Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବିଳମ୍ବିତ ରାତିରେ ପହଞ୍ଚିଲେ ଅମିତ ଶାହା, ଆଜି ପ୍ରଭୃ ଲିଙ୍ଗରାଜ ଦର୍ଶନ

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରବିବାର ବିଳମ୍ବିତ ରାତ୍ରୀରେ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ତାଙ୍କ ସାଥୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ । ବିମାନବନ୍ଦର ପରିସରରେ ଶ୍ରୀ ଶାହଙ୍କୁ ବିଜେପିର ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଶ୍ରୀ ଶାହଙ୍କ ଆଗମନରେ ଭୁବନେଶ୍ୱର ବିମାନବନ୍ଦର ଉତ୍ସବମୁଖର ହୋଇଛି । ଦଳୀୟ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ, ପ୍ରଶଂସକମାନେ ହାତରେ ତ୍ରିରଙ୍ଗା ଧରିବା ସହ, ପାରମ୍ପରିକ ପୋଷାକ, ଲୋକକଳା, ଗୀତ ନୃତ୍ୟ ସହ ବାଦ୍ୟ ଯନ୍ତ୍ର ବଜାଇ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଶ୍ରୀ ଶାହ ହାତ ହଲାଇ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଛନ୍ତି ।

ଆଜି ଶ୍ରୀ ଶାହ ଶ୍ରାବଣ ମାସର ଶେଷ ସୋମବାରରେ ପ୍ରଥମେ ଲିଙ୍ଗରାଜ ମନ୍ଦିରକୁ ଯାଇ ଦର୍ଶନ କରିବେ । ପରେ କଟକ ଗସ୍ତ କରି ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି କରିବେ । କଟକ ଇନଡ଼ୋର୍ ଷ୍ଟାଡ଼ିୟମରେ ପ୍ରଜାତନ୍ତ୍ରର 75ତମ ବାର୍ଷିକ ଉତ୍ସବରେ ଯୋଗଦେବେ ।

ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ମେ’ଫେୟାର ଠାରେ “ମୋଦି @ 20 : ଡ୍ରିମ୍ସ ମିଟ୍ ଡେଲିଭରି” ପୁସ୍ତକର ପଠନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ ରହିବେ ।

Categories
ଆଜିର ଖବର ଜାତୀୟ ଖବର

ଆଜି ସ୍ୱାମୀ ବିବେକାନନ୍ଦଙ୍କ ମୃତ୍ୟୁ ବାର୍ଷିକୀରେ ଉପରାଷ୍ଟ୍ରପତି, ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୂଆଦିଲ୍ଲୀ, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଆଜି ତାଙ୍କ ପୁର୍ଣ୍ଣ୍ୟତିଥିରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ଦେଶର ଅନ୍ୟତମ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ବିବେକାନନ୍ଦ ଜଣେ ଉତ୍ସାହୀ ଜାତୀୟତାବାଦୀ, ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ, ବିଶିଷ୍ଟ ବକ୍ତା ତଥା ଅତୁଳନୀୟ ବୁଦ୍ଧିଜୀବୀ। ସେ ସର୍ବଭାରତୀୟ ଭାଇଚାରା ଏବଂ ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିଲେ।

ଶ୍ରୀ ନାଇଡୁ କହିଛନ୍ତି ଯେ ସ୍ବାମୀ ବିବେକାନନ୍ଦ ମହାନ ଭାରତ ତଥା ଏହାର ସମୃଦ୍ଧ ସଂସ୍କୃତି ପ୍ରତି ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ବିଶିଷ୍ଟ ଜୀବନ ଏବଂ ମୂଲ୍ୟବାନ ଶିକ୍ଷା ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶିକା ହୋଇ ରହିଥାଏ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମୃତ୍ୟୁ ବାର୍ଷିକୀରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ବରଂ ଏକ ଅମର ଚିନ୍ତାଧାରା ଏବଂ ସମୃଦ୍ଧ ଜୀବନଶୈଳୀ। ଗୃହମନ୍ତ୍ରୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ଅସ୍ପୃଶ୍ୟତା ଏବଂ ଜାତିବାଦକୁ ଦେଶ ନିର୍ମାଣରେ ଏକ ପ୍ରମୁଖ ପ୍ରତିବନ୍ଧକ ବୋଲି ବିବେଚନା କରିଥିଲେ। ସେ ଯୁବପିଢିଙ୍କ ମଧ୍ୟରେ ନୂତନ ଚେତନା ଜାଗ୍ରତ କରି ଏକ ଶକ୍ତିଶାଳୀ ଭାରତ ଗଠନରେ ସହଯୋଗ କରିବାକୁ ପ୍ରେରଣା ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପରୀ ମୃତ୍ୟୁ ନେଇ ଅଡୁଆରେ ମନ୍ତ୍ରୀ ଅରୁଣ ସାହୁ, ଗୃହରେ ବିବୃତି ରଖିବେ ଗୃହମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ନୟାଗଡରେ ଜଣେ 5 ବର୍ଷର ଝିଅର ମୃତ୍ୟୁରେ ମନ୍ତ୍ରୀ ପରୋକ୍ଷରେ ସଂପୃକ୍ତ ଅଛନ୍ତି ବୋଲି ଆସିଛି ଅଭିଯୋଗ। ବିଧାନସଭା ଆଗରେ ମୃତ ଝିଅର ବାପାମା ଆତ୍ମହୁତି ଦେବାବେଳେ ଏହି ଘଟଣା ପଦାକୁ ଆସିଛି। ବିଧାନସଭା ଆଗରେ ଏପରି ଘଟଣା ଘଟିବା ପରେ ବିରୋଧୀ ଦଳ ଏହାକୁ ନେଇ ଗୃହରେ ହାଙ୍ଗାମା କରିଥିଲେ। ଫଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏହା ଉପରେ ଉତ୍ତର ରଖିବା ପାଇଁ ବାଚସ୍ପତି ରୁଲିଂ ଜାରି କରିଛନ୍ତି। ସେହି ଅନୁସାରେ ବୁଧୁବାର ଦିନ ଗୃହରେ ବିବୃତି ରଖିବେ ଦିବ୍ୟଶଙ୍କର।

ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଗାଁରେ ଘଟିଛି ଏହି ଘଟଣା।  ଅଶୋକ ସାହୁ ଏବଂ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରି ନେଇଥିଲା । ଏ ନେଇ ଥାନାରେ ଅଭିଯୋଗ କରିଥିଲେ ବାପାମା । ୧୦ଦିନ ପର୍ଯ୍ୟନ୍ତ ଝିଅର କୌଣସି ଖୋଜଖବର ମିଲିଲା ନାହିଁ। ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର ଖଣ୍ଡଖଣ୍ଡ ଗଳିତ ମୃତଦେହ ମିଳିଥିଲା । ପରୀର ଶରୀରରୁ କିଡନୀ ଏବଂ ଆଖି କାଢି ନିଆଯାଇଥିବାର ମଧ୍ୟ ସେମାନେ କହିଛନ୍ତି। ପୁଲିସ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ଜେରା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ ।

ପରୀର ବାପାମାଙ୍କ ଅଭିଯୋଗ ଯେ  ପରୀକୁ କେଉଁମାନେ ମାରିଛନ୍ତି ପୋଲିସ ଜାଣିଛି। ସେ ଲୋକ ହେଉଛି ମନ୍ତ୍ରୀ ଅରୁଣ ସାହୁଙ୍କର ଜଣେ କୁଜି ନେତା। ସେଥିପାଇଁ ପୋଲିସ ତାଙ୍କୁ ଗିରଫ କରୁ ନାହିଁ ବୋଲି ପରୀର ବାପାମା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ପରୀର ପରିବାରଙ୍କୁ ପୋଲିସ କୁଆଡେ ଧମକଚମକ ଦେଉଛି ବୋଲି ସେମାନେ ମଧ୍ୟ ଅଭିଯୋଗ କରିଛନ୍ତି। ଏଥିପାଇଁ ମନ୍ତ୍ରୀ ଅରୁଣ ସାହୁ ଦାୟୀ ବୋଲି ମୃତ ପରୀର ବାପାମା କହିଛନ୍ତି। ତେବେ ଏହି ହତ୍ୟାକାଣ୍ଡର କାରଣ ରାଜନୈତିକ କି ଅନ୍ୟକଣ ତାହା ଜଣାପଡି ନାହିଁ।

ଏହି ଘଟଣାକୁ ନେଇ ବିଧାସଭାରେ ବିରୋଧ ଦେଖାଦେଇଥିବା ବେଳେ ବାହାରେ ମଧ୍ୟ ଏହାକୁ ନେଇ ବେଶ୍ ସରଗରମ ସୃଷ୍ଟି ହୋଇଛି। ଉଭୟ କଂଗ୍ରେସ ଓ ବିଜେପି ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରିଛନ୍ତି।