ସୀତାରାମ ଅଗ୍ରୱାଲ
ଚିଲିକା: ଦୀର୍ଘ ସମୟ ବ୍ୟବଧାନ ପରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ ବିଜେଡିର ଟାଣୁଆ ନେତା। ସେମାନେ ମା’ମେଘମ୍ବାରି କଲ୍ୟାଣ ମଣ୍ଡପରେ ଏକ ସଭାର ଆୟୋଜନ କରିଥିଲେ ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଏହି ବୈଠକରେ ନିକଟରେ ପ୍ରଣୟନ ହୋଇଥିବା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର କିପରି ସୁବିନିଯୋଗ ହୋଇପାରିବ ସେ ନେଇ ଚିଲିକା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ବାଣପୁର ବ୍ଲକର 15ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ତତ୍ୱାବଧାନରେ ଏହି ବୈଠକ କରାଯାଇଥିଲା।
ଏଥିରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ତୋରସିଂହ ପଞ୍ଚାୟତ ସମିତି ସଭ୍ୟ କୁମାର ଜଗତ ବଲ୍ଲଭ ମହାରଥା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତାମାନେ ମା’ ଭଗବତୀ ମନ୍ଦିର ଗସ୍ତ କରି ମା’ଙ୍କ ଆଶୀର୍ବାଦ ନେଇଥିଲେ। ମା’ ଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ।
ଚିଲିକାର ଗୋଳିଆ ରାଜନୀତିକୁ ଆଖି ଆଗରେ ରଖି ଜିଲ୍ଲା ସଭାପତି ବଳବନ୍ତରାୟ କହିଥିଲେ ଆମର ଦଳ ହେଉଛି ବିଜେଡି ଓ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ତେଣୁ ସମସ୍ତ ଦଳୀୟ କର୍ମୀମାନଙ୍କୁ ଏକାଠି ରହି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ଆମ ଓଡିଶା ନବୀନ ଓଡିଶା ଯୋଜନାରେ କେଉଁ କେଉଁ କାର୍ଯ୍ୟ ହେବ ଏବଂ ତାହାର ରୂପରେଖ କଣ ରହିବ ତାହାର ବିସ୍ତୃତ ଭାବରେ ଆଲୋଚନା କରିଥିଲେ।
ବିଧାୟକ ରାଜେନ୍ଦ୍ର ସାହୁ ପରୋକ୍ଷ ଭାବରେ ବିଗତ ଦିନରେ ଆପଣ ମାନେ ଚିଲିକାରୁ ବିଜେଡିର ବିଧାୟକ ପ୍ରାର୍ଥୀଙ୍କୁ ଦୁଇ ଦୁଇଥର ନିର୍ବାଚିତ କରିଛନ୍ତି ଏଥର ମଧ୍ୟ ଆପଣମାନେ ବିଜେଡି ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତୁ। ଦଳରେ ପ୍ରାର୍ଥୀ ନେଇ ଦ୍ଵନ୍ଦ ହେବା ସ୍ୱାଭାବିକ କଥା। ତେଣୁ ଆମର ନେତା ନବୀନ ବାବୁ ହିଁ ପ୍ରାର୍ଥୀ ଚୟନ କରିବେ। ଯିଏ ବି ପ୍ରାର୍ଥୀ ହେବ ଆମମାନଙ୍କର ଦାୟିତ୍ୱ ହେଉଛି ତାକୁ ଜିତେଇବା। ଆଗାମୀ ଦିନରେ ପୁଣି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କର୍ମୀମାନଙ୍କୁ ଶପଥ କରାଇଥିଲେ।
ସାଂସଦ ଶ୍ରୀ ମଙ୍ଗରାଜ ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଏବଂ ନବୀନଙ୍କ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ କହିଥିଲେ। 15 ନମ୍ବର ଜୋନରୁ ବିଜେଡି ର ନିର୍ବାଚନ ବିଗୁଲ ବାଜିଲା ବୋଲି କହିବା ସହ ଆଗକୁ ଚିଲିକାର ଅନ୍ୟ ପାଞ୍ଚଗୋଟି ଜୋନରେ ଏହି ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ ଏବଂ ନବୀନ ବାବୁଙ୍କ ଯୋଜନାକୁ ଲୋକାଭିମୁଖୀ କରିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ।
ସେହିପରି ନାଚୁଣୀଠାରେ ଆଉ ଏକ ବୈଠକ କରାଯାଇଥିଲା। ଯେଉଁଥିରେ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ସେଠାରେ ମଧ୍ୟ ଏହି ନେତାମାନଙ୍କ ସହିତ ଚିଲିକାର ସମସ୍ତ ନେତା ଯୋଗଦେଇଥିଲେ। ସେଠାରେ ମଧ୍ୟ ପ୍ରଣବ ପ୍ରକାଶ ଦାସ ଦଳକୁ ସୁଦୃଢ କରିବା ପାଇଁ ନେତାମାନଙ୍କୁ ଆହ୍ବାନ ଦେଇଥିଲେ। ଆମର ନେତା ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ତାଙ୍କୁ ଜିତାଇବା ଆମର କାମ ବୋଲି ସେ କହିଥିଲେ।
ତେବେ ବହୁ ଦିନ ପରେ ଚିଲିକାକୁ ବିଜେଡିର ଟାଣୁଆ ନେତାମାନେ ଆସିଥିବା ବେଳେ ଚିଲିକା ବିଧାୟକଙ୍କ ଧର୍ମପତ୍ନୀ ସ୍ଵାଗତିକା ଜଗଦ୍ଦେବ ଏବଂ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଉକ୍ତ ସମୟରେ ଦେଖିବାକୁ ମିଳିନଥିଲା। ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଫଳରେ ଆଗାମୀ ଦିନରେ ଚିଲିକାରୁ ଏହି ଦୁଇ ନେତା ଟିକେଟ ନ ପାଇବା ନେଇ ସନ୍ଦେହ ଉପୁଜିଛି।
ବିଦ୍ର- ଚିଲିକାର ବିଜେଡି ବୈଠକରେ କାହିଁକି ଯୋଗ ଦେଲେ ନାହିଁ ରଘୁନାଥ ସାହୁ ଏବଂ ସ୍ବାଗତିକା ଜଗଦ୍ଦେବ, ଜାଣିବା ପାଇଁ କ୍ଲିକ କରୁଥାଆନ୍ତୁ thesamikhsya.com/odia