ଖୋର୍ଦ୍ଧା: କାଳବୈଶାଖୀ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ, ତ୍ୱରିତ ସେବା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Published: Mar 19, 2024, 7:21 pm IST

ଖୋର୍ଦ୍ଧା: ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସମ୍ଭାବ୍ୟ କାଳବୈଶାଖୀ ମୁକାବିଲା ନିମନ୍ତେ ଏକ ସମୀକ୍ଷା ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ପରେ ସଂପୃକ୍ତ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା, ବଜ୍ରପାତ ଏବଂ ସ୍ଥଳବିଶେଷରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ପାଣିପାଗ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରହିବା ନେଇ ପୂର୍ବାନୁମାନ କରାଯାଇଛି । ଆବଶ୍ୟକ ସ୍ଥଳେ ତ୍ୱରିତ ସେବା ପ୍ରଦାନ ପାଇଁ ଅଗ୍ନିଶମ, ବିଦ୍ୟୁତ, ଆମ୍ବୁଲାନ୍ସ, ଡାକ୍ତରୀସେବା ଏବଂ ଟେଲିଫୋନ ସେବା ପ୍ରଦାନକାରୀ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ ସହାୟତା ଓ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯି । ଲୋକମାନଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ବିଡ଼ିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ବି ଏମ୍ .ସି.ର ଡେପୁଟି କମିଶନର, ଜରୁରୀ ବିଭାଗ ଙ୍କୁ ବସ୍ତି ବାସିନ୍ଦାଙ୍କ ଥଇଥାନ କରିବାକୁ ଏବଂ  ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ପରାମର୍ଶ  ଦିଆଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ଜରୁରୀକାଳୀନ ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts