Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ୍‌ ନ ଅଟକିବାରୁ ରାଉରକେଲାଠାରେ ଚଳନ୍ତା ଟ୍ରେନରୁ ଡେଇଁଲେ ବ୍ୟକ୍ତି

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ସେହିପରି ଲକ୍‌ ଡାଉନ୍‌ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଲାଯାଉଛି । ଟ୍ରେନ୍‌ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ଅଣାଯାଉଛି । ଏହା ମଧ୍ୟରେ ଏକ ଅଘଟଣ ହୋଇଥିବାର ସୂଚନା ରହିଛି । କୋଟାରୁ ହଟିଆ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ସ୍ବତନ୍ତ୍ର ଟ୍ରେନ୍‌ରୁ ଜଣେ ବ୍ୟକ୍ତି ଡେଇଁପଡିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଲକ୍‌ ଡାଉନ୍‌ରେ ଫସିଥିବା ଶ୍ରମିକ, ଛାତ୍ର ଆଦିଙ୍କୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଯାଉଛି । କୋଟାରୁ ହଟିଆ ଯାଉଥିବା ଏକ ସ୍ବତନ୍ତ୍ର ଟ୍ରେନ୍‌ରୁ  ଓଡ଼ିଶାର ରାଉରକେଲା ଷ୍ଟେସନ ନିକଟରେ ଜଣେ ବ୍ୟକ୍ତି ଡେଇଁ ପଡିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଟ୍ରେନ୍‌ରୁ ଡେଇଁ ପଡିଥିବା ବ୍ୟକ୍ତି ଜଣକ ଭୁଲ୍‌ ପ୍ରକ୍ରିୟାରେ ପଞ୍ଜିକରଣ କରି ଟ୍ରେନ୍‌ରେ ଚଢିଥିଲେ । ଟ୍ରେନଟି ଯେତେବେଳେ ରାଉରକେଲା ନିକଟରେ ଅଟକିଲା ନାହିଁ ସେତେବେଳେ ସେ କିଂକର୍ତ୍ତବ୍ୟମୂଢ ହୋଇ ଟ୍ରେନରୁ ତଳକୁ ଡେଇଁ ପଡିଥିଲେ ।

ଲକ୍ ଡାଉନରେ ଫସିଥିବା ଲୋକଙ୍କ ପାଇଁ 6ଟି ରୁଟ୍‌ରେ ସ୍ପତନ୍ତ୍ର ଟ୍ରେନ୍‌ ଚାଲୁ କରାଯାଇଛି । ଏହି ଟ୍ରେନ୍‌ରେ କେବଳ ରାଜ୍ୟ ସରକାରଙ୍କ ଅଧୀନରେ ପଞ୍ଜିକରଣ କରିଥିବା ଶ୍ରମିକଙ୍କୁ ଯାତ୍ରା କରିବାର ଅନୁମତି ମିଳିଛି । କୌଣସି ଅନ୍ୟ ବ୍ୟକ୍ତିମାନେ ଯାତ୍ରା କରିପାରିବେ ନାହିଁ । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏହି ଟ୍ରେନ୍‌ ଚାଲୁ କରାଯାଇଛି ।