ବାଣପୁର: କୁମାରାଙ୍ଗ ଛକ ନିକଟସ୍ଥ ଏକ ଘରୁ କଳା କନା ବୁଲାଇଲେ ଦୁର୍ବୃତ୍ତ

Published: Jul 29, 2023, 6:50 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଛକ ନିକଟସ୍ଥ ଏକ ଘରୁ ଚୋରି ଅଭିଯୋଗ ହୋଇଛି। ଘରେ କେହି ଉପସ୍ଥିତ ନଥିବାବେଳେ ବିଳମ୍ବିତ ରାତ୍ରିରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ।

ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମର ତରଣୀସେନ ନାୟକ ଆଇଏନଏସ ମୁମ୍ବାଇରେ ଚାକିରୀ କରୁଥିବା ବେଳେ କୁମାରାଙ୍ଗ ଛକ ନିକଟରେ ଥିବା ତାଙ୍କର ଘର ଶ୍ୱଶୁର ଶିବ କୁମାର ପ୍ରଧାନଙ୍କ ଦାୟିତ୍ୱରେ ଥିଲା। ଶିବ ପ୍ରତ୍ୟେହ ଉକ୍ତ ଘରକୁ ଯାଇ ରକ୍ଷଣାବେକ୍ଷଣ କରୁଥିବା ବେଳେ ରାତିରେ ଘରକୁ ତାଲା ପକାଇ ନିଜ ଘରକୁ ପଳାଇଆସୁଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଗତକାଲି ରାତ୍ରି ଦୁଇଘଟିକା ସମୟରେ ମୁଖ୍ୟ ଫାଟକ ଡେଇଁ ଘର ମଧ୍ୟକୁ ପ୍ରବେଶ କରିଥିଲେ।

ଗ୍ରିଲକୁ କଟର ସାହାଯ୍ୟରେ କାଟି ଘର ଭିତରେ ପଶି ସମସ୍ତ ଆଲମିରା ଭାଙ୍ଗି ଲୁଟ କରିଥିବା ଜଣାପଡିଛି। ଶ୍ୱଶୁର ଶିବଙ୍କ କହିବା ମୁତାବକ ଦୁଇଟି ସିସିଟିଭି ଓ ତରଣୀଙ୍କୁ ପୁରସ୍କାର ସ୍ୱରୂପ ଆଇଏନଏସ ବିକ୍ରାନ୍ତର ମିଳିଥିବା ଏକ ରୁପା ନିର୍ମିତ ଜାହାଜକୁ ମଧ୍ୟ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି।

ତେବେ ଆଉ କଣ କଣ ଅଳଙ୍କାର ଲୁଟ ହୋଇଛି ତାହା ଜ୍ଵାଇଁ ତରଣୀ ଆସିଲେ ଜଣାପଡିବ ବୋଲି ଶିବ କହିଛନ୍ତି। ତେବେ ଅଭିଯୋଗ ପାଇ ଆଇଆଇସି ରମେଶ ଚନ୍ଦ୍ର ଦେବତା ଓ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Related posts