Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ୟୁରୋପୀୟ ଆୟୋଗର କାର୍ଯ୍ୟନିବାହୀ ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଥିବା ସମ୍ପର୍କକୁ ଅଧିକ ନିବିଡ ଓ ମଜଭୂତ୍ କରିବା ଦିଗରେ ଶୁକ୍ରବାର ୟୁରୋପୀୟ ଆୟୋଗର ସାମାଜିକ ଅଧିକାର, ଦକ୍ଷତା, ଗୁଣାତ୍ମକ ଚାକିରି ଏବଂ ପ୍ରସ୍ତୁତି ବିଭାଗର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି।

ଏହି ସାକ୍ଷାତ୍ ଆଲୋଚନା ଅବସରରେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଶିକ୍ଷାଗତ, ଗବେଷଣା ଏବଂ ଦକ୍ଷତା ବିକାଶ ସମ୍ପର୍କକୁ ଅଧିକ ନିବିଡ କରିବା ସହିତ ସମ୍ଭାବ୍ୟ ଭାଗିଦାରୀ ଉପରେ ଫଳପ୍ରଦ ଆଲୋଚନା ହୋଇଛି। ସ୍ଥାୟୀତ୍ୱ, ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ ଭଳି ପାରସ୍ପରିକ ଲାଭଦାୟକ କ୍ଷେତ୍ରରେ ଶିକ୍ଷା ଓ ଦକ୍ଷତା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଭାଗିଦାରୀ ସୃଷ୍ଟି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ପାଇଁ ଏକ ଢାଞ୍ଚା ସ୍ଥାପନ କରିବା, ଛାତ୍ରଛାତ୍ରୀଙ୍କ ଦ୍ୱିପାକ୍ଷିକ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଉପରେ ଦୁଇ ନେତୃତ୍ୱ ବିଚାରବିମର୍ଶ କରିଥିଲେ।

ଅନୁରୂପ ଭାବରେ ଅଧ୍ୟାପକ ବା ଶିକ୍ଷକ ବିନିମୟ, ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ଜଏଣ୍ଟ/ଡୁଆଲ ଡିଗ୍ରୀ ଏବଂ ଟୁଇନିଂ ପ୍ରୋଗ୍ରାମ ସହ ଭାରତରେ ଥିବା ପ୍ରମୁଖ ୟୁରୋପୀୟ ସଂଘ ବିଶ୍ୱବିଦ୍ୟାଳୟଗୁଡିକର ଅଫସୋର କ୍ୟାମ୍ପସର ସମ୍ଭାବନା ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା। ଶିକ୍ଷଣ ଏବଂ ଦକ୍ଷତା ବ୍ୟବଧାନକୁ ଦୂର କରିବା ସହିତ ଲର୍ଣ୍ଣିଂ ଏବଂ ସ୍କିଲିଂ ଇକୋସିଷ୍ଟମରେ ଉନ୍ନତି ଆଣିବା ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସହଯୋଗକୁ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି। ପାରସ୍ପରିକ ଶିକ୍ଷା ଓ ଦକ୍ଷତା ଏଜେଣ୍ଡାକୁ ଆଗକୁ ବଢ଼ାଇବା, ଜ୍ଞାନ ସେତୁକୁ ସୁଦୃଢ଼ କରିବା ଏବଂ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଗଭୀର ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା ପାଇଁ ଏକ ଢାଞ୍ଚା ସୃଷ୍ଟି କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ। ଆଜିର ବୈଠକ ଭାରତ-ୟୁରୋପୀୟ ସଂଘର ଶିକ୍ଷା ଏବଂ ଦକ୍ଷତା ବିକାଶ ଭାଗିଦାରୀରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ପାଇଁ ପଥ ପ୍ରଶସ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀକୁ ଆହୁରି ଶକ୍ତିଶାଳୀ କରିବା ଏବଂ ନୂତନ ମାନଦଣ୍ଡ ସୃଷ୍ଟି କରିବା ଉପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ୟୁରୋପୀୟ ଆୟୋଗର ଉପାଧ୍ୟକ୍ଷଙ୍କ ଚିନ୍ତାଧାରାକୁ ପ୍ରଶଂସା କରିଥିଲେ। ଏହି ଆଲୋଚନା କାଳରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜଟିଳ ଆହ୍ୱାନର ମୁକାବିଲା କରିବା ଲାଗି ଏଆଇର ସମ୍ଭାବନା ଅନୁସନ୍ଧାନ କରିବାକୁ ବିଭିନ୍ନ ସଂସ୍ଥାର ସୁଯୋଗ

ନୂଆଦିଲ୍ଲୀ: ଏଆଇ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱକୁ ସୁଦୃଢ଼ କରିବା ଏବଂ ସମାଜର ସବୁ ବର୍ଗଙ୍କ ମଧ୍ୟରେ ଏଆଇର ଲାଭକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୭ ମାର୍ଚ୍ଚ ୨୦୨୪ରେ ଇଣ୍ଡିଆ ଏଆଇ ମିଶନ ଆରମ୍ଭ କରିଛନ୍ତି। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଇଣ୍ଡିଆ ଏଆଇ ମିଶନ ଘରୋଇ ଏଆଇ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ୭ଟି ପ୍ରମୁଖ ସ୍ତମ୍ଭ ଆରମ୍ଭ କରିଛି।

ଏହି ପଦକ୍ଷେପ ଅଧୀନରେ ‘ସୁରକ୍ଷିତ ଏବଂ ବିଶ୍ୱସ୍ତ ଏଆଇ’ ସ୍ତମ୍ଭ ଏଆଇ ପ୍ରଶାସନ ପାଇଁ ଏକ ସନ୍ତୁଳିତ, ପ୍ରଯୁକ୍ତି ଦୃଷ୍ଟିରୁ ସକ୍ଷମ ଏବଂ ଭାରତ ଆଧାରିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ। ଏଥିରେ ସ୍ୱଦେଶୀ ବୈଷୟିକ ଉପକରଣ, ମାର୍ଗଦର୍ଶିକା, ଢାଞ୍ଚା ଏବଂ ମାନଦଣ୍ଡର ବିକାଶ ଅନ୍ତର୍ଭୁକ୍ତ ଯାହା ଭାରତର ଅସାଧାରଣ ଆହ୍ୱାନ ଏବଂ ସୁଯୋଗ ସହିତ ଆମର ସାମାଜିକ, ସାଂସ୍କୃତିକ, ଭାଷାଗତ ଏବଂ ଆର୍ଥିକ ବିବିଧତା ପରିପ୍ରେକ୍ଷୀରେ ପ୍ରାସଙ୍ଗିକ।

ଇଓଆଇର ପ୍ରଥମ ପର୍ଯ୍ୟାୟ

ଏହି ଦୃଷ୍ଟିକୋଣକୁ ଆଗକୁ ନେବା ପାଇଁ ଇଣ୍ଡିଆଏଆଇ ଇଣ୍ଡିପେଣ୍ଡେଣ୍ଟ ବିଜନେସ୍ ଡିଭିଜନ (ଆଇବିଡି) ଆଗ୍ରହ ପ୍ରକାଶ (ଇଓଆଇ)ର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଛି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁରେ ଦାୟିତ୍ୱସମ୍ପନ୍ନ ଏଆଇକୁ ପ୍ରୋତ୍ସାହିତ କରିବା ପାଇଁ ଆଠଟି ପ୍ରକଳ୍ପ ଚୟନ କରିଛି। ଏଥିରେ ମେସିନ୍ ଅନଲର୍ଣ୍ଣିଂ, ସିନ୍ଥେଟିକ୍ ଡାଟା ଜେନେରେସନ୍, ଏଆଇ ବାୟସ୍ ମିଟିଗେସନ୍‌, ଗୋପନୀୟତା ବୃଦ୍ଧି ଉପକରଣ, ଏକ୍ସପ୍ଲେନେବଲ୍‌ ଏଆଇ, ଏଆଇ ଗଭର୍ଣ୍ଣାନ୍ସ ଟେଷ୍ଟିଂ, ଏଆଇ ଏଥିକାଲ୍‌ ସାର୍ଟିଫିକେସନ୍ ଏବଂ ଆଲଗୋରିଦମିକ ଅଡିଟିଂ ଟୁଲ୍ ଅନ୍ତର୍ଭୁକ୍ତ।

ଇଓଆଇର ଦ୍ୱିତୀୟ ରାଉଣ୍ଡ

ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲାରେ ଏଆଇର କ୍ଷମତା ଅନୁସନ୍ଧାନ କରିବାର ସୁଯୋଗ ପ୍ରଦାନ କରିବା ପାଇଁ, ଇଣ୍ଡିଆଏଆଇ ଆଗ୍ରହ ଅଭିବ୍ୟକ୍ତି (ଇଓଆଇ)ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି, ଯାହା ଭାରତୀୟ ଶିକ୍ଷାନୁଷ୍ଠାନ / ସଂଗଠନ, ସ୍ୱୟଂଶାସିତ ସଂସ୍ଥା, ଗବେଷଣା ଓ ବିକାଶ ଅନୁଷ୍ଠାନ / ସଂଗଠନ, ଷ୍ଟାର୍ଟଅପ୍ ଏବଂ କମ୍ପାନୀଗୁଡିକ ପାଇଁ ଖୋଲା ଅଛି । ଆବେଦନ କରିବାର ଶେଷ ତାରିଖ ୯ ଜାନୁଆରୀ ୨୦୨୫ ରହିଛି।

ଚିହ୍ନଟ କରାଯାଇଥିବା ବିଷୟ

ନିମ୍ନଲିଖିତ ବିଷୟବସ୍ତୁଗୁଡିକ ଚିହ୍ନଟ କରାଯାଇଛି ଯେଉଁଥିରେ ସଂଗଠନଗୁଡିକ ଅନ୍ୟ ଅଂଶୀଦାରମାନଙ୍କ ସହଯୋଗରେ ବ୍ୟବହାରିକ ଉପକରଣ ଏବଂ ଢାଞ୍ଚା ବିକଶିତ କରିବାକୁ ପ୍ରସ୍ତାବ ଦେଇପାରିବେ:

ୱାଟରମାର୍କିଂ ଏବଂ ଲେବଲିଂ: ଏଆଇ-ଉତ୍ପାଦିତ ବିଷୟବସ୍ତୁକୁ ପ୍ରମାଣିତ କରିବା ପାଇଁ ଉପକରଣ ବିକଶିତ କରିବା ଯାହାଦ୍ୱାରା ଏହା ଚିହ୍ନଟଯୋଗ୍ୟ, ସୁରକ୍ଷିତ ଏବଂ ବିପଜ୍ଜନକ ବିଷୟବସ୍ତୁ ଠାରୁ ମୁକ୍ତ ହୋଇଥିବ।

ନୈତିକ ଏଆଇ ଫ୍ରେମୱାର୍କ: ଏପରି ଏଆଇ ସମ୍ବନ୍ଧୀୟ ଢାଞ୍ଚା ବିକଶିତ କରିବା, ଯାହା ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁରୂପ ହୋଇଥିବ ଏବଂ ଏଆଇ ମାନବୀୟ ମୂଲ୍ୟବୋଧର ସମ୍ମାନ କରିବା ସହିତ ନିରପେକ୍ଷତାକୁ ପ୍ରୋତ୍ସାହନ ଦେଉଥିବ।

ଏଆଇ ବିପଦ ଆକଳନ ଏବଂ ପରିଚାଳନା: ସାର୍ବଜନୀନ ସେବାଗୁଡିକରେ ଏଆଇର ସୁରକ୍ଷିତ ନିୟୋଜନକୁ ବୃଦ୍ଧି କରିବା ପାଇଁ ବିପଦ ପରିଚାଳନା ଉପକରଣ ଏବଂ ଢାଞ୍ଚା ସୃଷ୍ଟି କରିବା।

ଷ୍ଟ୍ରେସ୍ ଟେଷ୍ଟିଂ ଟୁଲ୍ସ: ଏଆଇ ମଡେଲଗୁଡ଼ିକ କିପରି ଚରମ ପରିସ୍ଥିତିରେ ପ୍ରଦର୍ଶନ କରନ୍ତି ତାହାର ମୂଲ୍ୟାଙ୍କନ କରିବାକୁ, ଦୁର୍ବଳତା ଚିହ୍ନଟ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେସନଗୁଡିକ ପାଇଁ ଏଆଇ ଉପରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଷ୍ଟ୍ରେସ୍ ଟେଷ୍ଟିଂ ଟୁଲ୍ସ ସୃଷ୍ଟି କରିବା।

ଡିପ୍ ଫେକ୍ ଚିହ୍ନଟ ଉପକରଣ: ଡିପ୍ ଫେକର ରିୟଲ-ଟାଇମ୍ ଚିହ୍ନଟ ଏବଂ ପ୍ରଶମନକୁ ସକ୍ଷମ କରିବା ପାଇଁ ଡିପ୍ ଫେକ୍ ବା ଅବିକଳ ନକଲ ଚିହ୍ନଟ ଉପକରଣ ସୃଷ୍ଟି କରିବା, ଏକ ସୁରକ୍ଷିତ ଏବଂ ବିଶ୍ୱସନୀୟ ଡିଜିଟାଲ୍ ଇକୋସିଷ୍ଟମ୍ ପାଇଁ ଭୁଲ ସୂଚନା ଓ କ୍ଷତିକୁ ରୋକିବା।

ଏହି ପଦକ୍ଷେପ ଭାରତ ସରକାରଙ୍କ ସାମଗ୍ରିକ ଅଭିବୃଦ୍ଧି ପାଇଁ ଏଆଇର ଉପଯୋଗ କରିବାର ଦୃଷ୍ଟିକୋଣ ସହିତ ସମାନ।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ଡିଜିଟାଲ ଇଣ୍ଡିଆ କର୍ପୋରେସନ୍ (ଡିଆଇସି) ଅଧୀନରେ ଥିବା ଇଣ୍ଡିଆଏଆଇ ହେଉଛି ଇଣ୍ଡିଆଏଆଇ ମିଶନର କାର୍ଯ୍ୟକାରୀ ଏଜେନ୍ସି, ଯାହାର ଉଦ୍ଦେଶ୍ୟ ସମାଜର ସବୁ ବର୍ଗ ମଧ୍ୟରେ ଏଆଇର ଲାଭକୁ ସାର୍ବଜନୀନ କରିବା, ଏଆଇରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱକୁ ସୁଦୃଢ଼ କରିବା, ବୈଷୟିକ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଏଆଇର ନୈତିକ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସୁନିଶ୍ଚିତ କରିବା।

 

 

 

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ଏମ୍ସ ଭୁବନେଶ୍ୱର ଗସ୍ତ

ଭୁବନେଶ୍ୱର: ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ପାଲଟିଛି ଏମ୍ସ ଭୁବନେଶ୍ୱର। ମେଡିକାଲ୍ ଶିକ୍ଷା ହେଉ ଅବା ଗବେଷଣା କିମ୍ବା ସ୍ୱଚ୍ଛତା, ସମସ୍ତ କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରୁଛି ଏହି ଜାତୀୟ ପ୍ରତିଷ୍ଠାନ। ଚିକିତ୍ସା ସେବା ପାଇବା ନିମନ୍ତେ ଏଠାରେ ହେଉଥିବା ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଥିବା ଆସ୍ଥାକୁ ପ୍ରମାଣିତ କରୁଥିବା ମତପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ (ଆଇଏଏସ୍)। ଏମ୍ସକୁ ତାଙ୍କର ଦୁଇ ଦିନିଆ ଗସ୍ତ ଅବସରରେ ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବାର୍ତ୍ତାଳପ କରିଥିଲେ।

କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବଙ୍କୁ ଏମ୍ସକୁ ସ୍ବାଗତ କରିବା ସହିତ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ବାସ ଏମ୍ସରେ ଜାରିରହିଥିବା ବିଭିନ୍ନ ଅତ୍ୟାଧୁନିକ ପ୍ରକଳ୍ପ ଏବଂ ଭବିଷ୍ୟତ ଯୋଜନା ଉପରେ ଆଲୋକପାତ କରିଥିଲେ। ଏମ୍ସରେ ଯକୃତ(ଲିଭର) ପ୍ରତିରୋପଣ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ। ସମସ୍ତଙ୍କ ମିଳିତ ସହଯୋଗ ଏବଂ ଦଳଗତ କାର୍ଯ୍ୟ କାରଣରୁ ଏମ୍ସ ଭୁବନେଶ୍ୱର ରୋଗୀସେବା, ଗବେଷଣା ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ଗୌରବମୟ ଦଶନ୍ଧି ଯାତ୍ରା କାଳରେ ସର୍ବସାଧାରଣଙ୍କ ଆସ୍ଥା ଜିଣିପାରିଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏହି ଅବସରରେ ଯୁଗ୍ମ ସଚିବ ଶ୍ରୀମତୀ ପଟ୍ଟନାୟକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର, ସିଏସ୍ଏସ୍ଡି, ଏମ୍ଆରଡି, ପେଟ୍-ସିଟି, ରେଡିଏସନ୍ ଅଙ୍କୋଲୋଜି ସହିତ ଅନ୍ୟାନ୍ୟ ବିଭିନ୍ନ ସେବା ପରିଦର୍ଶନ କରିଥିଲେ। ଏମ୍ସରେ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ନିମନ୍ତେ ଥିବା ପ୍ରତିବଦ୍ଧତା ନିମନ୍ତେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ପ୍ରଶଂସା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ। ସେହିପରି କ୍ରମାଗତ ଭାବେ ସମ୍ମାନଜନକ ଏନ୍ଆଇଆରଏଫ୍ ଏବଂ ଇଣ୍ଡିଆ ଟୁଡେ ତାଲିକାରେ ଉଚ୍ଚସ୍ଥାନ ଅଧିକାର କରିଚାଲିଥିବାରୁ ଅନୁଷ୍ଠାନକୁ ଶ୍ରୀମତୀ ପଟ୍ଟନାୟକ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ଯୁଗ୍ମ ସଚିବଙ୍କ ସହ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ୍ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ମୁଖ୍ୟ ଏବଂ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ସହିତ ବିଶେଷ ବୈଠକ କରିଥିଲେ ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ। ସେହିପରି ସିସିଏଚ୍ବି, ନୂତନ ଟ୍ରମା ଏବଂ ଜରୁରୀକାଳୀନ କୋଠା, ପ୍ରାଶାସନିକ ଭବନ ଏବଂ ଧର୍ମଶାଳା ପରି ଏକାଧିକ ଚିକିତ୍ସା ସୁବିଧାଗୁଡ଼ିକର ଅଗ୍ରଗତିନେଇ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀମତୀ ପଟ୍ଟନାୟକ ଓପିଡି କାଉଣ୍ଟରରୁ ତାଙ୍କର ଆଭା ନମ୍ବର କରିବା ସହିତ ଡିଜିଟାଲ ଇଣ୍ଡିଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ରହିଥିବା ଭିଜନ୍କୁ ଏମ୍ସ ସଫଳତାର ସହିତ ଅନୁପାଳନ କରୁଥିବା ପ୍ରଶଂସା କରିଥିଲେ।

ଗସ୍ତ ଅବସରରେ ଶ୍ରୀମତୀ ପଟ୍ଟନାୟକ ଏମ୍ସ ଭୁବନେଶ୍ୱରର ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ମେଡିକାଲ୍, ପାରାମେଡିକାଲ୍, ନର୍ସିଂ ଆଦି ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଥିବା ସେମାନଙ୍କର ଦୂରଦୃଷ୍ଟି ଏବଂ ଭଲପାଇବାକୁ ନେଇ ବିଶେଷ ପ୍ରଭାବିତ ହୋଇଥିଲେ। ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ଶବ ପରିଚାଳନାରେ ଏମ୍ସ ଭୁବନେଶ୍ୱରର ସଫଳ ପରିଚାଳନା ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ ଶ୍ରୀମତୀ ପଟ୍ଟନାୟକ।

ଉଲ୍ଲେଖଯୋଗ୍ୟ ଯେ, ଏମ୍ସ ଭୁବନେଶ୍ୱର ଅନୁସନ୍ଧାନ ଏବଂ ରୋଗୀ ସେବା ଉପରେ ଧ୍ୟାନ ଦେଇ ଅନେକ ଜାତୀୟ ପ୍ରତିଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ସେହିଭଳି, ଏହି ଜାତୀୟ ଅନୁଷ୍ଠାନ ସଫଳତାର ସହିତ ବାହାନଗା ରେଳ ଦୁର୍ଘଟଣାର ୧୬୨ ପାର୍ଥିବ ଶରୀରକୁ ସଂରକ୍ଷଣ କରିବା ଏବଂ ପରିଚାଳନା କରିବାର ସଫଳତା ବହନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଗବେଷଣା ପ୍ରସ୍ତୁତିକୁ ନେଇ ଏନ୍‌ଆର୍‌ଡିସି ଟିମ୍‌ର ସୋଆ ପରିଦର୍ଶନ

ଭୁବନେଶ୍ୱର: ନିକଟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ପ୍ରସ୍ତୁତିକୁ ନେଇ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନ୍‌ଆର୍‌ଡିସି) ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏନ୍‌ଆର୍‌ଡିସି ଏକ ୨ ଜଣିଆ ଦଳ ସୋଆ ଗବେଷକମାନଙ୍କ ସହ ଆଲୋଚନା କରିବା ନିମନ୍ତେ ଗତ ଅଗଷ୍ଟ ୧ ଓ ୨ରେ ସୋଆ ଗସ୍ତରେ ଆସିଥିଲେ।

ଶୁଷ୍କ ଆଖି, ଗଳା ସଂକ୍ରମଣ ତଥା କର୍କଟ ଚିକିତ୍ସା ବେଳେ ଉପୁଜୁଥିବା ସମସ୍ୟାର ଉପଶମ ନିମନ୍ତେ ସୋଆର ଗବେଷକମାନେ ସରଳ, ବ୍ୟୟସାପେକ୍ଷ ଓ ଅଭିନବ ଫାର୍ମାସ୍ୟୁଟିକାଲ୍ ଫର୍ମୁଲେସନ୍ ବିକଶିତ କରିଛନ୍ତି। ଏହି ଟେକ୍ନୋଲୋଜିର ବିକାଶ ନିମନ୍ତେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧିନସ୍ଥ ଏନ୍‌ଆର୍‌ଡିସି ସହ ଏହି ବୁଝାମଣା କରାଯାଇଥିଲା।

ଏନ୍‌ଆରଡିସିର ପ୍ରମୁଖ ତଥା ମୁଖ୍ୟ (ବାୟୋଟେକ୍ନୋଲୋଜି) ଏବଂ ଲିଗାଲ ରୟାଲଟି ଓ ରେଗୁଲୋଟାରୀ ଆଫେୟାର୍ସର ଇନ୍‌ଚାର୍ଜ ଶ୍ରୀ ଅମିତାଭ ମିଶ୍ର ଓ ଟେକ୍ନିକାଲ୍ ଆସିଷ୍ଟାଂଟ ଶ୍ରୀମତି ପ୍ରିୟଙ୍କା ଅସୱାଲ୍ ସୋଆର ବିଭିନ୍ନ କେନ୍ଦ୍ର ବୁଲି ଗବେଷଣା ସମ୍ବନ୍ଧୀୟ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ଗବେଷକମାନଙ୍କ ସହିତ ଆଲୋଚନା କରିଥିଲେ ବୋଲି ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥ କହିଛନ୍ତି ।

ଏନ୍‌ଆର୍‌ଡିସି ଭାରତର ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ ଓ ଶିଳ୍ପାନୁଷ୍ଠାନରେ ଅଭିନବ ଟେକ୍ନୋଲୋଜି ବିକାଶ ନେଇ ସହଯୋଗ କରିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାଏ ।

ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଯେ ସେ ଏହି ତିନୋଟି ଗବେଷଣା ମଧ୍ୟରୁ ଗୋଟିକୁ ନେଇ ଏକ ବେସିକ୍ ଇଞ୍ଜିନିୟରିଂ ଡିଜାଇନ୍ ପ୍ୟାକେଜ (ବିଇଡିସି) ପ୍ରସ୍ତୁତ କରିବେ ।
ଏହି ଅବସରରେ ଶ୍ରୀ ମିଶ୍ର ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ଏସ୍‌. ସି. ସି ଙ୍କ ସମେତ ଫ୍ୟାକଲ୍ଟିମାନଙ୍କ ସହ ଆଲୋଚନା କରିଥିଲେ । ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

Categories
ଆଜିର ଖବର ଧର୍ମ

ମିଳିଲା ରାବଣର ମୃତଦେହ ରଖା ଯାଇଥିବା ସ୍ଥାନ, ଅଧିକ ଗବେଷଣା ପାଇଁ ଚାଲିଛି ଯୋଜନା

କଲମ୍ବୋ: ଶ୍ରୀଲଙ୍କାର ଏକ ଗବେଷକ ଦଳ ଗବେଷଣା କରି ଦାବି କରିଛନ୍ତି ​​ଯେ ଶ୍ରୀଲଙ୍କାରେ ଏପରି ୫୦ ଟି ସ୍ଥାନ ମିଳିଛି ଯାହା ରାମାୟଣ ସହିତ ଜଡିତ। ସେହି ସ୍ଥାନଗୁଡିକ ମଧ୍ୟରୁ ଗୋଟିଏ ହେଉଛି ରନାଗିଲର ଗୁମ୍ଫା, ଯେଉଁଠାରେ ଆଜି ମଧ୍ୟ ରାବଣର ଶବ ସଂରକ୍ଷିତ ରଖାଯାଇଛି ବୋଲି ଦାବି କରାଯାଇଛି। ଶ୍ରୀଲଙ୍କାର ଆନ୍ତର୍ଜାତୀୟ ରାମାୟଣ ସର୍ବେକ୍ଷଣ କେନ୍ଦ୍ର ଏବଂ ସେଠାକାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଏହି ଆବିଷ୍କାର କରାଯାଇଛି। ତଥାପି, ଏହାକୁ କେହି ନିଶ୍ଚିତ କରି ନାହାଁନ୍ତି। ଏହା ଜଣାପଡିବା ପରେ କିଛି ଟିଭି ଚ୍ୟାନେଲ ସେହି ସ୍ଥାନକୁ ଯାଇ ରାବଣର ଶରୀର ସେଠାରେ ଅଛି ବୋଲି ଦାବୀ କରିଛନ୍ତି।

କୁହାଯାଏ ଯେ ରାମ ଏବଂ ରାବଣ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୫୦୦୦ ମସିହାରେ ହୋଇଥିଲା। ବାଲ୍ମୀକ ରାମାୟଣରେ ଉଲ୍ଲେଖ କରାଯାଇଥିବା ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତି ଅନୁଯାୟୀ, ରାମ ଖ୍ରୀଷ୍ଟପୂର୍ବ ୫୦୭୬ ମସିହାରେ ରାବଣକୁ ହତ୍ୟା କରିଥିବା ଜଣାପଡିଛି। ସେହି ଦିନଠାରୁ ରାବଣର ଶରୀର ଶ୍ରୀଲଙ୍କାର ଏହି ଗୁମ୍ଫାରେ ରଖାଯାଇଛି ବୋଲି କୁହାଯାଉଛି।

ଅଗଷ୍ଟ ୧୯୭୧ ରେ, ଜଣେ ବୌଦ୍ଧ ଭିକ୍ଷୁ ମଧ୍ୟ ଦାବୀ କରିଥିଲେ ଯେ ରାବଣଙ୍କ ମୃତଦେହ ପୂର୍ବ ରାଜ୍ୟର ରାଗଲା ପାର୍ବତ୍ୟ ଉପରେ ନିର୍ମିତ ଏକ ଦୁର୍ଗରେ ସଂରକ୍ଷିତ ରହିଛି। ଯଦିଓ ଏହା କେତେ ସତ ତାହା ଜାଣାପଡି ନାହିଁ, ହେଲେ ରାଗଲାର ଜଙ୍ଗଲ ମଧ୍ୟରେ ଏକ ବିଶାଳ ପାହାଡ ଉପରେ ରାବଣର ଗୁମ୍ଫା ଅଛି ବୋଲି ବିଶ୍ୱାସ କରାଯାଏ। ରାଗଲାର ଘଞ୍ଚ ଜଙ୍ଗଲ ଏବଂ ଗୁମ୍ଫାକୁ କେହି ଯାଆନ୍ତି ନାହିଁ, କାରଣ ଏହା ଜଙ୍ଗଲୀ ଏବଂ ଭୟଙ୍କର ପ୍ରାଣୀମାନଙ୍କର ବାସସ୍ଥାନ ଅଟେ। ତେବେ ଏହାର ସତ୍ୟତା ନେଇ ଆହୁରି ଅଧିକ ଗବେଷଣା ପାଇଁ ଯୋଜନା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର

ଶିକ୍ଷାକୁ କର୍ମସଂସ୍ଥାନ ଓ ଔଦ୍ୟୋଗିକ ସାମର୍ଥ୍ୟ ସହ ସଂଯୋଗ କରିବା ପାଇଁ ବଜେଟରେ ହୋଇଛି ଉଦ୍ୟମ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟ ବ୍ୟବସ୍ଥାକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣ ରଖିଛନ୍ତି।

ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେଲେ ଦେଶର ଯୁବଗୋଷ୍ଠୀର ଆତ୍ମବିଶ୍ୱାସ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ। ଜଣଙ୍କର ଆତ୍ମବିଶ୍ୱାସ ତାର ଶିକ୍ଷା ଓ ଜ୍ଞାନର ବିଶ୍ୱାସ ଉପରେ ନିର୍ଭରଶୀଳ। ଆତ୍ମବିଶ୍ୱାସ ସେତେବେଳେ ଆସିବ ଯେତେବେଳେ ସେମାନଙ୍କ ହୃଦବୋଧ ହେବ ଯେ ସେମାନଙ୍କ ଶିକ୍ଷା ସେମାନଙ୍କୁ ନିଜର କର୍ତ୍ତବ୍ୟ ସଂପାଦନ ନିମନ୍ତେ ସୁଯୋଗ ଓ ଆବଶ୍ୟକ କୌଶଳ ପ୍ରଦାନ କରିଛି। ଏହି ଭାବନାକୁ ଆଧାର କରି ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଶିଶୁ ପ୍ରାରମ୍ଭଠାରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ଜାତୀୟ ଶିକ୍ଷାନୀତିରେ ଥିବା ବ୍ୟବସ୍ଥାଗୁଡିକୁ ତ୍ୱରାନ୍ୱିତ କରିବା ସହ ଚଳିତ ବଜେଟ ଏଥିପାଇଁ ଖୁବ ଭଲଭାବେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବଜେଟରେ ସ୍ୱାସ୍ଥ୍ୟ ପରେ ଦ୍ୱିତୀୟ ସର୍ବବୃହତ ଗୁରୁତ୍ୱ ଶିକ୍ଷା, କୌଶଳ, ଗବେଷଣା ଏବଂ ଉଦ୍ଭାବନ ଉପରେ ଆରୋପ କରାଯାଇଛି। ଦେଶର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଏଥିରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ଚଳିତ ବଜେଟରେ କୌଶଳ ବିକାଶ ଓ ଶିକ୍ଷା ନବୀଶ ଉପରେ ଦିଆଯାଇଥିବା ଗୁରୁତ୍ୱ ଅଭୂତପୂର୍ବ ବୋଲି ସେ କହିଛନ୍ତି। ଯେପରି କର୍ମନିଯୁକ୍ତି ଓ ଔଦ୍ୟୋଗିକ ସାମର୍ଥ୍ୟ ଆଗାମୀ ଦିନରେ ବୃଦ୍ଧି ପାଇବ ସେଥିପାଇଁ ବଜେଟ ଶିକ୍ଷାର ଆର୍ଥିକ ପରିସରକୁ ସଂପ୍ରସାରିତ କରିଛି। ଏସବୁ ଉଦ୍ୟମ ଯୋଗୁଁ ଆଜି ଭାରତ ବୈଜ୍ଞାନିକ ପ୍ରକାଶନ, ପିଏଚଡି ବିଦ୍ୱାନଙ୍କ ସଂଖ୍ୟା ଓ ଷ୍ଟାର୍ଟଅପ ସେ ତୃତୀୟ ସ୍ଥାନରେ ରହିଛି।

ଭାରତ ବୈଶ୍ୱିକ ଉଦ୍ଭାବନ ସୂଚୀର ପଚାଶତମ ସ୍ଥାନରେ ରହିଛି ଓ ଏହି ସ୍ଥାନ କ୍ରମଶଃ ଉନ୍ନତ ହେବାରେ ଲାଗିଛି। ଉଚ୍ଚଶିକ୍ଷା, ଗବେଷଣା ଓ ଉଦ୍ଭାବନ ଉପରେ ଅଧିକ ଧ୍ୟାନ ଦିଆଯବା ଯୋଗଁତ ଆମର ଛାତ୍ରଛାତ୍ରୀ ଓ ଯୁବ ବିଜ୍ଞାନୀଙ୍କ ନିମନ୍ତେ ଅଧିକରୁ ଅଧିକ ନୂତନ ସୁଯୋଗ ସୃଷ୍ଟି ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ନିମନ୍ତେ ବିଦ୍ୟାଳୟଗୁଡିକରେ ଅଟଳ ଟିଙ୍କରିଂ ଲ୍ୟାବରୁ ଆରମ୍ଭ କରି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଅଟଳ ଉଷ୍ମେଳନ କେନ୍ଦ୍ର ଉପରେ ଧ୍ୟାନ କେନ୍ଦ୍ରିତ ହୋଇଛି। ଷ୍ଟାର୍ଟ ଅପ ନିମନ୍ତେ ହକାଥନ ଭଳି ନବୀନ ପରମ୍ପରା ସୃଷ୍ଟି ହୋଇ ଦେଶର ଯୁବାଗୋଷ୍ଠୀ ଓ ଶିଳ୍ପ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ଦେଶରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ସହ ୩୫୦୦ରୁ ଅଧିକ ଷ୍ଟାର୍ଟଅପ ମଧ୍ୟ ବିକଶିତ କରାଯାଇଛି। ସେହିପରି ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ ଅଧୀନରେ ତିନିଟି ସୁପର କମ୍ପ୍ୟୁଟର ପରମ ଶିବାୟ, ପରମ ଶକ୍ତି ଏବଂ ପରମ ବ୍ରହ୍ମ ଆଇଆଇଟି ବିଏଚୟୁ, ଆଇଆଇଟି ଖଡଗପୁର ଓ ଆଇଜର ପୁଣେରେ ସ୍ଥାପନ କରାଯାଇଛି। ଦେଶରେ ଏକ ଡର୍ଜନରୁ ଅଧିକ ପ୍ରତିଷ୍ଠାନ ଏହି କମ୍ପ୍ୟୁଟର ନେବାକୁ ପ୍ରସ୍ତାବ ଦେଇଛନ୍ତି। ତିନିଟି ଅତ୍ୟାଧୁନିକ ବିଶ୍ଳେଷକ ଏବଂ ବୈଷୟିକ ସାହାଯ୍ୟକାରୀ ପ୍ରତିଷ୍ଠାନ (ସାଥୀ) ଆଇଆଇଟି ଖଡଗପୁର, ଆଇଆଇଟି ଦିଲ୍ଲୀ ଏବଂ ବିଏଚୟୁରୁ କାର୍ଯ୍ୟ କରୁଥିବା ସେ କହିଛନ୍ତି।

ସେ କହିଛନ୍ତି ଯେ ଜ୍ଞାନ ଓ ଗବେଷଣା ଉପରେ କୌଣସି ପ୍ରତିବନ୍ଧକ ଲଗାଇବା ଦେଶର ସାମର୍ଥ୍ୟ ପ୍ରତି ଏକ ଅନ୍ୟାୟ। ମେଧାବୀ ଯୁବଗୋଷ୍ଠୀଙ୍କ ନିମନ୍ତେ ମହାକାଶ ଆଣବିକ ଶକ୍ତି, ଡିଆରଡିଓ ଓ କୃଷି କ୍ଷେତ୍ରରେ ଅନେକ ସୁଯୋଗ ରଖିଛି। ଦେଶ ପ୍ରଥମ ଥର ନିମନ୍ତେ ପାଣିପାଗ କ୍ଷେତ୍ରରେ ଆନ୍ତର୍ଜତିକ ମାନ୍ୟତା ହାସଲ କରିବାରେ ସମର୍ଥ ହୋଇଛି। ଏ ଦିଗରେ ଥିବା ଗବେଷଣା ଓ ବିକାଶ ଯୋଗୁଁ ବୈଶ୍ୱିକ ଦକ୍ଷତା ବୃଦ୍ଧି ସହ ଯେଉଁ ତଥ୍ୟ ମିଳିବ ତାହା ମହାକାଶ କ୍ଷେତ୍ରରେ ଦେଶର ଯୁବଗୋଷ୍ଠୀ ନିମନ୍ତେ ବେଶ ସହାୟକ ହେବ। ଦେଶରେ ପ୍ରଥମ ଥର ନିମନ୍ତେ ଜାତୀୟ ଗବେଷଣା ପ୍ରତିଷଠାନ ତିଆରି ହେଉଛି। ଏଥିପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ଏହା ଗବେଷଣା ପ୍ରତିଷ୍ଠାନଗୁଡିକ ପ୍ରଶାସନିକ ପରିପାଟୀକୁ ସୁଦୃଢ଼ କରିବା ସହ ଗବେଷଣା ଓ ପରିପାଟୀ, ଶିକ୍ଷା ବ୍ୟବସ୍ଥା ଓ ଶିଳ୍ପ ମଧ୍ୟରେ ସମନ୍ୱୟ ରକ୍ଷା କରିବ। ଶତକଡା ଶହେ ଭାଗରୁ ଅଧିକ ବ୍ୟୟବରାଦ ଜୈବପ୍ରଯୁକ୍ତି ବିଦ୍ୟା ଗବେଷଣା କ୍ଷେତ୍ରରେ କରାଯାଇଥିବାରୁ ଏହା ସରକାରଙ୍କ ପ୍ରାଥମିକତାର ଯଥାର୍ଥତା ପ୍ରତିପାଦନ କରିଥାଏ। ଖାଦ୍ୟ ନିରାପତ୍ତା, ପୌଷ୍ଟିକତା ଓ କୃଷି କ୍ଷେତ୍ରରେ ଜୈବପ୍ରଯୁକ୍ତି ବିଦ୍ୟା ଗବେଷଣାର ପରିସର ବୃଦ୍ଧି ପାଇଁ ସେ ଆହ୍ୱାନ ଜଣାଇଛନ୍ତି।

ଆନ୍ତର୍ଜାତିକ କ୍ୟାମ୍ପସ ସିଲେକସନ ଜରିଆରେ ସର୍ବୋତ୍ତମ କୌଶଳ ଆହରଣ ପାଇଁ ଯୁବଗୋଷ୍ଠୀଙ୍କୁ ତାଲିମ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଶିକ୍ଷାନବୀଶ କାର୍ଯ୍ୟକ୍ରମର ସୁଗମତା ନେଇ ବଜେଟରେ ଯେଉଁ ବ୍ୟବସ୍ଥା ରହିଛି ତାହା ଦେଶର ଯୁବଗୋଷ୍ଠୀଙ୍କ ପାଇଁ ବେଶ ଲାଭପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭବିଷ୍ୟତରେ ଇନ୍ଧନ ଓ ଗ୍ରୀନ ଏନର୍ଜି ଆମର ଶକ୍ତି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଆବଶ୍ୟକ। ସେଥିପାଇଁ ବଜେଟରେ ଉଦଯାନ ମିଶନ ଘୋଷଣା କରଯାଇଛି। ଭାରତ ଉଦଯାନରୁ ଯାନ ପରୀକ୍ଷା କରିଛି ଓ ଉଦଯାନକୁ ପରିବହନ ଇନ୍ଧନ ଭାବେ ବ୍ୟବହାର କରିବା ପାଇଁ ଉଦ୍ୟମ ମଧ୍ୟ ଜାରି ରଖିଛି ଓ ସେଥିପାଇଁ ଆମ ଶିଳ୍ପଜଗତ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।

ନୂତନ ଜାତୀୟ ଶିକ୍ଷାନୀତି ଅଧିକରୁ ଅଧିକ ସ୍ଥାନୀୟ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିଛି। ସେ ଦୃଷ୍ଟିରୁ ପ୍ରତ୍ୟେକ ଭାଷାର ବିଶେଷଜ୍ଞ ଓ ଶିକ୍ଷାବିତ ପ୍ରତ୍ୟେକ ବିଷୟ ଭାରତୀୟ ଭାଷାରେ ପ୍ରସ୍ତୁତ କରିବାକୁ ଦାୟିତ୍ୱ ନେବେ। ପ୍ରଯୁକ୍ତି ଯୁଗରେ ଏହା କିଛି ବଡ କଥା ନୁହେଁ। ବଜେଟରେ ପ୍ରସ୍ତାବିତ ଜାତୀୟ ଭାଷା ଅନୁବାଦ ମିଶନ ଏ ଦିଗରେ ଅନେକ କିଛି କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।