କଂଗ୍ରେସରେ ମିଶିବେ ଗମାଙ୍ଗ ପରିବାର ଏବଂ ସଂଜୟ ଭୋଇ, ତାରିଖ ହେଲା ନିର୍ଦ୍ଧାରିତ

Published: Jan 14, 2024, 6:01 pm IST
Gamang

ଭୁବନେଶ୍ବର: ଶେଷରେ କଂଗ୍ରେସରେ ମିଶିବେ ଗମାଙ୍ଗ ପରିବାର। ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ତଥା ପୂର୍ବତନ ବିଧାୟକ ହେମା ଗମାଙ୍ଗ ଏବଂ ପୁତ୍ର ଶିଶିର ଗମାଙ୍ଗ। ଏଥିସହିତ ପୂର୍ବତନ ସାଂସଦ ସଂଜୟ ଭୋଇ ମଧ୍ୟ କଂଗ୍ରେସରେ ସାମିଲ ହେବେ। ଗତକାଲି ସମସ୍ତେ ନୂଆ ଦିଲ୍ଲୀରେ ଓଡିଶା ପ୍ରଭାରୀ ଡ ଅଜୟ କୁମାରଙ୍କୁ ସାକ୍ଷାତ କରିଛନ୍ତି।

ନୂଆଦିଲ୍ଲୀ ସୁତ୍ର ଅନୁସାରେ ସମସ୍ତେ ଆସନ୍ତା 17 ତାରିଖରେ ଭୁବନେଶ୍ବରର କଂଗ୍ରେସ ଭବନରେ ସାମଲି ହେବେ ବୋଲି ଜଣାପଡିଛି। ସେଦିନ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହେବ।

ପୂର୍ବରୁ ଗମାଙ୍ଗ ପରିବାର ପୁଣି କଂଗ୍ରେସକୁ ଫେରିବେ ବୋଲି ନିଷ୍ପତି ହୋଇଥିଲା। ହେଲେ କୌଣସି କାରଣରୁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ନୂଆ ପ୍ରଭାରି ଯୋଗଦେବା ପରେ ଏହି ମିଶ୍ରଣ ପକ୍ରିୟାକୁ ତ୍ବରାନିତ କରିଛନ୍ତି।

ତେବେ ପୂର୍ବରୁ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ। ହେଲେ ବିଜେପି ସେମାନଙ୍କୁ ଯେପରି ଗୁରୁତ୍ବ ଦେବା କଥା ତାହା ଦେଲା ନାହିଁ। ଫଳରେ ଉଭୟ ବାପପୁଅ ବିଜେପିରେ ଅତିଷ୍ଠ ହୋଇ ସେଠାରୁ ଇସ୍ତଫା ଦେଇଥିଲେ।

ଏହାପରେ ଉଭୟ ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେଇଥିଲେ। ହେଲେ ସେହି ଦଳରେ ମଧ୍ୟ କିଛି ନ ହେବାରୁ ବର୍ତ୍ତମାନ ଘର ବାହୁଡା ହେବା ପାଇଁ ଗମାଙ୍ଗ ପରିବାର ଅପେକ୍ଷା କରିଛନ୍ତି।

ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ଏହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ସେଥିପାଇଁ ନୂଆ ପ୍ରଭାରୀ ଭାବେ ଡ. ଅଜୟ କୁମାରଙ୍କୁ ନିଯୁକ୍ତି କରାଯାଇଛି। ସେ ଦାୟିତ୍ବ ନେବା ପରେ ପୁରୁଣା କଂଗ୍ରେସ ନେତାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

Related posts