Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ଚିତାଲାଗି ଅମାବାସ୍ୟା ପାଇଁ ୪ ଘଣ୍ଟା ଧରି ବନ୍ଦ ରହିବ ଶ୍ରୀମନ୍ଦିର

ଭୁବନେଶ୍ବର: ଆଜି ହେଉଛି ଚିତାଲାଗି ଅମାବାସ୍ୟା। ଆଜି ପ୍ରଭୃଙ୍କ ମସ୍ତକରେ ରତ୍ନ ଚିତା ଲାଗି ହେବା ସହିତ ଚିତାଉ ପିଠା ଭୋଗ କରାଯିବ। ଏହି ସେବା ଗୁପ୍ତ ସେବା ହୋଇଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଆଜି ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ।

ପରଂପରା ଅନୁସାରେ ମହାପ୍ରଭୃ ଯେତେବେଳେ ସ୍ନାନ ମଣ୍ଡପକୁ ବିଜେ କରନ୍ତି ସେତେବେଳେ ତାଙ୍କ ମଥାରୁ ରତ୍ନଚିତା ବାହାର କରାଯାଇ ରତ୍ନ ଭଣ୍ଡାରରେ ରଖାଯାଏ। ସେହି ଚିତାକୁ ଶ୍ରାବଣ ମାସ ଅମବାସ୍ୟାରେ ଏହି ଚିତା ଲାଗି କରାଯାଇଥାଏ। ସେଥିପାଇଁ ଏହାକୁ ଚିତାଲାଗି ଅମବାସ୍ୟା ବୋଲି କୁହାଯାଏ।

Categories
ବିଶେଷ ଖବର ସଂସ୍କୃତି

ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ

ଅସୀତ ମହାନ୍ତି

ଆଜି ଚିତାଲାଗି ଅମାବାସ୍ୟା। ସ୍ନାନପୂର୍ଣ୍ଣିମା ରାତିରେ, ଅଣସର ଘରେ ଯେଉଁ ରତ୍ନଚିତା ଉଲାଗି ହୋଇଥିଲେ ତିନି ଠାକୁର, ସେହି ଚିତା ଆଜି ସେମାନେ ଲାଗି ହେଲେ। ଏହା ଶ୍ରୀମନ୍ଦିରର ଏକ ଲୋକପ୍ରିୟ ପର୍ବ।

ଲୋକମୁଖରେ ଏହା ‘ଚିତଉ ଅମାବାସ୍ୟା’। କାରଣ ଏହିଦିନ ଶ୍ରୀମନ୍ଦିରରେ ଚିତଉପିଠା ଭୋଗ ହୁଏ। ଚିତଉ ସହିତ ‘ଘିଉଡି’ ନାମକ ଆଉ ଏକ ପ୍ରକାରର ପିଠା ମଧ୍ୟ ଭୋଗ ହୋଇଥାଏ। ଚିତଉ ଭୋଗ ଭିତରେ ଥାଏ ବଡ଼ ଓ ଛୋଟ ଦୁଇପ୍ରକାରର ଚିତଉ । ଏହା ପର୍ବାଣି ଭୋଗ। ଏଥିରେ ଥାଏ ବଡ଼, ଅଙ୍ଗବାସ ଓ ସାନଓଳି ‘ଘିଉଡି’। ସେହିପରି ଚିତଉ ଭିତରେ ଥାଏ ୧୧ ଓଳି ବଡ଼ ଚିତଉ ଓ ୩୦ ଓଳି ସାନ ଚିତଉ।

ଓଡ଼ିଶାର ଘରେ ଘରେ ମଧ୍ୟ ଏହିଦିନ ଚିତଉ ପିଠା ତିଆରି ଓଧ କରାଯାଇ ଗୃହଦେବତାଙ୍କୁ ଭୋଗ କରାଯାଏ। ଏହି ପିଠା ଧାନ କ୍ଷେତରେ ଓ ପୋଖରୀ ଗାଡ଼ିଆରେ ଗେଣ୍ଡାମାନଙ୍କୁ ମଧ୍ୟ ଦିଆଯାଏ। କାରଣ ଏହା ବର୍ଷାଋତୁର ଆରମ୍ଭ ସମୟ ଓ ଏହା ସେମାନଙ୍କର ପ୍ରଜନନର‌ ଋତୁ। ଏହିଥିରୁ ‘ଗେଣ୍ଡେଇସୁଣୀ’ ନାଆଁଟି ଆସିଛି। ଗେଣ୍ଡା ଙ୍କୁ ପାରମ୍ପରିକ ଭାବରେ ଉପକାରୀ ଜୀବ ଭାବରେ ଗ୍ରହଣ କରାଯାଇ ଏହି ଭୋଗ ଖାଇବାକୁ ଦିଆଯାଇଥାଏ।

ଯେଉଁ ରତ୍ନଖଚିତ ସୁନାଚିତା ଠାକୁରମାନେ ଶ୍ରୀମନ୍ଦିରର ରତ୍ନବେଦୀରେ ପିନ୍ଧନ୍ତି, ତାହା ଅତ୍ୟନ୍ତ ଦୁର୍ମୂଲ୍ୟ। ତାହାର ମୂଲ୍ୟ ଏଯାଏ ଆକଳନ କରାଯାଇପାରିନାହିଁ। ଏହି ତିନି ଚିତା ଭିତରୁ ଶ୍ରୀଜଗନ୍ନାଥଙ୍କ ଚିତା ‘ହୀରାଚିତା’। କାରଣ ଏହି ଚିତା ମଝିରେ ନାୟକ ଭାବରେ ଗୋଟିଏ ବଡ଼ ହୀରା ଖଞ୍ଜା ଯାଇଛି। ତାହାର ରଙ୍ଗ ଧଳା ହୋଇଥିବାରୁ ତାହା ଲୋକମୁଖରେ ‘ଧଳାଚିତା’।ତାହାକୁ ଘେରି ରହିଛି ସାତଟି ବେଢ। ସେଥିରେ ଖଞ୍ଜା ଯାଇଛି ଛୋଟ ଛୋଟ ରତ୍ନପଥର। ସେଥିମଧ୍ୟରେ ରହିଛି ହୀରା, ମାଣିକ୍ୟ, ପାନ୍ନା ଓ ଓପାଲ୍। ସପ୍ତମ ବେଢର ଶୀର୍ଷରେ ପାନପତ୍ର ଆକାରର ଏକ ବଡ଼ ବ୍ରହ୍ମଜ୍ୟୋତି ହୀରା ଅଛି।

ଶ୍ରୀବଳଭଦ୍ରଙ୍କ ଚିତାର ନାଆଁ ଲୋକମୁଖରେ ‘ନୀଳାଚିତା’। କାରଣ ସେଥିରେ ନାୟକ ଭାବରେ ଗୋଟିଏ ବଡ଼ ମର୍କତ ମଣି ଖଞ୍ଜା ଯାଇଛି। ତାହା ସବୁଜ ରଙ୍ଗର ହୋଇଥିଲେ ମଧ୍ୟ ତାହାକୁ ‘ନୀଳାଚିତା’ କୁହାଯାଏ। କାରଣ ସବୁଜର ନାମାନ୍ତର ନୀଳ। ଶ୍ରୀବଳଭଦ୍ରଙ୍କ ଏହି ଚିତାରେ ନାୟକ ମର୍କତ ମଣିକୁ ଘେରି ରହିଛି ପାଞ୍ଚଟି ବେଢ। ସେଥିରେ ଛୋଟ ଛୋଟ ମାଣିକ୍ୟ, ହୀରା, ପାନ୍ନା ଓ ନୀଳା ଖଞ୍ଜା ଯାଇଛି।

ଦେବୀ ସୁଭଦ୍ରାଙ୍କ ଚିତାର ନାଆଁ ଲୋକମୁଖରେ ‘ମାଣିକ୍ୟଚିତା’। ଏହାର ଅନ୍ୟ ଲୋକପ୍ରିୟ ନାମ ‘ନାଲିଚିତା’। କିନ୍ତୁ ଶ୍ରୀବଳଭଦ୍ରଙ୍କ ଚିତା ପରି ସେଥିରେ ମଧ୍ୟ ନାୟକ ଭାବରେ ରହିଛି ଗୋଟିଏ ବଡ଼ ମର୍କତ ମଣି। ତାହାକୁ ଘେରି ରହିଛି ତିନିଟି ବେଢ। ସେଥିରେ ଖଞ୍ଜା ଯାଇଛି ଛୋଟ ଛୋଟ ହୀରା, ମର୍କତ ଓ ମାଣିକ୍ୟ।

ସ୍ନାନବେଦୀରେ ଠାକୁରମାନେ ସ୍ନାନ କରିବା ବେଳେ ଏହି ରତ୍ନଖଚିତ ସୁନା ଚିତା ସେମାନଙ୍କର ମସ୍ତକରେ ଥାଏ। କିନ୍ତୁ ହାତୀବେଶ ଉଲାଗି ହୋଇ ଅଣସର ଘରକୁ ଯିବା ପରେ ତାହାକୁ ଓହ୍ଲାଇ ରଖିଦିଆଯାଏ। ଅଣସର ପରେ ନବ ଯୈାବନ ଦର୍ଶନ ଦେଇ, ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ବେଳେ, ସେମାନଙ୍କର ମସ୍ତକରେ ସ୍ବତନ୍ତ୍ର ଭାବରେ ସୋଲରେ ତିଆରି କାରୁକାର‌୍ୟ୍ୟପୂର୍ଣ୍ଣ ଚିତା ଲାଗି କରାଯାଏ। ନୀଳାଦ୍ରି ବିଜେରେ ରତ୍ନସିଂହାସନକୁ ଫେରିବା ପରେ ମଧ୍ୟ ଏହି ରତ୍ନଚିତା ଲାଗି କରାଯାଇନଥାଏ। ଚିତାଲାଗି ଅମାବାସ୍ୟା ଦିନ ହିଁ ଏହା ଲାଗି କରାଯାଏ।

ଶ୍ରାବଣ ଅମାବାସ୍ୟା ହେଉଛି ଚିତାଲାଗି ଅମାବାସ୍ୟା। ପୈାରାଣିକ ପ୍ରସଙ୍ଗ ଅନୁସାରେ, ସମୁଦ୍ର ମନ୍ଥନ ରୁ ଏହିଦିନ ଅନେକ ରତ୍ନ ବାହାରି ଥିଲା। ଭଗବାନ ବିଷ୍ଣୁ ସେହି ରତ୍ନକୁ ଗ୍ରହଣ କରିଥିଲେ। ତେଣୁ ଏହିଦିନ ରତ୍ନଧାରଣ କରିବା ଶୁଭ ବୋଲି ବିବେଚିତ ହୋଇ ଆସିଛି। ସମ୍ଭବତଃ ସେହି ଦୃଷ୍ଟିରୁ ଏହିଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନେ ରତ୍ନଚିତା ଲାଗି ହୋଇଥାଆନ୍ତି।