Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦୁଇଟି ସନ୍ତାନ ଆଇନ ପ୍ରଣୟନ ପାଇଁ ଦାବି: ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଓଡ଼ିଶା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଗଂଜାମ ଜିଲ୍ଲା ଶାଖା ତରଫରୁ ସବୁ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଆଇନ ପ୍ରଣୟନ କରିବାକୁ ଦାବି ହୋଇଛି। ଏନେଇ ଗଂଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସଦସ୍ୟମାନେ କହିବା କଥା ଭାରତରେ ବର୍ତ୍ତମାନ ୧୩୮ କୋଟି ନାଗରିକ ବାସ କରୁଛନ୍ତି। ବିଭିନ୍ନ ଅଂଚଳରେ ମୁକ୍ତ ବାୟୁ ମିଳିବା କଷ୍ଟକର ହେଲାଣି। ରାଜଧାନି ଦିଲ୍ଲୀର ବାସିନ୍ଦାମାନେ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆଶ୍ରୟ ନେଲେଣି। ପାନୀୟ ଜଳ ସମେତ ଦୈନନ୍ଦିନ ବ୍ୟବହୃତ ପାଣିର ସମସ୍ୟା ଏକ ଜାତୀୟ ସମସ୍ୟା ଭାବରେ ଉଭା ହେଲାଣି। ଜନସଂଖ୍ୟା ବିସ୍ଫୋରଣ ଯୋଗୁଁ ଜଂଗଲ ନଷ୍ଟ ହେବା ସାଙ୍ଗକୁ ପର୍ଯ୍ୟାବରଣ ନଷ୍ଟ ହେଉଛି। ଚାଷ ଜମିର ଅଭାବ ଦେଖାଦେଲାଣି। ବେକାରୀ ସଂଖ୍ୟା ଆଶାତୀତ ବୃଦ୍ଧି ପାଉଛି। କୁପୋଷଣ, ଖାଦ୍ୟାଭାବ, ଗମନାଗମନ ଅସୁବିଧା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଛି।

ଜନ୍ମହାର ଅଧିକ ହେବାରୁ ବାର୍ଷିକ ୨ ଲକ୍ଷ ୬୦ ହଜାର ବେକାରୀ ସୃଷ୍ଟି ହେଉଛନ୍ତି। ଆଉ କିଛି ବର୍ଷ ପରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଖାଦ୍ୟ ଯୋଗାଇଦେବା ପାଇଁ ସରକାର ଅକ୍ଷମ ହୋଇଯିବେ। ଦେଶରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ। ଏଣୁ ଆଗାମୀ ଦିନରେ ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଜନସଂଖ୍ୟା ଫାଉଣ୍ଡେସନ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ଦୃଢ଼ ଦାବି କରାଯାଇଛି।

ସେମାନେ ଏହି ଆଇନ ବଳରେ ଦୁଇରୁ ଅଧିକ ସନ୍ତାନ ଜନ୍ମ କରୁଥିବା ଅମାନ୍ୟକାରୀଙ୍କୁ ସମସ୍ତ ସରକାରୀ ସାହାଯ୍ୟ ବନ୍ଦ କରିବା ସହ ୧୦ ବର୍ଷର କାରାଦଣ୍ଡ ପ୍ରାବାଧାନ କରିବାକୁ ଦାବି କରିଥିଲେ।

ଦାବିପତ୍ର ପ୍ରଦାନ ସମୟରେ ଗଂଜାମ ଜିଲ୍ଲା ଶାଖା ସଭାପତି ଅଶ୍ୱିନୀ କୁମାର ରଥ, ରାଜ୍ୟ ସାଧାରଣ ସଂପାଦକ ସୂର୍ଯ୍ୟନାରାୟଣ ଦାସ, ବାସୁଦେବ ସାହୁକାର, ପ୍ରବକ୍ତା ପଦ୍ମଚରଣ ଦାସ, ବୃନ୍ଦାଚରଣ ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ପ୍ରଦୀପ୍ତ କୁମାର ଗୌଡ଼, ଅମ୍ବୁଜା ଚରଣ ସାହୁ, ପ୍ରବୀନ କୁମାର ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ।