Categories
ଆଞ୍ଚଳିକ

ଚୋରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚୋରି ଅଭିଯୋଗରେ ଆଜି ବାଲୁଗାଁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଚନ୍ଦ୍ରାପୁଟ ଗ୍ରାମର ବାବୁଲା ଦାସ (୨୮), ଗବପଦର ଗ୍ରାମର ବନମାଳୀ ବେହେରା (୭୫) ଏବଂ ବଡ଼କୁଳ ଗ୍ରାମର ଶିବପ୍ରସାଦ ସାହୁ (୩୩)।

ପୋଲିସ ସୂଚନା ମୁତାବକ ବଡ଼କୁଳ ଗ୍ରାମର ପାଣ୍ଡଵ ମହାରଣା ପ୍ଳଟିଙ୍ଗ ଓ କନଷ୍ଟ୍ରକସନ କାମ ଉପଲକ୍ଷେ ନିର୍ମାଣ ସାମଗ୍ରୀ ରଖିବା ପାଇଁ ଚନ୍ଦ୍ରାପୁଟ ଗ୍ରାମର ଏକ ଘରକୁ ଭଡ଼ାସୂତ୍ରରେ ନେଇଛନ୍ତି। ତେବେ ଦୁଇ ଦିନ ତଳେ ଉକ୍ତ ଭଡ଼ା ଘରୁ ସମସ୍ତ ନିର୍ମାଣ ସାମଗ୍ରୀ ଚୋରି ହୋଇଯାଇଥିବା ପାଣ୍ଡଵ ଦେଖିବାକୁ ପାଇଥିଲେ।

ଏ ନେଇ ପାଣ୍ଡଵ ବାଲୁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନମ୍ବର ୫୫/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତଦନ୍ତରୁ ଜଣାପଡିଥିଲା କି ବାବୁଲା ଦାସ ପାଣ୍ଡଵଙ୍କ ଉକ୍ତ ସାମଗ୍ରୀ ଭଡ଼ା ଘରୁ ଚୋରି କରି ଶିବପ୍ରସାଦଙ୍କୁ ବିକ୍ରି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଶିବପ୍ରସାଦ ଉକ୍ତ ଚୋରି ସାମଗ୍ରୀକୁ କବାଡିଆ ଦୋକାନୀ ବନମାଳୀ ବେହେରାଙ୍କୁ ବିକ୍ରି କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାର ବାଲୁଗାଁ ଥାନାଧିକାରୀ ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରି ଅଭିଯୋଗରେ ୪ ଯୁବକ ଗିରଫ, ଲକ୍ଷାଧିକ ନଗଦ ଟଙ୍କା ଓ ବହୁ ସ୍ବର୍ଣ୍ଣ ଅଳଙ୍କାର ଜବତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ଦିନ ପୁର୍ବରୁ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲି ମାଳତୀ ନଗରରେ ବଡ ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ମାଳତୀ ନଗରର ବାସିନ୍ଦା ସୁଶାନ୍ତ କୁମାର ପଟ୍ଟନାୟକଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ବ୍ରହ୍ମପୁର ଏସ୍ ପି ଡ଼ଃ ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶନାରେ ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।

ଏହି ତଦନ୍ତ ଜରିଆରେ ପୋଲିସ ୪ ଜଣ ଯୁବକ ଯଥା ଶିବ ପରିଡା, ପ୍ରମୋଦ ପ୍ରଧାନ, ଅଭିମନ୍ୟୁ ଓ ଅଳଙ୍କାର କ୍ରୟ କରିଥିବା ସୁନାରି କେ ରାମୁ ଆଚାରୀ ଉଠାଇ ନେଇ ଜେରା କରିବା ପରେ ସେମାନେ ଚୋରି ଘଟଣାରେ ଅନ୍ତର୍ଭୁକ୍ତ ବୋଲି ରାଜି ହୋଇଥିଲେ। ପୋଲିସ ସେମାନଙ୍କ ଠାରୁ ଏକ ଲକ୍ଷ ୫୮ ହଜାର ଟଙ୍କା ନଗଦ ସହ ୧୯୦ ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ଜବତ କରିଛନ୍ତି। ପରେ ପ୍ରକୃତ ହିତାଧିକାରୀଙ୍କୁ ଉକ୍ତ ଅଳଙ୍କାର ଫେରସ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ଠାରୁ ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁରରେ ଗୋଠରୁ ଛେଳି ଚୋରି ଅଭିଯୋଗ, ୪ ମୃତ ଛେଳି ଉଦ୍ଧାର, ଜଣଙ୍କୁ ଅଟକ ରଖିଲା ପୋଲିସ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମନଇଛାପୁର ଗ୍ରାମରେ ୧୦ ଗୋଟି ଛେଳି ଚୋରି ଅଭିଯୋଗରେ ପୋଲିସ ଜଣକୁ ଅଟକ ରଖିଛି।

ସୂଚନା ମୁତାବକ କୁଲେଇ ଗ୍ରାମ ପଞ୍ଚାୟତ ମତପଖରା ଗ୍ରାମର ବଇଁଶୀ ପାତ୍ର ମନଇଚ୍ଛାପୁରର ଜନୈକ ବ୍ୟକ୍ତିଙ୍କ ଜମିରେ ଜମି ଉର୍ବର ପାଇଁ ୧୨ ଗୋଟି ଛେଳି ଗତ ରାତିରେ ଛାଡିଥିଲେ।  ଉକ୍ତ ଛେଳି ମଧ୍ୟରୁ ୧୦ଟି ଛେଳି ଗାଏବ ହେବା ସମ୍ପର୍କେ ବଂଶୀ ବାଣପୁର ଥାନାର ଦ୍ୱାରସ୍ତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ୪ଟି ଛେଳିକୁ ମୃତ ଅବସ୍ଥାରେ ଉଦ୍ଧାର କରାଯଇଥିବା ବେଳେ ସେମାନଙ୍କର ବ୍ୟବଚ୍ଛେଦ କରାଯାଇଛି।

ତେବେ ଅବଶିଷ୍ଟ ଛେଳି ଗୁଡିକୁ ଉଦ୍ଧାର କରାଯାଇ ନଥିବା ବେଳେ ବାଣପୁର ପୋଲିସ ଜଣଙ୍କୁ ଥାନାରେ ଅଟକ ରଖିଛି। ଅଟକ ବ୍ୟକ୍ତି ଜଣକ ବରଡ଼ି ଗ୍ରାମର ବୋଲି ଜଣାପଡିଛି। ପ୍ରକାଶ ଥାଉକି ଆଗକୁ ନୂଆବର୍ଷ ଥିବାବେଳେ ଏକାଧିକ ଛେଳି ଚୋରୀକୁ ନେଇ ଅଞ୍ଚଳରେ କୌତୁହଳ ଦେଖାଯାଇଛି।

Categories
ଆଞ୍ଚଳିକ

ବାଣପୁର: କୁମାରାଙ୍ଗ ଛକ ନିକଟସ୍ଥ ଏକ ଘରୁ କଳା କନା ବୁଲାଇଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଛକ ନିକଟସ୍ଥ ଏକ ଘରୁ ଚୋରି ଅଭିଯୋଗ ହୋଇଛି। ଘରେ କେହି ଉପସ୍ଥିତ ନଥିବାବେଳେ ବିଳମ୍ବିତ ରାତ୍ରିରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ।

ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମର ତରଣୀସେନ ନାୟକ ଆଇଏନଏସ ମୁମ୍ବାଇରେ ଚାକିରୀ କରୁଥିବା ବେଳେ କୁମାରାଙ୍ଗ ଛକ ନିକଟରେ ଥିବା ତାଙ୍କର ଘର ଶ୍ୱଶୁର ଶିବ କୁମାର ପ୍ରଧାନଙ୍କ ଦାୟିତ୍ୱରେ ଥିଲା। ଶିବ ପ୍ରତ୍ୟେହ ଉକ୍ତ ଘରକୁ ଯାଇ ରକ୍ଷଣାବେକ୍ଷଣ କରୁଥିବା ବେଳେ ରାତିରେ ଘରକୁ ତାଲା ପକାଇ ନିଜ ଘରକୁ ପଳାଇଆସୁଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଗତକାଲି ରାତ୍ରି ଦୁଇଘଟିକା ସମୟରେ ମୁଖ୍ୟ ଫାଟକ ଡେଇଁ ଘର ମଧ୍ୟକୁ ପ୍ରବେଶ କରିଥିଲେ।

ଗ୍ରିଲକୁ କଟର ସାହାଯ୍ୟରେ କାଟି ଘର ଭିତରେ ପଶି ସମସ୍ତ ଆଲମିରା ଭାଙ୍ଗି ଲୁଟ କରିଥିବା ଜଣାପଡିଛି। ଶ୍ୱଶୁର ଶିବଙ୍କ କହିବା ମୁତାବକ ଦୁଇଟି ସିସିଟିଭି ଓ ତରଣୀଙ୍କୁ ପୁରସ୍କାର ସ୍ୱରୂପ ଆଇଏନଏସ ବିକ୍ରାନ୍ତର ମିଳିଥିବା ଏକ ରୁପା ନିର୍ମିତ ଜାହାଜକୁ ମଧ୍ୟ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି।

ତେବେ ଆଉ କଣ କଣ ଅଳଙ୍କାର ଲୁଟ ହୋଇଛି ତାହା ଜ୍ଵାଇଁ ତରଣୀ ଆସିଲେ ଜଣାପଡିବ ବୋଲି ଶିବ କହିଛନ୍ତି। ତେବେ ଅଭିଯୋଗ ପାଇ ଆଇଆଇସି ରମେଶ ଚନ୍ଦ୍ର ଦେବତା ଓ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Categories
ଅପରାଧ ଆଞ୍ଚଳିକ

ବାଲୁଗାଁ ରେଳବାଇ ଡିପୋରୁ ସିଗନାଲ କେବୁଲ ଚୋରି ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳବାଇ ଡିପୋରୁ ସିଗନାଲ କେବୁଲ ଚୋରି ଅଭିଯୋଗ ହୋଇଥିଲା। ଯାହାପରେ ବାଲୁଗାଁ ଆରପିଏଫ ତଦନ୍ତ ଆରମ୍ଭ କରିଥିଲା। ଏବଂ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଷ୍ଟେସନ ରୋଡର ମୋହନ ପ୍ରଧାନ (୫୮) ଏବଂ ଗଞ୍ଜାମ ଜିଲ୍ଲା ଭେଜିପୁର ଗ୍ରାମର ବେପାରି ସୁନୀଲ କୁମାର ସାହୁ (୨୬)।

ସୂଚନା ମୁତାବକ ଗତ ୨୭ ତାରିଖ ଦିନ ବାଲୁଗାଁ ରେଳବାଇ ଡିପୋରୁ ୩୦ ମିଟର ସିଗନାଲ କେବୁଲ ଚୋରି ହୋଇଥିବାର ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ବାଲୁଗାଁ ଆରପିଏଫ ଥାନାରେ କେସ ନମ୍ବର ୧/୨୩ ରେ ଏକ ମାମଲା ରୁଜୁ କରାଯାଇ ଖୋଦ ଆଇଆଇସି ଏହାର ତଦନ୍ତ ଜାରି ରଖିଥିଲେ।

