ପୁରୀ, ତିନିଠାକୁର ମଙ୍ଗଳବାର ଦିନ ଶ୍ରୀମନ୍ଦିରକୁ ଫେରିବେ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜ୍ଞାମାଳ ଆସିବା ପରେ ତିନିରଥରେ ଚାରମାଳ ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହା ରାତି ଭିତରେ ଶେଷ କରାଯାଇଛି। ଏହା ପୂର୍ବରୁ ତିନିଠାକୁର ଆଡପ ମଣ୍ଡପରେ ଶେଷ ଦର୍ଶନ ଦେଇଛନ୍ତି। ତେବେ କୋଭିଡ କଟକଣା ପାଇଁ ବିରଳ ସଂଧ୍ୟା ଦର୍ଶନ କେହେ କରିପାରି ନ ଥିଲେ।
ଆସନ୍ତାକାଲି ଦିନ ୧୨ଟାରୁ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିପରି ଛେରା ପହଁରା ଅପରାହ୍ନ ୨ଟା ୩୦ ମିନିଟରୁ ଆରମ୍ଭ ହୋଇ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି ନିଷ୍ପତି ହୋଇଛି। ତେବେ ରଥଯାତ୍ରା ବେଳେ ଯେପରି ସମୟ ପୂର୍ବରପ ସମସ୍ତ ନୀତିରିତ ହୋଇଥିଲା ବାହୁଡାରେ ମଧ୍ୟ ସେହିପରି ହେବ ବୋଲି ଜଣାପଡିଛି।
ତେବେ କୋଭିଡ କଟକଣା ପାଇଁ ବିନା ଭକ୍ତରେ ଠାକୁର ଶ୍ରୀମନ୍ଦିରକୁ ଫେରିବେ। ଏଥିପାଇଁ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରଥଯାତ୍ରାରେ ଯେପରି ଛାତ ଉପରେ ରଥ ଦେଖିବାରେ କଟକଣା ଥିଲା, ବାହୁଡାରେ ମଧ୍ୟ ସେହି କଟକଣା ଜାରୀ କରାଯାଇଛି। ଆଜି ରାତି ଆଠଟାରୁ ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ବୁଧବାର ରାତି ଆଠଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
କରୋନା ସଂକ୍ରାମଣକୁ ରୋକିବା ପାଇଁ ସମସ୍ତ ସେବାୟତ ଏବଂ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଛି। ରଥଯାତ୍ରା ପୂର୍ବରୁ ମଧ୍ୟ ସମସ୍ତଙ୍କର ପରୀକ୍ଷା କରାଯାଇଥିଲା। ଏଥିରେ ଯେଉଁମାନେ ପଜେଟିଭ ବାହାରିବେ ସେମାନଙ୍କୁ ସେବାରୁ ନିବୃତ କରାଯିବ। ସେହିପରି ପୁରୀ ସହରରେ ଥିବା ସମସ୍ତ ହୋଟେଲ ଏବଂ ଗେଷ୍ଟହାଉସ ଏବଂ ବଡଦାଣ୍ଡରେ ଥିବା ଘରଗୁଡିକୁ ଯାଞ୍ଚ କରାଯାଇଛି। ଆଜି ରାତିରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସାନିଟାଇଜ ମଧ୍ୟ କରାଯାଇଛି।