Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି

ଭୁବନେଶ୍ଵର: ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି। ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବରଠାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏକ ସମୀକ୍ଷା ବୈଠକରେ ଡିଜିପି ଶ୍ରୀ ଖୁରାନିଆ ଗଞ୍ଜେଇ ମାଫିଆ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ଵତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ସୀମା ମଧ୍ୟରେ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟ କରିବାକୁ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅଭିଯାନ ଗତବର୍ଷ ନଭେମ୍ବର ମାସ ୦୧ ତାରିଖରୁ ଆରମ୍ଭ ହୋଇଥିଲାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ୫୯୧ଟି ମାମଲା ରୁଜୁ କରାଯାଇ ପ୍ରାୟ ୨୫ ହଜାର ଏକରରୁ ଉର୍ଦ୍ଧ୍ଵ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି। ଚଳିତ ବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ୨୧୩ ଟି ମାମଲା ରୁଜୁ କରାଯାଇଥିବାବେଳେ ୮୨୬୯ ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି। ହଜାର ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରିବା ପୋଲିସ ପାଇଁ ବଡ଼ ସଫଳତା ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହାରେ ୩୫୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୫ ହଜାର ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଥିଲା। ସେହିପରି ୨୦୨୩ ମସିହାରେ ୪୨୮ଟି ମାମଲା ରୁଜୁ ହୋଇଥିବା ବେଳେ ୧୦ ହଜାର ୫୪୧ ଏକର, ୨୦୨୨ ମସିହାରେ ୫୭୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୪ ହଜାର ୩୯୫ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା।

ରାଜ୍ୟର ୮ ଟି ଜିଲ୍ଲାରେ ଗଞ୍ଜେଇ ଚାଷ ବିରୁଦ୍ଧରେ ସ୍ପେଶାଲ ଡ୍ରାଇଭ ଚାଲିଛି। ରାୟଗଡା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଳାରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାର ମୂଳୋଉତ୍ପାଟନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି। ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରା ଯିବା ପରେ ଏହାକୁ ନଷ୍ଟ କରାଯାଉଛି। ଏହା ସହ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ପୋଲିସ ସଚେତନ କରାଉଥିବା ବେଳେ ଗଞ୍ଜେଇ ଚାଷ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଚେତାବନୀ ଦେଇଛନ୍ତି।

ଆଜିର ଏହି ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଆଇଜିପି (ଅପରେସନ) ଜୟନାରାୟଣ ପଙ୍କଜ, ଡିଆଇଜି (ଅପରେସନ) ଅଖିଳେଶ୍ବର ସିଂ, ଡିଆଇଜି (ଏସଆଇଡବ୍ଲୁ) ଡଃ କନୱର ବିଶାଲ ସିଂଙ୍କ ସମେତ ବିଭିନ୍ନ ରେଞ୍ଜର ଆଇଜି, ଡିଆଇଜି ଏବଂ ଜିଲ୍ଲା ଏସପି ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଟଗାଁରେ ପ୍ରଶାସନର ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ପାଇଁ ସଚେତନତା ସଭା

କନ୍ଦର୍ପ ବେହେରା
ରେଢାଖୋଲ: ଅତୀତରେ ନାକଟିଦେଉଳ ବ୍ଲକ୍‌ର ଆଭ୍ୟନ୍ତରୀଣ ଅଂଚଳ ଗଞ୍ଜେଇ ଚାଷ ପାଇଁ ବେଶ୍ ପରିଚିତ ଥିଲା। ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ଏ ଅଂଚଳରେ ଗଞ୍ଜେଇ ଚାଷ ହେବାର ପ୍ରଶାସନ ଠାରେ ଖବର ପହଂଚିଥିଲା। କିଛି ଦିନ ତଳେ ନାକଟିଦେଉଳ ବ୍ଲକ୍ ହିତସରା ଗ୍ରାମରେ ଥିବା ପାହାଡ ଅଂଚଳରେ ଥିବା ସରକାରୀ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ପ୍ରଶାସନ ଠାରେ ଖବର ପହଂଚିବା ପରେ ଚଢଉ କରି ନଷ୍ଟ କରାଯାଇଥିଲା।

ଏ ଅଂଚଳର ଲୋକମାନେ ବେଆଇନ୍ ଗଂଜେଇ ଚାଷରୁ ନିବୃତ କିପରି ରହିବେ ସେଥିପାଇଁ ବାଟଗାଁ ଠାରେ ପ୍ରଶାସନ ପକ୍ଷରୁ ଆଜି ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଚେତନତା ସଭାରେ ରେଢାଖୋଲ ଏସଡିପିଓ ପ୍ରଶାନ୍ତ ମେହେରଙ୍କ ସଭାପତିତ୍ୱରେ ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଅବକାରୀ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା, ସମ୍ବଲପୁର ଅବକାରୀ ମୋବାଇଲ ଇନସ୍ ପେକଟର ଅନ୍ନପୂର୍ଣ୍ଣା ରଥ, ରେଢାଖୋଲ ଅବକାରୀ ନିରୀକ୍ଷକ ବିଷ୍ଣୁଚରଣ ମଲ୍ଲିକ, ନାକଟିଦେଉଳ ଥାନା ଅଧିକାରୀ ବିଭୁତିଭୂଷଣ ଦଳେଇ, ବିଡିଓ ବିବେକାନନ୍ଦ ସାହୁ ଏବଂ ରେଞ୍ଜ ଅଧିକାରୀ ଅଶ୍ୱିନୀ କୁମାର ବେହେରା ପ୍ରମୁଖ ଯୋଗଦେଇ ଲୋକମାନଙ୍କ ଗଞ୍ଜେଇ ଚାଷ ନ କରିବାକୁ ବୁଝାଇଥିଲେ।

ଗଞ୍ଜେଇ ଚାଷରୁ ଲୋକମାନେ କିପରି ନିବୃତ ରହିବେ ସେଥିପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସଂପୃକ୍ତ ବିଭାଗର କର୍ମଚାରୀ, ବାଟଗାଁ ପଂଚାୟତର ଜନପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶହେ ଏକର ଜାଗାରେ ହେଉଥିଲା ଗଞ୍ଜେଇ ଚାଷ, କେମିତି ନଷ୍ଟ କରାଯିବ ପୋଲିସ ମୁଣ୍ଡ ଖରାପ

ଭୁବନେଶ୍ବର: ଗୋଟିଏ ଏକର କିମ୍ବା ଦଶ ଏକର ନୁହେଁ। ଏକାଥରେ ଶହେ ଏକରରେ ଚାଲିଥିଲା ଗଞ୍ଜେଇ ଚାଷ। ଯେ ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଉଛି। ଏତେ ସ୍ଥାନରେ କିପରି ବେଧଡକରେ ଗଂଜେଇ ଚାଷ ହେଲା। ଅନେକ ଏହା ମିଛ ବୋଲି ଭାବୁଥିବେ। ହେଲେ ଘଟଣାଟି ସଂପୂର୍ଣ୍ଣ ସତ।

ଏହିପରି ବିପୁଳ ପରିମାଣର ଗଂଜେଇ ଚାଷ ବୌଦ୍ଧ ଜିଲ୍ଲାର ବାଙ୍କି ଅଞ୍ଚଳର ଥିବା ଆମ୍ବଝରି ପଞ୍ଚାୟତ ଅଧିନରେ ଥିବା ଏକ ଅଞ୍ଚଳରେ ହେଉଥିଲା। ଯାହା ପୋଲିସ ପାଖକୁ ଖବର ପହଁଞ୍ଚିଲା। ହେଲେ ପୋଲିସ ଏହାକୁ ବିଶ୍ବାସ କରିପାରୁ ନ ଥିଲେ। ହେଲେ ପ୍ରଥମେ ସରଜମିନ ତଦନ୍ତ କରି ଏହା ନିଶ୍ଚିତ ହେଲେ। ତେବେ ଏତେ ପରିମାଣର ଗଂଜେଇ ଚାଷକୁ କିପରି ନଷ୍ଟ ହେବ ସେ ନେଇ ପୋଲିସର ମୁଣ୍ଡ ଖରାପ।

କାରଣ ହେଲା କଞ୍ଚା ଗଛରେ ନିଆଁ ଲଗାଇଲେ ତାହା ସହଜରେ ପୋଡିବ ନାହିଁ। ସେଥିପାଇଁ ପ୍ରଥମେ ଏହି ଗଛକୁ କାଟିବାକୁ ପଡିବ। ସେଥିପାଇଁ ଯେଉଁ କଟା ମେସିନ ଦରକାର ତାହା ଏତେ ପରିମାଣର ନ ଥିଲା। ତେବେ ଦୁଇଦିନ ଭିତରେ ସବୁ ମେସିନ ଯୋଗାଡ କରିବା ପରେ ଗତକାଲି ପୋଲିସ ଏହାକୁ ନଷ୍ଟ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହିତସରାରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ୩ ଗିରଫ, ୫ ଜଣଙ୍କ ନାମରେ ମାମଲା ରୁଜୁ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ହିତସରା ଗ୍ରାମରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ୩ ଜଣଙ୍କୁ ନାକଟିଦେଉଳ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି।

ସୂଚନା ଥାଉକି, କିଛି ଦିନ ତଳେ ନାକଟିଦେଉଳ ଥାନା ହିତସରା ଗ୍ରାମରେ ପ୍ରଶାସନର ମିଳିତ ଚଢଉରେ ହିତସରା ସନ୍ନିକଟ ସରକାରୀ ଜଙ୍ଗଲରୁ ୫ ଟି ପ୍ଲଟ୍ ରୁ ୩୩୫୦ ଗଞ୍ଜେଇ ଗଛ ଏବଂ ଅନ୍ୟ ଏକ ଦିନରେ ୧୧ ଡେସିମିଲ୍ ସରକାରୀ ପ୍ଲଟ୍ ରୁ ୧୪୫୦ ଗଞେଇ ଗଛକୁ ପ୍ରଶାସନ ସଂପୂର୍ଣ୍ଣ ପୋଡି ନଷ୍ଟ କରି ଦେଇଥିଲା। ଏହି ଗଞେଇ ପାକଳ ହେଲା ପରେ ବିକ୍ରି ହୋଇଥିଲେ ଏହାର ମୂଲ୍ୟ ୫୦ଲକ୍ଷ ୨୫ ହଜାର ହୋଇଥାନ୍ତା ବୋଲି ପୋଲିସ୍ କହିଛି।

ଗଞେଇ ଚାଷ କରିବା ଅଭିଯୋଗରେ ହିତସରା ଗ୍ରାମର ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି ନାକଟିଦେଉଳ ପୋଲିସ୍। ଆଜି ୫ ଜଣ ମଧ୍ୟରୁ ୩ ଜଣଙ୍କୁ ପୋଲିସ୍ ହିତସରା ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ୍ କହିଛି।

ନାକଟିଦେଉଳ ଥାନା କେସ୍ ନଂ ୧୪୮ (ତା୧୦-୧୧-୨୦୨୧)ରେ ହିତସରା ଗ୍ରାମର ସୁମନ୍ତ ସାହୁ (୨୯), କେସ୍ ନଂ ୧୫୦ (ତା ୧୦.୧୧.୨୦୨୧) ରେ ସେଇ ଗ୍ରାମର ଶ୍ରୀବତ୍ସ ଦେହୁରୀ (୩୫), ଏବଂ କେସ୍ ନଂ ୧୫୧ (ତା ୧୦.୧୧.୨୦୨୧) ରେ ସେଇ ଗ୍ରାମର ଶ୍ରୀକର ଦେହୁରୀ (୩୧) ଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଗଞେଇ ଚାଷ ଅଭିଯୋଗରେ ଆଉ ୨ ଜଣ ନାମରେ ମାମଲା ରହିଥିବା ପୋଲିସ୍ କହିଛି । ସେମାନଙ୍କୁ ଗିରଫ କରାଯିବ ବୋଲି ଜଣା ପଡିଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହିତସରାରେ ପୁଣି ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଗଞ୍ଜେଇ ଚାଷ ପାଇଁ ଅତୀତରେ ପ୍ରସିଦ୍ଧି ଲାଭ କରିଥିଲା। କିନ୍ତୁ ପୋଲିସ୍ ର ମାତ୍ରାଧିକ ଚଢଉ ଫଳରେ ଦୀର୍ଘ ବର୍ଷ ହେଲା ଗଞ୍ଜେଇ ଚାଷ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପୁଣି ଏ ଅଂଚଳରେ ଗଞ୍ଜେଇ ଚାଷ କରିଥିବା ନେଇ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ସାଜିଛି।

ଆଜି ପୁଣି ହିତସରା ଗ୍ରାମରେ ପ୍ରଶାସନର ମିଳିତ ଚଢଉରେ ହିତସରା ସନ୍ନିକଟ ଜଙ୍ଗଲରୁ ୫ ଟି ପ୍ଲଟ୍ ରୁ ୩୩୫୦ ଗଞ୍ଜେଇ ଗଛକୁ ପ୍ରଶାସନ ସଂପୂର୍ଣ୍ଣ ପୋଡି ନଷ୍ଟ କରି ଦେଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ପଂଚାୟତର ହିତସରା ଗ୍ରାମରେ ଆଜି ପ୍ରଶାସନର ମିଳିତ ଚଢଉ ହୋଇଥିଲା।

ଏହି ଚଢଉରେ ରେଢାଖୋଲ ଏସ୍‌ଡିପିଓ, ନାକଟିଦେଉଳ ଥାନାଧିକାରୀ, ବନବିଭାଗ, ଏକ୍ସସାଇଜ୍ ବିଭାଗ ଆଦି ଚଢଉରେ ସାମିଲ୍ ହୋଇଥିଲେ। ନାକଟିଦେଉଳ ତହସିଲ୍‌ଦାର ସୁକାନ୍ତ ନାଏକ ମାଜିଷ୍ଟେଟ୍ ଦାୟିତ୍ୱରେ ଥିଲେ।

ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ହିତସରା ଗ୍ରାମ ନିକଟସ୍ଥ ବଡମୁଣ୍ଡା କଟା ସଂଲଗ୍ନ ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଷକୁ ପ୍ରଶାସନ ନଷ୍ଟ କରିଦେଇଥିଲା। ହିତସରା ଗ୍ରାମରେ ୧୧ ଡେସିମିଲ୍ ସରକାରୀ ପ୍ଲଟ୍ ରୁ ୧୪୫୦ ଗଛକୁ ନଷ୍ଟ କରିଦେଇଥିଲା ପ୍ରଶାସନ। ଗ୍ରାମବାସୀ ଏ ନେଇ ପୋଲିସ୍ ଠାରେ ମଧ୍ୟ ଅଭିଯୋଗ କରିଥିବା ଜଣା ପଡିଛି। ବାରମ୍ବାର ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ସେଇ ଗୋଟିଏ ନିର୍ଦ୍ଧିଷ୍ଟ ଅଂଚଳରେ ଗଞ୍ଜେଇ ଚାଷ କରାଯାଉଥିବାରୁ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି।