Categories
ବିଶେଷ ଖବର

ପରିବେଶ ସୁରକ୍ଷା ନିମନ୍ତେ ବିକାଶକୁ ନିୟନ୍ତ୍ରିତ କରିବା ଜରୁରୀ: ଜଷ୍ଟିସ୍ ସ୍ଥାଲେକର

ଭୁବନେଶ୍ୱର: ପରିବେଶ ଜନିତ ଦୁର୍ଦ୍ଦଶା ଏବଂ ପ୍ରଦୂଷଣ ବୃଦ୍ଧି ଯୋଗୁଁ ପୃଥିବୀର ତାପମାତ୍ରା ୨୦୨୫ ବେଳକୁ ଅଧିକ୧.୫ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ଏଭଳି ପରିସ୍ଥିତିରୁ ପରିବେଶକୁ ସୁରକ୍ଷା ରଖିବା ନିମନ୍ତେ ସମସ୍ତ ପ୍ରକାର ଗଠନମୂଳକ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ଶନିବାର ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସ୍‌ନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍‌)ର ନ୍ୟାୟିକ ସଦସ୍ୟ ଜଷ୍ଟିସ୍ ବି. ଅମିତ ସ୍ଥାଲେକର ମତ ବ୍ୟକ୍ତ କରିଛନ୍ତି।

ଯଦି ପୃଥିବୀର ତାପମାତ୍ରା ବଢ଼ି ଚାଲିବ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ପ୍ରକାର ପ୍ରୟାସ କରାଯିବ ନାହିଁ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ସହ ସମୁଦ୍ର ପତନ ବୃଦ୍ଧି ପାଇବ ଏବଂ ଏହା ଦ୍ୱାରା ମୁମ୍ବାଇ ଓ କୋଲକାତା ଭଳି ଉପକୂଳ ସହର ସମୁଦ୍ରରେ ଲୀନ ହୋଇଯିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ), ଏନ୍‌ଜିଟି ଓ ଓଡ଼ିଶା ଷ୍ଟେଟ୍ ଲିଗାଲ ସର୍ଭିସେସ୍ ଅଥରିଟିର ମିଳିତ ସହଯୋଗରେ ଆୟୋଜିତ ଓଡ଼ିଶା ଏନ୍‌ଭାଇରନ୍‌ମେଂଟ କଂଗ୍ରେସ୍ -୨୦୨୨ରେ ଜଷ୍ଟିସ୍ ସ୍ଥାଲେକର ଏହା କହିଛନ୍ତି।

ବିକାଶମୂଳକ କାର୍ଯ୍ୟ ଯୋଗୁଁ ପରିବେଶରେ ସମସ୍ୟା ସୃଷ୍ଟି ହେଉଛି ତେଣୁ ସମୁଦ୍ର ବେଳାଭୂମିରେ କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ ଉଲଂଘନ କରି ନିର୍ମାଣ ହେଉଥିବା ରିସୋର୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ଯଦିଓ ସିଆର୍‌ଜେଡ୍ ନିୟମ ଅନୁଯାୟୀ ବେଳାଭୂମିର ୫୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନିମନ୍ତେ ଅନୁମତି ଦିଆଯାଇ ନାହିଁ ତେବେ ସମୁଦ୍ର କୂଳରେ ଅନେକ ନିର୍ମାଣ କାର୍ଯ୍ୟ କରାଯାଉଛି। ଯାହା ଦ୍ୱାରା ସମୁଦ୍ର ଅଧିକ ଗଭୀର ହେଉଛି ଏବଂ ବେଳାଭୂମି ସଂକୀର୍ଣ୍ଣ ହୋଇଯାଉଛି। ଏହା ବେଳାଭୂମି ବିଲୁପ୍ତ ହେବା ଆଡକୁ ମଧ୍ୟ ଗତି କରୁଛି ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜଷ୍ଟିସ୍ ସ୍ଥାଲେକର କହିଛନ୍ତି।

କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ଆମେ ପରିବେଶ ସହିତ ଖେଳିପାରିବା ନାହିଁ। ତେଣୁ ଆମ ଚାରିପଟେ ହେଉଥିବା ପରିବେଶର ଅବକ୍ଷୟ ବିଷୟରେ ସଜାଗ ଏବଂ ସଚେତନ ହେବାକୁ ସେ ଆହ୍ୱାନ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଜାତୀୟ ସବୁଜ ପ୍ରାଧିକରଣର ବିଶେଷଜ୍ଞ ସଦସ୍ୟ ଶୈବାଳ ଦାସଗୁପ୍ତ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

ପ୍ଲାଷ୍ଟିକ ଏବଂ ପଲିଥିନ୍ ବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବାକୁ ଜଷ୍ଟିସ୍ ସ୍ଥାଲେକର ମତ ଦେଇଥିଲେ। ଆଧୁନିକତା ଆମକୁ ବହୁ ମାତ୍ରାରେ ପ୍ରଭାବିତ କରୁଥିବା ବେଳେ ମାଟିପାତ୍ର ଭଳି ସାମଗ୍ରୀ ଆମେ ଭୁଲି ଯିବାକୁ ବସିଲୁଣୁ। ତେବେ ଆମକୁ ବର୍ତମାନ ପୁରାତନ ଯୁଗକୁ ଫେରିଯିବା ଉଚିତ୍ ଯେଉଁ ସମୟରେ ବିଭିନ୍ନ ସାମଗ୍ରୀ ଆଣିବା ନିମନ୍ତେ ମଣିଷ କାଗଜ ବ୍ୟାଗ ବ୍ୟବହାର କରୁଥିଲା। ମାଟିପାତ୍ର ବ୍ୟବହାର କରିବା ଦ୍ୱାରା କେବଳ ଯେ ଅଧିକ ନିଯୁକ୍ତି ଦେଇ ହେବ ତା’ନୁହେଁ ଆମେ ପ୍ରକୃତିକୁ ଫେରିପାରିବା। ଆମେ ପ୍ରକୃତିକୁ କଷ୍ଟ ଦେଲେ ସେ ଆମକୁ ମଧ୍ୟ କଷ୍ଟ ଦେବ ବୋଲି ସେ କହିଥିଲେ।

ଶ୍ରୀ ଦାସଗୁପ୍ତ କହିଥିଲେ ଯେ ଆମ ଦେଶରେ ବର୍ଷକୁ ୫୨.୯୦ ମିଲିୟନ୍ ଟନ୍‌ର ସଲିଡ ୱେଷ୍ଟ ବାହାରୁଥିବା ବେଳେ ଏହା ମଧ୍ୟରୁ କେବଳ ୫.୬ ମିଲିୟନ୍ ଟନ୍‌ ହେଉଛି ପ୍ଲାଷ୍ଟକ୍ ୱେଷ୍ଟ। ଏଥିରୁ ୭୮ ପ୍ରତିଶତ ବର୍ଜ୍ୟବସ୍ତୁ ସଂଗୃହୀତ ହେଉଥିବା ବେଳେ ବାକି ୨୨ ପ୍ରତିଶତ ଆବର୍ଜନା ସୃଷ୍ଟି କରୁଛି।

ଏଭଳି ପରିବେଶ ମଧ୍ୟରେ ଭଲ ଖବର ହେଉଛି ଭାରତ ହେଉଛି ବିଶ୍ୱର ୧୦ଟି ଦେଶ ମଧ୍ୟରେ ଅନ୍ୟତମ ଯେଉଁଠାରେ କି ପ୍ରଭୃତ ଜଂଗଲ ରହିଛି। ଦେଶର ଭୂଭାଗର ୨୪.୬ ପ୍ରତିଶତ ଜଙ୍ଗଲ ଅଂଚଳ ରହିବା ସହ ୯୯, ୭୭୯ ବର୍ଗ କିମି ଘଂଚ ଜଙ୍ଗଲ ରହିଛି ବୋଲି ଶ୍ରୀ ଦାସଗୁପ୍ତା କହିଥିଲେ। ଇତିମଧ୍ୟରେ ଓଡ଼ିଶାରେ ସମୁଦାୟ ଜଙ୍ଗଲ ୫୩୭ ବର୍ଗ କିମି ବୃଦ୍ଧି ପାଇଛି ଯାହା ଉତ୍ସାହଜନକ।

ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଦାସଗୁପ୍ତ କହିଛନ୍ତି ଯେ ସେମାନଙ୍କ ଉପରେ ନିର୍ଭର କରୁଛି ସେମାନେ କିପରି ଜାଗ୍ରତ ପ୍ରହରୀ ହୋଇ ପରିବେଶର ସୁରକ୍ଷା କରିବେ।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ପ୍ରଫେସର ବାସୁଦେବ ବେହେରା ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ପ୍ରଫେସର ଆଦିତ୍ୟ କିଶୋର ଦାସ ବକ୍ତବ୍ୟ ରଖିଥିଲେ। ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପରିବେଶ ସୁରକ୍ଷା ନେଇ ପିଲାମାନଙ୍କୁ ସଚେତନ କରାଇବା ଜରୁରୀ: ଜଷ୍ଟିସ୍ ସ୍ଥାଲେକର

ଭୁବନେଶ୍ୱର: ମାନବ ଜାତିର ସୁରକ୍ଷା ନିମନ୍ତେ ପରିବେଶ ସଚେତନତା ନେଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବାଲ୍ୟାବସ୍ଥାରୁ ଶିକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ ବୋଲି ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ନ୍ୟାୟିକ ସଦସ୍ୟ ଜଷ୍ଟିସ୍ ବି.ଅମିତ ସ୍ଥାଲେକର ଶନିବାର ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ ଆଧୁନିକତା କିମ୍ବା ବିକାଶ ଅପେକ୍ଷା ପରିବେଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବାର୍ଷିକ ବକ୍ତୃତା କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖିଛନ୍ତି ଜଷ୍ଟିସ ସ୍ଥାଲେକର।

ଯଦି ପରିବେଶ ସୁରକ୍ଷିତ ହୋଇ ପାରିବ ନାହିଁ, ତେବେ ସବୁ ବିକାଶର ଗୋଟିଏ ଦିନ ପୂର୍ଣ୍ଣଛେଦ ପଡ଼ିଯିବ। “ପରିବେଶ ଏବଂ ମାନବିକତା” ଶୀର୍ଷକ ପ୍ରସଙ୍ଗରେ ଏହା କହିଛନ୍ତି ଜଷ୍ଟିସ୍ ସ୍ଥାଲେକର। ଜଷ୍ଟିସ ସ୍ଥାଲେକର କହିଛନ୍ତି ଯେ ସ୍କୁଲରେ ପାଠ ପଢ଼ା ଆରମ୍ଭ ସମୟରୁ ହିଁ ପିଲା ମାନଙ୍କୁ “ଇ’ ଫର ଏଲିଫାଂଟ ବଦଳରେ “ଇ’ ଫର ଏନଭାଇରନମେଂଟ ଶିକ୍ଷା ଦେବା ଆବଶ୍ୟକ। ପିଲାମାନଙ୍କୁ ବାହାରକୁ ନେଇ ପରିବେଶ କଣ, ଏହା କିଭଳି ଦୂଷିତ ହେଉଛି, ଏହାର ପ୍ରଭାବ କଣ ଏବଂ କିଭଳି ପରିବେଶକୁ ସୁରକ୍ଷା ଦିଆଯାଇପାରିବ ସେ ବିଷୟରେ
ଶିକ୍ଷିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ମାନବ ଜାତି ପାଇଁ ପରିବେଶ ଏକ ଉପହାର ଏବଂ ମଣିଷ ନିଜେ କିଛି ସୃଷ୍ଟି କରିନାହିଁ । ସୁସ୍ଥ ପରିବେଶ ଯୋଗୁ ହିଁ ମଣିଷ ପିଢ଼ି ପରେ ପିଢ଼ି ବଂଚିରହିଛି। କିନ୍ତୁ ବର୍ତ୍ତମାନ ଆମେ ଭଗବାନଙ୍କ ସ୍ଥାନ ନେବାକୁ ଚେଷ୍ଟା କରିଥିବାରୁ ପରିସ୍ଥିତିରେ ଅସନ୍ତୁଳନ ହେବାରେ ଲାଗିଛି ବୋଲି ସେ କହିଛନ୍ତି।

ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ରେଜିଷ୍ଟ୍ରାର ଶୁଭାୟୁ ବାନାର୍ଜୀ, ସୋଆ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନଷ୍ଟିଚ୍ୟୁଟ୍ ଅଫ ଏଗ୍ରୀକଲଚରାଲ ସାଇନସେସର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଲର ଡିନ୍ ପ୍ରଫେସର ଏସ.ଏ.କେ. ଆଜାଦ ଏବଂ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏଆରକୁଲର, ଏୟାର କଣ୍ଡିସନର ଏବଂ ରେଫ୍ରିଜେରେଟରର ବହୁଳ ମାତ୍ରାରେ ବ୍ୟବହାର ବୃଦ୍ଧି ପାଇଥିବାରୁ ଏହିଭଳି ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ସାମଗ୍ରୀର ବ୍ୟବହାରକୁ ନେଇ ଆମେ ବିକାଶ ଓ ଉନ୍ନତି କରୁଛୁ ବୋଲି ଭାବି ବସିଛୁ। ତେବେ ଏହି ସବୁ ସାମଗ୍ରୀରୁ ବାହାରୁଥିବା କ୍ଲୋରୋଫ୍ଲୁରୋକାର୍ବନ ଯୋଗୁ ଆଂଟାର୍କଟିକାର ଉପରିଭାଗରେ ଥିବା ଓଜନ ସ୍ତର ନଷ୍ଟ ହେବାରେ ଲାଗିଛି ଯାହାକି ପରିବେଶ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି।

୨୦୪୭ ସୁଦ୍ଧା କ୍ଲୋରୋଫ୍ଲୁରୋକାର୍ବନ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ କରିବା ପାଇଁ ୨୦୨୧ ରେ ଗ୍ଲାସଗୋ ଠାରେ ଆୟୋଜିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଭାରତ ନିଜର ସହମତି ପ୍ରକାଶ କରିଥିବା ସେ କହିଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୈଷୟିକ କ୍ଷେତ୍ରର ଅନେକ ଉନ୍ନତି ହୋଇଥିବା ବେଳେ ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ର ବ୍ୟବହାର ଯୋଗୁଁ ନିର୍ଗତ ହେଉଥିବା ଇଲେକ୍ଟ୍ରୋ ମ୍ୟାଗନେଟିକ ରେଡିଏସନକୁ ନେଇ ମଧ୍ୟ ସେ ଉଦବେଗ ପ୍ରକାଶ କରିଛନ୍ତି। ଏଥିପାଇଁ ବର୍ତ୍ତମାନର ପିଢ଼ି ଯଦିଓ ଏତେଟା ସମସ୍ୟାରେ ନ ପଡ଼ିପାରନ୍ତି ତେବେ ଆଗାମୀ ପିଢ଼ି ସହିତ କଣ
ଘଟିବ ତାହା କହିହେବ ନାହିଁ ବୋଲି ସେ କହିଛନ୍ତି।

ଗ୍ରୀନ ହାଉସ ଗ୍ୟାସେସ୍‌, ଅସୁରକ୍ଷିତ ପରିବେଶ, ଜଳବାୟୁ ପରିବର୍ତନ, ଭୂତଳ ଜଳ ହ୍ରାସ ଏବଂ ଜଙ୍ଗଳ ନଷ୍ଟ ହେବା ପ୍ରସଙ୍ଗକୁ ନେଇ ବିଶ୍ୱ ସ୍ତରରେ ହୋଇଥିବା ଅନେକ ଗୁଡିଏ ସମ୍ମିଳନୀ ବିଷୟରେ ଆଲୋଚନା କରି ଜଷ୍ଟିସ ସ୍ଥାଲେକର ଭାରତରେ ବିଶାଳ ଆକାରରେ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ବିଷୟରେ ମତ ରଖିଥିଲେ।

ଏହି ଅବସରରେ ପ୍ରଫେସର ମହାପାତ୍ର କହିଥିଲେ ଯେ ମାନବ ସମାଜ ନିଜେ ହିଁ ପରିବେଶକୁ ନଷ୍ଟ କଲାଭଳି ପରିସ୍ଥିତି ସୃଷ୍ଟି କରୁଛି। ପ୍ରଦୂଷଣ ହିଁ ମୃତ୍ୟୁର ମୁଖ୍ୟ କାରଣ ପାଲଟି ଥିବା ବେଳେ ଆମେ ହୁଏତ ଏହା ବୁଝିପାରୁନାହୁଁ ଅଥବା ବୁଝିବାକୁ ଚାହୁଁନାହୁଁ ବୋଲି ସେ କହିଥିଲେ।

ଜଷ୍ଟିସ ସ୍ଥାଲେକର ଇନଷ୍ଟିଚ୍ୟୁଟ୍ ଅଫ ବିଜନେଜ ଆଣ୍ଡ କମ୍ପୂଟର ଷ୍ଟଡିଜ (ଆଇବିସିଏସ) ଏବଂ ଇନଷ୍ଟିଚ୍ୟୁଟ୍‌ ଅଫ ଏଗ୍ରିକଲଚରାଲ ସାଇନସେସ (ଆଏଏସ) କ୍ୟାମ୍ପସରେ ଦୁଇଟି ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ କୃଷି ସମ୍ବନ୍ଧିୟ କେତେଗୁଡିକ ପୁସ୍ତକକୁ ମଧ୍ୟ ସେ ଉନ୍ମୋଚନ କରିଥିଲେ।