Categories
ଆଜିର ଖବର ଜାତୀୟ ଖବର

ପ୍ରବର୍ତ୍ତନ ସଂସ୍ଥାମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ‘ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ପ୍ରକ୍ରିୟା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳସ୍ତମ୍ଭ। ଭାରତୀୟ ଗଣତନ୍ତ୍ର ସମଗ୍ର ବିଶ୍ୱରେ ଏହାର ମୁକ୍ତ, ଅବାଧ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ନିର୍ବାଚନ ପ୍ରକ୍ରିୟା ପାଇଁ ପ୍ରସିଦ୍ଧ। ଏହି ପ୍ରତିଷ୍ଠାକୁ ବଜାୟ ରଖିବା ପାଇଁ ଓ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି।’

ବୁଧବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଭୁବନେଶ୍ୱର ଖାରବେଳ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସାଧାରଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତି୍ରପାଠୀ (ଅବସରପ୍ରାକ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ), ପୋଲିସ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ରଜନୀକାନ୍ତ ମିଶ୍ର (ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା ଅଧିକାରୀ), ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ହିମାଲିନୀ କାଶ୍ୟପ (ଅବସରପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ)ଙ୍କ ଉପସ୍ଥିତିରେ ରାଜ୍ୟର ସମସ୍ତ ପ୍ରବର୍ତ୍ତନ ସଂସ୍ଥାର ସର୍ବୋଚ୍ଚ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ଏଭଳି ମତ ପ୍ରକାଶ କରିଛନ୍ତି।

ବୈଠକରେ ନିଜର ପ୍ରାରମ୍ଭିକ ବକ୍ତବ୍ୟ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ପ୍ରବର୍ତ୍ତନ ସଂସ୍ଥାର ଗୁରୁଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଅନୈତିକ ଉପାୟରେ ବ୍ୟବହୃତ ହେଉଥିବା ଧନବଳ, ମାଦକ ଦ୍ରବ୍ୟ ଓ ଉପହାର ଆଦିକୁ ରୋକିବା ପାଇଁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ସକି୍ରୟ ନିୟନ୍ତ୍ରଣ ବ୍ୟବସ୍ଥା ବିଷୟରେ ଶ୍ରୀ ଧଳ ଆଲୋଚନା କରିଥିଲେ।

ଏହି ଅବସରରେ ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା ଯଥା-ଓଡ଼ିଶା ପୋଲିସ, ଅବକାରୀ ବିଭାଗ, ଆୟକର ବିଭାଗ, ରାଜ୍ୟ ଜିଏସ୍‌ଟି, କେନ୍ଦ୍ର ଜିଏସ୍‌ଟି, ବ୍ୟାଙ୍କସମୂହ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଏୟାରପୋର୍ଟ ଅଥରିଟି, ଡାକ ବିଭାଗ, ସିଆଇଏସ୍‌ଏଫ୍‌, ଆର୍‌ପିଏଫ୍‌, ଏନ୍‌ସିବି, ରାଜସ୍ୱ ଗୁଇନ୍ଦା ବିଭାଗ, ଜଙ୍ଗଲ ବିଭାଗ, ଭାରତୀୟ କୋଷ୍ଟ ଗାର୍ଡ଼, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ବେସାମରିକ ବିମାନ ଚଳାଚଳ ବିଭାଗ ଓ ସିଆର୍‌ପିଏଫ୍‌ର ରାଜ୍ୟ ନୋଡାଲ ଅଧିକାରୀମାନେ ପିପିଟି ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ସମ୍ମୁଖରେ ନିର୍ବାଚନ ପ୍ରସ୍ତୁତି, ଜବତ ବ୍ୟବସ୍ଥା ଓ ତା’ର କାର୍ଯ୍ୟାନ୍ୱୟନ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ରଖିଥିଲେ।

ଏହି ପିପିଟି ପ୍ରେଜେଣ୍ଟେସନ୍‌ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଦ୍ୱାରା ହିଁ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସମ୍ଭବ ବୋଲି ମତପ୍ରକାଶ କରିଥିଲେ। ଏହି ମର୍ମରେ ରାଜ୍ୟ ସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମସ୍ତ ପ୍ରବର୍ତ୍ତନ ସଂସ୍ଥାମାନେ ସମନ୍ୱୟ ମାଧ୍ୟମରେ ହିଁ ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବାରେ ସର୍ବଥା ଚେଷ୍ଟିତ ରହିବାକୁ ସେ ପ୍ରେରିତ କରିଥିଲେ।

ବୈଠକରେ ଉପସ୍ଥାପିତ ତଥ୍ୟ ଅନୁସାରେ ସାଧାରଣ ନିର୍ବାଚନ-୨୦୨୪ରେ ୨୦.୮ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥିବାବେଳେ ସାଧାରଣ ନିର୍ବାଚନ-୨୦୧୯ରେ ୪୪.୦୭ କୋଟି ଟଙ୍କାର ସମଗ୍ରୀ ଜବତ ହୋଇଥିଲା। କିନ୍ତୁ ସାଧାରଣ ନିର୍ବାଚନ-୨୦୨୪ରେ ସମସ୍ତ ସଂସ୍ଥା ମିଶି ଜାନୁଆରୀ ୧ରୁ ଫେବୃଆରୀ ୨୯ ମଧ୍ୟରେ ୭୬.୪୦ କୋଟି ଓ ମାର୍ଚ୍ଚ ୧ରୁ ଅପ୍ରେଲ ୨୨ ପର୍ଯ୍ୟନ୍ତ ୧୩୬.୯୪ କୋଟି ଟଙ୍କାର ସାମଗ୍ରୀ ଜବତ କରିସାରିଛନ୍ତି । ପ୍ରବର୍ତ୍ତନ ସଂସ୍ଥାମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ‘ଜିରୋ ଟଲରାନ୍ସ ଆପ୍ରୋଚ୍‌’ ସହ ଅର୍ଥବଳ, ମାଦକ ଦ୍ରବ୍ୟ ଓ ଲୋଭନୀୟ ବସ୍ତୁର ପ୍ରଭାବକୁ ପ୍ରତିହତ କରି ରାଜ୍ୟରେ ମୁକ୍ତ, ଅବାଧ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ବୈଠକ ଶେଷରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ

ବାମରା: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଲୋକଙ୍କ ପାଇଁ ସବୁ ପ୍ରକାର ସୁବିଧା କରିଥିବା ବେଳେ ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରି ଚଞ୍ଚକତା କରିବାରେ ଧୂରନ୍ଧର ବୋଲି ସୋମବାର ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୦୨୯ ମସିହା ପର୍ଯ୍ୟନ୍ତ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବା ପାଇଁ ନିଷ୍ପତି ନେବା ପରେ ବି ରାଜ୍ୟ ସରକାର ନିଜସ୍ୱ ଯୋଜନା ନାଁରେ ମିଛ ପ୍ରଚାର କରୁଛନ୍ତି। ଗଣତନ୍ତ୍ରରେ ଏଭଳି ଚଞ୍ଚକତା ନିନ୍ଦନୀୟ। ଓଡ଼ିଶା ସରକାର ପ୍ରଚାର ସର୍ବସ୍ୱ ସରକାର। ସମ୍ବଲପୁରର କୁଚିଣ୍ଡା, ବାମରା, ମହୁଲପାଲି, କେଶାଇ ବାହାଲ, କୁନ୍ତରା, ଜମନକିରା, ଗଡପୋଷ, ଫାଶିମାଲ, କୁଲୁଣ୍ଡି ଓ ନିକ୍ତିମାଲ ଭଳି ଗ୍ରାମାଞ୍ଚଳରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପଦବୀ ଅନୁସାରେ ଡାକ୍ତର ନାହାନ୍ତି। ଦେଶରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ମାଗଣାରେ ସ୍ବାସ୍ଥ୍ୟସେବା ମିଳୁଥିବା ବେଳେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି। ଲୋକଙ୍କ ଟିକସ ପଇସାରେ ରାଜ୍ୟ ରାଜକୋଷକୁ ଆସୁଥିବା ଅର୍ଥର ଖର୍ଚ୍ଚ କରି କେବଳ ମିଛ ବିଜ୍ଞାପନ ଓ ବଡ ବଡ ହୋର୍ଡିଂରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ସୀମିତ ରହିଛି।

ଜଳ ଜୀବନ ମିଶନରେ ସମ୍ବଲପୁର ଜିଲ୍ଲାରେ ମୋଟ ୧,୬୪,୫୭୪ ପରିବାର ମଧ୍ୟରୁ ୭୦,୬୧୦ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଛି। ପ୍ରତି ଘରକୁ ପାଇପ ଯୋଗେ ପାଣି ଦେବା ପାଇଁ ଅର୍ଥର ବ୍ୟବସ୍ଥା କରିବା ପରେ ବି ଗାଁରେ ପାଣି ଆସୁନି। ପଇସା ଠିକାଦାର ପକେଟକୁ ଯାଉଛି, ଏହା କଣ ଲମ୍ବା ଶାସନର ରୂପାନ୍ତରଣ କି? ମୋଦି ସରକାର ପିଏମ ଆବାସ ଯୋଜନାରେ ଗରିବଙ୍କ ପାଇଁ ପକ୍କା ଘର ପଠାଉଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ୨୪ ବର୍ଷ ଶାସନରେ ରହିବା ପରେ ବି ଓବିସି ମାନଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ଅଧିକାର ଦେଉନାହାନ୍ତି । ଲାଗୁ କଲେ କାଳେ, ମୋଦିଙ୍କ ଡବଲ ଇଞ୍ଜିନ କାଳେ ଲାଗିଯିବ, ଏଥିପାଇଁ ରାଜ୍ୟ ସରକାର ଭୟଭୀତ । ଲମ୍ବା ସମୟର ଶାସନରେ ମୌଳିକ ସୁବିଧା ଆଜି ବି ଲୋକଙ୍କ ପାଖରେ ଅପହଞ୍ଚ । ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଲୋକଙ୍କୁ ମୋଦି ଗ୍ୟାରେଣ୍ଟି ଦେବାକୁ ହିଁ ପଡ଼ିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିଜକୁ ଏକ ଆସ୍ଥାର କେନ୍ଦ୍ର ଭାବରେ ସ୍ଥାପିତ କରିପାରିଛନ୍ତି। ଆଜି ମୋଦିଙ୍କ ଗ୍ୟାରେଣ୍ଟିରେ ଦେଶ ଆଗକୁ ବଢୁଥିବା ବେଳେ ଗରିବ, ମହିଳା, ଚାଷୀ, ବଞ୍ଚିତ, ଓ ଯୁବକମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି। ସମସ୍ତଙ୍କୁ ପକ୍କା ଘର, ପାଇପ ଯୋଗେ ପାନୀୟ ଜଳ, ରୋଷେଇ ଗ୍ୟାସ, ମାଗଣା ଚାଉଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସହ ମହିଳାମାନଙ୍କୁ ଲକ୍ଷପତି ବନାଇବାର ସ୍ୱପ୍ନ ପୂରଣ କରାଯାଉଛି। ଗାଁ ଗାଁରେ ରକ୍ତ ପରୀକ୍ଷା, ସିକିଲ ସେଲ୍ ପରୀକ୍ଷା ଏବଂ ଡାଇବେଟିସ ପରୀକ୍ଷା କରାଯିବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଭଳି ସୁବିଧା ମୋଦି ସରକାର କରିଛନ୍ତି। ମୋଦିଙ୍କ ବିକାଶ ଗ୍ୟାରେଣ୍ଟିକୁ ଲୋକମାନେ ଭରସା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଥିବା ବେଳେ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମ ମାନଙ୍କର ଯୋଗଦାନ ଜରୁରୀ।

ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମହୁଲପାଲିର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଆଶାକର୍ମୀ କୁନ୍ତଳା ସାହୁ, ଏସଏଚଜି ମହିଳା ଭାବେ କମ ସୁଧରେ ଋଣ ନେଇଥିବା ରଜନୀ ସାହୁ ଓ ବାମରାର ପିଏମ କିଷାନ ଯୋଜନାର ଲାଭାର୍ଥୀ ମୋତିରଞ୍ଜନ ପୃଷେଠଙ୍କ ସମେତ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର କିଭଳି ଭାବେ ଉପକୃତ ହେବା ସହ ଲାଭ ପାଇଛନ୍ତି, ତାହା ଉପରେ ବର୍ଣ୍ଣନା କରିଥିଲେ, ଯାହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ।

Categories
ବିଶେଷ ଖବର

ମହୁଆ ମୋଇତ୍ରାଙ୍କ ବହିଷ୍କାର ଇଣ୍ଡି ମେଣ୍ଟ ପାଇଁ ଶୁଭ ସଙ୍କେତ: ଶଶୀ ଥରୁର

ନୂଆଦିଲ୍ଲୀ: ଟଙ୍କା ପାଇଁ ପ୍ରଶ୍ନ ପଚାରିବାରୁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କୁ ଶୁକ୍ରବାର ଲୋକସଭାରୁ ବହିଷ୍କାର କରାଯାଇଛି। ମହୁଆ ମୋଇତ୍ରାଙ୍କ ବିଦାୟ ପରେ ମହୁଆଙ୍କୁ ସମର୍ଥନରେ ଆଗେଇ ଆସିଛନ୍ତି ବିରୋଧୀ ଦଳର ଅନେକ ନେତା। କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ଏଥିରେ ସାମିଲ ଅଛନ୍ତି। ସୌଭାଗ୍ୟବଶତଃ ଏହା (ବହିଷ୍କାର କାର୍ଯ୍ୟାନୁଷ୍ଠାନ) ମହୁଆ ମୋଇତ୍ରାଙ୍କୁ ମଜବୁତ କରିବ ବୋଲି ଥରୁର ଟ୍ୱିଟ୍ କରିଛନ୍ତି। ଏବେ ସେ ଆଗାମୀ ନିର୍ବାଚନରେ ବହୁମତ ସହିତ ନିର୍ବାଚିତ ହୋଇ ଫେରିବେ।

ଇଣ୍ଡି ମେଣ୍ଟ ପାଇଁ ଶୁଭ ସଙ୍କେତ

ମହୁଆ ମୋଇତ୍ରାଙ୍କୁ ଶଶୀ ଥରୁରଙ୍କ ବହିଷ୍କାର ବିରୋଧୀ ଗୋଷ୍ଠୀର ଇଣ୍ଡି ମେଣ୍ଟ ପାଇଁ ଶୁଭ ସଙ୍କେତ। ଶଶୀ ଥରୁର ତାଙ୍କ ଟ୍ୱିଟରେ ଆହୁରି ଲେଖିଛନ୍ତି ଯେ ଆପଣ ଦେଖିଛନ୍ତି କିପରି ବିରୋଧୀ ଦଳର ସାଂସଦମାନେ ମହୁଆ ମୋଇତ୍ରାଙ୍କ ସମର୍ଥନରେ ଠିଆ ହୋଇଥିଲେ। ବାସ୍ତବରେ ବହିଷ୍କାର ପରେ ମହୁଆ ମୋଇତ୍ରା ସଂସଦ ପରିସରରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ନୈତିକତା କମିଟିର ବହିଷ୍କାର କରିବାର କୌଣସି ଅଧିକାର ନାହିଁ … ଏହା ହେଉଛି ଆପଣଙ୍କ (ବିଜେପି)ର ଅନ୍ତର ଆରମ୍ଭ ବୋଲି ମୋଇତ୍ରା କହିଥିଲେ।

ମହୁଆଙ୍କୁ ସମର୍ଥନ କଲେ ବିରୋଧୀ

ମହୁଆଙ୍କ ବହିଷ୍କାର ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଏହା ଭିତ୍ତିହୀନ ତଥ୍ୟ ଏବଂ ପ୍ରତିଶୋଧ ଉପରେ ଆଧାରିତ। ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଯେଉଁମାନେ ଅଭିଯୋଗ ଆଣିଛନ୍ତି ସେମାନେ ଦୁବାଇରେ ବସିଛନ୍ତି। ସେ ଏକ ବୟାନ ଦେଇଥିଲେ ଏବଂ ସେହି ଆଧାରରେ ଆପଣ ଏକ ନିଷ୍ପତ୍ତି ନେଇଛନ୍ତି। ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଏହା କେଉଁଠି ନା କେଉଁଠି ଜାତୀୟ ନ୍ୟାୟ ଧାରା ବିରୁଦ୍ଧରେ ଯାଇଛି। ମୁଁ ଆଶା କରୁଛି ଆଗାମୀ ସମୟରେ ଯେତେବେଳେ ସେ ଟିଏମସିରୁ ନିର୍ବାଚନ ଲଢ଼ିବେ ଏବଂ ବିପୁଳ ସଂଖ୍ୟାଗରିଷ୍ଠତା ସହ ଜିତିବେ।

କ’ଣ କହୁଛି ଟିଏମସି

ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର କରାଯିବା ପ୍ରସଙ୍ଗରେ ଟିଏମସି ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆଜି ମୁଁ ବିଜେପି ଦଳର ଆଭିମୁଖ୍ୟ ଦେଖି ଦୁଃଖିତ। ସେମାନେ କିପରି ଗଣତନ୍ତ୍ର ସହ ବିଶ୍ୱାସଘାତକତା କଲେ। ସେ ମହୁଆଙ୍କୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦେଇନଥିଲେ। ଏଥିରେ ସମ୍ପୂର୍ଣ୍ଣ ଅନ୍ୟାୟ ହୋଇଛି। ମୁଁ ଆପଣଙ୍କୁ କହୁଛି ଯେ ମହୁଆ (ମୋଇତ୍ରା) ପରିସ୍ଥିତିର ଶିକାର ହୋଇଛନ୍ତି। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଆମ ଦଳ ମହୁଆଙ୍କ ସହ ଅଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ଦଳ ବିଜେପି ସହ ଲଢ଼ିବ। ଗଣତନ୍ତ୍ର ପାଇଁ ଏହା ଦୁର୍ଭାଗ୍ୟଜନକ।

