Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ସହ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଆଲୋଚନା

ଭୁବନେଶ୍ଵର: ସେପ୍ଟେମ୍ବର ୧୯ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡିଶା ସରକାରୀ ହାଇସ୍କୁଲ୍ ଇନିସିଆଲ୍ ଅପୋଇଣ୍ଟି ଶିକ୍ଷକ ସଂଘର ବିଭିନ୍ନ ଦାବୀ ଉପରେ ଆଲୋଚନା କରିବା ପାଇଁ ପତ୍ର ମଧ୍ୟମରେ ଅବଗତ କରାଇଥିଲେ। ଏଣୁ ରାଜ୍ୟ ସଂଘର ଏକ ୪ ଜଣିଆ ପ୍ରତିନିଧି ଆଜି ସଚିବାଳୟରେ ଇନିସିଆଲ୍ ଆପଏଣ୍ଟି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ଦାବି କୁ ନେଇ ଆଲୋଚନା କରିଥିଲେ। ଆଲୋଚନା ରେ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ,ବିଭାଗ ପ୍ରମୁଖ ଶାସନ ସଚିବ ଆସ୍ଵସ୍ଥି ଏସ୍, ଶିକ୍ଷା ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ମୁଖ୍ୟତଃ ଦାବି ଯଥା:- ଚୁକ୍ତିଭିତ୍ତିକ ପ୍ରଥାର ଉଛେଦ, ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରି ସମୟ ସହ ଯୋଗ କରିବା, ୨୦୧୬ ବ୍ୟାଚ୍ ର ୧୦ ମାସ ଛୋଟେଇ ସମୟକୁ ମୂଳ ଚାକିରି ସହ ଯୋଗ କରିବା, ବଦଳି ନିୟମକୁ ପରିବର୍ତ୍ତନ କରିବା, ୧୯୬୬ ଛୁଟି ନିୟମ କୁ ଲାଗୁ କରିବା, ୨୦୧୬ ବ୍ୟାଚ୍ କୁ ଯଥାଶିଘ୍ର ନିୟମିତ କରିବା, ୨୦୧୬ ବ୍ୟାଚ୍ ରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଯେଉଁମାନେ OSSTET ପରୀକ୍ଷା ଦେଵାପାଇଁ ସୁଯୋଗ ପାଇପାରୁନାହାନ୍ତି ସେମାନଙ୍କୁ OSSTET ରୁ ବାଦ୍ ଦେଵା, ବିଏ.ବିପିଏଡ୍ ଏବଂ ବିଏ.ସିପିଏଡ୍ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ୪୨୦୦ ଗ୍ରେଡ୍ ପେ ପ୍ରଦାନ, ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର୍ ରେ ଅନ୍ତର୍ଭୂକ୍ତ କରିବା, ଏକ୍ସଗ୍ରାଟିଆ ସୁବିଧା ପ୍ରଦାନ, ପୂଜା ପୂର୍ବରୁ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦରମା ପ୍ରଦାନ, ସାଧାରଣ ପ୍ରଶାସନ ବିଭାଗର ନିୟମନାମା ୧୧୪୭ ଓ ୩୨୦୧୦ କୁ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ପାଇଁ ଲାଗୁ କରିବା ଆଦି ଦାବି ଉପରେ ଆଲୋଚନା ହୋଇଥିଲା।

ସମସ୍ତ ଦାବୀ ଗୁଡ଼ିକୁ ଅଳ୍ପ ଦିନ ଭିତରେ ପରିପୂରଣ କରିବା ପାଇଁ ସ୍ପଟ ଭାବରେ ସଙ୍ଘକୁ ଅବଗତି କରାଇଥିଲେ, ଇନିଶିଆଲ ଅପୋଇଣ୍ଟି ୧୯୬୬ ଲିଭ୍ ରୁଲ୍ ଫାଇଲ୍ ଟି ଗଣଶିକ୍ଷା ବିଭାଗରେ ରହିଅଛି, ଏହାକୁ ଖୁବ୍ ଶୀଘ୍ର ଅନୁମୋଦନ କରିବା ପାଇଁ ଶିକ୍ଷା ସଚିବ ମତ ପ୍ରକାଶ କରିଥିଲେ। ୨୦୧୬ ବର୍ଷରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀ ମାନଙ୍କୁ ଦୁର୍ଗା ପୂର୍ବରୁ ନିୟମିତ କରିବା ପାଇଁ ସଚିବ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଆଲୋଚନା ରେ ସଂଘର ମହାସଚିବ ଶ୍ରୀଯୁକ୍ତ ବିଶ୍ୱଜିତ୍ ବିଶ୍ଵାଳ, ସଭାପତି ପଞ୍ଚାନନ ଜେନା, ସଂପାଦକ ଅର୍ନ୍ତଯ୍ୟାମୀ ବେହେରା ଏବଂ କାର୍ଯକାରୀ ସଭାପତି ଶ୍ରୀଯୁକ୍ତ ଶାନ୍ତୁନୁ ଦାସ ପ୍ରମୁଖ ୪ଜଣିଆ ପ୍ରତିନିଧି ଭାବେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେବେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ?: ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫଳକୁ ନେଇ ବଡ ଖବର ମିଳିଛି। ଆସନ୍ତା ମାସ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ବିଷୟରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେଣୁ ଏହାର ଯାହା ସବୁ ପ୍ରକ୍ରିୟା ରହିଛି, ଶୀଘ୍ର ଶେଷ କରିବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜୁନ ବଦଳରେ ମଇରେ ଖରା ଛୁଟି କରିବାକୁ ଦାବି: ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି। ଦିନକୁ ଦିନ ତାତି ଅସହ୍ୟ ହେବାରେ ଲାଗିଛି। କିନ୍ତୁ ପ୍ରଚଣ୍ଡ ଖରା ସତ୍ତ୍ୱେ ବିଦ୍ୟାଳୟରେ ଖରା ଛୁଟିକୁ ରାଜ୍ୟ ସରକାର ଜୁନ ମାସରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଅନେକ ଅଭିବାବକ ଏବଂ ସଂଗଠନ ପକ୍ଷରୁ ଏନେଇ ଅସନ୍ତୋଷ ଦେଖାଯାଇଛି। ପ୍ରଚଣ୍ଡ ତାତିରେ ପିଲାମାନେ ସ୍କୁଲକୁ ଯିବା ବିପଦ ବୋଲି ଅନେକ ଲୋକ ଚେତାବନୀ ଦେଇଛନ୍ତି। ଏପରିସ୍ଥଳରେ ସ୍କୁଲର ଖରା ଛୁଟିକୁ ଜୁନ ମାସରେ ନୁହେଁ ମେ’ ମାସରେ କରିବାକୁ ରାଜ୍ୟସରକାରଙ୍କୁ ନିବେଦନ କରାଯାଉଛି।

ତେବେ ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଜୁନ୍‌ରେ ଖରା ଛୁଟିକୁ ନେଇ ଅନେକ ଅଭିଯୋଗ ଆସିଲାଣି। କିନ୍ତୁ ପରିସ୍ଥିତିକୁ ଦେଖି ଖରା ଛୁଟି ଉପରେ ବିଚାର କରାଯିବ। କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି। ବର୍ତ୍ତମାନ କରୋନା ପ୍ରଭାବ ନାହିଁ। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷାରେ ଅସୁବିଧା ହେବନି।

Categories
StateBoard ଆଜିର ଖବର ରାଜ୍ୟ ଖବର

ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ରାଜ୍ୟରେ କରୋନା ଗ୍ରାଫ ତଳ ମୁହାଁ ହେବାରେ ଲାଗିଛି। ତେଣୁ ରାଜ୍ୟରେ ହେବାକୁ ଥିବା ବୋର୍ଡ ପରୀକ୍ଷା ଠିକ ସମୟରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସଂକେତ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ବୋର୍ଡ ପରୀକ୍ଷା ଠିକ ସମୟରେ ହୋଇପାରେ। ସେଥିପାଇଁ ପିଲାମାନେ ପ୍ରସ୍ତୁତ ହୋଇ ରୁହନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଦଶମ ପ୍ରଥମ ସେମେଟିଭ ପରୀକ୍ଷା ସରିଥିବା ବେଳେ ଠିକ ସମୟରେ ଏହାର ଫଳାଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ପରୀକ୍ଷା ସମ୍ଭାବନା ରହିଥିବାରୁ ସମସ୍ତ ଛାତ୍ରଛାତ୍ରୀ ପଢା ଉପରେ ଗୁରୁତ୍ଵ ଦେବାକୁ ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ: ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଆଜି ପୁଣି ଥରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ଗଣଶିକ୍ଷା ମନ୍ତି ସ୍ପଷ୍ଟ କରିଛନ୍ତି। ଆସନ୍ତା ୩ ତାରିଖରେ ହିଁ ଏହି ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ। କିନ୍ତୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପାଠ ପଢା ବାଧ୍ୟତାମୂଳକ ନୁହେଁ। ଯେଉଁ ଅଭିଭାବକମାନେ ଚାହିଁବେ, ସେମାନେ ତାଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିପାରିବେ। ଯେଉଁ ଛାତ୍ରଛାତ୍ରୀ ସ୍କୁଲକୁ ଯିବା ପାଇଁ ଇଚ୍ଛାପ୍ରକାଶ କରିବେ ନାହିଁ, ସେମାନେ ପୂର୍ବପରି ଅନଲାଇନରେ ପାଠ ପଢିପାରିବେ।

ଏହାପୂର୍ବରୁ ଗତକାଲି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ମଧ୍ୟ ଏନେଇ ସ୍ପଷ୍ଟ କରିଥିଲେ। ଗତ ୨୯ ତାରିଖରେ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଥିଲେ। ଯାହାକୁ ନେଇ ଗଣଶିକ୍ଷା ବିଭାଗ ସଚିବ ପ୍ରତିକ୍ରିୟା ରଖିବା ସହ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ କରିଥିଲେ।

ତେବେ ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲର ପରିସରକୁ ବିଶୋଧନ କରାଯିବ। ମାସ୍କ ଏବଂ ସାମାଜିକ ଦୁରତ୍ଵ ଉପରେ ଅଧିକ ଗୁରତ୍ଵ ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଡିଇଓ, ବିଇଓ ଓ ସିଆରସିସି ମାନେ ନିୟମିତ ବ୍ୟବଧାନରେ ସ୍କୁଲ ଗସ୍ତ କରି ଯାଞ୍ଚ କରିବାକୁ କୁହାଯାଇଛି।

Categories
StateBoard ଆଜିର ଖବର ରାଜ୍ୟ ଖବର

ଆସନ୍ତା ୫ ତାରିଖରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ଆସନ୍ତା ୫ ତାରିଖରେ ହିଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। କରୋନା ସଂକ୍ରମଣକୁ ଦେଖି ସରକାରୀ ବିଦ୍ୟାଳୟଗୁଡିକରେ କଟକଣାକୁ କଡାକଡି କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ବିଦ୍ୟାଳୟଗୁଡିକରେ କରୋନା କଟକଣାକୁ କଡାକଡି କରାଯାଉଛି। ଏଥିପାଇଁ ନିୟମିତ ଡିଇଓମାନଙ୍କ ସହ ଆଲୋଚନା ଜାରି ରହିଛି। ସବୁ ସ୍କୁଲକୁ ଏନେଇ ଆଲର୍ଟ କରାଯାଉଛି।

