Categories
ଆଜିର ଖବର ରାଜ୍ୟ ଖବର

ପିଆଇବି ପକ୍ଷରୁ ଖୋର୍ଦ୍ଧାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଖୋର୍ଦ୍ଧା: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧା ଟାଉନ୍ ହଲ୍ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କର୍ମଶାଳାରେ କେନ୍ଦ୍ରର ‘‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’’, ‘‘କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’’ ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ଭାରତ ସରକାରଙ୍କ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଯୁଗ୍ମ ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡକ୍ଟର ଦାଶ କହିଥିଲେ ଯେ, ବାର୍ତ୍ତାଳାପ କର୍ମଶାଳା ସରକାର ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ପ୍ରତ୍ୟକ୍ଷ ସମ୍ବାଦ ସ୍ଥାପନ କରିବାର ଏକ ମାଧ୍ୟମ। ସେ ଆହୁରି କହିଥିଲେ ଯେ, କେବଳ ସୂଚନାକୁ ଖବର ବୋଲି କୁହାଯାଇପାରିବ ନାହିଁ। ସୂଚନାକୁ ସଠିକ୍ ଢଙ୍ଗରେ ପରିବେଷଣ କଲେ ତାହା ଖବର ହୋଇଥାଏ। ସମ୍ପ୍ରତି ସାମାଜିକ ଗଣମାଧ୍ୟମ ଜରିଆରେ ମିଛ ଖବର ବହୁଳ ଭାବେ ପ୍ରସାରିତ ହେଉଛି। ମିଛ ଖବର ପ୍ରସାରଣକୁ ରୋକିବା ଦିଗରେ ମୁଖ୍ୟସ୍ରୋତର ଗଣମାଧ୍ୟମଙ୍କ ଏକ ପ୍ରମୁଖ ଦାୟିତ୍ୱ ରହିଛି ବୋଲି ଡକ୍ଟର ଦାଶ କହିଥିଲେ। ଏହି କ୍ରମରେ ସେ ପିଆଇବି ଦ୍ୱାରା ଭ୍ରମାତ୍ମକ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ଏକ ଫ୍ୟାକ୍ଟଚେକ ୟୁନିଟ୍ ପରିଚାଳନା କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ।

କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଓ ଖୋର୍ଦ୍ଧା ମାଟିର ଅବଦାନ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ତଥା ବକ୍ତା ପ୍ରଦ୍ୟୁମ୍ନ ଶତପଥୀ ବକ୍ତବ୍ୟ ରଖିଥିଲେ। ସେ ତାଙ୍କ ଉଦବୋଧନରେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଦେଶର ସାମଗ୍ରିକ ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ କାରଣରୁ ଆଜି ଦେଶବାସୀଙ୍କର ସର୍ବାଙ୍ଗୀଣ ଉନ୍ନତି ହୋଇଛି ତଥା ବିଶ୍ୱସ୍ତରରେ ଭାରତର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇଛି।

‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’ ବିଷୟବସ୍ତୁ ଉପରେ ଉଦବୋଧନ ଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ ଯେ, ଏନଡିଏ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏକଦା ନୀତିଗତ ପକ୍ଷାଘାତର ଶିକାର ଦେଶ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦୃଢ଼ ଓ ନିର୍ଣ୍ଣାୟକ ପ୍ରଶାସନ ପାଇଁ ପରିଚିତ ହୋଇପାରିଛି। ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ସ୍ୱାଭାବିକ ବିକାଶ ହାର ହାସଲ କରିଥିବା ବେଳେ ବିପତ୍ତିକୁ ଅବସରରେ ପରିଣତ କରିବାରେ ଦେଶ ସଫଳ ହୋଇଛି। ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ଲାଭ କରିଥିବା ବେଳେ ଖୁବଶୀଘ୍ର ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଅଗ୍ରସର ହେଉଛି। ଦୁର୍ନୀତି ଓ ଭ୍ରଷ୍ଟାଚାର କମିଛି। ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଭଳି ଅଭିଯାନ ସାମାଜିକ-ଆର୍ଥିକ ବିକାଶକୁ ସୁଦୃଢ଼ କରିଛି ବୋଲି ଶ୍ରୀ ସାହୁ କହିଥିଲେ। ଶ୍ରୀ ସାହୁ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବରିଷ୍ଠ ପ୍ରାଧ୍ୟାପକ, ଲେଖକ ତଥା ବକ୍ତା ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ‘‘ସ୍ୱାଧୀନତାର ଅମୃତ ମହୋତ୍ସବ : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧାର ଭୂମିକା’’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହର ଉଦାହରଣ ଦେଇ ଦେଶକୁ ସ୍ୱାଧୀନ କରିବା ଲାଗି ଖୋର୍ଦ୍ଧା ମାଟିର ମହାନ ସଂଗ୍ରାମୀମାନଙ୍କର ଭୂମିକା ଏବଂ ସେମାନେ ଦେଇଥିବା ବଳିଦାନ ସମ୍ପର୍କରେ ଅବତାରଣା କରିଥିଲେ। ଏଥିସହିତ ଗଣତନ୍ତ୍ରରେ ଏକ ସକ୍ରିୟ ତଥା ଦୃଢ଼ ଗଣମାଧ୍ୟମର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

ଖୋର୍ଦ୍ଧାର ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ପାଣିଗ୍ରାହୀ କର୍ମଶାଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହିତ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ, କର୍ମଚାରୀଙ୍କ ସମେତ ଖୋର୍ଦ୍ଧାର ସମସ୍ତ ଗଣମାଧ୍ୟମ ପ୍ରତିନିଧି କର୍ମଶାଳାରେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପଣ୍ୟ କାରବାର କ୍ଷେତ୍ରରେ ଦେଶରେ ସର୍ବାଧିକ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଛି ପାରାଦୀପ: ବନ୍ଦର ଅଧ୍ୟକ୍ଷ

ପାରାଦୀପ/ଭୁବନେଶ୍ୱ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ବନ୍ଦର ନଗରୀ ପାରାଦୀପ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ବନ୍ଦର ପ୍ରାଧିକରଣର ଅଫିସର୍ସ କ୍ଲବ ଠାରେ ଆୟୋଜିତ ଏହି କର୍ମଶାଳାରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀ ପି.ଏଲ ହରନାଧ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବନ୍ଦର ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ହରନାଧ କହିଛନ୍ତି, ଯାହାର ଫଳସ୍ୱରୂପ ୨୦୩୦ ସୁଦ୍ଧା ପାରାଦୀପ ବନ୍ଦରର କ୍ଷମତା ୪୦୦ ମିଲିଅନ ଟନକୁ ବୃଦ୍ଧି ପାଇବ ବୋଲି ଶ୍ରୀ ହରନାଧ କହିଛନ୍ତି। ନିଜର ଉଦବୋଧନରେ ପାରାଦୀପ ବନ୍ଦରର ବିଭିନ୍ନ ଉପଲବ୍ଧି ବିଷୟରେ ସୂଚନା ଦେଇ ସେ କହିଥିଲେ ଯେ ପାରଦୀପ ବନ୍ଦର ବାର୍ଷିକ ଟ୍ରାଫିକ୍‌ କ୍ଷେତ୍ରରେ ୧୭.୫% ରୁ ଅଧିକ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଛି ଯାହାକି ଦେଶର ପ୍ରମୁଖ ବନ୍ଦରଗୁଡ଼ିକ ମଧ୍ୟରେ ସର୍ବାଧିକ। ୧୬ ଫେବୃଆରୀ ୨୦୨୩ ସୁଦ୍ଧା ୧୧୬.୫୯ ନିୟୁତ ମେଟ୍ରିକ୍‌ ଟନ୍‌ ପଣ୍ୟ କାରବାର ହୋଇଛି, ଯାହାକି ପୂର୍ବ ବର୍ଷ ଠାରୁ ଅଧିକ। ବର୍ତ୍ତମାନ ସୁଦ୍ଧା ପାରାଦୀପ ବନ୍ଦର ୮୦ ପ୍ରତିଶତ ବର୍ଥକୁ ମେକାନାଇଜ୍‌ କରିସାରିଥିବା ବେଳେ ୨୦୩୦ ସୁଦ୍ଧା ଶତପ୍ରତିଶତ ମେକାନାଇଜଡ୍‌ ବନ୍ଦର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି । ବନ୍ଦର ଆଧୁନିକୀକରଣ କ୍ଷେତ୍ରରେ ଗତ ୭ ବର୍ଷ ମଧ୍ୟରେ ପାରାଦୀପରେ ୩୨୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସବୁଜ ଇନ୍ଧନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇ ଶ୍ରୀ ହରନାଧ କହିଥିଲେ ଯେ ଖୁବଶୀଘ୍ର ପାରାଦୀପ ବନ୍ଦର ଏକ ସବୁଜ ହାଇଡ୍ରୋଜେନ୍‌ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି। ଏଥିନିମନ୍ତେ ମନୋନୀତ ହୋଇଥିବା ଦେଶର ତିନୋଟି ବନ୍ଦର ମଧ୍ୟରୁ ପାରାଦୀପ ଅନ୍ୟତମ।

ସମ୍ମାନିତ ଅତିଥି ଭାବେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର କାହ୍ନୁ ଚରଣ ଧୀର ଯୋଗ ଦେଇଥିଲେ। ବିପର୍ଯ୍ୟୟ ପରିଚାଳନାରେ ଗଣମାଧ୍ୟମର ଭୂମିକା’’ ବିଷୟବସ୍ତୁ ଉପରେ ସମ୍ମାନିତ ଅତିଥି ଡ ଧୀର ନିଜର ବକ୍ତବ୍ୟ ରଖିଥିଲେ। ସେ ମହାବାତ୍ୟା ଠାରୁ ଆରମ୍ଭ କରି ଫନି ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଅବତାରଣା କରି ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ।

ପାରାଦୀପରେ ଅବସ୍ଥାପିତ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)ର ଡିଆଇଜି ଯଶୱନ୍ତ କୁମାର ସିଂ ‘‘ସାମୁଦ୍ରିକ/ଉପକୂଳ ସ୍ବଚ୍ଛତା ବଜାୟ ରଖିବା ଏବଂ ସ୍ବଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନରେ ଆଇସିଜିର ଭୂମିକା’’ ବିଷୟବସ୍ତୁ ଉପରେ ଅଭିଭାଷଣ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ପାରାଦୀପର ବରିଷ୍ଠ ସାମ୍ବାଦିକ ସୁକଦେବ ଜେନା ଉଦବୋଧନ ଦେଇଥିଲେ। ଶ୍ରୀ ଜେନା ସାମ୍ବାଦିକମାନଙ୍କର ସୁରକ୍ଷା ଉପରେ ଜୋର ଦେଇଥିଲେ। ଏ ଦିଗରେ ଆଇନ ଆଣିବା ଲାଗି ସେ ସରକାରଙ୍କୁ ନିବେଦନ କରିଥିଲେ।

ପିଆଇବିର ଯୁଗ୍ମ ନିର୍ଦ୍ଦେଶକ ତଥା ଉପ ପ୍ରେସ ରେଜିଷ୍ଟ୍ରାର ଏବଂ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଗଣମାଧ୍ୟମ ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ବାର୍ତ୍ତାଳାପ ଏକ ମଞ୍ଚ ଯୋଗାଇ ଦେଇଥାଏ। ଭାରତର ସ୍ବାଧୀନତା ଆନ୍ଦୋଳନରେ ଗଣମାଧ୍ୟମ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲା। ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବାଲ ଗଙ୍ଗାଧର ତିଲକଙ୍କ ପର୍ଯ୍ୟନ୍ତ ଦେଶର ମହାନ ସ୍ବାଧୀନତା ସଂଗ୍ରାମୀମାନେ ଦେଶ ସ୍ବାଧୀନତା ପାଇଁ ଜନ ଜାଗରଣ ସୃଷ୍ଟି କରିବା ଲାଗି ପତ୍ରପତ୍ରିକା ଓ ସମ୍ବାଦପତ୍ରକୁ ଉପଯୋଗ କରିଥିଲେ। ଆମ ସମସ୍ତଙ୍କୁ ଗଣମାଧ୍ୟମର ଉପଯୋଗ ବଢ଼ାଇବାକୁ ହେବ। ଏହା ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବ ବୋଲି ଡକ୍ଟର ଦାଶ କହିଥିଲେ।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ତଥା ବାର୍ତ୍ତାଳାପର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଭୂମିକା ଏବଂ କାର୍ଯ୍ୟ ପରିଚାଳନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ବୈଷୟିକ ଅଧିବେଶନରେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ବିଶେଷ ଉଲ୍ଲେଖ ସହିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା/ମତ୍ସ୍ୟପାଳନ ସହ ଜଡ଼ିତ ଅନ୍ୟ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଜିଲ୍ଲା ଉପ ମତ୍ସ୍ୟ ଅଧିକାରୀ ରେଶମା ସିଂ ଉପସ୍ଥିତ ରହି ନିଜର ମତ ରଖିଥିଲେ। ସେହିପରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ସେଠି ପିଏମ କିଷାନ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଜଗତସିଂହପୁର ଜିଲ୍ଲାରେ ଷ୍ଟାର୍ଟଅପ୍ସ ଓ ଏମଏସଏମଇ ପାଇଁ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ବକ୍ତବ୍ୟ ରଖିଥିଲେ।  କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମ୍ବାଦିକ ମାନେ ଅଧିକାରୀ ମାନଙ୍କ ସହିତ ମତ ବିନିମୟ କରିଥିଲେ। ଏହି ବର୍ତ୍ତାଳାପ କାର୍ଯ୍ୟକ୍ରମରେ  ପାରାଦୀପର ଅଶୀରୁ ଊର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

Categories
ଆଜିର ଖବର

ପିଆଇବି ଭୁବନେଶ୍ବର ପକ୍ଷରୁ ପୁରୀ ଠାରେ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ପୁରୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ବର ପକ୍ଷରୁ ପୁରୀ ଠାରେ ଏକ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପିଆଇବି ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ ଭୂପେନ୍ଦ୍ର କେଁଥୋଲା କହିଥିଲେ ଯେ, ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି ବାର୍ତ୍ତାଳାପ କର୍ମଶାଳା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ।

ସମାରୋହକୁ ସମ୍ବୋଧିତ କରି ଶ୍ରୀ କେଁଥୋଲା ଆହୁରି କହିଥିଲେ ଯେ, ମହାମାରୀ କାରଣରୁ ପରିସ୍ଥିତିରେ ଏବେ ବ୍ୟାପକ ପରିବର୍ତ୍ତନ ଆସିଛି। ‘‘ସ୍ମାର୍ଟ ଫୋନ୍‌ ଜରିଆରେ ଅନଲାଇନ୍‌ ବା ଡିଜିଟାଲ ମିଡିଆ ଆକାରରେ ସାମ୍ବାଦିକତାର ଏକ ନୂଆ ଧାରା ଏବେ ପ୍ରଚଳନ ହେଉଛି, ପ୍ରତ୍ୟେକ ସାମ୍ବାଦିକ ଏହା ସହିତ ନିଜକୁ ଖାପଖୁଆଇବାର ଆବଶ୍ୟକତା ରହିଛି। ନୂଆ ଗଣମାଧ୍ୟମ କ୍ଷେତ୍ରରେ ସାମ୍ବାଦିକମାନଙ୍କର କୌଶଳ ବିକାଶ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଏହି କର୍ମଶାଳରେ ପୁରୀର ବରିଷ୍ଠ ସାମ୍ବାଦିକ ଶ୍ରୀ ଜଗନ୍ନାଥ ବସ୍ତିଆ ଅଂଶଗ୍ରହଣ କରି ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସାଧାରଣ ଲୋକମାନଙ୍କ ଭଳି ସାମ୍ବାଦିକମାନେ ମଧ୍ୟ ବାତ୍ୟା, ମହାମାରୀ ଦ୍ବାରା ପ୍ରଭାବିତ ହୋଇଥାନ୍ତି। ସେମାନଙ୍କର ସମସ୍ୟା ବୁଝିବା ସହିତ କଲ୍ୟାଣ ଦିଗରେ କାମ କରିବା ଲାଗି ବର୍ତ୍ତମାନ ସମୟ ଆସିଛି ବୋଲି ଶ୍ରୀ ବସ୍ତିଆ ପରାମର୍ଶ ଦେଇଥିଲେ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ ଯେ ସାମ୍ବାଦିକତା କେବଳ ଏକ ପେଶା ନୁହେଁ ବରଂ ଏକ କୌଶଳ। ବାର୍ତ୍ତାଳାପ ଭଳି କର୍ମଶାଳା ଆୟୋଜନ କରାଯିବା ଦ୍ବାରା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ମତ ବିନିମୟ ପାଇଁ ମଞ୍ଚ ଉପଲବ୍ଧ ହୋଇପାରିବ। ଆମ ଭିତରେ ଆଲୋଚନା ଏବଂ ବିଚାର ଆଦାନପ୍ରଦାନ ହେଲେ ସ୍ଥିତିରେ ସୁଧାର ଆସିପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ବୈଷୟିକ ଅଧିବେଶନରେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଥିଲେ ଯେ ଆଧୁନିକ ସମୟର ସାମ୍ବାଦିକତାରେ ଅନେକଗୁଡ଼ିଏ ସମସ୍ୟା ଏବଂ ଆହ୍ବାନ ରହିଛି। କୌଣସି ସଂସ୍ଥା କିମ୍ବା ସଂଗଠନ ପାଇଁ ନୁହେଁ ବରଂ ଲୋକମାନଙ୍କ ପାଇଁ କାମ କରିବାର ଭାବନା ଜଣେ ସାମ୍ବାଦିକର ମନରେ ସୃଷ୍ଟି ହେବା ଉଚିତ୍‌। ସାମ୍ବାଦିକ ସବୁବେଳେ ଲୋକମାନଙ୍କୁ ସୂଚନା ଦେବା, ସଚେତନତା ସୃଷ୍ଟି କରିବା ଏବଂ ମନୋରଞ୍ଜନ ଯୋଗାଇ ଦେବାର ଭୂମିକା ନିର୍ବାହ କରିବା ଉଚିତ୍‌ ବୋଲି ସେ କହିଥିଲେ।

ବରିଷ୍ଠ ସାମ୍ବାଦିକ, ସନ୍ଦୀପ ସାହୁ, ନୈତିକ ସାମ୍ବାଦିକତା ଏବଂ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ବ୍ୟବସାୟୀକରଣ, ବ୍ୟକ୍ତିବିଶେଷ, ସଂଗଠନ ଏବଂ ସମସ୍ତଙ୍କ ଠାରୁ ଆଗରେ ରହିବାର ପ୍ରତିଯୋଗିତା କାରଣରୁ ସାମ୍ବାଦିକତା କ୍ଷେତ୍ରରେ ନୈତିକତା ପ୍ରଭାବିତ ହେଉଛି। କୌଣସି ବିଷୟ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପୂର୍ବରୁ ଜଣେ ପ୍ରକୃତ ସାମ୍ବାଦିକ ସବୁବେଳେ ସଠିକ ମାର୍ଗରେ ରହିବା ଉଚିତ୍‌ ଏବଂ ତଥ୍ୟର ପୂଙ୍ଖାନୁପୁଙ୍ଖ ସମୀକ୍ଷା କରିବା ଆବଶ୍ୟକ ବୋଲି ସେ ଜୋର ଦେଇ କହିଥିଲେ।

ପିଆଇବି ଉପନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସ୍ବାଗତ ଭାଷଣ ଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥଲେ। ପିଆଇବିର ଗଣମାଧ୍ୟମ ଏବଂ ଯୋଗାଯୋଗ ଅଧକାରୀ ପ୍ରଦୀପ କୁମାର ଚୌଧୁରୀ କର୍ମଶାଳାକୁ ପରିଚାଳନା କରିଥିଲେ।

ଏହାପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାମ୍ବାଦିକମାନଙ୍କ ସହିତ ଏକ ମତ ବିନିମୟ ଅଧିବେଶନ ଆୟୋଜିତ ହୋଇଥିଲା। ବାର୍ତ୍ତାଳାପ ସମ୍ପର୍କରେ ସେମାନଙ୍କ ଠାରୁ ସବିଶେଷ ମତାମତ ଏବଂ ଆବଶ୍ୟକ ପରାମର୍ଶ ଗ୍ରହଣ କରାଯାଇଥଲା। ଏହି ଗଣମାଧ୍ୟମ କର୍ମଶାଳାରେ ପୁରୀରୁ ପାଖାପାଖି ୮୦ ଜଣ ସାମ୍ବାଦିକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।