Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତିନି ଗୋଟି ଚୋରା ବାଇକ ଜବତ କଲା ଟାଙ୍ଗୀ ପୋଲିସ: ଦୁଇ ଯୁବକ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗାଡ଼ି ଚେକିଂ ବେଳେ ଦୁଇ ଜଣ ବାଇକ ଚୋର ପୋଲିସ ହାତରେ ଧରା ପଡିଛନ୍ତି। ଏହାସହ ତିନିଟି ବାଇକ ଜବତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ ଚଣ୍ଡେଶ୍ୱର ଛକରେ ଟାଙ୍ଗି ପୋଲିସ ଗାଡ଼ି କାଗଜପତ୍ର ଯାଞ୍ଚ କରୁଥିବାବେଳେ ଗୋଟିଏ ହୋଣ୍ଡା ସାଇନ ମଟରସାଇକେଲ ଉପରେ ସନ୍ଦେହ ହେବାରୁ ତାହାର କାଗଜପତ୍ର ମାଗିଥିଲା। ତେବେ ମଟରସାଇକେଲ ଚାଳକ କାଗଜପତ୍ର ଦେଖାଇବାକୁ ଅସମର୍ଥ ହେବାରୁ ପୋଲିସର ସନ୍ଦେହ ବଢ଼ିବାରେ ଲାଗିଲା। ଏବଂ ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ତାହା ଏକ ଚୋରା ବାଇକ।

ଏହି ପରିପ୍ରେକ୍ଷୀରେ ଟାଙ୍ଗି ପୋଲିସ କେସ ନମ୍ବର ୪୦୦/୨୧ ରେ ଏକ ଚୋରି ମାମଲା ରୁଜୁ କରିବା ସହ ବାଇକ ଚାଳକ ଦିଲୀପ ବେହେରା ଏବଂ ବାଇକ ପଛରେ ବସିଥିବା ତାଙ୍କ ସହଯୋଗୀ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଗିରଫ କରି ଗାଡିକୁ ଜବତ କରିଛି। ଉଭୟ ଅଭିଯୁକ୍ତଙ୍କ ଗ୍ରାମ ଟାଙ୍ଗି ଥାନା ସୋରଣ ପଞ୍ଚାୟତର ନରହରିସାହି ଗ୍ରାମରେ ବୋଲି ଜଣାପଡିଛି।

ସେହିପରି ଭାବେ ତଦନ୍ତ ସମୟରେ ଅଭିଯୁକ୍ତମାନେ ଭୁବନେଶ୍ୱରରୁ ଆଉ ଦୁଇଗୋଟି ମଟରସାଇକେଲ ଚୋରି କରିଥିବାର ପୋଲିସ ଜାଣିବାକୁ ପାଇଥିଲା। ତେଣୁ ଟାଙ୍ଗି ଆଇଆଇସି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ନରହରି ଗ୍ରାମରେ ଚଢ଼ାଉ କରାଯାଇଥିଲା ଏବଂ ସେଠାରୁ ଗୋଟାଏ ବାଜାଜ ପ୍ଲାଟିନା ମଟରସାଇକେଲ ଏବଂ ଗୋଟାଏ କଳା ରଙ୍ଗର ହିରୋ ହୋଣ୍ଡା ଗ୍ଲାମର ମଟରସାଇକେଲ ଜବତ କରାଯାଇଥିଲା।

ତେବେ ଆଜି ଉଭୟ ଅଭିଯୁକ୍ତଙ୍କୁ ଆପେକ୍ସ କୋର୍ଟରେ ହାଜର କରାଯାଇଛି। ଏହାସହ ଅଧିକ ତଥ୍ୟ ସଂଗ୍ରହ ନିମନ୍ତେ ଟାଙ୍ଗି ପୋଲିସ ଉଭୟଙ୍କୁ ୧୫ ଦିନିଆ ରିମାଣ୍ଡରେ ଆଣିବାପାଇଁ ଆପେକ୍ସ କୋର୍ଟକୁ ନିବେଦନ କରିଥିବାର ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।