Categories
ଆଜିର ଖବର ଜାତୀୟ ଖବର

ଡ୍ରାଗନ୍ ସାମ୍ନାରେ ଶକ୍ତି ଦେଖାଇଲା ଭାରତୀୟ ସେନା, ଅରୁଣାଚଳରେ ସାମରିକ ଅଭ୍ୟାସ

ନୂଆଦିଲ୍ଲୀ: ଚୀନ୍ ସୀମାରେ ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ପୂର୍ବ ଥିଏଟରରେ ଏକ ହାଇ ଭୋଲଟେଜ୍ ସାମରିକ ଅଭ୍ୟାସରେ ବଡ଼ ତୋପ ବ୍ୟବହାର କରିଛି। ସେନା ବୁଧବାର ଦିନ ଅରୁଣାଚଳ ପ୍ରଦେଶର ରଣନୈତିକ ଗୁରୁତ୍ୱପୂର୍ଣ୍ଣ ତୱାଙ୍ଗ ଏବଂ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ବୁଲନ୍ଦ ଭାରତ ନାମକ ଏକ ସାମରିକ ଅଭ୍ୟାସ କରିଥିଲା। ଏଥିରେ ୧୫୫ ମିଲିମିଟର ବୋଫର୍ସ ହାୱିଜର୍, ୧୦୫ ମିଲିମିଟର ଫିଲ୍ଡ ଗନ ଏବଂ ୧୨୦ ମିଲିମିଟର ମୋର୍ଟାରର ଗର୍ଜନ ଶୁଣାଯାଇଥିଲା।

ଜୁନ୍ ୨୦୨୦ରେ ପୂର୍ବ ଲଦାଖରେ ଚୀନ୍ ସହ ମୁହାଁମୁହିଁ ହେବା ଏବଂ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (PLA) ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି। ସେବେଠାରୁ ଭାରତ ଦୁଇ ଦେଶ ମଧ୍ୟରେ ୩୪୮୮ କିଲୋମିଟର ଲମ୍ବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛି। ଏଥିରେ ବହୁ ପରିମାଣର ତୋପଖାନା ମଧ୍ୟ ଅନ୍ତର୍ଭୁକ୍ତ।

ପୂର୍ବ ସେକ୍ଟରରେ ଭାରତ ନିୟୋଜିତ କରିଥିବା ତୋପଗୁଡ଼ିକରେ ପୁରୁଣା ୧୦୫ ମିଲିମିଟର ଫିଲ୍ଡ ଗନ ଏବଂ ବୋଫର୍ସ, ଅବଗନ ଧନୁଷ ଏବଂ ସାରଙ୍ଗ, ପିନା ଏବଂ ସ୍ମର୍ଚ ମଲ୍ଟି ଲଞ୍ଚ ରକେଟ୍ ସିଷ୍ଟମ, ନୂତନ ଏମ-୭୭୭ ଅଲ୍ଟ୍ରା-ଲାଇଟ୍ ହ୍ୱାଇଜର୍ ଅନ୍ତର୍ଭୁକ୍ତ।

Categories
ଜାତୀୟ ଖବର ବିଶେଷ ଖବର

ଜେନେରାଲ ବିପିନ ରାୱତଙ୍କ ନାମରେ ନାମିତ ହେଲା ଅରୁଣାଚଳର ଏକ ରାସ୍ତା ଏବଂ ଆର୍ମି କ୍ୟାମ୍ପ

କିବିଥୁ: ଅରୁଣାଚଳ ପ୍ରଦେଶରେ ଚୀନ୍ ସୀମାକୁ ଲାଗିଥିବା ଲୋହିତ ଉପତ୍ୟକା ନିକଟରେ ଥିବା ଏକ ସାମରିକ ବେସ୍ ଏବଂ ଏହି ପାର୍ବତ୍ୟ ଅଞ୍ଚଳର ଏକ ପ୍ରମୁଖ ରାସ୍ତାକୁ ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ବିପିନ ରାୱତ୍ ଙ୍କ ନାମରେ ନାମିତ ହୋଇଛି। ହେଲିକପ୍ଟର ଦୁର୍ଘଟଣାରେ ରାୱତ ଶହୀଦ ହେବାର ନଅ ମାସ ପରେ କିବିଥୁ ସାମରିକ ଶିବିରର ନାମ ‘ଜେନେରାଲ ବିପିନ ରାୱତ ମିଲିଟାରୀ ଗାରିସନ୍’ ରଖାଯାଇଛି।

ଜେନେରାଲ ବିପିନ ରାୱତ ୧୯୯୯ ରୁ ୨୦୦୦ ପର୍ଯ୍ୟନ୍ତ କିବିଥୁରେ ତାଙ୍କ ବାଟାଲିୟନ ୫/୧୧ ଗୋର୍ଖା ରାଇଫଲ୍ସର ନେତୃତ୍ଵ ନେଇଥିଲେ, ଯେତେବେଳେ ସେ କର୍ଣ୍ଣେଲ ପଦରେ ରହିଥିଲେ ଏବଂ ଏହି ଅଞ୍ଚଳର ସୁରକ୍ଷା ଭିତ୍ତିଭୂମି ଦୃଢ କରିବାରେ ବହୁ ଅବଦାନ ରଖିଥିଲେ। ଏହି କାରଣରୁ, କିବିଥୁ ସାମରିକ ଶିବିର ଏବଂ ୱାଲୋଙ୍ଗରୁ କିବିଥୁ ପର୍ଯ୍ୟନ୍ତ ୨୨ କିଲୋମିଟର ଦୀର୍ଘ ରାସ୍ତାକୁ ଜନରତ ରାୱତଙ୍କ ନାମରେ ନାମିତ କରାଯାଇଛି।

ନାମକରଣ ସମାରୋହରେ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବ୍ରିଗେଡିୟର୍ (ଅବସରପ୍ରାପ୍ତ) ବି.ଡି ମିଶ୍ର, ମୁଖ୍ୟମନ୍ତ୍ରୀ ପେମା ଖାନ୍ଦୁ, ପୂର୍ବାଞ୍ଚଳ ସେନା କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ ରାଣା ପ୍ରତାପ କଲିତା ଏବଂ ଜେନରଲ ରାୱତଙ୍କ ଝିଅ କ୍ରୁତିକା ଏବଂ ତାରିଣୀ ଉପସ୍ଥିତ ଥିଲେ। ଏହି ଉତ୍ସବରେ ବହୁ ବରିଷ୍ଠ ସେନା ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ଏହି ସାମରିକ ଶିବିରରେ ସ୍ଥାନୀୟ ପାରମ୍ପାରିକ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏକ ବିଶାଳ ଗେଟୱେକୁ ରାଜ୍ୟପାଳ ମଧ୍ୟ ଉଦ୍ଘାଟନ କରିଥିଲେ।

ଏଥି ସହିତ ମୁଖ୍ୟମନ୍ତ୍ରୀ ଖାଣ୍ଡୁ ୱାଲୋଙ୍ଗରୁ କିବିଥୁ ପର୍ଯ୍ୟନ୍ତ ୨୨ କିଲୋମିଟର ଲମ୍ବା ରାସ୍ତାକୁ ‘ଜେନେରାଲ ବିପିନ ରାୱତ ମାର୍ଗ’ ନାମରେ ନାମିତ କରିଛନ୍ତି। ଏହି ଅବସରରେ ଜେନେରାଲ ରାୱତଙ୍କ ଜୀବନ ଆକାରର ମୂର୍ତ୍ତି ମଧ୍ୟ ଉନ୍ମୋଚିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ମଧୁଲିକା ଏବଂ ଅନ୍ୟ ୧୨ ସୈନିକ ମଧ୍ୟ ସହିଦ ହୋଇଥିଲେ।

କିବିଥୁ ହେଉଛି ଭାରତର ସୁଦୂର ପୂର୍ବାଞ୍ଚଳର ଲୋହିତ ଉପତ୍ୟକା କୂଳରେ ଅବସ୍ଥିତ ଏକ ଛୋଟ ଗାଁ। ଅରୁଣାଚଳ ପ୍ରଦେଶର ଅନଞ୍ଜା ଜିଲ୍ଲା ଅଧୀନରେ ଆସୁଥିବା କିବିଥୁକୁ ସାମରିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବରେ ବିବେଚନା କରାଯାଏ। ଏହି ନାମକରଣ ସମାରୋହରେ କିବିଥୁ ଏବଂ ୱାଲୋଙ୍ଗର ବାସିନ୍ଦା ମଧ୍ୟ ଅଂଶଗ୍ରହଣ କରିଥିଲେ।

ସେନା କହିଛି ଯେ, ଭିତ୍ତିଭୂମି ବିକାଶ ତଥା ଏହି କ୍ଷେତ୍ରରେ ସାମାଜିକ ପ୍ରଗତିରେ ଜେନେରାଲ ରାୱତଙ୍କ ଦୃଷ୍ଟିକୋଣ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଡିସେମ୍ବର ୨୦୨୧ ରେ ଜେନେରାଲ ବିପିନ ରାୱତଙ୍କ ଅକାଳ ବିୟୋଗ ହେତୁ ଦେଶ ଏକ ଅପୂରଣୀୟ କ୍ଷତି ସହିଛି। ସେନା କହିଛି ଯେ, ଏହି ସମାରୋହ ଭାରତର ପ୍ରଥମ CDS ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି।