Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଟିକେଟ ନ ମିଳିବ ପରେ ତାତିଲେ ଗମାଙ୍ଗ ପରିବାର ଓ ଜୟରାମ ପାଙ୍ଗି, ଆଣିଲେ ବଡ ଅଭିଯୋଗ

ଭୁବନେଶ୍ବର: କଂଗ୍ରେସ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ କୋରାପୁଟ ଓ ନବରଂଗପୁର ସବୁ ଆସନରେ ଦଳ ପ୍ରାର୍ଥୀ ଦେଇସାରିଛି। ହେଲେ ସେହି ଅଞ୍ଚଳରେ ଟିକେଟ ଆଶାୟୀ ଥିବା ଗିରିଧର ଗମାଙ୍ଗ ପରିବାର କିମ୍ବା ଜୟରାମ ପାଙ୍ଗିଙ୍କୁ କୌଣସି ସ୍ଥାନରେ ଟିକେଟ ମିଳି ନାହିଁ। ଏହାକୁ ନେଇ ଖପ୍ପା ହୋଇଛନ୍ତି ଗମାଙ୍ଗ ପରିବାର ଏବଂ ପାଙ୍ଗୀ।

ଏକ ଅଭିଯୋଗ କରି ଗିରିଧର ଗମାଙ୍କଙ୍କ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ସଭାପତିଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହାରିବା ପାଇଁ ସଭାପତି ବଡ ଡିଲ କରିଛନ୍ତି। ସେଥିପାଇଁ ଆମକୁ ଟିକେଟ ମିଳିଲା ନାହିଁ ବୋଲି ଶିଶିର କହିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ନିଜେ ସଭାପତି ଶରତ ପଟ୍ଟନାୟକ।

ଶିଶିର ନବରଂଗପୁର ଲୋକସଭା ପାଇଁ ଆଶାୟୀ ଥିବା ବେଳେ କୋରାପୁଟର କୌଣସି ବିଧାନସଭା ଆସନରୁ ଗିରିଧର ଗମାଙ୍ଗ ଆଶାୟୀ ଥିଲେ। ସେହିପରି ଜୟରାମ ପାଙ୍ଗି ମଧ୍ୟ ଟିକେଟ ପାଇବେ ବୋଲି ଆଶା କରିଥିଲେ। ଉଭୟ ବିଜେପି ଛାଡି ନିକଟରେ କଂଗ୍ରେସରେ ପୁଣି ଥରେ ସାମିଲ ହୋଇଥିଲେ। ହେଲେ କଂଗ୍ରେସରେ ମଧ୍ୟ ସେମାନେ ନିରାଶ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସରେ ମିଶିବେ ଗମାଙ୍ଗ ପରିବାର ଏବଂ ସଂଜୟ ଭୋଇ, ତାରିଖ ହେଲା ନିର୍ଦ୍ଧାରିତ

ଭୁବନେଶ୍ବର: ଶେଷରେ କଂଗ୍ରେସରେ ମିଶିବେ ଗମାଙ୍ଗ ପରିବାର। ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ତଥା ପୂର୍ବତନ ବିଧାୟକ ହେମା ଗମାଙ୍ଗ ଏବଂ ପୁତ୍ର ଶିଶିର ଗମାଙ୍ଗ। ଏଥିସହିତ ପୂର୍ବତନ ସାଂସଦ ସଂଜୟ ଭୋଇ ମଧ୍ୟ କଂଗ୍ରେସରେ ସାମିଲ ହେବେ। ଗତକାଲି ସମସ୍ତେ ନୂଆ ଦିଲ୍ଲୀରେ ଓଡିଶା ପ୍ରଭାରୀ ଡ ଅଜୟ କୁମାରଙ୍କୁ ସାକ୍ଷାତ କରିଛନ୍ତି।

ନୂଆଦିଲ୍ଲୀ ସୁତ୍ର ଅନୁସାରେ ସମସ୍ତେ ଆସନ୍ତା 17 ତାରିଖରେ ଭୁବନେଶ୍ବରର କଂଗ୍ରେସ ଭବନରେ ସାମଲି ହେବେ ବୋଲି ଜଣାପଡିଛି। ସେଦିନ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହେବ।

ପୂର୍ବରୁ ଗମାଙ୍ଗ ପରିବାର ପୁଣି କଂଗ୍ରେସକୁ ଫେରିବେ ବୋଲି ନିଷ୍ପତି ହୋଇଥିଲା। ହେଲେ କୌଣସି କାରଣରୁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ନୂଆ ପ୍ରଭାରି ଯୋଗଦେବା ପରେ ଏହି ମିଶ୍ରଣ ପକ୍ରିୟାକୁ ତ୍ବରାନିତ କରିଛନ୍ତି।

ତେବେ ପୂର୍ବରୁ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ। ହେଲେ ବିଜେପି ସେମାନଙ୍କୁ ଯେପରି ଗୁରୁତ୍ବ ଦେବା କଥା ତାହା ଦେଲା ନାହିଁ। ଫଳରେ ଉଭୟ ବାପପୁଅ ବିଜେପିରେ ଅତିଷ୍ଠ ହୋଇ ସେଠାରୁ ଇସ୍ତଫା ଦେଇଥିଲେ।

ଏହାପରେ ଉଭୟ ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେଇଥିଲେ। ହେଲେ ସେହି ଦଳରେ ମଧ୍ୟ କିଛି ନ ହେବାରୁ ବର୍ତ୍ତମାନ ଘର ବାହୁଡା ହେବା ପାଇଁ ଗମାଙ୍ଗ ପରିବାର ଅପେକ୍ଷା କରିଛନ୍ତି।

ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ଏହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ସେଥିପାଇଁ ନୂଆ ପ୍ରଭାରୀ ଭାବେ ଡ. ଅଜୟ କୁମାରଙ୍କୁ ନିଯୁକ୍ତି କରାଯାଇଛି। ସେ ଦାୟିତ୍ବ ନେବା ପରେ ପୁରୁଣା କଂଗ୍ରେସ ନେତାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଆରଏସ ଓ ବିଜେପିରେ ବିଫଳ ହେବା ପରେ ପୁଣି କଂଗ୍ରେସକୁ ଫେରିବେ ଗମାଙ୍ଗ ବାପପୁଅ !

ଭୁବନେଶ୍ବର: ପୁଣି ଥରେ ତାଙ୍କର ରାଜନୈତିକ ଘର କଂଗ୍ରେସ ଦଳକୁ ଫେରିବେ ଗମାଙ୍ଗ ବାପପୁଅ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଫେରିବେ ବୋଲି ଚାଲିଛି ଜୋରଦାର ଚର୍ଚ୍ଚା। ସେଥିପାଇଁ ଉଭୟ କୁଆଡେ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ବୋଲି ଜଣାପଡିଛି। ହେଲେ ରାହୁଳ ଗାନ୍ଧି ସାଂସଦ ପଦ ଫେରିବା ମାମଲାରେ ବ୍ୟସ୍ତ ରହୁଥିବାର ତାଙ୍କର ଦେଖା ମିଳିପାରି ନାହିଁ।

ଏମାନେ କଂଗ୍ରେସର ଯୋଗ ନେବା ନେଇ ଦଳର କେତେକ ନେତା କୁଆଡେ ସମର୍ଥନ ମଧ୍ୟ କରୁଛନ୍ତି। ମୁଖ୍ୟତଃ ଶରତ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଗିରିଧର ଗମାଙ୍ଗ କଂଗ୍ରେସରେ ବେଶ ଭଲ ପରିଚୟ ରହିଛି ଏବଂ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ କଂଗ୍ରେସ ତାଙ୍କୁ ନିଶ୍ଚିତ ଗୁରୁତ୍ବ ଦେବ। ସେହି ଆଶାରେ ଏହି ଗୋଷ୍ଠୀ ଗମାଙ୍ଗ କଂଗ୍ରେସରେ ଯୋଗ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଯଦି ସବୁ ଠିକଠାକ୍ ହୁଏ ତେବେ ଗମାଙ୍ଗ ବାପପୁଅ ଏହି ମାସରେ କଂଗ୍ରେସରେ ସାମିଲ ହେବେ।

ନିକଟରେ ଉଭୟ ବିଜେପିରୁ ଇସ୍ତଫା ଦେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତୀୟ ରାଷ୍ଟ୍ରୀୟ ସମିତିରେ ଯୋଗଦେଇ ଥିଲେ। ତାଙ୍କ ସହିତ କେତେକ ପୁରୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକଙ୍କୁ ମଧ୍ୟ ସାମିଲ ହୋଇଥିଲେ। ଏହାପରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ବ୍ୟତିତ ଏହି ଦଳ ତରଫରୁ ଆଉ କିଛି ହୋଇପାରିଲା ନାହିଁ।

ବିଶେଷ ସୁତ୍ର ଅନୁସାରେ ଗିରିଧର ଗମାଙ୍ଗ ବିଆରଏସ ରେ ଯୋଗ ଦେବା ପରେ ତାଙ୍କ ବିରୋଧରେ କୁଆଡେ ବିଭିନ୍ନ କ୍ଷେତ୍ରରୁ ଚନ୍ଦ୍ରଶେଖରଙ୍କ ପାଖକୁ ଖବର ଗଲା। ସେଥିରେ କୁହାଯାଇଥିଲା ଯେ, ଗିରିଧର ଗମାଙ୍ଗଙ୍କର ଓଡିଶାର ଆଉ କୌଣସି ଗୁରୁତ୍ବ ନାହିଁ। ତାଙ୍କର ନିଜସ୍ବ ସଂଗଠନ ନାହିଁ। ଏପରିକି ସେ କୌଣସି ସଂଗଠନ କରିପାରିବେ ନାହିଁ। ଓଡିଶାର ଜନସାଧାରଣ ତାଙ୍କ ଉପରେ ଆଉ ଭରସା କରୁ ନାହାଁନ୍ତି।

ଚନ୍ଦ୍ରଶେଖର ଏହି ଖବର ପାଇବା ପରେ ସଂଗଠନ ପାଇଁ ଯେଉଁ ଅର୍ଥ ଦେବା କଥା ତାହା ଦେଲେ ନାହିଁ ବୋଲି ଜଣାପଡିଛି। ଏପରିକି ସେ ଗିରିଧର ଗମାଙ୍ଗ ସହିତ ଆଉ ଯୋଗାଯୋଗ ମଧ୍ୟ କଲେ ନାହିଁ। ଏପରି ପରିସ୍ଥିତିରେ ଗମାଙ୍ଗ ବିଆରଏସରୁ ମୁହଁ ଫେରାଇ ନେଇ ସେ ତାଙ୍କର ସେହି ପୁରୁଣା ଘରକୁ ଫେରିବା ପାଇଁ ଦିଲ୍ଲୀରେ ଲବି ଆରମ୍ଭ କରିଛନ୍ତି।

କଂଗ୍ରେସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଏହି ଗମାଙ୍ଗ ବାପପୁଅ ୨୦୧୫ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ହେଲେ ପରବର୍ତ୍ତି ସମୟରେ ଏହି ଦୁଇଜଣଙ୍କ ଉପରେ ବିଜେପି କୌଣସି ଭରସା କରିପାରିଲା ନାହିଁ। ଫଳରେ ଉଭୟ ବିଜେପିରେ କଣଠୋସା ହୋଇପଡି ରହିଥିଲେ। ବର୍ତ୍ତମାନ ବିଜେପି ଏବଂ ବିଆରଏସରରୁ ବିଫଳ ହେବା ପରେ ଏବେ ଘରବାହୁଡା ପାଇଁ ଉଭୟ ବାପପୁଅ ଉଦ୍ୟମ ଜାରି ରଖିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଏପରି ଏକ ଅନାସ୍ଥା ପ୍ରସ୍ତାବ ଯାହା ଆଜି ପର୍ଯ୍ୟନ୍ତ ରହିଛି ଚର୍ଚ୍ଚାରେ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ରରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଯାହାକୁ ବାଚସ୍ପତି ଓମ୍‍ ବିରଲା ଗ୍ରହଣ କରିନେଇଛନ୍ତି। ଏହା ଉପରେ ଆଲୋଚନା ହେବ। ତେବେ ଅନାସ୍ଥା ପ୍ରସ୍ତାବ ଯୋଗୁଁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରତି କୌଣସି ବିପଦ ନାହିଁ, କିନ୍ତୁ ୧୯୯୯ର କାହାଣୀ ନିଶ୍ଚୟ ସମସ୍ତଙ୍କର ମନେଥିବ। ଗୋଟିଏ ଭୋଟ୍ ବାଜପେୟୀଙ୍କ ୧୩ ମାସର ସରକାରକୁ ଭାଙ୍ଗି ଦେଇଥିଲା। ଏହି ଅନାସ୍ଥା ପ୍ରସ୍ତାବରେ ତତ୍କାଳୀନ କଂଗ୍ରେସ ସାଂସଦ ଗିରିଧର ଗମାଙ୍ଗଙ୍କ ଭୋଟ୍‌କୁ ନେଇ ଆଜି ପର୍ଯ୍ୟନ୍ତ ଆଲୋଚନା ହୋଇଛି।

୧୯୫୨ମସିହାରେ ୩୦ ଜଣ ସାଂସଦଙ୍କ ସମର୍ଥନରେ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରିବ ବୋଲି ନିୟମ ପ୍ରଣୟନ ହୋଇଥିଲା। ତେବେ ପ୍ରଥମ ଓ ଦ୍ୱିତୀୟ ଲୋକସଭାରେ ଗୋଟିଏ ବି ପ୍ରସ୍ତାବ ଆସିନଥିଲା। ତାହା ଥିଲା ୧୯୬୩ ମସିହା। ତୃତୀୟ ଲୋକସଭାରେ ଆଚାର୍ଯ୍ୟ ଜେବି କୃପାଲାନୀ ଜବାହରଲାଲ ନେହେରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ଅନାସ୍ଥା ପ୍ରସ୍ତାବ ଉପରେ ୪ ଦିନରେ ୨୧ ଘଣ୍ଟା ଧରି ବିତର୍କ ହୋଇଥିଲା। ଏଥିରେ ୪୦ ଜଣ ସାଂସଦ ଅଂଶଗ୍ରହଣ କରିଥିଲେ। ଏହାର ଜବାବରେ ନେହେରୁ କହିଥିଲେ, ‘ଅନାସ୍ଥା ପ୍ରସ୍ତାବର ଉଦ୍ଦେଶ୍ୟ ଶାସକ ଦଳକୁ ସରକାରରୁ ହଟାଇବା ହେବା ଉଚିତ। ସାମ୍ପ୍ରତିକ ପରିସ୍ଥିତିରେ ସେଭଳି କୌଣସି ଆଶା ବା ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ହୋଇଛି। ତଥାପି ଏହି ବିତର୍କ ଅନେକ ଦୃଷ୍ଟିକୋଣରୁ ବେଶ୍ ଆକର୍ଷଣୀୟ। ମୁଁ ଭାବୁଛି ଏହା ମଧ୍ୟ ଲାଭଦାୟକ … ବ୍ୟକ୍ତିଗତ ଭାବେ ମୁଁ ଏହି ପ୍ରସ୍ତାବ ଓ ବିତର୍କକୁ ସ୍ୱାଗତ କରୁଛି।’

