ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି: ଗଣଶିକ୍ଷା ମନ୍ତ୍ରୀ

Published: Nov 7, 2020, 10:55 am IST

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର କରାଯିବ। ଏନେଇ ବୋର୍ଡ ସଭାପତିଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବର ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୯ରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ ଏଯାଏଁ କରୋନା ଯୋଗୁଁ ରାଜ୍ୟରେ କୌଣସି ସ୍କୁଲ ଖୋଲିପାରିନାହିଁ। ପାଠ ପଢା ନହୋଇ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ସ୍କୁଲ ନଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏପରି ସ୍ଥିତିରେ ପିଲା ପରୀକ୍ଷା କେମିତି ଦେବେ ଏନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏପରିକି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଏହାର ବିରୋଧ କରିଥିଲା। ଏହାକୁ ଦୃଷ୍ଟିରେ ରଖି ବିଜ୍ଞପ୍ତି ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଣି କେବେ ପରୀକ୍ଷା ପାଇଁ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ ଏନେଇ କୌଣସି ସୂଚନା ନାହିଁ।

Related posts