Categories
ବିଶେଷ ଖବର ରାଜ୍ୟ ଖବର

ବୁଦ୍ଧ ଆର୍ଟ ଗ୍ୟାଲେରୀରେ ପାରମ୍ପରିକ ନାରୀ ଶିଳ୍ପୀ ଶିବିର ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ଲଲିତ କଳା ଏକାଡ଼େମୀ,ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ବୁଦ୍ଧ ଆର୍ଟ ଗ୍ୟାଲେରୀ ଭୁବନେଶ୍ଵର ଠାରେ ଆଜିଠାରୁ ପାରମ୍ପରିକ କାଗଜ ମୁଖା, ଗୋବର କଣ୍ଢେଇ ଓ କାଠ କାଣ୍ଢେଇ ଶିଳ୍ପୀଙ୍କୁ ନେଇ ଏକ ନାରୀ ଶିଳ୍ପୀ ଶିବିର ଅନୁଷ୍ଠିତ ହେଉଛି।

ଏହି ଶିବିରରେ ୩୧ ଜଣ ମହିଳା ଶିଳ୍ପୀ ମାନେ ଅଂଶଗ୍ରହଣ କରିଛନ୍ତି। ଏହି ଶିବିରରକୁ ଆଜି ମୁଖ୍ୟ ଅତିଥି ଭାବେଯୋଗଦେଇ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଏକାଡ଼େମୀ ସଭାପତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ପାରମ୍ପରିକ କଳାହିଁ ଆଧୁନିକ କଳାର ଜନକ ବୋଲିଅତିଥିମାନେ ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଶିବିରର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ। ୪ ଦିନ ଧରି ଆୟୋଜିତଏହି ଶିବିରରେ ଶିଳ୍ପୀମାନେ ପାରମ୍ପରିକ କାଗଜ ମୁଖା ,ଗୋବର କଣ୍ଢେଇ ଓ କାଠ କଣ୍ଢେଇ ଗୁଡିକ ପ୍ରସ୍ତୁତ କରିବା ସହ ଦର୍ଶକମାନେ ଏଗୁଡିକର ପ୍ରସ୍ତୁତି ପ୍ରଣାଳୀକୁ ଦେଖିପାରିବେ।

କଳା ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରୁ ଶିକ୍ଷାଲାଭ କରି ନିଜ ସୃଜନଶୀଳ କଳାକୃତିରେ ବିନିଯୋଗ କରିପାରିବେ। ଶିବିରରେ ରାଜ୍ୟର ବିଭିନ୍ନ ସ୍ଥାନର ସ୍ଵତନ୍ତ୍ର ଶୈଳୀରକାଗଜ ମୁଖା, ଗୋବର କଣ୍ଢେଇ ଓ କାଠ କଣ୍ଢେଇଗୁଡିକ ଶିଳ୍ପୀମାନେ ଗଠନ କରିବେ । ଏହି ଶିବିର ମାର୍ଚ୍ଚ୨୪ ତାରିଖ ପର‌୍ୟ୍ୟନ୍ତ ପ୍ରତ୍ୟହ ସକାଳ୧୦ଟା ରୁ ସନ୍ଧ୍ୟା ୬ ଟା ପର‌୍ୟ୍ୟନ୍ତ ଦର୍ଶକମାନଙ୍କ ଦେଖିବାପାଇଁ ଖୋଲା ରହିବ।