ପରୀ ମୃତ୍ୟୁ ନେଇ ଅଡୁଆରେ ମନ୍ତ୍ରୀ ଅରୁଣ ସାହୁ, ଗୃହରେ ବିବୃତି ରଖିବେ ଗୃହମନ୍ତ୍ରୀ ଦିବ୍ୟଶଙ୍କର

Published: Nov 24, 2020, 9:57 pm IST

ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ନୟାଗଡରେ ଜଣେ 5 ବର୍ଷର ଝିଅର ମୃତ୍ୟୁରେ ମନ୍ତ୍ରୀ ପରୋକ୍ଷରେ ସଂପୃକ୍ତ ଅଛନ୍ତି ବୋଲି ଆସିଛି ଅଭିଯୋଗ। ବିଧାନସଭା ଆଗରେ ମୃତ ଝିଅର ବାପାମା ଆତ୍ମହୁତି ଦେବାବେଳେ ଏହି ଘଟଣା ପଦାକୁ ଆସିଛି। ବିଧାନସଭା ଆଗରେ ଏପରି ଘଟଣା ଘଟିବା ପରେ ବିରୋଧୀ ଦଳ ଏହାକୁ ନେଇ ଗୃହରେ ହାଙ୍ଗାମା କରିଥିଲେ। ଫଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏହା ଉପରେ ଉତ୍ତର ରଖିବା ପାଇଁ ବାଚସ୍ପତି ରୁଲିଂ ଜାରି କରିଛନ୍ତି। ସେହି ଅନୁସାରେ ବୁଧୁବାର ଦିନ ଗୃହରେ ବିବୃତି ରଖିବେ ଦିବ୍ୟଶଙ୍କର।

ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଗାଁରେ ଘଟିଛି ଏହି ଘଟଣା।  ଅଶୋକ ସାହୁ ଏବଂ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରି ନେଇଥିଲା । ଏ ନେଇ ଥାନାରେ ଅଭିଯୋଗ କରିଥିଲେ ବାପାମା । ୧୦ଦିନ ପର୍ଯ୍ୟନ୍ତ ଝିଅର କୌଣସି ଖୋଜଖବର ମିଲିଲା ନାହିଁ। ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର ଖଣ୍ଡଖଣ୍ଡ ଗଳିତ ମୃତଦେହ ମିଳିଥିଲା । ପରୀର ଶରୀରରୁ କିଡନୀ ଏବଂ ଆଖି କାଢି ନିଆଯାଇଥିବାର ମଧ୍ୟ ସେମାନେ କହିଛନ୍ତି। ପୁଲିସ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ଜେରା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ ।

ପରୀର ବାପାମାଙ୍କ ଅଭିଯୋଗ ଯେ  ପରୀକୁ କେଉଁମାନେ ମାରିଛନ୍ତି ପୋଲିସ ଜାଣିଛି। ସେ ଲୋକ ହେଉଛି ମନ୍ତ୍ରୀ ଅରୁଣ ସାହୁଙ୍କର ଜଣେ କୁଜି ନେତା। ସେଥିପାଇଁ ପୋଲିସ ତାଙ୍କୁ ଗିରଫ କରୁ ନାହିଁ ବୋଲି ପରୀର ବାପାମା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ପରୀର ପରିବାରଙ୍କୁ ପୋଲିସ କୁଆଡେ ଧମକଚମକ ଦେଉଛି ବୋଲି ସେମାନେ ମଧ୍ୟ ଅଭିଯୋଗ କରିଛନ୍ତି। ଏଥିପାଇଁ ମନ୍ତ୍ରୀ ଅରୁଣ ସାହୁ ଦାୟୀ ବୋଲି ମୃତ ପରୀର ବାପାମା କହିଛନ୍ତି। ତେବେ ଏହି ହତ୍ୟାକାଣ୍ଡର କାରଣ ରାଜନୈତିକ କି ଅନ୍ୟକଣ ତାହା ଜଣାପଡି ନାହିଁ।

ଏହି ଘଟଣାକୁ ନେଇ ବିଧାସଭାରେ ବିରୋଧ ଦେଖାଦେଇଥିବା ବେଳେ ବାହାରେ ମଧ୍ୟ ଏହାକୁ ନେଇ ବେଶ୍ ସରଗରମ ସୃଷ୍ଟି ହୋଇଛି। ଉଭୟ କଂଗ୍ରେସ ଓ ବିଜେପି ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରିଛନ୍ତି।

Related posts