ତେବେ ସିସିଟିଭି ଫୁଟେଜ ଏବଂ ଗୁଇନ୍ଦା ଆଧାରରେ ଆରପିଏଫ କେବୁଲ ଚୋରି କରିଥିବା ଅଭିଯୁକ୍ତ ମୋହନ ଏବଂ ଉକ୍ତ ଚୋରା କେବୁଲକୁ କିଣିଥିବା ବେପାରି ସୁନୀଲ ଉଭୟଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଏହାସହିତ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର ହୋଇଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘର ନିର୍ମାଣ ସାମଗ୍ରୀ ଓ ପାଣି ପମ୍ପ୍ ଚୋରି ଅଭିଯୋଗରେ ଦୁଇ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନାରେ ଗତ କିଛି ଦିନ ମଧ୍ୟରେ ୫ ଟି ଚୋରି ଘଟଣାର ଅଭିଯୋଗ ହୋଇଥିଲା। ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଥିଲେ ଓ ପରିଶେଷରେ ନିମଖଣ୍ଡି ପୋଲିସ ଦୁଇ ଜଣ ଯୁବକକୁ କାବୁ କରିଥିଲା।

ଉକ୍ତ ଦୁଇ ଯୁବକଙ୍କ ମଧ୍ୟରେ ଲୋଚାପଡା ରାମକୃଷ୍ଣ ନଗରର ସାନୁ ନାୟକ ବିଭିନ୍ନ ଘରୁ ୯ ଟି ପାଣି ପମ୍ପ୍, ଗାଧୁଆ ଘର ଫିଟିଙ୍ଗ୍ସ, ରନ୍ଧା ଘର ଚିମିନି ସହ କିଛି ବିଦ୍ୟୁତ ସାମଗ୍ରୀ ଚୋରି କରି ହିଞ୍ଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ଗସୁଦର୍ଶନ ସାହୁଙ୍କୁ ବିକ୍ରି କରୁଥିବା ଜଣାପଡିଥିଲା ଓ ପୋଲିସ ଉଭୟଙ୍କୁ କାବୁ କରି ଉକ୍ତ ସମସ୍ତ ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତ ଦ୍ଵୟଙ୍କୁ କେଶ୍ ନଂ ୯୫/୨୩ ଓ ଧାରା ୪୫୭ ଓ ୩୮୦ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି। ଏତଦବ୍ୟତୀତ ଜବତ୍ ସାମଗ୍ରୀ ଯାଞ୍ଚ କରି ଠିକ ଲୋକଙ୍କୁ ଫେରାଇ ଦିଆଯିବ ବୋଲି ବ୍ରହ୍ମପୁର ଏସ୍ ପି ଙ୍କ ଠାରୁ ସୁଚନା ମିଳିଛି।

Categories
ଆଞ୍ଚଳିକ

ତାଲା ଭାଙ୍ଗି ଘରୁ ଚୋରି ଅଭିଯୋଗ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ୩ୟ ଗଳିରେ ରହୁଥିବା ଟୁଟୁ ସାହୁଙ୍କ ଘରୁ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ନିଜର କୌଣସି ବ୍ୟକ୍ତିଗତ କାମରେ ଅଭିଯୋଗକାରୀ ଟୁଟୁ ଭୁବନେଶ୍ୱର ଯାଇଥିଲେ ଓ ଗତ ୧୯ ତାରିଖରେ ଘରକୁ ଆସି ଦେଖିଲେ ଯେ ଘରର ତାଲା ଭାଙ୍ଗି ଜିନିଷ ପତ୍ର ସବୁ ଏଣେତେଣେ ପଡ଼ି ରହିଛି।

