Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ଭୀମ ଭୋଇ ଓ ଗଙ୍ଗାଧର ମେହେରଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଡାକ ଟିକେଟ୍ ଆମର ଅସ୍ମିତା, ଗୌରବ, ସ୍ୱାଭିମାନ, ସମ୍ମାନ ଓ ପରିଚୟର ପ୍ରତୀକ। ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ସନ୍ଥକବି ଭୀମ ଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟ ଉନ୍ମୋଚିତ ହୋଇଛି। ଆଜିର ପଦକ୍ଷେପ ଦ୍ୱାରା ଓଡ଼ିଶାର ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନକୁ ମୋଦି ସରକାରରେ ଉଚିତ୍ ସମ୍ମାନ ମିଳିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାର ନୂଆଁଖାଇ, ଶୀତଳଷଷ୍ଠୀ, ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନୃତ୍ୟ ଉପରେ ଗୋଟିଏ ଲେଖାଏଁ ଡାକ ଟିକଟ ଏବଂ ଧନୁଯାତ୍ରା ଉପରେ ଦୁଇଟି ଡାକ ଟିକଟ ଉନ୍ମୋଚନ କରିଥିଲେ। ଏହାସହ ୫ ଜିଲ୍ଲାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶା ପାଇଁ ଗୌରବର ଦିନ। ରାଜ୍ୟ ପାଇଁ ବଡ ସମ୍ମାନ ଓ ରାଜ୍ୟବାସୀଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର କ୍ଷଣ। ୨୦୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ। ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟର ମହାନ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀର ଶତବାର୍ଷିକୀ ମଧ୍ୟ ପାଳନ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ ଭାରତୀୟ ଡାକ ବିଭାଗ ପକ୍ଷରୁ ତାଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ ହେବା ଗୌରବର ବିଷୟ।

ସେହିପରି ସନ୍ଥକବି ଭୀମ ଭୋଇ ମହିମା ଧର୍ମର ମହାନ ପ୍ରଚାରକ। ଭୀମ ଭୋଇଙ୍କ ଜୀବନୀ ଆମ ସମସ୍ତଙ୍କ ପାଇଁ ଆଦର୍ଶ। ତାଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ କରି ଭୀମ ଭୋଇଙ୍କୁ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରଙ୍ଗବତୀ ଗୀତର ତିନି ଜଣ ସ୍ରଷ୍ଟାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରି ମୋଦି ସରକାର ଏହି ଲୋକକଳାକୁ ଜାତୀୟ ସ୍ୱୀକୃତି ଦେଇଛନ୍ତି ଏବଂ ସମ୍ବଲପୁରକୁ ତଥା ଓଡ଼ିଶାକୁ ସମ୍ମାନିତ କରିଛନ୍ତି। ଆଜି ସମ୍ବଲପୁର ସହ ଜଡ଼ିତ ପାରମ୍ପରିକ କଳା ଓ ଐତିହ୍ୟ ଉପରେ ଡାକ ଟିକଟ ଉନ୍ମୋଚନ ହେବା ଦ୍ୱାରା ଆମର କଳା, ସଂସ୍କୃତି ଓ ପରମ୍ପରାର ସୁଦୂର ପ୍ରଚାରପ୍ରସାର ହେବ। ସେହିପରି ଆଜି ଦୁନିଆ ବଦଳୁଥିବା ବେଳେ ସ୍ଥାନୀୟ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ଦିଗରେ ଉଦଘାଟିତ ଅତ୍ୟାଧୁନିକ ଡାକଘରର ଅଗ୍ରଣୀ ଭୂମିକା ରହିବ। ମୋଦି ଦେଶରେ ମିଳିନ ହେଉଥିବା ଡାକଘରକୁ ସଜାଡି ଆଉ ଥରେ ଦୀପ ଲଗାଇ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁରର ବୀରଗାଥାର ପ୍ରତୀକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ୧୮୫୭ ମସିହା ବିଦ୍ରୋହରେ ସେ ଓ ତାଙ୍କ ସହଯୋଗୀମାନେ ଦେଶକୁ ସ୍ୱାଧୀନତା ଦେବା ପାଇଁ ଜାତୀୟ ଆନ୍ଦୋଳନରେ ଭାଗ ନେଇ ଇଂରେଜ ମାନଙ୍କ ସହ ବୀରତ୍ୱର ସହ ଲଢ଼ି ବଳିଦାନ ଦେଇଥିଲେ। ବୀର ସୁରେନ୍ଦ୍ର ସାଏ ମଧ୍ୟପ୍ରଦେଶର ଆସିରଗଡ ଦୁର୍ଗରେ ଶେଷ ଜୀବନ କାଟିଥିଲେ। ଏହି ପରିପ୍ରେକ୍ଷୀରେ ସେ ମଧ୍ୟପ୍ରଦେଶର ଆସିରଗଡ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ପତ୍ର ଲେଖିଥିଲେ। ଅବିଳମ୍ବେ ଆସିରଗଡ଼ରେ ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ପଦକ୍ଷେପ ନେବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସେହି ସ୍ଥାନରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିର୍ମାଣ ସହ ସ୍ମାରକୀ ସ୍ଥାପନା ହେଲେ ସମ୍ବଲପୁର ଅଞ୍ଚଳର ସ୍ୱାଭିମାନ ଓ ଆକାଂକ୍ଷା ପୂରଣ ହେବ।

ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସାମିଲ ହୋଇ ନିଜର ଅଭିଭାଷଣ ରଖିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଗଙ୍ଗାଧର ମେହେର ଓ କାହ୍ନୁଚରଣ ମହାନ୍ତି

 

କବି ରମାକାନ୍ତ ମିଶ୍ର

 

ଅପୂର୍ବ ବାସ୍ନାର କବି ରଙ୍ଗାଜୀବ ଗଙ୍ଗାଧର ଓ ଏକଦା ଓଡ଼ିଆ ଉପନ୍ୟାସର ରାଜା କାହ୍ନୁଚରଣଙ୍କୁ କିଏ ନ ଜାଣେ ! ଆମ ଅସ୍ମିତାର ଏହି ଦୁଇ କୀର୍ତ୍ତିସ୍ତମ୍ଭଙ୍କ ଜୀବନର ଦୁଇଟି ଘଟଣା ବିଷୟରେ ଶୁଣିଥିବା କଥା ବଖାଣୁଛି। କେଉଁଠୁ ବା କେଉଁ ସୂତ୍ରରୁ ଶୁଣିଛି,ଆଜି ସ୍ପଷ୍ଟ ମନେ ପଡୁନାହିଁ। ଯଦି ଆପଣଙ୍କ ଜାଣିବାରେ ଏଥିରେ କିଛି ତଥ୍ୟଗତ ଭୁଲ୍ ଥାଏ,ସୂଚିତ କରିବେ ଓ ସୁଧାରି ଦେବେ।

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଆଦ୍ୟ କବି ଜୀବନର ସମୟ। ସେତେବେଳେ ଲୁଗା ବୁଣି ବିକ୍ରି କରିବା ଥିଲା କବିଙ୍କର ସଂସାର ଚଳାଇବାର ଏକମାତ୍ର ପନ୍ଥା। କିଛି କିଛି କବିତା ଲେଖୁଥାଆନ୍ତି। ତାଙ୍କର ଗୁଣମୁଗ୍ଧ ଶ୍ରୋତାମାନେ ତାଙ୍କୁ ବହୁ ସମୟରେ କବି ବୋଲି ସମ୍ବୋଧନ କରୁଥାଆନ୍ତି। ତାଙ୍କର ଏ ଲୋକପ୍ରିୟତା ତତ୍କାଳୀନ ସ୍ଥାନୀୟ ଜମିଦାର ସହି ପାରିଲେ ନାହିଁ।

କିଛି ଅଂପାକ୍ତେୟ ଲୋକଙ୍କୁ ସେ କବିଙ୍କୁ ଅପମାନ ଦେବାପାଇଁ ନିଯୁକ୍ତ କଲେ। ସେହି ବୋଲକରାମାନେ ଗଙ୍ଗାଧରଙ୍କର ଦାଣ୍ଡବାରଣ୍ଡାରେ ଠିଆ ହୋଇ ନିରନ୍ତର ତାଙ୍କୁ ଅଶ୍ରାବ୍ୟ,ଅସଭ୍ୟ ଭାଷାରେ ଗାଳିଗୁଲଜ କରନ୍ତି। କବି ଗାଧୋଇବା ପାଇଁ ନଈକୁ ଯିବାପାଇଁ ବା ଅନ୍ୟାନ୍ୟ କାମ ପାଇଁ ବାହାରକୁ ବାହାରିଲେ ସେହି ଲୋକମାନେ ତାଙ୍କ ପଛେ ପଛେ ଗୋଡାଇ ଗୋଡାଇ କଟୁ ଭାଷାରେ ତାଙ୍କୁ ଭର୍ତ୍ସନା କରନ୍ତି।

କବିଙ୍କ ପ୍ରଶଂସକମାନେ ଏଥିରେ ବହୁତ ଦୁଃଖିତ ହେଲେ କିନ୍ତୁ ସେ ସମୟର ଜମିଦାରମାନଙ୍କର ଅମାପ କ୍ଷମତା ଓ ଅତ୍ୟାଚାରିତାକୁ ଡରି ଜମିଦାରଙ୍କୁ କିଛି କହିବାର ସାହସ ଜୁଟାଇ ପାରିଲେ ନାହିଁ। ସେମାନେ ଗଙ୍ଗାଧରଙ୍କୁ ଦିନେ ପଚାରିଲେ,” କବି,ଆପଣଙ୍କୁ ସେମାନେ ଏତେ କଦର୍ଯ୍ୟ ଭାଷାରେ ଗାଳି ଦେଉଛନ୍ତି, ଆପଣଙ୍କୁ କଣ କଷ୍ଟ ହେଉ ନାହିଁ, ଅନ୍ତରକୁ ବାଧୁନାହିଁ, ଆପଣ ସେମାନଙ୍କୁ କିଛି କହୁନାହାନ୍ତି କାହିଁକି ?

” ଗଙ୍ଗାଧର ସ୍ମିତ ହସି ଉତ୍ତର ଦେଲେ, ” ଦେଖନ୍ତୁ, ଭୁଲିଆ (ତନ୍ତୀର ସମ୍ବଲପୁରୀ ଭାଷାରୂପ) କୁଳରେ ମୋର ଜନ୍ମ ..ଲୁଗା ବୁଣି ପେଟ ପୋଷେ..ସରସ୍ବତୀଙ୍କ ପ୍ରସାଦରୁ କଣ ପଦେ ଅଧେ ଲେଖେ ଯାହାକୁ ଶୁଣି ଆପଣମାନେ ଖୁସି ହୁଅନ୍ତି, ଏହା ମୋର ପରମ ସୌଭାଗ୍ୟ। ମୋର ଏପରି ସାମର୍ଥ୍ୟ ନାହିଁ ଯେ ମୋ ଦ୍ବାରା କାହାର କିଛି ଉପାର୍ଜ୍ଜନ ବା ଉପକାର ହୋଇପାରିବ, ଯଦି ମୋତେ ଗାଳି ଦେଇ କିଛି ଲୋକଙ୍କର ଅନ୍ନସଂସ୍ଥାନ ହୋଇପାରୁଛି, ଆନନ୍ଦର କଥା, ପରୋକ୍ଷରେ ଏହାଠାରୁ ବଳି ମୁଁ ଅଧିକ ପୁଣ୍ୟ କଣ ଅର୍ଜ୍ଜନ କରିପାରିଥାନ୍ତି ! ମୋର ତ ଖୁସି ହେବା କଥା..ଦୁଃଖ କାହିଁକି କରିବି !”

ମଣିଷକୁ ଏତିକି ଭଲ ପାଇଲେ, ଏତିକି ବିନୟ ହୃଦୟରେ ଧାରଣ କଲେ ଜଣେ
ବିଶ୍ବ ଦେଖ ମଧୁମୟରେ ଜୀବନ
ବିଶ୍ବ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟ ରେ ଜୀବନ
ବା
ମୁଁ ଯେ ଅମୃତ ସାଗର ବିନ୍ଦୁ
ନଭେ ଉଠିଥିଲି ତେଜି ସିନ୍ଧୁ
ପଥେ ଶୁଖିଗଲେ ପାପତାପରେ
ହୋଇ ଶିଶିର ଖସିବି ତା’ ପରେ..
ପରି ପଦମାନ ଲେଖିପାରେ..ମୁହୂର୍ତ୍ତଟିଏରେ
ଅନନ୍ତ ସମୟକୁ ପ୍ରତ୍ୟକ୍ଷ କରାଇ ଦେଇ ପାରେ

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି କଟକ ସହରର ପଟାପୋଲ ଅଞ୍ଚଳରେ ରହୁଥାଆନ୍ତି। ସେତେବେଳେ ସେଠି ଏକ ନାଳ/ନର୍ଦ୍ଦମା ଉପରେ ଏକ ଦଦରା ପଟା ପୋଲ ଥିଲା।ଯେଉଁଥିରେ ଅତି ସତର୍କତାର ସହିତ ନାଳ ଟପିବାକୁ ପଡୁଥିଲା।

ନଗରପାଳିକା ପକ୍ଷରୁ ସେ ସ୍ଥାନରେ କୌଣସି ବତୀଖୁଣ୍ଟ ନ ଥିବାରୁ ରାତିବେଳା ସେ ଜାଗାଟି ଅନ୍ଧାର ରହୁଥିଲା, କେହି ଲୋକ ଅନ୍ଧାରରେ ଭଙ୍ଗା ପୋଲରେ ଯାଇ ଆହତ ହେବାର ବା ନାଳ ଭିତରକୁ ଖସି ପଡିବାର ସମ୍ଭାବନା ରହୁଥିଲା। କାହ୍ନୁଚରଣଙ୍କର ସେତେବେଳକୁ ପରିଣତ ବୟସ। ରାତିସାରା ସେ ଲଣ୍ଠନଟିଏ ଜାଳି ମାସ ମାସ ପୋଲମୁଣ୍ଡରେ ଜଗି ବସୁଥିଲେ। କାଳେ କେହି ଆସୁଥିବ,ଖସି ପଡିବ !

ଏମିତି ଲଣ୍ଠନଟିଏ ଯାହା ଛାତି ଭିତରେ ଦିନରାତି ଜଳୁ ନ ଥିବ, କରୁଣାର ସ୍ନିଗ୍ଧ ଆଲୁଅ ଲହଡି ଭାଙ୍ଗୁ ନ ଥିବ ସିଏ କଣ ଶାସ୍ତି, ଝଞ୍ଜା, ତୁଣ୍ଡବାଇଦ ଭଳିଆ ବହି ଲେଖି ଆମ ମନକୁ ତରଳାଇ ପାଣି କରି ଦେଇ ପାରିବ !

( ଲେଖକ ରମାକାନ୍ତ ମିଶ୍ର ହେଉଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ କବି ତଥା ଲେଖକ, ସେ ହାସ୍ୟରସାତ୍ମକ କବିତା ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି। )

Categories
ବିଶେଷ ଖବର

‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ଭୁବନେଶ୍ବରରେ ଜମି ଓ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡିଆ ସାହିତ୍ୟର ଯଶସ୍ବୀ ସାଧକ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି। ଏହାସହିତ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖ ଦିନ ନିଖିଳ ଓଡିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ବଭାବ କବିଙ୍କ ସ୍ମୃତିରେ ଭବନ ନିର୍ମାଣ ଓ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ବିଷୟରେ ଆଲୋଚନା କରିଥିଲେ।

ଏହାଦ୍ବାରା ଦୂରଦୂରାନ୍ତରରୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଠ ପଢିବା ପାଇଁ ତଥା ଚିକିତ୍ସା ପାଇଁ ଆସୁଥିବା ଲୋକମାନଙ୍କୁ ବିଭିନ୍ନ ସେବା ଏହି ଭବନରେ ଯୋଗାଇ ଦିଆଯିବ ବୋଲି ମେହେର ସମାଜ ପକ୍ଷରୁ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ମେହେର ସମାଜର ଅନୁରୋଧକୁ ରକ୍ଷା କରି ଜମି ଯୋଗାଇ ଦେବାପାଇଁ ଏବଂ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ସ୍ବଭାବ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ରାଜ୍ୟସ୍ତରରେ ଆୟୋଜନ କରାଯିବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବଭାବ କବି ଗଙ୍ଗାଧର ମେହେର ଓଡିଆ ଜାତିର ଗର୍ବ ଓ ଗୌରବ। ତାଙ୍କର ଅନନ୍ୟ ସାରସ୍ବତ ପ୍ରତିଭା ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଛି। ତାଙ୍କର କାଳଜୟୀ କୃତି କେବଳ ଓଡ଼ିଆ ନୂହେଁ ଭାରତୀୟ ସାହିତ୍ୟ ଜଗତରେ ଅକ୍ଷୟ କୀର୍ତ୍ତିମାନ ସ୍ଥାପନ କରିଛି।

ଏହି ମହାନ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଉପଯୁକ୍ତ ଭାବରେ ଆୟୋଜନ କରାଯିବା ସଂପର୍କରେ ନିଖିଳ ଓଡିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକରେ କବିଙ୍କ ସ୍ମୃତିରେ ଭୁବନେଶ୍ବର ଠାରେ ଏକ ଭବନ ନିର୍ମାଣ କରାଯିବା ସହିତ ସ୍ବଭାବ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ମାର୍ଚ୍ଚ ୨୦୨୪ରେ ଆୟୋଜନ କରାଯିବା ସଂପର୍କରେ ଆଲୋଚନା ହୋଇଥିଲା।

ସ୍ବଭାବ କବିଙ୍କର ସ୍ମୃତିରେ ଭୁବନେଶ୍ବରରେ ଏକ ଭବ୍ୟ ଭବନ ନିର୍ମାଣ କରାଯିବା ସହିତ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଓ ମହାସଭା ୨୦୨୪ରେ ଉପଯୁକ୍ତ ଭାବରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିନିଧି ଦଳଙ୍କୁ ପ୍ରତିଶୃତି ଦେଇଥିଲେ। ଏଥିନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ୧୯୨୪ ମସିହାରେ ସ୍ବଭାବ କବି ମେହେର ସମାଜ (ଭୁଲିଆ)କୁ ସଂଗଠିତ କରି ବରପାଲି ଠାରେ ଏକ ମହାସଭାର ଆୟୋଜନ କରିଥିଲେ। ଏହି ଭୁଲିଆ ସମାଜ ପରବର୍ତ୍ତୀ ସମୟରେ ନିଖିଳ ଓଡିଶା ମେହେର(ଭୁଲିଆ) ସମାଜରେ ପରିଣତ ହୋଇଥିଲା ।

ଓଡିଆ ଜାତିର ପ୍ରାତଃ ସ୍ମରଣୀୟ କବି ଗଙ୍ଗାଧର ମେହେରଙ୍କ ସ୍ମୃତି ରକ୍ଷା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ବରର କଳିଙ୍ଗ ହସ୍‌ପିଟାଲ ଛକ, ବ୍ରହ୍ମପୁର ଓ ସମ୍ବଲପୁରରେ ମଧ୍ୟ କବିଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି ।

ଏତ୍‌ଦବ୍ୟତୀତ କବି ଗଙ୍ଗାଧର ମେହେରଙ୍କ ନାମରେ ୨୦୯୦ କୋଟି ଟଙ୍କାର ଗଂଗାଧର ମେହେର କେନାଲ ଉଠା ଜଳସେଚନ ଯୋଜନାର କାମ ଚାଲିଛି ଏବଂ ଏହା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସେହିପରି ସମ୍ବଲପୁର ଗଙ୍ଗାଧର ମେହେର କଲେଜକୁ ୨୦୧୫ ମସିହାରୁ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଇଛି । ଶିକ୍ଷାର ପ୍ରସାର ନିମନ୍ତେ ୪୩୦ କୋଟି ଟଙ୍କାର ଓଡିଶା ଗଂଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନା  କାର୍ଯ୍ୟକାରୀ କରାଯାଉଛି ।

କବି ଗଙ୍ଗାଧର ମେହେରଙ୍କର ଅମ୍ଲାନ ସ୍ମୃତିକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଗତ ୨୦ ବର୍ଷ ମଧ୍ୟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ପାଇଁ ପ୍ରତିନିଧି ଦଳ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।