Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ ଅଭିଯାନରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଚୟନ କରାଯାଇଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଭାରତୀୟ ସଂସ୍କୃତିର ‘ବିବିଧତା ମଧ୍ୟରେ ଏକତା’ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଚତୁର୍ଦ୍ଦଶ ଦିନରେ ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ଉଦଘାଟନ କରିଥିଲେ।

ପ୍ରତିଷ୍ଠାନର ଆର୍ଯ୍ୟଭଟ୍ଟ, ଅଗ୍ନି, ସୌର୍ଯ୍ୟ, ସ୍ଫୁଟନିକ ହାଉସ ଓ ଡିଏମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସମ୍ବଲପୁରୀ, ଓଡ଼ିଶୀ, ଭାରତନାଟ୍ୟମ, ମହାକାଳୀ ସ୍ମୃତି ଆଦି ପରିବେଷଣ କରାଯାଇଥିଲା। ଯାହାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।

ସେହିପରି ଆପୋଲୋ ଓ ରୋହିଣୀ ହାଉସର ଛାତ୍ରଛାତ୍ରୀ ଲୋକନୃତ୍ୟ ପରିବେଷଣ କରିଥିଲେ। ଡିନ୍‌ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ଏବଂ ଶିକ୍ଷୟିତ୍ରୀ ଜ୍ୟୋତି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜି-୨୦ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଧାନ ଶିକ୍ଷକ ଅଖିଳେଶ୍ୱର ମିଶ୍ର, ପ୍ରାଧ୍ୟାପିକା ରଶ୍ମୀରେଖା ସେଠୀ, ଡକ୍ଟର ଏଲିଜାବେଥ୍‌ ଗଙ୍ଗମେର ଓ ନୃତ୍ୟଗୁରୁ ବିଜନ ପଲାଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସଚେତନତା କାର୍ଯ୍ୟକ୍ରମ ଜରିଆରେ ଜି-୨୦ ଜନଭାଗିଦାରୀ ଅଭିଯାନରେ ସାମିଲ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନଫର୍ମେସନ ଟେକ୍ନୋଲୋଜି ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ଛାତ୍ରଛାତ୍ରୀ ଜି-୨୦ ଲୋଗୋ ଓ ବିଷୟବସ୍ତୁ ଉପରେ ରଙ୍ଗୋଲି ପ୍ରସ୍ତୁତ କରିଥିଲେ।

ସେହିପରି ଭୁବନେଶ୍ୱର ସ୍ଥିତ ସିପେଟ୍‌ ଛାତ୍ରଛାତ୍ରୀମାନେ ମଧ୍ୟ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ପୁରୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ ପରିସରରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମିଲେଟ୍ସ ସେବନକୁ ପ୍ରୋତ୍ସାହନ ଲାଗି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ସେହିପରି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ରଙ୍ଗୋଲି ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ବାର୍ତ୍ତା ପ୍ରଚାର କରିଥିଲେ।

ଏହାଛଡ଼ା ଆଇସିଏଆର-ଏନଆଇଏଫଏମଡି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍‌ରେ ଗୋଚାଷୀମାନଙ୍କୁ ଗୋଖାଦ୍ୟ ବଣ୍ଟନ କରାଯାଇଥିଲା।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟୁରିଜିମ୍‌ ଏଣ୍ଡ ଟ୍ରାଭେଲ୍‌ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ)ର ହେରିଟେଜ୍‌ ଏଣ୍ଡ କଲଚର୍‌ କ୍ଲବ୍‌ ପକ୍ଷରୁ ପୁରୁଣା ଭୁବନେଶ୍ୱର ଠାରେ ଐତିହ୍ୟ ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଅନ୍ୟପଟେ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କେନ୍ଦୁଝର ଜିଲ୍ଲା ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଅନୁରୂପ ଭାବେ ଭୁବନେଶ୍ୱର ସ୍ଥିତ ସିଟିଟିସି ପକ୍ଷରୁ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା।

ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ପ୍ରତିଷ୍ଠାନ ଏବଂ ଡିଏମ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଉତ୍ସାହର ସହିତର ଅଂଶଗ୍ରହଣ କରିଥିଲେ।

ଅନୁଗୁଳ ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ଜି-୨୦ ଲୋଗୋ ଡିଜାଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭାରତର ଜି-୨୦ ଅଧ୍ୟକ୍ଷତା ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀମାନେ ଲୋଗୋ ଡିଜାଇନ କରିଥିଲେ।