ଏହି ଭଳି ପରିସ୍ଥିତିରେ ସେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏତଲା ଗ୍ରହଣ କରି ମକଦ୍ଦମା ନଂ ୧୩୧/୨୩ ଅନୁଯାୟୀ ମାମଲା ରୁଜୁ କରି ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜରୁ ତଥ୍ୟ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ତିନି ଗିରଫ, ସ୍ବର୍ଣ୍ଣ ଅଳଙ୍କାର ଓ ନଗଦ ଟଙ୍କା ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନୀପୁର, ଚୈତନ୍ୟ ନଗର, ବାସୁଦେବ ନଗର ଓ ଚଣ୍ଡିପଦର ଭଳି ବିଭିନ୍ନ ଅଞ୍ଚଳରୁ ତାଲାବନ୍ଦ ର ସୁଯୋଗ ନେଇ କିଛି ଅସାମାଜିକ ଯୁବକ ଘର ତାଲା ଭାଙ୍ଗି ଚୋରି ଘଟଣାରେ ବ୍ରହ୍ମପୁର ପୋଲିସ ର ମୁଣ୍ଡବିନ୍ଧା ହୋଇଥିଲା। ଏହି ଭଳି ୫ ଟି ସ୍ଥାନରେ ଚୋରି ଅଭିଯୋଗରେ ଚୋର ଗ୍ୟାଙ୍ଗ୍ କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ଟିମ୍ ଗଠନ ହୋଇଥିଲା।

ଉକ୍ତ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ପାଲାସା ଅଞ୍ଚଳର ପି କ୍ରିଷ୍ଣା ନାମକ ଜଣେ ଯୁବକକୁ କାବୁ କରିଥିବା ବେଳେ ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗର ସାହିର ସାଗର ମୁଳି ଓ ଗୋପାଳପୁର ଥାନା ଅନ୍ତର୍ଗତ ନରଣପୁର ଗ୍ରାମ ର ଶ୍ରୀଧର ବେହେରା ନାମକ ଜଣେ ଯୁବକ କୁ ଉଠାଇ ଆଣି ଜେରା କରିବା ବେଳେ ଉକ୍ତ ସିରିଜ୍ ଚୋରି ଘଟଣାର ପ୍ରମାଣ ପାଇବା ସହ ସେମାନଙ୍କ ଠାରୁ ନଗଦ ୮୦ ହଜାର ଟଙ୍କା, କିଛି ସ୍ବର୍ଣ୍ଣ ଅଳଙ୍କାର ଓ ରୁପା ଅଳଙ୍କାର ସହ ଗୋଟିଏ ମୋଟରସାଇକେଲ, ବହୁ ପରିମାଣର ବିଦ୍ୟୁତ ତାର ଓ ଗ୍ରୁହ ନିର୍ମାଣ ସାମଗ୍ରୀ ଜବତ କରିଛନ୍ତି।

ଗିରଫ ଯୁବକ ମାନଙ୍କ ମଧ୍ୟରୁ ସାଗର ମୁଳି ନାମରେ ବିଭିନ୍ନ ଥାନାରେ ୧୫ ରୁ ଉର୍ଦ୍ଧ୍ବ ମକଦ୍ଦମା ଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଚୋରି ଅଭିଯୋଗରେ ଦୁଇ ଗିରଫ, ୪୮ଟି ବ୍ୟାଟେରୀ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ଦିନକୁଦିନ ଚୋରି,ରାହାଜାନୀ ବଢୁଥିବା ବେଳେ ପୋଲିସର ନିଦ ହଜିଯାଇଛି।ଯାହାଫଳରେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯାଇଛି।ଯାହାକି ଶନିବାର ଦିନ ବାଲୁଗାଁ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ପାରିକଂସାରି ଛକ ନିକଟସ୍ଥ ମୋବାଇଲ ଟାୱାର ଗୃହରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ଚୋରି ହୋଇଥିବା ନେଇ ଅଭିଯୋଗ ହେବାପରେ ଆଜି ବାଲୁଗାଁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ସମେତ ଗୋଟିଏ ବାଇକ ଏବଂ ବ୍ୟବହୃତ ଆବଶ୍ୟକୀୟ ସାମଗ୍ରୀ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ବାଲୁଗାଁ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୩୧/୨୦୨୩ ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏଥିସହିତ ଏହା ପଛରେ କେଉଁ ରାକେଟ କାର୍ଯ୍ୟ କରୁଛି ଅଧିକ ଅନୁସନ୍ଧାନ ପାଇଁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରି ଅଭିଯୋଗରେ ୨ ଗିରଫ, ୩ ବାଇକ୍ ଉଦ୍ଧାର

କନ୍ଦର୍ପ ବେହେରା

ରେଢ଼ାଖୋଲ: ରେଢ଼ାଖୋଲ ସହରରୁ ବାଇକ୍ ଚୋରି ଅଭିଯୋଗରେ ପୋଲିସ ୩ ଟି ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିଥିବାବେଳେ ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

ପୋଲିସ୍ ସୂତ୍ରରୁ ଜଣା ପଡ଼ିଛି ଯେ, ଗତ ଅଗଷ୍ଟ ୩ ତାରିଖରେ ରେଢ଼ାଖୋଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଜଣେ ତହସିଲ କର୍ମଚାରୀଙ୍କ ଏକ ହୋଣ୍ଡା ବାଇକ୍ ଚୋରି ହୋଇଥିଲା। ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ପୋଲିସ୍ ଘଟଣାଟିକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲ। ପୁଣି ଗତ ୧୦ ତାରିଖରେ ରେଢ଼ାଖୋଲ ସାପ୍ତାହିକ ବଜାରରୁ ଏକ ପେସନ ପ୍ରୋ ଗାଡ଼ି ଚୋରି ହୋଇଥିଲା। ଏନେଇ ପୋଲିସ ସହରର ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲା ଯେ ଯୁଯୋମୁରା ଅଞ୍ଚଳର ଜଣେ ବ୍ୟକ୍ତି ଲଗାତାର ଭାବେ ରେଢ଼ାଖୋଲ ଅଞ୍ଚଳରୁ ବାଇକ୍ ଚୋରି କରିନେଉଛି।

ପୋଲିସ ଏହାର ତଦନ୍ତ କରି ଯୁଯୁମୁରା ଅଞ୍ଚଳରୁ ଗୋଟିଏ ଓ ରେଢ଼ାଖୋଲ ଅଞ୍ଚଳରୁ ୨ ଟି ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଯୁଯୁମୁରା ଥାନା ବସିଆପଡା ଗ୍ରାମର ରାମ କୁମାର ପଣ୍ଡା ଏବଂ ଚୋରି ବାଇକ୍ କିଣିଥିବା ସୋନପୁର ଜିଲ୍ଲା ବିରମହାରାଜପୁର ଥାନା ମସିନା ପାଲି ଗ୍ରାମର ସତ୍ୟ ଘୁଟା।‌ ଅଭିଯୁକ୍ତ ରାମକୁମାର ପଣ୍ଡାଙ୍କ ନାମରେ ପୂର୍ବରୁ ରେଢ଼ାଖୋଲ, ଯୁଯୁମୁରା, ସୋନପୁର, ବୀରମହାରାଜପୁର ଓ ଉଲୁଣ୍ଡା ଥାନାରେ ଏକାଧିକ ବାଇକ୍ ଚୋରି ମାମଲା ଥିବା ଜଣାପଡିଛି। ଅଭିଯୁକ୍ତ ରାମକୁମାର ପଣ୍ଡା ବାଇକ୍ ଚୋରିକରି ୫ରୁ ୧୦ ହଜାର ଟଙ୍କାରେ ଗଞେଇ ମାଫିଆଙ୍କୁ ବିକ୍ରି କରିଥାଏ ବୋଲି ତଦନ୍ତରୁ ଜଣାପଡ଼ିଛି।

ରେଢ଼ାଖୋଲ ପୋଲିସ କେସ ନଂ ୧୬୬/୨୨ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି। ଏହି ପ୍ରେସ ବିବୃତିରେ ରେଢ଼ାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ, ତଦନ୍ତ କାରୀ ଅଧିକାରୀ ଇଶ୍ଵର ଚନ୍ଦ୍ର ନାଏକ, ସବ ଇନ୍ସପେକ୍ଟର ସଞ୍ଜୟ କୁଲୁ, ଏଏସ‌ଆଇ ମୋହନ ସାହୁ ଉପସ୍ଥିତ ଥିଲେ।