ଅବିଶ୍ୱାସ ଏକ ଭଲ କଥା…

ସେତେବେଳେ ନେହେରୁ କହିଥିଲେ ଯେ ମୁଁ ଭାବୁଛି ଯଦି ସମୟ ସମୟରେ ଏଭଳି ପରୀକ୍ଷା କରାଯାଏ ତେବେ ଏହା ଏକ ଭଲ କଥା ହେବ। ତାଙ୍କ କଥା ସତ ହେଲା ଏବଂ ଏହାର ବର୍ଷକ ପରେ ୧୯୬୪ରେ ପରବର୍ତ୍ତୀ ଅନାସ୍ଥା ପ୍ରସ୍ତାବ ଆସିଲା। ସ୍ୱାଧୀନ ସାଂସଦ ଏନସି ଚାଟାର୍ଜୀ ଲାଲ ବାହାଦୁର ଶାସ୍ତ୍ରୀ ସରକାରଙ୍କ ବିରୋଧରେ ଏକ ପ୍ରସ୍ତାବ ଆଗତ କରିଥିଲେ। ୧୯୬୪ରୁ ୧୯୭୫ ମଧ୍ୟରେ ଲୋକସଭାରେ ୧୫ଟି ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ବିତର୍କ ହୋଇଥିଲା।

ଏପରିକି ଇନ୍ଦିରାଙ୍କ ବିରୋଧରେ ଅନାସ୍ଥା ଆସିଥିଲା

ଶାସ୍ତ୍ରୀଙ୍କ ବିରୋଧରେ ୩ଟି ଏବଂ ଇନ୍ଦିରା ଗାନ୍ଧୀ ସରକାରଙ୍କ ବିରୋଧରେ ୧୨ଟି ଅନାସ୍ଥା ପ୍ରସ୍ତାବ ଆସିଥିଲା। ୧୯୮୧ରୁ ୧୯୮୨ ମଧ୍ୟରେ ଇନ୍ଦିରାଙ୍କୁ ଆଉ ତିନୋଟି ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡ଼ିଥିଲା। ହେଲେ ସରକାର ଭାଙ୍ଗିବାରେ କେହି ସଫଳ ହୋଇନଥିଲେ।

ବାଜପେୟୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ

୧୯୭୯ରେ ପ୍ରଥମ ଥର ପାଇଁ ମୋରାରଜୀ ଦେଶାଇଙ୍କ ସରକାର ଅନାସ୍ଥା ପ୍ରସ୍ତାବଦ୍ୱାରା ଭାଙ୍ଗିଯାଇଥିଲା। ୱାଇବି ଚୌହାନ ଏହି ପ୍ରସ୍ତାବ ଆଣିଥିଲେ। ଦୁଇ ଦିନ ଧରି ୯ ଘଣ୍ଟା ଧରି ବିତର୍କ ହୋଇଥିଲା ଏବଂ ଦେଶାଇ ଇସ୍ତଫା ଦେଇଥିଲେ। ୧୯୮୭ ମସିହାରେ ରାଜୀବ ଗାନ୍ଧିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ପିଭି ନରସିଂହ ରାଓ ସରକାର ବିରୋଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ଯଶବନ୍ତ ସିଂହ ଆଗତ କରିଥିବାବେଳେ ଦ୍ୱିତୀୟ ପ୍ରସ୍ତାବ ଅଟଳ ବିହାରୀ ବାଜପେୟୀ ଆଗତ କରିଥିଲେ।

ଅନାସ୍ଥା ପ୍ରସ୍ତାବର ସେହି କାହାଣୀ ସବୁବେଳେ ସ୍ମରଣୀୟ ରହିବ

୧୯୯୮ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିନଥିଲା। ସେତେବେଳେ ଏଆଇଏଡିଏମକେ ସମର୍ଥନରେ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିଥିଲା। କିନ୍ତୁ ୧୩ ମାସ ପରେ ଜୟଲଳିତା ତାଙ୍କ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ, ଯାହା ପରେ ବାଜପେୟୀ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା। ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସରକାରଙ୍କୁ କହିଛନ୍ତି ରାଷ୍ଟ୍ରପତି। ବିଏସପି ସୁପ୍ରିମୋ ମାୟାବତୀ ମତଦାନରେ ଭାଗ ନେବେ ନାହିଁ ବୋଲି କହିଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ମାୟାବତୀ ଗୃହକୁ ଯାଇ ସରକାର ବିରୋଧରେ ଭୋଟ୍ ଦେଇଥିଲେ।

ମତଦାନରେ ସରକାର ଗୋଟିଏ ଭୋଟରେ ହାରିଥିଲେ ଏବଂ ସରକାର ଭାଙ୍ଗି ଯାଇଥିଲା। ସରକାର ଗୋଟିଏ ଭୋଟରେ ଭାଙ୍ଗି ଯିବ ବୋଲି କେହି ଆଶା କରିନଥିଲେ ଏବଂ ଯେତେବେଳେ ଏହା ଘଟିଲା ସେତେବେଳେ କଂଗ୍ରେସ ସାଂସଦ ତଥା ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ହଠାତ୍ ଚର୍ଚ୍ଚାକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଭୋଟ୍ ଦେଇଥିଲେ, ଯାହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା ଏବଂ ବିଜେପି ମଧ୍ୟ ଏହାକୁ ବହୁତ ସମାଲୋଚନା କରିଥିଲା।

ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥାଇ ଅନାସ୍ଥା ପ୍ରସ୍ତାବରେ ସରକାର ବିରୋଧରେ ଭୋଟ୍ ଦେଇଥିଲେ

ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ବାଜପେୟୀ ସରକାର ବିରୋଧରେ ଭୋଟ୍ ଦେଇଥିବା ଗିରିଧର ଗମାଙ୍ଗଙ୍କ ଏହି ପଦକ୍ଷେପକୁ ନେଇ ଏବେବି ଚର୍ଚ୍ଚା ହେଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ୧୯ ମସିହା ଏପ୍ରିଲ ୧୭ ତାରିଖରେ ବାଜପେୟୀ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟରେ ସେ ଭାଗ ନେଇଥିଲେ। ଦୁଇ ମାସରୁ ଅଧିକ ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ଗମାଙ୍ଗ ଭୋଟ ବିଭାଜନରେ ଭାଗ ନେଇଥିବାରୁ ବିବାଦ ଉପୁଜିଥିଲା।

ଏତେଦିନ ପରେ ମଧ୍ୟ ଗମାଙ୍ଗ ଲୋକସଭାରୁ ଇସ୍ତଫା ଦେଇନଥିଲେ ଏବଂ କଂଗ୍ରେସ ସାଂସଦ ଥିଲେ । ଏହାର ଫାଇଦା ଉଠାଇ ସେମାନେ ୧୩ ମାସର ଏନଡିଏ ସରକାର ବିରୋଧରେ ଭୋଟ୍ ଦେଇଥିଲେ। ସେହି ସମୟରେ ବାଜପେୟୀ ସରକାର ମାତ୍ର ଗୋଟିଏ ଭୋଟରେ ପଡ଼ିଥିଲା। ଗମାଙ୍ଗଙ୍କ ମତଦାନରେ ଅଂଶଗ୍ରହଣକୁ ବିଜେପି ବିରୋଧ କରିଥିଲା। କଥା ହେଉଛି ଯେ ଯେତେବେଳେ ଗମାଙ୍ଗ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ମଧ୍ୟ ସାଂସଦ ଥିଲେ। ସେ ବିଧାୟକ ନ ଥିଲେ ଏବଂ ନିୟମ ଅନୁଯାୟୀ ତାଙ୍କୁ ୬ ମାସ ମଧ୍ୟରେ ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ବଢ଼ାଇବାକୁ ପଡ଼ିଥିଲା। ଗମାଙ୍ଗ ସାଂସଦ ପଦରୁ ଇସ୍ତଫା ଦେଇନଥିଲେ।

ଯେତେବେଳେ ବିମାନ ବନ୍ଦରରେ ଗମାଙ୍ଗ ବାଜପେୟୀଙ୍କ ମୁହାଁମୁହିଁ ହୋଇଥିଲେ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଚଳିତ ବର୍ଷ ଜାନୁଆରି ମାସରେ ବିଜେପିରୁ ବିଆରଏସରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ୨୦୧୫ରେ ଗିରିଧିର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ମଜାର କଥା ହେଲା, ୧୯୯୯ରେ ଯେତେବେଳେ ନିର୍ବାଚନ ହୋଇଥିଲା ସେତେବେଳେ ଏନଡିଏକୁ ବହୁମତ ମିଳିଥିଲା ଏବଂ ଅଟଳ ବିହାରୀ ବାଜପେୟୀ ପରବର୍ତ୍ତୀ ୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରହିଥିଲେ।

୧୯୯୯ ମସିହା ଅକ୍ଟୋବର ମାସରେ ବାତ୍ୟାରେ ଅନେକ ଲୋକ ପ୍ରାଣ ହରାଇ ଥିଲେ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓଡ଼ିଶା ଆସି ସ୍ଥିତି ଅନୁଧ୍ୟାନ କରିଥିଲେ।ମୁଖ୍ୟମନ୍ତ୍ରୀ ଭାବରେ ଗମାଙ୍ଗ ଅଟଳଜୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ଗମାଙ୍ଗଙ୍କ ମନରେ ଅନେକ ପ୍ରଶ୍ନ ଥିଲା, କିନ୍ତୁ ବାଜପେୟୀ ବିମାନରୁ ଓହ୍ଲାଇବା ମାତ୍ରେ ଗମାଙ୍ଗଙ୍କ ଉପରେ ହସିବା ଆରମ୍ଭ କରିଥିଲେ। ଏହାପରେ ଦୁଇ ନେତା ମଧ୍ୟ ଦୀର୍ଘ ସମୟ ଧରି କଥା ହୋଇଥିଲେ।

କେମିତି ଅନାସ୍ଥା ପ୍ରସ୍ତାବ ଅଣାଯାଇଛି ଏବଂ କେତେଥର

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ହେଲେ ୫୦ଜଣ ସାଂସଦଙ୍କ ଆବଶ୍ୟକତା ରହିଛି। ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ସଦସ୍ୟଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ରହିଛି। ଏପର୍ଯ୍ୟନ୍ତ ଲୋକସଭାରେ ୨୭ଥର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଶେଷଥର ପାଇଁ ୨୦୧୮ ଜୁଲାଇରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଏବଂ ତାହା ଭୁଶୁଡ଼ି ପଡ଼ିଥିଲା। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଓ ବିପକ୍ଷରେ ୩୨୫ ଭୋଟ୍ ପଡ଼ିଥିଲା। ମଣିପୁର ପ୍ରସଙ୍ଗରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ପଶିଲା ନୂଆ ରାଜନୈତିକ ଦଳ ବିଆରଏସ, ଯୋଗଦେଲେ ବହୁ ଓଡିଆ ନେତା