ସରକାରୀ ସ୍କୁଲରେ ଏପର୍ଯ୍ୟନ୍ତ କୌଣସି ସଂକ୍ରମଣ ମାମଲା ସେତେଟା ଦେଖାଯାଇନି। କିନ୍ତୁ କରୋନା କଟକଣାକୁ ମାନି ଦଶମ ଆସେସମେଣ୍ଟ ପରୀକ୍ଷା କରାଯିବ। ଯଦି ମାର୍ଚ୍ଚରେ ବାର୍ଷିକ ପାରିକ୍ଷା ହୋଇପାରିବ ନାହିଁ, ତେବେ ଏହି ପରୀକ୍ଷାର ଫଳାଫଳ ଅନୁଯାୟୀ ମୂଲ୍ୟାଙ୍କନ କରାଯିବ। ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତି ଏପର୍ଯ୍ୟନ୍ତ  ହୋଇନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
StateBoard ଆଜିର ଖବର ରାଜ୍ୟ ଖବର

ଦୂର ହେଲା ଦ୍ଵନ୍ଦ୍ଵ!: ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନେଇ ଏଭଳି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସ୍କୁଲ ଖୋଲିବାକୁ ନେଇ ଅବିଭାବକମାନଙ୍କ ମନରେ ଅନେକ ଆଶଙ୍କା ରହିଛି। ତେବେ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଏକ ବଡ ବୟାନ ଦେଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାର କୌଣସି ସମ୍ଭାବନା ନାହିଁ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

ରାଜ୍ୟରୁ ବର୍ତ୍ତମାନ କରୋନା ଭୟ ଦୂର ହୋଇନାହିଁ। ତୃତୀୟ ଲହର ସମ୍ଭାବନା ଏବେ ବି ଟଳି ନାହିଁ। ଏହି ସମୟରେ ଛୋଟ ଛୋଟ ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ବିପଦ ରହିଛି। ଏହି ବୟସର ପିଲାମାନେ ସାମାଜିକ ଦୁରତ୍ଵ କିମ୍ବା ସାନିଟାଇଜର କରିବା ଉପରେ ବିଶେଷ ସଚେତନ ନାହାନ୍ତି। ତେଣୁ କରୋନା ସଂକ୍ରମଣକୁ ଦେଖି ବର୍ତ୍ତମାନ ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯାଉନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ନାମ ଲେଖାରେ କୌଣସି ଅସୁବିଧା ହେବନି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଯୁକ୍ତ ୨ ନାମ ଲେଖାରେ କୌଣସି ଅସୁବିଧା ହେବ ନାହିଁ। ଭଲ କଲେଜରେ ପଢିବା ସବୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ଥାଏ। ସେଥିପାଇଁ କଲେଜରେ ନାମଲେଖାରେ ଅସୁବିଧା ହୋଇପାରେ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା କରୁଛନ୍ତି। ତେଣୁ ଆବଶ୍ୟକ ପଡିଲେ କଲେଜରେ ସିଟ ସଂଖ୍ୟା ପଢାଯିବ। କଲେଜ ଆଧାରରେ ସିଟ ସଂଖ୍ୟାରେ ବୃଦ୍ଧି କରାଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ତେବେ ଯୁକ୍ତ ୨ ପରୀକ୍ଷା ଫଳ ନେଇ ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ୨ ଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସିଲାବସ ୩୦ ପ୍ରତିଶତ କମିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: କରୋନା ଯୋଗୁଁ ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ସିଲାବସକୁ ୩୦ ପ୍ରତିଶତ ହ୍ରାସ କରାଯିବ। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୩୦ ପ୍ରତିଶତ ସିଲାବସ କମିବ। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସାରା ରାଜ୍ୟରେ ଅନଲାଇନରେ ପାଠ ପଢା କାର୍ଯ୍ୟକ୍ରମ ଚାଲିଛି। ହେଲେ ରାଜ୍ୟରେ ସ୍କୁଲ କେବେ ଖୋଲିବ, ତାହା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। କରୋନା ସ୍ଥିତି ଦେଖି ଏହା ଉପରେ ବିଚାର କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୩୦ ତାରିଖ ପରେ ହେବ ନବମ ଶ୍ରେଣୀ ପରୀକ୍ଷା!: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ୩୦ ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ହୋଇପାରେ। ସ୍ଥିତିକୁ ଦେଖି ଆସନ୍ତା ୩୦ ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି। ନବମ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସରକାର ଚାହୁଁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ତେବେ ଏପ୍ରିଲ ୩୦ ଯାଏଁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢା ବନ୍ଦ ଅଛି। ପିଲାଙ୍କ କୋର୍ସ ପ୍ରାୟ ଶେଷ ହୋଇ ଆସିଥିବା ବେଳେ ଆଉ ଅଳ୍ପ କିଛି ବାକି ରହିଛି। ୩୦ ତାରିଖ ପରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର

ନିର୍ଦ୍ଧାରିତ ତାରିଖରେ ହେବ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ତାରିଖରେ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ତାରିଖରେ ପରିବର୍ତ୍ତନ ହେବ ନାହିଁ। ମେ ୩ ତାରିଖରୁ ଆରମ୍ଭ ହୋଇ ଦଶମ ପରୀକ୍ଷା ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ମେ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ଜୁନ ୧୨ ତାରିଖରେ ଶେଷ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏସଓପି ମାନି ସରକାରୀ ବିଦ୍ୟାଳୟରେ ପାଠ ପଢା ଜାରି ରହିବ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ କରୋନାରେ ସଂକ୍ରମଣ ହୋଇ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଉପରେ କଟକଣା ପ୍ରଶାସନ ପକ୍ଷରୁ କଟକଣା ଲାଗିଛି।

ହେଲେ ସରକାରୀ ବିଦ୍ୟାଳୟରେ ସ୍ଥିତି ଭଲ ଅଛି। ତେଣୁ ସରକାରୀ ସ୍କୁଲରେ ପାଠ ପଢା ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଛନ୍ତି। ଏସଓପି ମାନି ସରକାରୀ ବିଦ୍ୟାଳୟରେ ନବମ ଏବଂ ଏକାଦଶ ଶ୍ରେଣୀ ପାଠ ପଢା ଚାଲିବ ବୋଲି ଶ୍ରୀ ଦାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନାହିଁ, ସମସ୍ତେ ପାସ୍: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଆଉ ସ୍କୁଲ ଖୋଲା ହେବ ନାହିଁ। ତେଣୁ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ସମ୍ଭବ ନାହିଁ। ଗତ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଉପର ଶ୍ରେଣୀକୁ ପ୍ରମୋଶନ ହେବେ। ବିଦ୍ଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଆପାତତଃ ଏହା ସ୍ଥିର ହୋଇଛି। ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ସୂଚନା ଦେଇଛନ୍ତି। ହେଲେ ନବମ ଶ୍ରେଣୀ ପିଲାଙ୍କ କ୍ଳାସ ଚାଲିଥିବାରୁ ସେମାନଙ୍କର ପରୀକ୍ଷା ଅଫଲାଇନରେ ହେବ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର କରାଯିବ। ଏନେଇ ବୋର୍ଡ ସଭାପତିଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବର ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୯ରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ ଏଯାଏଁ କରୋନା ଯୋଗୁଁ ରାଜ୍ୟରେ କୌଣସି ସ୍କୁଲ ଖୋଲିପାରିନାହିଁ। ପାଠ ପଢା ନହୋଇ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ସ୍କୁଲ ନଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏପରି ସ୍ଥିତିରେ ପିଲା ପରୀକ୍ଷା କେମିତି ଦେବେ ଏନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏପରିକି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଏହାର ବିରୋଧ କରିଥିଲା। ଏହାକୁ ଦୃଷ୍ଟିରେ ରଖି ବିଜ୍ଞପ୍ତି ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଣି କେବେ ପରୀକ୍ଷା ପାଇଁ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ ଏନେଇ କୌଣସି ସୂଚନା ନାହିଁ।