Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଞ୍ଜାବ ପୋଲିସକୁ ବଡ଼ ସଫଳତା: ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂ ଗିରଫ

ନୂଆଦିଲ୍ଲୀ: ଆଜି ଖଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ଅମୃତପାଲ ସିଂ ଶାହକୋଟରେ ଥିଲେ ଏବଂ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ। ଶନିବାର ଦିନ ଅମୃତପାଲ ସିଂ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଅମୃତପାଲ ସିଂହଙ୍କ କାରକୁ ପୋଲିସ ପିଛା କରିଥିଲା, କିନ୍ତୁ ସେ ଫେରାର ହେବାରେ ସଫଳ ହୋଇଥିଲା।

ପୋଲିସର ସୂଚନାନୁସାରେ ଅମୃତପାଲ ସିଂଙ୍କ ନେତୃତ୍ୱରେ ‘ୱାରିସ୍ ପଞ୍ଜାବ ଦେ’ (ଡବ୍ଲୁପିଡି) ର ୧୧୨ ସଦସ୍ୟଙ୍କୁ ଗିରଫ କରାଯାଇଛି। ଅପରେସନ ସମୟରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ପୋଲିସ କହିଛି।

ପୋଲିସ କହିଛି ଯେ, ଏପର୍ଯ୍ୟନ୍ତ .୩୧୫ ବୋରର ଗୋଟିଏ ରାଇଫଲ, ୧୨ ବୋରର ସାତ ରାଇଫଲ, ଗୋଟିଏ ରିଭଲଭର ଏବଂ ୩୭୩ କାର୍ଟ୍ରିଜ ସମେତ ନଅଟି ଅସ୍ତ୍ର ଜବତ କରାଯାଇଛି। ରବିବାର ଦିନ ପୋଲିସ କହିଛି ଯେ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ମାମଲାରେ ମଧ୍ୟ ଅମୃତପାଲ ସିଂ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି।

ଗିରଫଦାରୀକୁ ଦୃଷ୍ଟିରେ ରଖି ପଞ୍ଜାବରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଶନିବାର ସନ୍ଧ୍ୟା ଠାରୁ ଇଣ୍ଟରନେଟ୍ ବନ୍ଦ ରଖାଯାଇଛି। ପଞ୍ଜାବରେ ଇଣ୍ଟରନେଟ ଏବଂ ଏସଏମଏସ ସେବା ଉପରେ ନିଲମ୍ବନ ଅବଧି ସୋମବାର ଅପରାହ୍ନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।