Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ବୋଲାଉଥିବା ୬ ଜଣ ବ୍ୟକ୍ତିଙ୍କୁ ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ କଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ଚାନ୍ଦା ଆଦାୟ କରିବା ଅଭିଯୋଗରେ ୬ ଜଣଙ୍କୁ କମିଶନରେଟ୍ ପୋଲିସ୍ ଗିରିଫ କରିଛି। ସେହି ୬ ଜଣଙ୍କ ମଧ୍ୟରୁ ୫ ଜଣ ବିଭିନ୍ନ ୱେବ ଚାନେଲ୍ ପ୍ରତିନିଧି କହୁଥିବା ବ୍ୟକ୍ତି ବୋଲି ସୂଚନା ରହିଛି। ଖବର ପ୍ରସାରଣ କରିଦେବାର ଧମକ ଦେଇ ଖଣ୍ଡଗିରି ସ୍ଥିତ ଏକ ଘିଅ କମ୍ପାନୀର ମାଲିକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଚାନ୍ଦ ନେଇଥିବାର ଅଭିଯୋଗ ହୋଇଛି।

ଘିଅ କମ୍ପାନୀ ମାଲିକଙ୍କର ଅଭିଯୋଗ ଅନୁଯାୟୀ, ୱେବଚାନେଲ୍ ପ୍ରତିନିଧି ବୋଲାଉଥିବା ବ୍ୟକ୍ତିମାନେ ତାଙ୍କ ବିରୋଧରେ ଖବର ପ୍ରସାରଣ କରିବା ନେଇ ଧମକ ଦେଇ ଆସୁଥିଲେ। ଏବଂ ସେଥିପାଇଁ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିଲେ। କିନ୍ତୁ ତାଙ୍କ ଠାରୁ ଆହୁରି କିଛି ଚାନ୍ଦ ଅସୁଲ କରିବା ପାଇଁ ଚାପ ପ୍ରୟୋଗ କରୁଥିଲେ। ସେଥିରେ ବ୍ୟତିବ୍ୟସ୍ତ ହୋଇ ଘିଅ କମ୍ପାନୀ ମାଲିକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ୍ ଭୁବନେଶ୍ୱରରୁ ୫ ଜଣ ୱେବଚାନେଲ୍ ପ୍ରତିନିଧି ବୋଲାଉଥିବା ବ୍ୟକ୍ତି ଓ ଜଣେ ଡ୍ରାଇଭରକୁ ଗିରଫ୍ କରିଛି। ପୋଲିସ୍ ସେମାନଙ୍କ ଠାରୁ ଗାଡି, ନଗଦ ଟଙ୍କା, ମୋବାଇଲ ଜବତ କରିଛି। ଏହାପରେ ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ଏନେଇ ଆହୁରି ତଦନ୍ତ ଜାରି ରହିଛି ଏବଂ ଅଣ-ପଞ୍ଜିକୃତ ୱେବ୍ ଚ୍ୟାନେଲମାନଙ୍କର ଏକ ଡାଟା ପ୍ରସ୍ତୁତ କରାଯିବ ସହ ୧୫ ଜଣ ଦଲାଲଙ୍କୁ  ତାଲିକା ଭୁକ୍ତ କରାଯାଇଛି।