ବାଲୁଗାଁ: ଚୋରି ଅଭିଯୋଗରେ ଦୁଇ ଗିରଫ, ୪୮ଟି ବ୍ୟାଟେରୀ ଜବତ

Published: Feb 4, 2023, 7:51 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ଦିନକୁଦିନ ଚୋରି,ରାହାଜାନୀ ବଢୁଥିବା ବେଳେ ପୋଲିସର ନିଦ ହଜିଯାଇଛି।ଯାହାଫଳରେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯାଇଛି।ଯାହାକି ଶନିବାର ଦିନ ବାଲୁଗାଁ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ପାରିକଂସାରି ଛକ ନିକଟସ୍ଥ ମୋବାଇଲ ଟାୱାର ଗୃହରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ଚୋରି ହୋଇଥିବା ନେଇ ଅଭିଯୋଗ ହେବାପରେ ଆଜି ବାଲୁଗାଁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ସମେତ ଗୋଟିଏ ବାଇକ ଏବଂ ବ୍ୟବହୃତ ଆବଶ୍ୟକୀୟ ସାମଗ୍ରୀ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ବାଲୁଗାଁ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୩୧/୨୦୨୩ ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏଥିସହିତ ଏହା ପଛରେ କେଉଁ ରାକେଟ କାର୍ଯ୍ୟ କରୁଛି ଅଧିକ ଅନୁସନ୍ଧାନ ପାଇଁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି।

Related posts