Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: କାଳବୈଶାଖୀ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ, ତ୍ୱରିତ ସେବା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଖୋର୍ଦ୍ଧା: ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସମ୍ଭାବ୍ୟ କାଳବୈଶାଖୀ ମୁକାବିଲା ନିମନ୍ତେ ଏକ ସମୀକ୍ଷା ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ପରେ ସଂପୃକ୍ତ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା, ବଜ୍ରପାତ ଏବଂ ସ୍ଥଳବିଶେଷରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ପାଣିପାଗ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରହିବା ନେଇ ପୂର୍ବାନୁମାନ କରାଯାଇଛି । ଆବଶ୍ୟକ ସ୍ଥଳେ ତ୍ୱରିତ ସେବା ପ୍ରଦାନ ପାଇଁ ଅଗ୍ନିଶମ, ବିଦ୍ୟୁତ, ଆମ୍ବୁଲାନ୍ସ, ଡାକ୍ତରୀସେବା ଏବଂ ଟେଲିଫୋନ ସେବା ପ୍ରଦାନକାରୀ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ ସହାୟତା ଓ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯି । ଲୋକମାନଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ବିଡ଼ିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ବି ଏମ୍ .ସି.ର ଡେପୁଟି କମିଶନର, ଜରୁରୀ ବିଭାଗ ଙ୍କୁ ବସ୍ତି ବାସିନ୍ଦାଙ୍କ ଥଇଥାନ କରିବାକୁ ଏବଂ  ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ପରାମର୍ଶ  ଦିଆଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ଜରୁରୀକାଳୀନ ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା: ଟାଙ୍ଗୀର ବିଭିନ୍ନ ମତଦାନ କେନ୍ଦ୍ର ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଏବେ ଠାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। କିଭଳି କେଉଁ ଠାରେ କିଛି ତ୍ରୁଟି ରହିବ ନାହିଁ, ତାହାକୁ ପ୍ରଶାସନ ଗୋଟି ଗୋଟି କରି ସମୀକ୍ଷା କରୁଛି। ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଟାଙ୍ଗୀ ଗସ୍ତରେ ଆସି ଟାଙ୍ଗୀର ବିଭିନ୍ନ ଭୋଟଦାନ କେନ୍ଦ୍ର ବୁଲି ସମୀକ୍ଷା କରିଛନ୍ତି।

ଟାଙ୍ଗୀର ବଳରାମ ଦେବ ବିଦ୍ୟାପୀଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଣଶ ପୁର ପ୍ରାଥମିକ ବିଦ୍ୟାଳୟ ଆଦି ଭୋଟଦାନ କେନ୍ଦ୍ର ବୁଲି ସେଗୁଡିକର ଭିତ୍ତିଭୂମି ସମୀକ୍ଷା କରିବା ସହ ବିଦ୍ୟୁତ ସଂଯୋଗ, ଫ୍ୟାନ, ଶୌଚାଳୟ ଆଦି ତଦାରଖ କରିଛନ୍ତି। ଭୋଟଦାନ କେନ୍ଦ୍ର ଗୁଡିକ ପରିସର ସ୍ୱଚ୍ଛ ରହିଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଟାଙ୍ଗୀ ବିଡ଼ିଓ ରେଶ୍ମା ଟେଟେ, ଟାଙ୍ଗୀ ଗ୍ରାମ ପଂଚାୟତ ସରପଞ୍ଚ କିଶୋର କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଞ୍ଚଳିକ

ଖୋର୍ଦ୍ଧା ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୦୮ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୯୫ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୪ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୫ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜଣଙ୍କୁ ୨୦୦୦୦/-ଟଙ୍କା ‌ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ ୨୫୦୦୦ ଟଙ୍କା ଲେଖାଏ ସମୁଦାୟ ୩ ଜଣ ଙ୍କୁ CMRF ସହାୟତା ରାଶି ଯୋଗାଇ ଦିଆଯାଇଛି।

ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଖୋର୍ଦ୍ଧା ଦୀପ୍ତି ରଞ୍ଜନସେଠୀ, ସି ଡ଼ି ଏମ୍ ଓ  ଡଃ ଆର୍ତ୍ତଵନ୍ଧୁ ନାୟକ, ବିଡିଓ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।