ଓଡିଶାରେ ପଶିଲା ନୂଆ ରାଜନୈତିକ ଦଳ ବିଆରଏସ, ଯୋଗଦେଲେ ବହୁ ଓଡିଆ ନେତା

Published: Jan 28, 2023, 7:45 am IST
BRS

ଭୁବନେଶ୍ବର: ଓଡିଶାର ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଉପରେ ବାକିଥିବା ବେଳେ ବର୍ତ୍ତମାନଠାରୁ ରାଜନୀତି ହଲଚଲ ହେଲାଣି। ଏଥର ଓଡିଶା ରାଜନୀତିରେ ପ୍ରବେଶ କରିଛି ଏକ ନୂଆ ଦଳ ବିଆରଏସ। ଏହା ହେଉଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ବାରା ପ୍ରତିଷ୍ଠିତ ଭାରତ ରାଷ୍ଟ୍ର ସମିତି ବା ବିଆରଏସ। ଏହି ଦଳ ଆଗାମୀ ନିର୍ବାଚନରେ ଲଢେଇ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ସେଥିପାଇଁ ଶୁକ୍ରବାର ଦିନ ହାଇଦ୍ରାବାଦରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଓଡିଶାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ସହିତ ବହୁ ନେତା ବିଆରଏସ ରେ ସାମିଲ ହୋଇଛନ୍ତି। ସେମାନେ ହେଲେ ତାଙ୍କ ପୁତ୍ର ଶିଶିର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ, ପୂର୍ବତନ ବିଧାୟକ ନବୀନ ନନ୍ଦ, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କୃଷକ ନେତା ଅକ୍ଷୟ କୁମାର ପ୍ରମୁଖ ଯୋଗଦେଇଛନ୍ତି।

ସେହିପରି ଏହି ଦଳରେ ରାମଚନ୍ଦ୍ର ହାଁସଦା, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ଚାଷୀ ନେତା ଶେଷଦେବ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମଧ୍ୟ ଯୋଗ ଦେଇଛନ୍ତି। ଓଡ଼ିଶାରୁ ପ୍ରାୟ ୩୦ ଜଣ ନେତା ବିଆରଏସରେ ସାମିଲ ହୋଇଛନ୍ତି। ଫଳରେ ଏହାକୁ ନେଇ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ଏହି ନେତାମାନେ ଭୁବନେଶ୍ବରରୁ ଯିବା ପାଇଁ କେସିଆର ବା କେ ଚନ୍ଦ୍ରଶେଖର ରାଓ ଏକ ସ୍ବତନ୍ତ୍ର ବିମାନ ପ୍ରେରଣ କରିଥିଲେ। ଏଥିରେ ପ୍ରାୟ ତିରିଶିରୁ ଅଧିକ ନେତା ଓଡିଶାରୁ ଯାଇଥିଲେ। ସେମାନଙ୍କୁ କେସିଆର ବିଧିବଧ ଭାବେ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳର ପ୍ରାଥମିକ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ଏହି ନେତାମାନେ ଆଗାମୀ ଦିନରେ ଓଡିଶାରେ ଦଳକୁ ମଜବୁତ କରିବା ପାଇଁ କାମ ଆରମ୍ଭ କରିବେ।

ତେବେ ଏହି ଦଳ ଓଡିଶାରେ କେତେ ପ୍ରଭାବ ପକାଇବ ତାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହେଲାଣି। ବିଭିନ୍ନ ସମୀକ୍ଷକଙ୍କ ମତରେ ବିଆରଏସ ସାରା ଓଡିଶାରେ କୌଣସି ପ୍ରଭାବ ବିସ୍ତାର କରିପାରିବ ନାହିଁ। ହେଲେ ଦକ୍ଷିଣ ଓଡିଶାରେ ବିଶେଷ କରି ତେଲୁଗୁ ଭାଷାଭାଷୀ ଜିଲ୍ଲାରେ ଏହାର କିଛି ମାତ୍ରାରେ ପ୍ରଭାବ ପଡିବାର ସମ୍ଭାବନା ରହିଛି।

Related posts