Categories
ଆଜିର ଖବର ଜାତୀୟ ଖବର

ଗଣତନ୍ତ୍ର ପାଇଁ ଆପଣଙ୍କର ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ: ଏମପି, ଛତିଶଗଡର ଭୋଟରଙ୍କୁ ଅପିଲ କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡର ଭୋଟରଙ୍କୁ ସେମାନଙ୍କର ଭୋଟ୍ ଅଧିକାରକୁ ସର୍ବାଧିକ ସଂଖ୍ୟାରେ ବ୍ୟବହାର କରିବାକୁ ନିବେଦନ କରିଛନ୍ତି। ମଧ୍ୟପ୍ରଦେଶର ସମସ୍ତ ବିଧାନସଭା ଆସନ ଏବଂ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଛତିଶଗଡରେ ୭୦ ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଜାରି ରହିଛି।

ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ଭୋଟରଙ୍କୁ ସେମାନଙ୍କର ଭୋଟ୍ ଅଧିକାର ବ୍ୟବହାର କରିବାକୁ ନିବେଦନ କରିଛନ୍ତି ଏବଂ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ ବୋଲି କହିଛନ୍ତି।

ମଧ୍ୟପ୍ରଦେଶର ଭୋଟରଙ୍କୁ ଦେଇଥିବା ବାର୍ତ୍ତାରେ ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ସାରା ରାଜ୍ୟରେ ଭୋଟରମାନେ ସେମାନଙ୍କର ମତାଧିକାର ବ୍ୟବହାର କରିବେ ଏବଂ ଏହି ଗଣତନ୍ତ୍ରର ଉତ୍ସବର ଆଲୋକ ପ୍ରଦାନ କରିବେ।

ଏହି ନିର୍ବାଚନରେ ​​ପ୍ରଥମ ଥର ପାଇଁ ଭୋଟ୍ ଦେଇଥିବା ରାଜ୍ୟର ସମସ୍ତ ଯୁବକଙ୍କୁ ମୋର ବିଶେଷ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ପୋଷ୍ଟରେ କହିଛନ୍ତି।

ମଧ୍ୟପ୍ରଦେଶର ସମସ୍ତ ୨୩୦ ବିଧାନସଭା ଆସନ ପାଇଁ ଆଜି ମତଦାନ ଚାଲିଛି। ଏଥି ସହିତ ଛତିଶଗଡରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟର ସକାଳ ୮ ଟାରୁ ୭୦ ଟି ଆସନ ପାଇଁ ଭୋଟ୍ ଦିଆଯାଉଛି। ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲ ନାଥଙ୍କ ସମେତ ୨୫୩୩ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ସ୍ଥିର କରିବାକୁ ଭୋଟ୍ ଦିଆଯାଉଛି। ସେହିଭଳି ଛତିଶଗଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ୭୦ ଟି ଆସନରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଜାରି ରହିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଆଠ ଜଣ ମନ୍ତ୍ରୀ ଏବଂ ଚାରିଜଣ ସାଂସଦଙ୍କ ସମେତ ୯୫୮ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର ହେବ।

Categories
ଆଜିର ଖବର ଜାତୀୟ ଖବର

ମହିଳା ସାଂସଦମାନେ ଆମ ଗଣତନ୍ତ୍ରକୁ ଅଧିକ ଜୀବନ୍ତ କରୁଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ମହିଳା ସଦସ୍ୟଙ୍କ କାରଣରୁ ଗଣତନ୍ତ୍ର ସମୃଦ୍ଧ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି ଏବଂ ନାରୀ ଶକ୍ତି ବନ୍ଦନ ଅଧିନିୟମ ଲୋକଙ୍କ ସ୍ୱରକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରିଛନ୍ତି।

ଏ ନେଇ ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ଆଲେଖ୍ୟ ସେୟାର କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ଶାମିକା ରବି ଏକ ଉତ୍ତମ ଆର୍ଟିକଲ ଲେଖିଛନ୍ତି। ଆମ ମହିଳା ସାଂସଦମାନେ କିପରି ଆମ ଗଣତନ୍ତ୍ରକୁ ଅଧିକ ଜୀବନ୍ତ କରୁଛନ୍ତି ଏବଂ ସ୍ୱାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି ତାହା ଏଥିରେ ଦର୍ଶାଯାଇଛି। ଏହା ଅତ୍ୟନ୍ତ ଉତ୍ସାହଜନକ ଧାରା ଏବଂ ନାରୀ ଶକ୍ତି ବନ୍ଦନ ଅଧିନିୟମ କିପରି ଲୋକଙ୍କ ସ୍ୱରକୁ ଆହୁରି ମଜଭୁତ କରିବ ତାହାର ଉଦାହରଣ ଦେଉଛି।’

Categories
ଆଜିର ଖବର ଜାତୀୟ ଖବର

ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ: ଜେଲରୁ ମୁକୁଳିବା ପରେ ଏଭଳି ଅଭିଯୋଗ ଆଣିଲେ ଅଭିଷେକ ବାନାର୍ଜୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀର କୃଷି ଭବନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ନେତାମାନଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ ଛାଡି ଦେଇଥିଲା। ଅଭିଷେକ ବାନାର୍ଜୀ ବାହାରକୁ ଆସିବା ମାତ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ। ରାଜ୍ୟରେ ହାରିଯାଇଥିବାରୁ ବିଜେପି ପଶ୍ଚିମବଙ୍ଗର ଲୋକଙ୍କ ଅଧିକାର ଛଡ଼ାଇ ନେଉଛି।

ଅଭିଷେକ ବାନାର୍ଜୀ ଆହୁରି କହିଛନ୍ତି ଯେ, ଯେଉଁମାନେ ବଙ୍ଗଳାବାସୀଙ୍କ ପାଇଁ ଲଢୁଛନ୍ତି ସେମାନଙ୍କୁ ୩ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦିଆଯାଇଛି। ଆମେ ସେଠାରେ ଶାନ୍ତିରେ ବସିଥିଲୁ, କିନ୍ତୁ ମହିଳାଙ୍କ ସମେତ ଆମ ସମସ୍ତଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଯେଉଁଭଳି ଭାବରେ ଆମକୁ ନିଷ୍ଠୁର ଭାବରେ ଟାଣି ନିଆଯାଇଥିଲା ଏବଂ ଅପମାନିତ କରାଯାଇଥିଲା, ଆଜି ଗଣତନ୍ତ୍ର ପାଇଁ ଏକ କଳା ଦିନ ଏବଂ ଆମର ସାଂସଦମାନେ ଯେପରି ହଇରାଣ ହୋଇଥିଲେ ତାହା ମଧ୍ୟ ସମସ୍ତଙ୍କୁ ଦୃଶ୍ୟମାନ ହେଉଛି।

‘ରାଜଭବନ ଅଭିଯାନ’ ର ଘୋଷଣା:

କୋଲକାତାରେ ‘ରାଜ ଭବନ ଅଭିଯାନ’ ଆହ୍ଵାନ ଦେଇ ଏମସି ନେତା କହିଛନ୍ତି ଯେ, ଏହି ଅଭିଯାନ ଅକ୍ଟୋବର ୫ ତାରିଖ ଅପରାହ୍ନ ୩ ଟାରୁ ଆରମ୍ଭ ହେବ। କେବଳ ଏତିକି ନୁହେଁ ସେ କହିଛନ୍ତି ଯେ, ଆମେ ରାଜ୍ୟପାଳଙ୍କୁ ମଧ୍ୟ ଭେଟିବୁ ଏବଂ ତାଙ୍କୁ ୫୦ ଲକ୍ଷ ଚିଠି ହସ୍ତାନ୍ତର କରାଯିବ।

କେନ୍ଦ୍ର ମନ୍ତ୍ରୀ ସାଧବୀ ନିରଂଜନଙ୍କ ଉପରେ ଅଭିଯୋଗ କରି ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ସାଧଭି ନିରଂଜନଙ୍କ ସହ ଆମର ସାକ୍ଷାତ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଥିଲା। ଆମେ ତାଙ୍କୁ ୯୦ ମିନିଟ୍ ଅପେକ୍ଷା କରିଥିଲୁ, ଯାହା ପରେ ଆମକୁ କୁହାଯାଇଥିଲା ଯେ, ସେ ଆମ ସହିତ ସାକ୍ଷାତ କରିବାକୁ ସମର୍ଥ ହେବେ ନାହିଁ।

ଏଥି ସହ କେନ୍ଦ୍ର ମନ୍ତ୍ରୀ ସାଧଭି ନିରଂଜନ ଟିଏମସିର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ତୃଣମୁଲ ସାଂସଦଙ୍କୁ ଅପେକ୍ଷା କରି କରି ସେ ୮.୩୦ ରେ ଅଫିସ ଛାଡିଥିଲେ। ତୃଣମୁଲ କଂଗ୍ରେସ ସାଂସଦ ଏବଂ ବଙ୍ଗଳାର ମନ୍ତ୍ରୀଙ୍କ ପ୍ରତିନିଧି ଦଳ ଅଫିସରେ ୬ ଟା ସମୟରେ ସାକ୍ଷାତ ପାଇଁ ସମୟ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଗଣତନ୍ତ୍ରକୁ ବିଜେଡ଼ି ଅପହରଣ କରିଛି: ପ୍ରଦେଶ କଂଗ୍ରେସ ସଭାପତି

ଭୁବନେଶ୍ୱର: ହୋଟେଲ ମେଫେୟାର କନଭେନସନ ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଲେ ଯେ ରାଜ୍ୟରେ ବିଜୁ ଜନତା ଦଳ ଗଣତନ୍ତ୍ରକୁ ଅପହରଣ କରିଦେଇଛି। ଏହି ଅପହରଣକାରୀଙ୍କୁ ବିଜେପି ପ୍ରଚ୍ଛନ ସହାୟତା ପ୍ରଦାନ କରିଚାଲିଛି।

ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହ କହିଛନ୍ତି ରାଜ୍ୟବାସୀ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଲୋକପ୍ରତିନିଧି ବାଛିଥିଲେ କିନ୍ତୁ ଜନତା ଜନାର୍ଦ୍ଦନଙ୍କର ଅଧିକାରକୁ ସମ୍ମାନ ଦେବା ପରିବର୍ତେ ଗଣତନ୍ତ୍ରର ମୁଖା ପିନ୍ଧି ବିଜୁ ଜନତା ଦଳ ସରକାର ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସଚିବକୁ ରାଜ୍ୟର ସମସ୍ତ ଶାସନଭାର ଟେକିଦେଇଛନ୍ତି। ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟୀତ୍ୱ ରାଜ୍ୟର ଜନସାଧାରଣଙ୍କୁ ଲୋଟିବା ଏବା ତାଙ୍କର ଅଭାବ ଅସୁବିଧାକୁ ଦୂର କରିବାକୁ ଶାସନ ବ୍ୟବସ୍ଥାର ନିଷ୍ପତି ନେବା, କିନ୍ତୁ ଦୁର୍ଭଗ୍ୟର ବିଡ଼ମ୍ବନା ଏ ରାଜ୍ୟର ଜଣେ ବେତନଭୋଗୀ ସରକାରୀ ଅଧିକାରୀ ଏ ସରକାରର ଅପାରଗତା ଯୋଗୁଁ ସର୍ବମୟ କର୍ତା ବୋଲି ଓଡ଼ିଶାର ଜନସାଧାରଣଙ୍କ ଆଗରେ ପ୍ରତିପାଦିତ କରିଛି। କଂଗ୍ରେସ ଦଳ ଏକଛତ୍ରବାଦୀ ଓ ଗଣତନ୍ତ୍ରକୁ ଅସମ୍ମାନ କରୁଥିବା ସରକାର ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ସାରା ରାଜ୍ୟରେ ଜନ ଆନ୍ଦୋଳନ ସୃଷ୍ଟି କରାଯିବ।

ଦୀର୍ଘ ୨୩ ବର୍ଷର ସରକାର ରାଜ୍ୟର କୃଷକ, ଶ୍ରମିକ, ଛାତ୍ର, ଯୁବ ଓ ମହିଳା ମାନଙ୍କ ମୌଳିକ ଆବଶ୍ୟକତାକୁ ପୁରଣ କରିପାରିନାହାନ୍ତି। ରାଜ୍ୟ ହୁ ହୁ ବେକାରୀ ବୃଦ୍ଧି, କୃଷକ ଆତ୍ମହତ୍ୟା, ଉତ୍ପାଦିତ ଦ୍ରବ୍ୟର ଅଭାବି ବିକ୍ରି, ମହିଳା ଉତପିଡ଼ନ ଓ ଅତ୍ୟାଚାର ବୃଦ୍ଧି ସହିତ ଧର୍ତବ୍ୟ ଅପରାଧର ବହୁ ବୃଦ୍ଧି ଘଟିଛି । କିନ୍ତୁ ଏ ସରକାର ନଂ୧ ସରକାରର ଡିମଡିମ ପିଟୁଛି।

ଡା. ଏ. ଚେଲ୍ଲା କୁମାର, ସାଂସଦ, ଓଡ଼ିଶା କଂଗ୍ରେସ ପ୍ରଭାରୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ, ସାରା ଭାରତବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ନିର୍ବାଚିତ ସରକାର ଗୋଟେ ପ୍ରଶାସନିକ ଅଧିକାରୀ ହାତରେ ସମସ୍ତ କ୍ଷମତା ହସ୍ତାନ୍ତର କରିଦେଇଛନ୍ତି। ଯେଉଁ କାର୍ଯ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ କରିବାକଥା ତାହା ଏହି ପ୍ରଶାସନିକ ଅଧିକାରୀ ଜଣଙ୍କ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ଘୋର ଅପମାନ।

ଲୋକମାନଙ୍କ ଦ୍ୱାରା ନିର୍ବାଚିତ ବିଧାୟକ ସାଂସଦ ଏବଂ ମନ୍ତ୍ରୀମାନେ ତିନି ମାଙ୍କଡ଼ ଭଳି ଆଚଦ ପ୍ରଦର୍ଶନ କରୁଛନ୍ତି। ଏମାନେ କେହି କିଛି ଦେଖୁନାହାନ୍ତି, ଶୁଣୁନାହାନ୍ତି କି କହୁନାହାନ୍ତି। ରାଜ୍ୟ କଂଗ୍ରେସ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ପଠାଇଛନ୍ତି। ଯେଉଁଥିରେ ନିର୍ବାଚିତ ପ୍ରତିନିଧିଙ୍କର ଦାୟିତ୍ୱ, ଗଣତନ୍ତ୍ରକୁ ରକ୍ଷା କରିବା ଓ ସାମ୍ବାଦିକ ବିଧିବ୍ୟବସ୍ଥାକୁ ସମ୍ମାନ ଜଣାଇବାକୁ ଉଲ୍ଲେଖ ଅଛି। ପ୍ରକାଶ ଥାଉକି ଏହି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପକୁ ଏବଂ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ନେଇ ବହୁ ଚିଠି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସ୍ପିଡିପୋଷ୍ଟ ପଠାଇବାର ସମସ୍ତ ରସିଦ ଉପସ୍ଥାପନ କଲେ।

ଆଶା କରାଯାଉଛି ୨୦୨୪ ରେ ଓଡ଼ିଶାର ଜନସାଧାରଣଙ୍କୁ ବିଜୁ ଜନତା ଦଳ ଓ ବିଜେପିକୁ ଉପଯୁକ୍ତ ଶିକ୍ଷା ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଭାରତ ଏକ ଜୀବନ୍ତ ଗଣତନ୍ତ୍ର, ଦିଲ୍ଲୀ ଯାଇ ନିଜେ ଦେଖନ୍ତୁ’: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କହିଲା ଆମେରିକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ ଗଣତନ୍ତ୍ରର ସ୍ଥିତି ସମ୍ବନ୍ଧୀୟ ଚିନ୍ତାକୁ ଆମେରିକା ଖାରଜ କରିଦେଇଛି। ଆମେରିକା ସରକାର ସୋମବାର ଦିନ କହିଛି ଯେ, ଭାରତ ଏକ ଜୀବନ୍ତ ଗଣତନ୍ତ୍ର, ଯାହାକୁ ନୂଆଦିଲ୍ଲୀ ପରିଦର୍ଶନ କରୁଥିବା ବ୍ୟକ୍ତି ନିଜେ ଦେଖିପାରିବେ। ହ୍ଵାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦର ରାଜନୈତିକ ସଂଚାରର ସଂଯୋଜକ ଜନ୍ କିର୍ବି କହିଛନ୍ତି ଯେ, ଆମେରିକା ପ୍ରଶାସନ ଗଣତନ୍ତ୍ରକୁ ନେଇ ଚିନ୍ତା ପ୍ରକଟ କରିବାକୁ ପଛଘୁଞ୍ଚା ଦେଉନାହିଁ।

ଜନ୍ କିର୍ବି କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଶେଷରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ତାଙ୍କୁ ରାଷ୍ଟ୍ରପତି ଜୋ ବିଡେନ ଏବଂ ଜିଲ ବିଡେନ ସ୍ଵାଗତ କରିବେ। ସେହି ସମୟ ମଧ୍ୟରେ ଜୁନ୍ ୨୨ ତାରିଖରେ ଏକ ରାଜକୀୟ ଭୋଜନ ମଧ୍ୟ ଆୟୋଜିତ ହେବ।

ଆମେରିକାର ହ୍ଵାଇଟ ହାଉସରେ ସାମ୍ବାଦିକମାନେ ଜନ କିର୍ବିଙ୍କୁ ରାଜକୀୟ ଭୋଜନ ନିମନ୍ତ୍ରଣ ପଛର କାରଣ ପଚାରିଥିଲେ। ଏହା ଉପରେ ସେ କହିଛନ୍ତି ଯେ, ଭାରତ ଅନେକ ସ୍ତରରେ ଆମେରିକାର ଏକ ଶକ୍ତିଶାଳୀ ଅଂଶୀଦାର। ଆପଣ ଦେଖିଥିବେ ଶ୍ୟାଙ୍ଗରି-ଲା ସଚିବ (ପ୍ରତିରକ୍ଷା, ଲଏଡ) ଅଷ୍ଟିନ ବର୍ତ୍ତମାନ କିଛି ଅତିରିକ୍ତ ପ୍ରତିରକ୍ଷା ସହଯୋଗ ଘୋଷଣା କରିଛନ୍ତି ଯାହାକୁ ଆମେ ଭାରତ ସହିତ ଅନୁସରଣ କରିବାକୁ ଯାଉଛୁ। ଆମର ଦୁଇ ଦେଶ ମଧ୍ୟରେ ବହୁତ ଅର୍ଥନୈତିକ ବାଣିଜ୍ୟ ଅଛି।

ହ୍ଵାଇଟ ହାଉସର ଏନଏସସି ସଂଯୋଜକ ଜନ କିର୍ବି କହିଛନ୍ତି ଯେ, ଭାରତ ପ୍ରଶାନ୍ତ ମହାସାଗରୀୟ ସଦସ୍ୟ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ସୁରକ୍ଷା ସମ୍ବନ୍ଧରେ ଆମର ଏକ ବିଶେଷ ବନ୍ଧୁ ତଥା ସହଯୋଗୀ। ଭାରତ ନିଶ୍ଚିତ ଭାବରେ ଦୁଇ ଦେଶ ମଧ୍ୟରେ ଅନେକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ। ଜୋ ବିଡେନ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥା ହେବାକୁ ଚାହାଁନ୍ତି, ଯାହା ଆମର ବନ୍ଧୁତାକୁ ଆଗକୁ ବଢାଇବାରେ ଏବଂ ଗଭୀର କରିବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନକୁ ରାଷ୍ଟ୍ରପତି ଅପେକ୍ଷା କରିଛନ୍ତି।

ଯେତେବେଳେ ଜଣେ ସାମ୍ବାଦିକ ଜନ୍ କିର୍ବିଙ୍କୁ ଭାରତର ଗଣତନ୍ତ୍ର ବିଷୟରେ ପ୍ରଶ୍ନ କରିଥିଲେ ସେତେବେଳେ ସେ କହିଥିଲେ ଯେ, ଭାରତ ଏକ ଜୀବନ୍ତ ଗଣତନ୍ତ୍ର। ଆପଣ ଆପଣଙ୍କର ପରିଚିତମାନଙ୍କୁ ପଚାରିବେ ଭାରତର ଅବସ୍ଥା କ’ଣ? ମୁଁ ଆଶା କରୁଛି ଯେ, ଗଣତାନ୍ତ୍ରିକ ଅନୁଷ୍ଠାନର ଶକ୍ତି ଏବଂ ସ୍ଥିତି ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବା ଉଚିତ୍। ଆମେ ଏପରି ସମସ୍ୟା ବିଷୟରେ କଥାବାର୍ତ୍ତା କରିବାକୁ କେବେ ବି ପଛଘୁଞ୍ଚା ଦେଉନାହୁଁ।

Categories
ବିଶେଷ ଖବର

ସଂସଦ ଅଧିବେଶନର ଶେଷ ଦିନରେ ତ୍ରିରଙ୍ଗା ପଦଯାତ୍ରା: ମୋଦୀ ସରକାରଙ୍କୁ କଂଗ୍ରେସ ସଭାପତିଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଅଦାନି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ସହ ତ୍ରିରଙ୍ଗା ପଦଯାତ୍ରା କରିବା ପରେ ସଂସଦ ଅଧିବେଶନର ଶେଷ ଦିନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ମୋଦୀ ସରକାର ଗଣତନ୍ତ୍ର ବିଷୟରେ ବହୁତ କଥାବାର୍ତ୍ତା କରୁଛନ୍ତି କିନ୍ତୁ ସେମାନେ ଗଣତନ୍ତ୍ରକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି।

କଂଗ୍ରେସ ସଭାପତି କହିଛନ୍ତି ଯେ, ଆମେ ଜାଣିବାକୁ ଚାହୁଁଛୁ କି ମାତ୍ର ୨.୫ ବର୍ଷରେ ଅଦାନୀଙ୍କ ସମ୍ପତ୍ତି ୧୨ ଲକ୍ଷ କୋଟିରେ କେମିତି ପରିଣତ ହୋଇଛି? ସେ କହିଛନ୍ତି ଯେ, ମାତ୍ର ୧୨ ମିନିଟରେ ୫୦ ଲକ୍ଷ କୋଟିର ବଜେଟ୍ କିପରି ପାରିତ ହୋଇଛି? ଆମେ ତାଙ୍କୁ ସବୁବେଳେ ଏହି ପ୍ରଶ୍ନ ପଚାରିଥିଲୁ। କିନ୍ତୁ ଯେତେବେଳେ ବି ଆମେ କହିବାକୁ ଚାହିଁଲୁ, ନୋଟିସ୍ ଦେଲୁ, ଦାବି କଲୁ, ସେ ଆମକୁ କହିବାକୁ ଅନୁମତି ଦେଲେ ନାହିଁ। ମୁଁ ୫୦-୫୨ ବର୍ଷ ଧରି ରାଜନୀତିରେ କାର୍ଯ୍ୟ କରିଆସୁଛି, ଏହା ପୂର୍ବରୁ ଆମେ କେବେ ଏଭଳି ସମୟ ଦେଖିନାହୁଁ।

ମଲ୍ଲିକାର୍ଜୁନ୍ ଖଡଗେ କେନ୍ଦ୍ର ସରକାରଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି, ସରକାର କେବଳ ଜଣେ ପୁଞ୍ଜିପତିଙ୍କୁ ଏତେ ଜିନିଷ କାହିଁକି ଦେଉଛନ୍ତି? ଆପଣ ତାଙ୍କୁ ବିମାନବନ୍ଦର, ସଡକ, ବନ୍ଦର, ରେଳ ଦେଇଛନ୍ତି। ଏହା ଦର୍ଶାଉଛି ଯେ, ସରକାର କେବଳ ଜଣେ ବ୍ୟକ୍ତିଙ୍କୁ ଧନୀ କରିବାକୁ ଚାହୁଁଛନ୍ତି।

କଂଗ୍ରେସ ଅନ୍ୟ ବିରୋଧୀଦଳ ନେତାଙ୍କ ସହ ଆଜି ସଂସଦ ଅଧିବେଶନର ଶେଷ ଦିନରେ ବିଜୟ ଚୌକ୍ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ପଦଯାତ୍ରା କରିଥିଲା। କଂଗ୍ରେସ ଦଳ ଟୁଇଟ୍ କରି କହିଛି ଯେ, ମୋଦୀ ସରକାର ଅଦାନୀ ଦୁର୍ନୀତିରେ ଜେପିସି ସ୍ଥାପନ କରିବାକୁ ଚାହୁଁନାହାଁନ୍ତି। କିନ୍ତୁ ଏହି ଦାବି ପାଇଁ ଆମେ ସଂସଦରୁ ବିଜୟ ଚୌକ୍ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରା କରିଛୁ। କଂଗ୍ରେସ କହିଛି ଯେ, କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ମଧ୍ୟ ଏହି ପଦଯାତ୍ରାରେ ଉପସ୍ଥିତ ଅଛନ୍ତି।

Categories
ବିଶେଷ ଖବର

ଆମକୁ କାହାଠାରୁ ଗଣତନ୍ତ୍ର ବିଷୟରେ ଶିଖିବାର ଆବଶ୍ୟକତା ନାହିଁ: ଜାତିସଂଘରେ ଭାରତର ଜବାବ

ନୂଆଦିଲ୍ଲୀ: ଆସନ୍ତା ଏକ ମାସ ପାଇଁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଅଧ୍ୟକ୍ଷତା ଗ୍ରହଣ କରିଛି। ଯେଉଁଥିରେ ଆତଙ୍କବାଦ ମୁକାବିଲା କରିବା ଏବଂ ବହୁପକ୍ଷବାଦୀକୁ ପ୍ରୋତ୍ସାହିତ କରିବା ଭାରତର ପ୍ରଥମ ପ୍ରାଥମିକତା ହେବ। ଏହି ଅବସରରେ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କମ୍ବୋଜ କହିଛନ୍ତି ଯେ, ଭାରତ କେଉଁ ପ୍ରସଙ୍ଗରେ ଆଗକୁ ବଢିବାକୁ ଚାହୁଁଛି। ସେ କହିଛନ୍ତି ଯେ, ଗଣତନ୍ତ୍ର ବିଷୟରେ କଣ କରିବାକୁ ହେବ ତାହା ଭାରତ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ। ଡିସେମ୍ବର ମାସ ପାଇଁ ରୁଚିରା କମ୍ବୋଜ ୟୁଏନଏସସିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ।

ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ରୁଚିରା କମ୍ବୋଜ ଜାତିସଂଘ ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ, ଆସନ୍ତା ଏକ ମାସ ମଧ୍ୟରେ ଭାରତ କିପରି କାର୍ଯ୍ୟ କରିବ ଏବଂ ମୁଖ୍ୟ ଏଜେଣ୍ଡା କ’ଣ ହେବ। ଏହି ସମୟରେ ଯେତେବେଳେ କମ୍ବୋଙ୍କୁ ଭାରତରେ ଗଣତନ୍ତ୍ର ଏବଂ ବକ୍ତବ୍ୟର ସ୍ଵାଧୀନତା ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଉତ୍ତର ଦେଇଥଲେ ଯେ, ଗଣତନ୍ତ୍ର କିପରି ଚାଲିଛି ତାହା ଭାରତ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ।

ତାଙ୍କ ମତକୁ ଆଗକୁ ନେଇ ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ, ଆପଣ ସମସ୍ତେ ଜାଣନ୍ତି ଯେ ଭାରତ ହେଉଛି ବିଶ୍ୱର ଅନ୍ୟତମ ପ୍ରାଚୀନ ସଭ୍ୟତା। ଭାରତରେ ଗଣତନ୍ତ୍ରର ମୂଳ ୨୫୦୦ ବର୍ଷ ପୂର୍ବେ ଥିଲା। ଯଦି ଆମେ ସାମ୍ପ୍ରତିକ ଯୁଗ ବିଷୟରେ କହିବା, ତେବେ ଆମର ଗଣତନ୍ତ୍ରର ସମସ୍ତ ସ୍ତମ୍ଭ ମଜବୁତ ଭାବରେ ଠିଆ ହୋଇଛି। ଯେଉଁଥିରେ ବିଧାନସଭା, କାର୍ଯ୍ୟନିର୍ବାହୀ, ନ୍ୟାୟପାଳିକା ଏବଂ ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଏହା ବ୍ୟତୀତ ସୋସିଆଲ ମିଡିଆ ମଧ୍ୟ ଅଛି। ସେଥିପାଇଁ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର।

ଭାରତୀୟ ରାଷ୍ଟ୍ରଦୂତ ଏଠାରେ ମଧ୍ୟ କହିଛନ୍ତି ଯେ, ବିଶ୍ୱକୁ ସାହାଯ୍ୟ କରିବା ପାଇଁ ଭାରତ କିପରି ସର୍ବଦା ଛିଡା ହୋଇଛି। ସେ କହିଛନ୍ତି, ଗତ ୨ ବର୍ଷ ମଧ୍ୟରେ ଯେତେବେଳେ ବିଶ୍ୱ ଏକ ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ ଭାରତ ସବୁବେଳେ ସାହାଯ୍ୟ ଏବଂ ସମାଧାନ ପାଇଁ ଖୋଜୁଥିଲେ।

ଭାରତକୁ ୟୁଏନଏସସିର ଅଧ୍ୟକ୍ଷତା ପାଇବା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, “ଭାରତ ଆଜି ଏକ ମାସ ପାଇଁ ୟୁଏନଏସସିର ଅଧ୍ୟକ୍ଷତା ଗ୍ରହଣ କରିଛି। ଦୁଇ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଭାରତକୁ ୟୁଏନଏସସିର ମାସିକ ଅଧ୍ୟକ୍ଷତା ପଦ ମିଳିଛି। ଶେଷ ଥର ପାଇଁ ଅଗଷ୍ଟ ୨୦୨୧ରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ମାସିକ ଅଧ୍ୟକ୍ଷତା ପାଇଲା।