ଭୁବନେଶ୍ବର: ଓଡିଶାର ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଉପରେ ବାକିଥିବା ବେଳେ ବର୍ତ୍ତମାନଠାରୁ ରାଜନୀତି ହଲଚଲ ହେଲାଣି। ଏଥର ଓଡିଶା ରାଜନୀତିରେ ପ୍ରବେଶ କରିଛି ଏକ ନୂଆ ଦଳ ବିଆରଏସ। ଏହା ହେଉଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ବାରା ପ୍ରତିଷ୍ଠିତ ଭାରତ ରାଷ୍ଟ୍ର ସମିତି ବା ବିଆରଏସ। ଏହି ଦଳ ଆଗାମୀ ନିର୍ବାଚନରେ ଲଢେଇ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ସେଥିପାଇଁ ଶୁକ୍ରବାର ଦିନ ହାଇଦ୍ରାବାଦରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଓଡିଶାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ସହିତ ବହୁ ନେତା ବିଆରଏସ ରେ ସାମିଲ ହୋଇଛନ୍ତି। ସେମାନେ ହେଲେ ତାଙ୍କ ପୁତ୍ର ଶିଶିର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ, ପୂର୍ବତନ ବିଧାୟକ ନବୀନ ନନ୍ଦ, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କୃଷକ ନେତା ଅକ୍ଷୟ କୁମାର ପ୍ରମୁଖ ଯୋଗଦେଇଛନ୍ତି।

ସେହିପରି ଏହି ଦଳରେ ରାମଚନ୍ଦ୍ର ହାଁସଦା, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ଚାଷୀ ନେତା ଶେଷଦେବ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମଧ୍ୟ ଯୋଗ ଦେଇଛନ୍ତି। ଓଡ଼ିଶାରୁ ପ୍ରାୟ ୩୦ ଜଣ ନେତା ବିଆରଏସରେ ସାମିଲ ହୋଇଛନ୍ତି। ଫଳରେ ଏହାକୁ ନେଇ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ଏହି ନେତାମାନେ ଭୁବନେଶ୍ବରରୁ ଯିବା ପାଇଁ କେସିଆର ବା କେ ଚନ୍ଦ୍ରଶେଖର ରାଓ ଏକ ସ୍ବତନ୍ତ୍ର ବିମାନ ପ୍ରେରଣ କରିଥିଲେ। ଏଥିରେ ପ୍ରାୟ ତିରିଶିରୁ ଅଧିକ ନେତା ଓଡିଶାରୁ ଯାଇଥିଲେ। ସେମାନଙ୍କୁ କେସିଆର ବିଧିବଧ ଭାବେ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳର ପ୍ରାଥମିକ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ଏହି ନେତାମାନେ ଆଗାମୀ ଦିନରେ ଓଡିଶାରେ ଦଳକୁ ମଜବୁତ କରିବା ପାଇଁ କାମ ଆରମ୍ଭ କରିବେ।

ତେବେ ଏହି ଦଳ ଓଡିଶାରେ କେତେ ପ୍ରଭାବ ପକାଇବ ତାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହେଲାଣି। ବିଭିନ୍ନ ସମୀକ୍ଷକଙ୍କ ମତରେ ବିଆରଏସ ସାରା ଓଡିଶାରେ କୌଣସି ପ୍ରଭାବ ବିସ୍ତାର କରିପାରିବ ନାହିଁ। ହେଲେ ଦକ୍ଷିଣ ଓଡିଶାରେ ବିଶେଷ କରି ତେଲୁଗୁ ଭାଷାଭାଷୀ ଜିଲ୍ଲାରେ ଏହାର କିଛି ମାତ୍ରାରେ ପ୍ରଭାବ ପଡିବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି ଛାଡିଲେ ଗିରିଧର ଏବଂ ଶିଶିର ଗମାଙ୍ଗ, ନେଲେ ନୂଆ ନିଷ୍ପତି

ଭୁବନେଶ୍ବର: ପୂର୍ବରୁ ଯେଉଁ ଚର୍ଚ୍ଚା ଚାଲିଥିଲା, ତାହା ଆଜି ସତ ହୋଇଛି। ଶେଷରେ ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ। ଏଥିସହିତ ସହିତ ତାଙ୍କ ପୁତ୍ର ଶିଶିର ଗମାଙ୍ଗ ମଧ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବାପପୁଅ ଇସ୍ତଫା ଦେଇଥିବା କଥାକୁ ସ୍ପଷ୍ଟ କରିଛନ୍ତି। ସେମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି ବୋଲି କହିଛନ୍ତି।

ତେବେ ଉଭୟ ଏକ ଜାତୀୟ ଦଳରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ସେହି ଦଳର ନାମ କହି ନ ଥିଲେ ମଧ୍ୟ ସେମାନେ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ରୀୟ ସମିତିରେ ଯୋଗ ଦେବେ। କାରଣ ପୂର୍ବରୁ ଉଭୟ ଗିରିଧର ଏବଂ ଶିଶିର କେସିଆରଙ୍କୁ ସାକ୍ଷାତ କରି ଓଡିଶାରେ ତାଙ୍କ ଦଳକୁ ପ୍ରବେଶ କରାଇବେ ବୋଲି ନିଷ୍ପତି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ଫୋକସରେ କେସିଆରଙ୍କ ମହାସମାବେଶ, ଓଡିଶା ନେତାଙ୍କ ଯୋଗଦାନ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ତେଲେଙ୍ଗାନାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା। ଏହି ନିର୍ବାଚନରେ ଚଳିତ ଥର ଶାସକ ଦଳ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ବା ବିଆରଏସ କୁ କଡ଼ା ଚ୍ୟାଲେଞ୍ଜ ସମ୍ମୁଖୀନ ହେବାକୁ ପଡିବ। କାରଣ ଏଥର ବିଜେପି ତେଲେଙ୍ଗାନା ରାଜ୍ୟକୁ ମୁଖ୍ୟ ଫୋକସରେ ରଖିଛି। ସେଥିପାଇଁ ରାଜ୍ୟରେ ରାଜନୀତି ବେଶ ଗରମ ହେବାରେ ଲାଗିଛି।

ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ଆସନ୍ତା ଅଠର ତାରିଖରେ ଖମ୍ମା ଠାରେ ଏକ ବିଶାଳ ସମାବେଶର ଆୟୋଜନ କରୁଛନ୍ତି।  ବିଆରଏସର ଏହି ସମ୍ମିଳନୀକୁ ଜାତୀୟ ରାଜନୀତି ମଧ୍ୟ ନଜରରେ ରଖିଛି। କାରଣ କେସିଆରଙ୍କ ଏହି ମେଗା ସୋ ମାଧ୍ୟମରେ ଜାତୀୟ ରାଜନୀତିରେ ଦଳର ପ୍ରତିଷ୍ଠା ଜାହିର କରିବେ ବୋଲି କୁହାଯାଇଛି।

ସବୁଠାରୁ ବଡ କଥା ହେଲା କେସିଆରଙ୍କ ଏହି ସମ୍ମିଳନୀରେ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି।  କେସିଆରଙ୍କ ସହିତ ତିନି ମୁଖ୍ୟମନ୍ତ୍ରୀ – ପିନାରାଇ ଭାଇଜାନ, ଅରବିନ୍ଦ କେଜ୍ରିୱାଲ, ଏବଂ ଭଗବନ୍ତ ସିଂ ମନ୍  ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମେତ ଅନ୍ୟ ଅନେକ ଜାତୀୟ ନେତା ମଧ୍ୟ ଯୋଗଦେବେ। ଫଳରେ ଏହା ଜାତୀୟ ରାଜନୀତିକୁ ବେଶ୍ ସରଗରମ କରିବ ବୋଲି ଆଶା କରାଯାଉଛି।

ସେହିପରି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ ମଧ୍ୟ ଏହି ସମାବେଶରେ ଯୋଗଦେଉଛନ୍ତି ବୋଲି ଜଣାପଡିଛି। କାରଣ ଗତ ଶୁକ୍ରବାର ଦିନ ହାଇଦ୍ରାବାଦର ପ୍ରଗତି ଭବନରେ କେ.ସି.ଆର ଙ୍କ ସହିତ ସେ ସାକ୍ଷାତ କରିଛନ୍ତି। ଏଥିରେ ତାଙ୍କ ପୁଅ ଶିଶିର ଗମାଙ୍ଗ ଏବଂ ଅନ୍ୟମାନେ ମଧ୍ୟ କେସିଆରଙ୍କୁ ସାକ୍ଷାତ କରିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଓଡିଶାର ଅନ୍ୟତମ ନେତା ଜୟରାମ ପାଙ୍ଗୀ ମଧ୍ୟ କେସିଆରଙ୍କୁ ସାକ୍ଷାତ କରିଛନ୍ତି। ଏହି ତିନି ନେତା ଖମ୍ମାରେ ହେବାକୁ ଥିବା ସମ୍ମିଳନୀରେ ମଧ୍ୟ ଯୋଗ ଦେଉଛନ୍ତି ବୋଲି ଜଣାପଡିଛି।

ଚର୍ଚ୍ଚା ଅନୁସାରେ ଓଡିଶାର ଏହି ତିନି ନେତା ବିଜେପିରୁ ଇସ୍ତଫା ଦେଇ ସେହି ଖମ୍ମା ସମାବେଶରେ ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ। ଏ ନେଇ କେସିଆର ତିନି ନେତାଙ୍କ ସହିତ ବିସ୍ତୁତ ଆଲୋଚନା ମଧ୍ୟ କରିଛନ୍ତି। ଓଡିଶାରେ ବିଆରଏସ କୁ ସୁଦୃଢ କରିବା ପାଇଁ ଏମାନେ କେସିଆରଙ୍କୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ଏହି ତିନି ନେତା ବିଜେପିରୁ କଣଠୋସା ହୋଇ ରହିଛନ୍ତି। ସେଥିପାଇଁ ସେମାନେ କେସିଆରଙ୍କ ସହିତ ହାତ ମିଳାଇ ପାରନ୍ତି ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ କାହିଁକି ଭେଟିଲେ ଗିରିଧର ଗମାଙ୍ଗ

ଭୁବନେଶ୍ବର: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି ବା ବିଆରଏସ ପ୍ରତିଷ୍ଠାତା କେ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧମ ଗମାଙ୍ଗ। ସେ ଏକା ନୁହଁନ୍ତି ତାଙ୍କ ପୁତ୍ର ଶିଶିର ଗମାଙ୍ଗ ମଧ୍ୟ  ତାଙ୍କୁ ସାକ୍ଷାତ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଗିରିଧର ସାକ୍ଷାତ କରିବା କିଛି ଭୁଲ ନୁହେଁ। ହେଲେ ଏହାକୁ ନେଇ ରାଜନୀତି ପାଣିପାଗ ସରଗରମ ହୋଇଛି।

ସ୍ପଷ୍ଟ ହୋଇଛି ଯେ, ଆସନ୍ତା ନିର୍ବାଚନ ପାଇଁ ଗିରିଧର ଓଡିଶାରେ ବିଆରଏସ ର ମଙ୍ଗ ଧରିବେ। ଏ ନେଇ ତାଙ୍କ ପୁତ୍ର ଶିଶିର ଗମାଙ୍ଗ ସ୍ପଷ୍ଟ ଭାବେ ସୂଚନା ଦେଇ ସାରିଛନ୍ତି। ଉଭୟ ବାପପୁଅ ବିଜେପିରୁ ଇସ୍ତଫା ଦେବେ ବୋଲି ମଧ୍ୟ ଶିଶିର ପରୋକ୍ଷରେ ତାଙ୍କ କର୍ମିଙ୍କୁ କହି ସାରିଛନ୍ତି। ଏ ନେଇ ସେ ଆହୁରି କହିଛନ୍ତି ଯେ, ଖୋଦ ଚନ୍ଦ୍ରଶେଖର ଭୁବନେଶ୍ବର ଆସି ଏକ ବିରାଟ ସମ୍ମିଳନୀରେ ଉଦବୋଧନ ଦେବେ।

ଶିଶିର ଗମାଙ୍ଗ ଯେତେବେଳେ ସ୍ପଷ୍ଟ ସୂଚନା ଦେଇସାରିଛନ୍ତି ତେବେ ଏହା ନିଶ୍ଚିତ ଯେ, ଆଗାମୀ ବିଧାନ ସଭା ନିର୍ବାଚନରେ ଓଡିଶାରେ ଏକ ନୂଆ ଦଳର ଅଭ୍ୟୁଦୋୟ ହେବ। ତେବେ ଗିରିଧର ଗମାଙ୍ଗଙ୍କ ନେତୃତ୍ବରେ ସେହି ଦଳ କେତେ ଲୋକପ୍ରିୟତା ହାସଲ କରିବ  ତାହା ଭିନ୍ନ କଥା। ହେଲେ ଅନ୍ୟ ଦଳ ବା ବିଜେପି ପାଇଁ ଏହା ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଅନୁମାନ କରି ହେଉଛି।

ବର୍ତ୍ତମାନ ଗିରିଧର ଏବଂ ଶିଶିର ବିଜେପିରେ ଥିଲେ ମଧ୍ୟ ନାହିଁନ୍ତି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଦଳର କୌଣସି ସଂଗଠାନିକ କାର୍ଯ୍ୟରେ ବାପପୁଅଙ୍କ ଭାଗୀଦାରୀ ନାହିଁ ବା ଭାଗୀଦିରୀ ହେବା ପାଇଁ କେହି ଲୋଡୁ ନାହାଁନ୍ତି। ବିଜେପିରେ ଯେତେବେଳେ ବିଜୟ ମହାପାତ୍ରଙ୍କ ପରି ଦକ୍ଷ ତଥା ଟାଣୁଆ ନେତା, ନିଷ୍କ୍ରିୟ, ସେତେବେଳେ ଏହି ବାପପୁଅଙ୍କ ସ୍ଥିତି  ଯେ ଭଲ ହେବ ତାହା ଭାବିବା ଭୂଲ।

ବିଜେପିରେ ଗିରିଧର ଶିଶିର କଣଠୋସା ହୋଇ ରହିଥିବାରୁ ସେମାନେ ନୂଆ ଶିକାର ସନ୍ଧାନରେ ଅଛନ୍ତି। କାରଣ ଓଡିଶାରେ ଯେଉଁ ଦଳ ବର୍ତ୍ତମାନ ଅଛନ୍ତି ଏହି ବାପପୁଅଙ୍କ ପାଇଁ  ସବୁ ଦ୍ବାର ବନ୍ଦ ହୋଇଯାଇଛି। ବିଜେପି ଛାଡିଲେ ଏହି ବାପପୁଅଙ୍କୁ ବିଜେଡି କୋଳେଇବା ସମ୍ଭାବନା ନାହିଁ। ସେହିପରି ସେମାନେ ଯେତେବେଳେ କଂଗ୍ରେସ ଛାଡିଛନ୍ତି ଆଉ ଘରବାହୁଡା ମଧ୍ୟ ହୋଇପାରିବ ନାହିଁ। ଫଳରେ ଗିରିଧର ଶିଶିର ଏକ ନୂଆ ଦଳକୁ ଓଡିଶା ଆଣି ନିଜକୁ ପ୍ରତିଷ୍ଠିତ କରାଇବା ଚେଷ୍ଠାରେ ଅଛନ୍ତି।