ଶର୍ମା କହିଛନ୍ତି ଏହି ସମ୍ମିଳନୀ ପାଇଁ ମୋଟ ୫୧୦ଟି ସନ୍ଦର୍ଭ ଦାଖଲ କରାଯାଇଥିବା ବେଳେ ସେଥି ମଧ୍ୟରୁ ୨୫୧ଟିକୁ ଆଇଇଇଇ ଏକ୍ସପ୍ଲୋର୍‌ରେ ପ୍ରକାଶନ ପାଇଁ ମନୋନୀତ କରାଯାଇଛି ।