Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ଇଂଲଣ୍ଡ ମହିଳା କ୍ରିକେଟ: ଏହି ଖେଳାଳିଙ୍କ ଚମତ୍କାର କ୍ୟାଚ ଦେଖି ପ୍ରଶଂସା କଲେ ମୋଦୀ ଆଉ ତେନ୍ଦୁଲକର

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଟି-୨୦ ମ୍ୟାଚ ଆରମ୍ଭ ହୋଇଯାଇଛି। ଏହି ସିରିଜର ପ୍ରଥମ ମ୍ୟାଚ ଇଂଲଣ୍ଡ ମହିଳା ଦଳ ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚ ଭାରତୀୟ ମହିଳା ଦଳ ଜିତିନେଇଛି। ବର୍ତ୍ତମାନ ସିରିଜ ୧-୧ରେ ବରାବର ଅଛି। ହେଲେ ଦ୍ଵିତୀୟ ମ୍ୟାଚରେ ଭାରତୀୟ ଦଳ ପକ୍ଷରୁ ଏକ ଚମତ୍କାର କ୍ୟାଚ ଦେଖିବାକୁ ମିଳିଥିଲା। ହରଲୀନ ଦେଓଲ ଏକ ଚମତ୍କାର କ୍ୟାଚ ନେଇ ଜନପ୍ରିୟତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରିୟଙ୍କା ଗାନ୍ଧୀ ଏବଂ ସଚିନ ତେନ୍ଦୁଲକର ପ୍ରମୁଖ ହରଲୀନଙ୍କୁ ଖୁବ ପ୍ରଶଂସା କରିଛନ୍ତି।

୨୩ ବର୍ଷୀୟା ଏହି ଖେଳାଳିଜଣଙ୍କ ବାଉଣ୍ଡ୍ରୀକୁ ଯାଉଥିବା ବଲଟିକୁ ଅଟକାଇବା ସହ ଲମ୍ଫ ପ୍ରଦାନ କରି କ୍ୟାଚ ନେଇଥିଲେ। ୧୯ ତମ ଓଭରରେ ଶିଖା ପାଣ୍ଡେଙ୍କ ବଲକୁ ଇଂଲଣ୍ଡର ଏମି ଜୋନ୍ସ ଏକ ବଡ ସଟ ମାରିଥିଲେ। ହେଲେ ନିଶ୍ଚିତ ବାଉଣ୍ଡ୍ରୀକୁ ଯାଉଥିବା ଏହି ବଲଟିକୁ  ହରଲୀନ ଚମତ୍କାର ଭାବେ ଧରିନେଇଥିଲେ। ଏହି କ୍ୟାଚଟି ସମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି।