Categories
ଆଜିର ଖବର ଜାତୀୟ ଖବର

ଆଜି ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୫ ତାରିଖ ଅପରାହ୍ଣ ପ୍ରାୟ ୩ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିବା ସହ ଜାତିସଂଘ ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଶୁଭାରମ୍ଭ କରିବେ।

ବିଶ୍ୱ ସମବାୟ ଆନ୍ଦୋଳନର ପ୍ରମୁଖ ସଂସ୍ଥା ଅନ୍ତର୍ଜାତୀୟ ସମବାୟ ମେଣ୍ଟ (ଆଇସିଏ)ର ୧୩୦ ବର୍ଷର ଇତିହାସରେ ଭାରତରେ ପ୍ରଥମ ଥର ପାଇଁ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ଏବଂ ଆଇସିଏ ସାଧାରଣ ସଭା ଆୟୋଜନ କରାଯାଉଛି। ଆଇସିଏ ଏବଂ ଭାରତ ସରକାରଙ୍କ ସହଯୋଗରେ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (ଇଫକୋ) ଏବଂ ଭାରତୀୟ ସମବାୟ ସଂସ୍ଥା ଅମୁଲ୍ ଏବଂ କ୍ରିଭକୋର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବିଶ୍ଵସ୍ତରୀୟ ସମ୍ମିଳନୀ ନଭେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

“ସମବାୟ ସଂସ୍ଥାଗୁଡ଼ିକ ସମସ୍ତଙ୍କ ପାଇଁ ସମୃଦ୍ଧି ସୃଷ୍ଟି କରିଥା’ନ୍ତି” ଶୀର୍ଷକ ଏହି ସମ୍ମିଳନୀର ବିଷୟବସ୍ତୁ ଭାରତ ସରକାରଙ୍କ “ସହକାର ସେ ସମୃଦ୍ଧି” (ସମବାୟ ମାଧ୍ୟମରେ ସମୃଦ୍ଧି) ଦୃଷ୍ଟିକୋଣ ସହିତ ସମନ୍ୱିତ। ଏହି କାର୍ଯ୍ୟକ୍ରମରେ ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ବିଶ୍ୱବ୍ୟାପୀ ସମବାୟ ସମିତିଗୁଡିକ ସାମନା କରୁଥିବା ଆହ୍ୱାନ ଏବଂ ସୁଯୋଗର ମୁକାବିଲା, ବିଶେଷ କରି ଦାରିଦ୍ର୍ୟ ଦୂରୀକରଣ, ଲିଙ୍ଗଗତ ସମାନତା ଏବଂ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ଭଳି ପ୍ରସଙ୍ଗ ଉପରେ ଆଲୋଚନା, ପ୍ୟାନେଲ ଅଧିବେଶନ ଏବଂ କର୍ମଶାଳା ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ଜାତିସଂଘର ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଶୁଭାରମ୍ଭ କରିବେ, ଯେଉଁଥିରେ ସାମାଜିକ ଅନ୍ତର୍ଭୁକ୍ତୀକରଣ, ଆର୍ଥିକ ସଶକ୍ତୀକରଣ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାରେ ସମବାୟ ସମିତିର ପରିବର୍ତ୍ତନକାରୀ ଭୂମିକା ଉପରେ ଗୁରୁତ୍ୱାରୋପ କରାଯିବ , “ସମବାୟ ଏକ ଉତ୍ତମ ବିଶ୍ୱ ଗଠନ” ଶୀର୍ଷକ ଉପରେ ଧ୍ୟାନ ଦେବ। ବିଶେଷ କରି ଅସମାନତା ହ୍ରାସ, ଭଲ କାମକୁ ପ୍ରୋତ୍ସାହିତ କରିବା ଏବଂ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସମବାୟ ସଂସ୍ଥାଗୁଡ଼ିକ ଦୀର୍ଘସ୍ଥାୟୀ ବିକାଶର ଗୁରୁତ୍ୱପୂର୍ଣ୍ଣ ଚାଳକ ଭାବରେ ଜାତିସଂଘର ଏସଡିଜି ଦ୍ୱାରା ସ୍ୱୀକୃତି ପାଇଛନ୍ତି। ବିଶ୍ୱର ସବୁଠାରୁ ଜଟିଳ ଆହ୍ୱାନର ମୁକାବିଲା କରିବାରେ ସମବାୟ ଉଦ୍ୟୋଗ ଗୁଡିକର ଶକ୍ତି ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ୨୦୨୫ ବର୍ଷରେ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ନିଆଯିବ।

ସମବାୟ ଆନ୍ଦୋଳନ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ। ଏହି ଡାକ ଟିକଟରେ ଶାନ୍ତି, ଶକ୍ତି, ସ୍ଥିରତା ଏବଂ ଅଭିବୃଦ୍ଧିକୁ ପ୍ରତୀକାତ୍ମକ ଭାବେ ପ୍ରଦର୍ଶନ କରୁଥିବା  ପଦ୍ମ ରହିବ, ଯାହା ସ୍ଥିରତା ଏବଂ ଗୋଷ୍ଠୀ ବିକାଶର ସମବାୟ ମୂଲ୍ୟବୋଧକୁ ପ୍ରତିଫଳିତ କରେ । ପଦ୍ମର ପାଞ୍ଚଟି ପାଖୁଡ଼ା ପ୍ରକୃତିର ପାଞ୍ଚଟି ଉପାଦାନ (ପଞ୍ଚତତ୍ଵ)କୁ ପ୍ରତିନିଧିତ୍ୱ କରେ, ଯାହା ପରିବେଶ, ସାମାଜିକ ଏବଂ ଆର୍ଥିକ ଦୀର୍ଘସ୍ଥାୟିତ୍ୱ ପ୍ରତି ସମବାୟ ସମିତିର ପ୍ରତିବଦ୍ଧତା ଉପରେ ଆଲୋକପାତ କରେ। କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ଭୂମିକାକୁ ଦର୍ଶାଉଥିବା ଡ୍ରୋନ୍ ସହ କୃଷି, ଦୁଗ୍ଧ, ମତ୍ସ୍ୟ, ଖାଉଟି ସମବାୟ ଓ ଗୃହ ନିର୍ମାଣ ଭଳି କ୍ଷେତ୍ରକୁ ମଧ୍ୟ ଏହି ଡିଜାଇନରେ ଅନ୍ତର୍ଭୁକ୍ତ କରାଯାଇଛି।

ଏଥିରେ ଭୁଟାନର ମାନ୍ୟବର ପ୍ରଧାନମନ୍ତ୍ରୀ ମହାମହିମ ଦାଶୋ ସେରିଙ୍ଗ ତୋବଗେ ଏବଂ ଫିଜିର ମାନ୍ୟବର ଉପପ୍ରଧାନମନ୍ତ୍ରୀ ମହାମହିମ ମନୋଆ କାମିକାମିକା ଏବଂ ୧୦୦ରୁ ଅଧିକ ଦେଶର ପ୍ରାୟ ୩,୦୦୦ ପ୍ରତିନିଧି ଉପସ୍ଥିତ ରହିବେ।

Categories
ଆଜିର ଖବର ଜାତୀୟ ଖବର

ଜଳବାୟୁ ପରିବର୍ତ୍ତନ: ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ଗୋଲଟେବୁଲ ବୈଠକରେ ଭାରତର ନିର୍ଣ୍ଣାୟକ ହସ୍ତକ୍ଷେପ

ନୂଆଦିଲ୍ଲୀ: ଆଜରବାଇଜାନର ବାକୁଠାରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀର କପ୍‌-୨୯ରେ ‘୨୦୩୦ ପ୍ରାକ୍‌ ଆକାଂକ୍ଷା ଉପରେ ୨୦୨୪ ବାର୍ଷିକ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ରାଉଣ୍ଡଟେବୁଲ ଅବସରରେ ଭାରତ ଏକ ନିର୍ଣ୍ଣାୟକ ହସ୍ତକ୍ଷେପ କରିଛି। ଏହା କପ୍‌-୨୯ରେ ଜଳବାୟୁ ପରିବର୍ତ୍ତନ ପ୍ରଶମନ ଉପରେ ସାମଗ୍ରିକ ପ୍ୟାକେଜ୍ ପାଇଁ ଦେଶର ଆଶା ଉପରେ ଆଧାରିତ ଥିଲା ଏବଂ ଶିଖର ସମ୍ମିଳନୀରେ ପ୍ରଶମନ ଫଳାଫଳକୁ ଆକାର ଦେବା ପାଇଁ ପ୍ରାସଙ୍ଗିକ କାର୍ଯ୍ୟର ଫଳାଫଳକୁ ଉପଯୋଗ କରିଥିଲା।

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ କିଛି ତଥ୍ୟ ଉଲ୍ଲେଖ କରି ଭାରତୀୟ ପ୍ରତିନିଧି ମଣ୍ଡଳର ଉପନେତା ଲିନା ନନ୍ଦନ କହିଛନ୍ତି ଯେ ୨୦୨୪ ଜାତୀୟ ସ୍ତରରେ ନିର୍ଦ୍ଧାରିତ ଅବଦାନ (ଏନଡିସି) ସିନ୍ଥେସିସ୍ ରିପୋର୍ଟ ଅନୁଯାୟୀ, ୨୦୨୦ ରୁ ୨୦୩୦ ମଧ୍ୟରେ ସମୁଦାୟ ଅଙ୍ଗାରକାମ୍ଳ ନିର୍ଗମନ ଅବଶିଷ୍ଟ କାର୍ବନ ବଜେଟର ୮୬ ପ୍ରତିଶତ ବ୍ୟବହାର କରିବାର ସମ୍ଭାବନା ରହିଛି। ତେଣୁ ନିର୍ଣ୍ଣାୟକ ପଦକ୍ଷେପ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟରେ ଆମର ଆଲୋଚନା ଓ ବିଚାର ବିମର୍ଶ ଚାଲିଛି। ୨୦୩୦ ପୂର୍ବ ଅବଧି ଏକ ସୁଯୋଗ। ବିଶ୍ୱ ଜଳବାୟୁ କାର୍ଯ୍ୟକୁ ବଢ଼ାଇବା ପାଇଁ ଏହା ଏକ ସୁଯୋଗ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଅର୍ଥବ୍ୟବସ୍ଥା ଆଧାରିତ ନିର୍ଗମନ ହ୍ରାସ କ୍ଷେତ୍ରରେ ନେତୃତ୍ୱ ନେବାକୁ ବାଧ୍ୟ ଥିବା ପକ୍ଷଗୁଡ଼ିକର ସାହସିକ ପଦକ୍ଷେପ ଉପରେ ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟଭିତ୍ତିକ ଆଭିମୁଖ୍ୟ ନିର୍ଭର କରେ ବୋଲି ଭାରତ ଦୃଢ଼ୋକ୍ତି ପ୍ରକାଶ କରିଛି। ବିକଶିତ ଦେଶମାନଙ୍କ ଦ୍ୱାରା ନେଟ୍-ଜିରୋ ଲକ୍ଷ୍ୟ ହାସଲ କରିବା ଏହି ଗୁରୁତ୍ୱପୂର୍ଣ୍ଣ ଦଶନ୍ଧି ଏବଂ ଆଗାମୀ ଦଶନ୍ଧିରେ ଏକ ଅଧିକ ସ୍ଥାୟୀ ଏବଂ ସ୍ଥିର ବିଶ୍ୱ ପାଇଁ ଭିତ୍ତିଭୂମି ସ୍ଥାପନ କରିବ।

ଭାରତର ବିବୃତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଏଥିରେ ନ୍ୟାୟସଂଗତ ଏବଂ ସମାନ କିନ୍ତୁ ସ୍ପଷ୍ଟ ରୂପେ ବିଭାଜିତ ଉତ୍ତରଦାୟିତ୍ୱ ଏବଂ ସମ୍ପୃକ୍ତ କ୍ଷମତା (ସିବିଡିଆର-ଆରସି), ବିଜ୍ଞାନ, ନୀତି ଏବଂ ଅଭ୍ୟାସରେ ଜଳବାୟୁ ନ୍ୟାୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ୨୦୨୦ ପୂର୍ବ ବ୍ୟବସ୍ଥାର ପ୍ରଶମନ କାର୍ଯ୍ୟର ବିଫଳତା ଉପରେ ବୋଝ ହେବେ ନାହିଁ ଏବଂ ଜଳବାୟୁ ସମାଧାନ ଉଭୟ ପ୍ରଭାବଶାଳୀ ଓ ନ୍ୟାୟସମ୍ପନ୍ନ ହେବ।

ବିଶ୍ବ ଜଳବାୟୁ କାର୍ଯ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଭାରତ ଆଲୋକପାତ କରିଛି, ଯାହାର ପକ୍ଷମାନେ ଧ୍ୟାନ ଦେବା ଆବଶ୍ୟକ:

) ପ୍ରତିବନ୍ଧକ ଏବଂ କଟକଣା ମୁକ୍ତ ଜ୍ଞାନକୌଶଳ ହସ୍ତାନ୍ତର ମାଧ୍ୟମରେ ଅଭିନବ କାର୍ଯ୍ୟକୁ ବ୍ୟାପକ କରିବାର ଆବଶ୍ୟକତା:

  • ଏକ ନିମ୍ନ କାର୍ବନ ଅର୍ଥବ୍ୟବସ୍ଥା ଆଡ଼କୁକୁ ପରିବର୍ତ୍ତନ କରିବା ପାଇଁନୂତନ ଜ୍ଞାନକୌଶଳ ଓ ସମାଧାନର ଆବଶ୍ୟକତା ରହିଛି । ତେବେ ସ୍ୱଚ୍ଛ ଶକ୍ତି, କାର୍ବନ ଅପସାରଣ ଇତ୍ୟାଦି କ୍ଷେତ୍ରରେ ନବସୃଜନ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ବ୍ୟାପକତାକୁ ବିସ୍ତାର ଏବଂ ହସ୍ତାନ୍ତର କରିବାରେ ପ୍ରତିବନ୍ଧକ ରହିଛି।
  • ସବୁଜ ଜ୍ଞାନକୌଶଳ ପାଇଁବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର) ପ୍ରତିବନ୍ଧକ ବିନା ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତରର ଗୁରୁତ୍ୱ ଉପରେ ଭାରତ ଦୃଷ୍ଟି ଆକର୍ଷଣ କରିଛି ଏବଂ ଆମେ ଆଇପିଆର ପ୍ରତିବନ୍ଧକକୁ ଅତିକ୍ରମ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଉଛୁ ।
  • କପ୍‌୨୯ ବିକାଶଶୀଳ ଦେଶଗୁଡ଼ିକରେ ପ୍ରଯୁକ୍ତି ବିଦ୍ୟାର ନିୟୋଜନ ଉପଯୋଗ ଉପରେ ଠୋସ୍ ଏବଂ ଅର୍ଥପୂର୍ଣ୍ଣ ଫଳାଫଳ ସହିତ ଆସିବା ଉଚିତ୍ ।
  • ଜ୍ଞାନକୌଶଳ କାର୍ଯ୍ୟକାରିତା କାର୍ଯ୍ୟକ୍ରମ ସୁଲଭ, ଉପଯୋଗୀ ଏବଂ ସ୍ଥାନୀୟ ସ୍ତରରେ ପ୍ରାସଙ୍ଗିକ ଜ୍ଞାନକୌଶଳ ଉପଲବ୍ଧ କରାଇବା ଦ୍ୱାରା ପ୍ରଯୁକ୍ତି ବିଦ୍ୟା ନିୟୋଜନରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରିବାରେ ସକ୍ଷମ ହେବା ଉଚିତ୍ ।

)ଜଳବାୟୁ ପାଣ୍ଠିଯୋଗାଣ କାର୍ଯ୍ୟକୁ ସକ୍ଷମ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ରୀୟ ଭୂମିକା ନିର୍ବାହ:

ପ୍ୟାରିସ୍ ଚୁକ୍ତିର କାର୍ଯ୍ୟକାରିତା ଦିଗରେ ଅଗ୍ରଗତିର ପ୍ରଥମ ବୈଶ୍ୱିକ ଷ୍ଟକଟେକ୍ ଦର୍ଶାଇଛି ଯେ ଜଳବାୟୁ କାର୍ଯ୍ୟ ପାଇଁ ଅର୍ଥ ଯୋଗାଣରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନ ରହିଛି, ବିଶେଷକରି ବିକାଶଶୀଳ ଦେଶମାନଙ୍କରେ।

  • ସ୍ୱଚ୍ଛ ଶକ୍ତି, ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ଏବଂ ଅନୁକୂଳ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଟ୍ରିଲିୟନ ଡଲାର ର ଆବଶ୍ୟକତା ରହିଛି ।
  • ଜଳବାୟୁ ଅର୍ଥଲଗାଣ ସୁନିଶ୍ଚିତ କରିବା ଉଚିତ ଯେ ବିକାଶଶୀଳ ଦେଶମାନଙ୍କ ଦ୍ୱାରା ପ୍ରତିଶ୍ରୁତିବଦ୍ଧ ସର୍ବନିମ୍ନ ଖର୍ଚ୍ଚ ବିକାଶ ମାର୍ଗରୁ ବିଚ୍ୟୁତି ବିକଶିତ ଦେଶମାନଙ୍କର ସାର୍ବଜନୀନ ଜଳବାୟୁ ଅର୍ଥ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବରେ ପୂରଣ ହେବ। ଏପରି ନ କରିବା ଦ୍ୱାରା ବିକାଶଶୀଳ ଦେଶମାନଙ୍କର ଲୋକମାନଙ୍କୁ ଅତିରିକ୍ତ କ୍ଷତି ସହିବାକୁ ପଡୁଛି, ଯେଉଁମାନେ ପ୍ରଥମେ ସମସ୍ୟା ସୃଷ୍ଟି ନକରି ଅନ୍ୟଥା ଜଳବାୟୁ ପରିବର୍ତ୍ତନର ପ୍ରଭାବର ସମ୍ମୁଖୀନ ହେଉଛନ୍ତି।
  • ଜଳବାୟୁ ପାଣ୍ଠିଯୋଗାଣ ପାଇଁକପ୍‌୨୯ ଏକ ମାଇଲଖୁଣ୍ଟ କାର୍ଯ୍ୟକ୍ରମ ଅଟେ । ଯଥେଷ୍ଟ ଆର୍ଥିକ ସମ୍ବଳ ଯୋଗାଇବା ପାଇଁ ବିକଶିତ ରାଷ୍ଟ୍ରମାନଙ୍କର ଦୀର୍ଘ ଦିନର ପ୍ରତିଶ୍ରୁତି ଏବଂ ଏଭଳି ଜଳବାୟୁ ଅର୍ଥ ସମାନ ଏବଂ ଉପଲବ୍ଧ ବୋଲି ଏହା ସୁନିଶ୍ଚିତ କରିବା ଉଚିତ୍ ।

) ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି:

  • ପ୍ରାକ୍‌-୨୦୩୦ ଆକାଂକ୍ଷାକୁ ଖର୍ଚ୍ଚ ପ୍ରଭାବୀ ଓ ବ୍ୟାପକ ପ୍ରଶମନ ଅବସର ଚିହ୍ନଟ ଭଳି ସକାରାତ୍ମକ ଓ ମାପନ ଯୋଗ୍ୟ ପରିଣାମ ସନ୍ଦର୍ଭରେ ଅନ୍ତର୍ଜାତୀୟ ସହଯୋଗକୁ ବଢ଼ାଇବାର ଆବଶ୍ୟକତା ରହିଛି ।
  • ତଥାପି ଅନ୍ତର୍ଜାତୀୟ ସହଯୋଗ ଅସମାନ ରହିଛି, କେତେକ ଦେଶ ଏକତରଫା ପଦକ୍ଷେପ ଗ୍ରହଣ କରିବା ଫଳରେ ପ୍ରଶମନ କାର୍ଯ୍ୟର ଆର୍ଥିକ ବୋଝ ବିକାଶଶୀଳ ରାଷ୍ଟ୍ରମାନଙ୍କ ଉପରେ ପଡ଼ିଛି।
  • ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏଭଳି ଏକତରଫା ବାଣିଜ୍ୟ ପଦକ୍ଷେପ ଯୋଗୁଁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଉପରେ ନକାରାତ୍ମକ ପ୍ରଭାବକୁ ସ୍ୱୀକାର କରିବାର ଆବଶ୍ୟକତା ରହିଛି ।

) ପାରସ୍ପରିକ ବିଶ୍ୱାସ

ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ୱସ୍ତରୀୟ ଲଢେଇରେ ପାରସ୍ପରିକ ବିଶ୍ୱାସକୁ ମୁଖ୍ୟ କାରଣ ଭାବରେ ଆଲୋକପାତ କରି ଭାରତ ଦୃଢ଼ୋକ୍ତି ପ୍ରକାଶ କରିଛି ଯେ ଏହି କପ୍‌ ର ସଫଳତା ସୁନିଶ୍ଚିତ କରିବା ଏବଂ ୨୦୩୦ ସୁଦ୍ଧା ଜଳବାୟୁ ଅଭିଳାଷରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିବା ପାଇଁ ବିଶ୍ୱାସକୁ ପ୍ରୋତ୍ସାହିତ କରିବା ବିକଶିତ ଦେଶମାନଙ୍କ ପାଇଁ ଏହା ଏକ ସୁଯୋଗ ।

ଭାରତ ଦର୍ଶାଇଛି ଯେ ୨୦୨୪ ଏନଡିସି ସିନ୍ଥେସିସ୍ ରିପୋର୍ଟ ସମ୍ପୂର୍ଣ୍ଣ ଭାବରେ ଏକ ନକରାତ୍ମକ ଚିତ୍ରଣ କରେ ନାହିଁ। ୧୯୫ଟି ଦଳ ସେମାନଙ୍କର ଏନଡିସି ଦାଖଲ କରିଥିବା ବେଳେ ୧୮୦ଟି ଦଳ ସେମାନଙ୍କୁ ଅପଡେଟ୍ କରିଛନ୍ତି। ୨୦୧୯ ତୁଳନାରେ ୨୦୩୦ରେ ସମୁଦାୟ ବିଶ୍ୱସ୍ତରୀୟ ଜିଏଚଜି ନିର୍ଗମନ ପ୍ରାୟ ୨.୬ ପ୍ରତିଶତ କମ୍ ହେବ ବୋଲି ଆକଳନ କରାଯାଇଛି, ଯାହା ୨୦୩୦ ପୂର୍ବରୁ ବିଶ୍ୱବ୍ୟାପୀ ନିର୍ଗମନ ଶୀର୍ଷରେ ପହଞ୍ଚିବାର ସମ୍ଭାବନାକୁ ସୂଚାଇଥାଏ। ଆସନ୍ତା ବର୍ଷ ପରବର୍ତ୍ତୀ ଏନଡିସି ହେବାକୁ ଥିବାରୁ ଏହି ସଂଖ୍ୟାରେ ଆହୁରି ଉନ୍ନତି ଆସିପାରିବ। ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇରେ ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିବା ପାଇଁ ସବୁ ଦଳ ଏକାଠି ହୋଇଛନ୍ତି ବୋଲି ଅନୁମାନ କରିବା ନିରାପଦ ହେବ।

ତେବେ ପାଣ୍ଠିଯୋଗାଣ ସଂକ୍ରାନ୍ତ ଏହି ଗୁରୁତ୍ୱପୂର୍ଣ୍ଣ କପ୍‌ରେ ଉଲ୍ଲେଖ କରାଯାଇଛି ଯେ, ଏହି ପରମ ସୀମାରେ ପହଞ୍ଚିବା ପାଇଁ ଏନଡିସିଗୁଡ଼ିକର ସର୍ତ୍ତମୂଳକ ଉପାଦାନଗୁଡ଼ିକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ଏହା ମୁଖ୍ୟତଃ ବର୍ଦ୍ଧିତ ଆର୍ଥିକ ସମ୍ବଳ, ପ୍ରଯୁକ୍ତି ହସ୍ତାନ୍ତର ଓ ବୈଷୟିକ ସହଯୋଗ ଏବଂ ଦକ୍ଷତା ବିକାଶ ସହାୟତା ତଥା ବଜାର ଭିତ୍ତିକ ବ୍ୟବସ୍ଥାର ଉପଲବ୍ଧତା ଉପରେ ନିର୍ଭର କରିଥାଏ ।

*********

 

HS

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଜାତିସଂଘରେ ‘ଭବିଷ୍ୟତର ଶିଖର ସମ୍ମିଳନୀ’କୁ ସମ୍ବୋଧିତ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ଥାୟୀ ବିଶ୍ୱ ଗଠନ ପାଇଁ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ବିଶ୍ୱ ଶାନ୍ତି, ବିକାଶ ଓ ସମୃଦ୍ଧି ଚାହୁଁଥିବା ମାନବଜାତିର ଏକ ଷଷ୍ଠଭାଗ ତରଫରୁ ଶିଖର ସମ୍ମିଳନୀରେ ସେ ଏହା କହିଛନ୍ତି।

ଉଜ୍ଜ୍ୱଳ ବିଶ୍ୱ ଭବିଷ୍ୟତ ପାଇଁ ଆମର ସାମୂହିକ ପ୍ରୟାସରେ ମାନବ-କେନ୍ଦ୍ରୀତ ଆଭିମୁଖ୍ୟକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ନିରନ୍ତର ବିକାଶ ପଦକ୍ଷେପକୁ ବୃଦ୍ଧି କରିବାରେ ଭାରତର ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଉଲ୍ଲେଖ କରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଦେଶ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି। ଦକ୍ଷିଣ ବିଶ୍ୱର ଦେଶମାନଙ୍କ ସହିତ ଏକତା ପ୍ରକାଶ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏହାର ବିକାଶ ଅଭିଜ୍ଞତା ସେମାନଙ୍କ ସହିତ ବାଣ୍ଟିବାର ସୌଭାଗ୍ୟ ଲାଭ କରିଛି। ପ୍ରଯୁକ୍ତିବିଦ୍ୟାର ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସନ୍ତୁଳିତ ନିୟମ ପ୍ରଣୟନ କରିବାକୁ ସେ ଆହ୍ୱାନ ଦେଇ କହିଥିଲେ ଯେ ଭାରତ ଅଧିକ ଜନହିତ ପାଇଁ ଏହାର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଅଂଶୀଦାର କରିବାକୁ ପ୍ରସ୍ତୁତ ଅଛି। ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ପ୍ରତି ଭାରତର ପ୍ରତିବଦ୍ଧତାକୁ ସେ ମାର୍ଗଦର୍ଶକ ନୀତି ଭାବେ ଦର୍ଶାଇଥିଲେ।

ସଂସ୍କାର ପ୍ରାସଙ୍ଗିକତାର ଚାବିକାଠି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ଜାତିସଂଘ ନିରାପତ୍ତା ପରିଷଦ ସମେତ ବିଶ୍ୱ ଶାସନ ଅନୁଷ୍ଠାନର ତୁରନ୍ତ ସଂସ୍କାର ପାଇଁ ଆହ୍ୱାନ ଦେଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱସ୍ତରୀୟ ପଦକ୍ଷେପ ବିଶ୍ୱସ୍ତରୀୟ ଆକାଂକ୍ଷା ସହିତ ମେଳ ଖାଇବା ଉଚିତ୍।

ଗ୍ଲୋବାଲ୍ ଡିଜିଟାଲ୍ କମ୍ପ୍ୟାକ୍ଟ ଏବଂ ଭବିଷ୍ୟତ ପିଢ଼ି ଉପରେ ଏକ ଘୋଷଣାନାମା ସହିତ ଏକ ଫଳାଫଳ ଦସ୍ତାବିଜ – ଭବିଷ୍ୟତ ପାଇଁ ଏକ ଚୁକ୍ତି ଗ୍ରହଣ କରିବା ସହିତ ଶିଖର ସମ୍ମିଳନୀ ଶେଷ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଜାତିସଂଘର ରିପୋର୍ଟରେ ଚେତାବନୀ: ବିପଜ୍ଜନକ ସ୍ଥାନକୁ ଖସିଛି ଭାରତରେ ଭୂତଳ ଜଳ ସ୍ତର

ନୂଆଦିଲ୍ଲୀ: ଭାରତର ସିନ୍ଧୁ-ଗଙ୍ଗା ସମତଳର କିଛି ଅଞ୍ଚଳ ଭୂତଳ ଜଳ ହ୍ରାସର ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅତିକ୍ରମ କରିସାରିଛି ଏବଂ ଜାତିସଂଘର ଏକ ନୂତନ ରିପୋର୍ଟ ଅନୁଯାୟୀ 2025 ସୁଦ୍ଧା ସମଗ୍ର ଉତ୍ତର-ପଶ୍ଚିମ ଅଞ୍ଚଳ ଭୂତଳ ଜଳର ଗଭୀର ସଙ୍କଟ ଉପଲବ୍ଧ ହେବାର ଆଶଙ୍କା ରହିଛି।UNU-EHS ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ‘ଅନ୍ତଃ- ସଂଯୁକ୍ତ ବିପର୍ଯ୍ୟୟ ବିପଦ ରିପୋର୍ଟ 2023’ ଶୀର୍ଷକ ଦର୍ଶାଇଛି ଯେ, ବିଶ୍ଵର 6 ଟି ମହତ୍ତ୍ୱପୂର୍ଣ୍ଣ ବିନ୍ଦୁ ପରିବେଶ ଦୃଷ୍ଟିରୁ ସଙ୍କଟର ନିକଟତର ହେଉଛି: ଦ୍ରୁତ ବିଲୁପ୍ତ ହେବା, ଭୂତଳ ଜଳର ଅବନତି, ପାର୍ବତ୍ୟ ଗ୍ଲେସିୟର୍ ତରଳିବା, ସ୍ପେସ୍ ଆବର୍ଜନା, ଅସହ୍ୟ ଉତ୍ତାପ ଏବଂ ଏକ ଅନିଶ୍ଚିତ ଭବିଷ୍ୟତ।

ପରିବେଶର ଚରମ ବିନ୍ଦୁଗୁଡ଼ିକ ପୃଥିବୀର ପ୍ରଣାଳୀରେ ଗୁରୁତ୍ଵପୂର୍ଣ୍ଣ ସୀମା ଅଟେ ଯାହାଠାରୁ ହଠାତ୍ ଏବଂ ଅନେକ ସମୟରେ ଅପୂରଣୀୟ ପରିବର୍ତ୍ତନ ଘଟେ, ଯାହା ଇକୋସିଷ୍ଟମ୍, ଜଳବାୟୁ ଢାଞ୍ଚା ଏବଂ ସାମଗ୍ରିକ ପରିବେଶରେ ଗଭୀର ଏବଂ ବେଳେବେଳେ ବିପର୍ଯ୍ୟସ୍ତ ପରିବର୍ତ୍ତନ ଘଟାଏ। ଯେତେବେଳେ ଭୂତଳ ଜଳ ଉତ୍ସଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ, ପ୍ରାୟ ୭୦ ପ୍ରତିଶତ ଭୂତଳ ଜଳ କୃଷି ପାଇଁ ବ୍ୟବହୃତ ହୁଏ। ମରୁଡ଼ି ଯୋଗୁଁ କୃଷି କ୍ଷତି ହ୍ରାସ କରିବାରେ ଏହି ଭୂତଳ ଜଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ଚ୍ୟାଲେଞ୍ଜ ଅଧିକ ଖରାପ ହେବାର ସମ୍ଭାବନା ଅଛି।

ଏହି ରିପୋର୍ଟ ଚେତାବନୀ ଦେଇଛି ଯେ ଭୂତଳ ଜଳ ଉତ୍ସଗୁଡ଼ିକ ନିଜେ ସେମାନଙ୍କର ବ୍ରେକିଂ ପଏଣ୍ଟରେ ପହଞ୍ଚୁଛନ୍ତି। ବିଶ୍ଵର ଅଧାରୁ ଅଧିକ ଭୂତଳ ଜଳ ଉତ୍ସଗୁଡିକ ପ୍ରାକୃତିକ ଭାବରେ ପୂର୍ଣ୍ଣ ହେବା ଅପେକ୍ଷା ଶୀଘ୍ର ହ୍ରାସ ପାଉଛି। ଯଦି ଭୂତଳ ଜଳ ସ୍ତରରୁ ଜଳ ସ୍ତର ହ୍ରାସ ହୁଏ, କୃଷକମାନେ ଜଳର ସୁବିଧା ହରାଇପାରନ୍ତି, ଯାହା ସମଗ୍ର ଖାଦ୍ୟ ଉତ୍ପାଦନ ପ୍ରଣାଳୀ ପ୍ରତି ବିପଦ ସୃଷ୍ଟି କରିପାରେ। ସାଉଦି ଆରବ ପରି କେତେକ ଦେଶ ଭୂତଳ ଜଳର ବିପଦ ସଙ୍କେତ ଅତିକ୍ରମ କରିସାରିଥିବାବେଳେ ଭାରତ ସମେତ ଅନ୍ୟମାନେ ଏହାଠାରୁ ବେଶୀ ଦୂରରେ ନାହାଁନ୍ତି।

Categories
ବିଶେଷ ଖବର

ନ୍ୟୁୟର୍କରେ ପହଞ୍ଚିଲେ ପିଏମ ମୋଦୀ: ଆଜି ଜାତିସଂଘରେ କରିବେ ଯୋଗ, ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାରେ ପହଞ୍ଚିଛନ୍ତି। ନ୍ୟୁୟର୍କର ଜେକେଏଫ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରାଯାଇଛି। ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତରେ ରହିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜାତିସଂଘରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ରାତ୍ରୀ ଭୋଜନ କରିବେ। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ…

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଆମେରିକାର ଏନଏସସି ସଂଯୋଜକ ଷ୍ଟ୍ରାଟେଜିକ୍ କୋର୍ଡିନେଟର ଜନ୍ କିର୍ବି କହିଛନ୍ତି ଯେ, ଏହି ଗସ୍ତ ଆମ ଦୁଇ ଦେଶ ମଧ୍ୟରେ ଥିବା ମଜବୁତ ସମ୍ପର୍କକୁ ନିଶ୍ଚିତ କରିବ ଏବଂ ଆମର ରଣନୀତିକ ସହଭାଗିତାକୁ ଆହୁରି ଆଗକୁ ବଢାଇବ। ଭାରତୀୟମାନଙ୍କ ସହିତ, ଆମେ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବିଶ୍ୱାସ କରୁ, ତେଣୁ ଆମର ପ୍ରତିରକ୍ଷା ସହଯୋଗରେ ଉନ୍ନତି ଆଣିବାର ଆବଶ୍ୟକତା ଅଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ:

ପ୍ରଧାନମନ୍ତ୍ରୀ ମୋଦୀ ୨୦ ତାରିଖରୁ ଜୁନ୍ ୨୫ ତାରିଖ ମଧ୍ୟରେ ଆମେରିକା ଏବଂ ଇଜିପ୍ଟ ଗସ୍ତରେ ଯାଇଛନ୍ତି। ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଯୋଗ ଦିବସ କାର୍ଯ୍ୟକ୍ରମ ପରେ ପିଏମ ମୋଦୀ ଜୁନ୍ ୨୨ ତାରିଖରେ ୱାଶିଂଟନ୍ ଡିସି ଯିବେ। ଯେଉଁଠାରେ ତାଙ୍କୁ ହ୍ଵାଇଟ ହାଉସରେ ପାରମ୍ପାରିକ ସ୍ୱାଗତ କରାଯିବ।

ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ରାତ୍ରୀ ଭୋଜନ କରିବେ:

ଏହି ସମୟରେ ପିଏମ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଏବଂ ପ୍ରଥମ ଲେଡି ଜିଲ ବାଇଡେନ ଜୁନ୍ ୨୨ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନ କରିବେ। ଜୁନ୍ ୨୨ ତାରିଖ ଦିନ ଆମେରିକା କଂଗ୍ରେସର ମିଳିତ ବୈଠକରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଆମେରିକା ସଂସଦର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର ପାଇଁ ସମ୍ବୋଧିତ କରିବେ। ଏହାପୂର୍ବରୁ ସେ ୨୦୧୬ରେ ଆମେରିକା ସଂସଦକୁ ସମ୍ବୋଧିତ କରିଥିଲେ।

ଏଲୋନ୍ ମସ୍କ ସହିତ ଏହି ସେଲିବ୍ରିଟିମାନଙ୍କୁ ଭେଟିବେ:

ଏହା ପରେ ପ୍ରଧାନମନ୍ତ୍ରୀ ଜୁନ୍ ୨୩ ତାରିଖରେ ଅନେକ ପ୍ରମୁଖ କମ୍ପାନୀର ସିଇଓଙ୍କୁ ଭେଟିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଟେସଲା ଏବଂ ଟ୍ୱିଟର ମାଲିକ ଏଲୋନ୍ ମସ୍କ, ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ପଲ୍ ରୋମର, କଳାକାର, ବୈଜ୍ଞାନିକ, ଶିକ୍ଷାବିତ୍ ତଥା ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞଙ୍କୁ ମଧ୍ୟ ଭେଟିବେ। ଅଧିକାରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଲେଖକ ନିକୋଲାସ ନାସିମ ତାଲିବ ଏବଂ ନିବେଶକ ରେ ଡାଲିଓଙ୍କୁ ଭେଟି ପାରନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସମ୍ଭାବନା ଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଫାଲୁ ଶାହା, ଜେଫ୍ ସ୍ମିଥ୍, ମାଇକେଲ୍ ଫ୍ରୋମେନ୍, ଡାନିଏଲ୍ ରସେଲ, ଏଲବ୍ରିଜ୍ କଲବି, ପିଟର ଆଗ୍ରେ, ଷ୍ଟିଫେନ୍ କ୍ଲାସ୍କୋ ଏବଂ ଚନ୍ଦ୍ରିକା ଟଣ୍ଡନ୍ ଅଛନ୍ତି।

କମଲା ହାରିସଙ୍କ ସହିତ ମଧ୍ୟାହ୍ନ ଭୋଜନ, ଭାରତୀୟମାନଙ୍କୁ ସମ୍ବୋଧିତ କରିବେ:

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ନିଜେ ଜୁନ୍ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ କରିବେ। ସେହି ଦିନ ୱାଶିଂଟନ୍‌ର ରୋନାଲଡ୍ ରେଗାନ୍ ବିଲଡିଂ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରିବେ। ତାଙ୍କର ଦୁଇ ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଜୁନ୍ ୨୪ ରୁ ୨୫ ତାରିଖ ପର୍ଯ୍ୟନ୍ତ ଇଜିପ୍ଟ ଗସ୍ତରେ କାହିରା ଗସ୍ତ କରିବେ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଭାରତକୁ ବଡ ସଫଳତା: ଅବଦୁଲ ରେହମାନ ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ସୋମବାର ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରିଛି। ଭାରତ ଗତ ବର୍ଷ ଲଶ୍କର-ଏ-ତୋଇବା (ଲେଟି) ର ନେତାଙ୍କୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଚୀନ୍ ଏହାକୁ ଅବରୋଧ କରିଥିଲା। ଜୁନ୍ ୨୦୨୨ରେ, ଭାରତ ମିଳିତ ଜାତିସଂଘର ପ୍ରତିବନ୍ଧକ କମିଟିରେ ଯୋଗ ଦେଇଥିଲା, ଯାହାକୁ ୟୁଏନଏସସି ୧୨୬୭ କମିଟି ମଧ୍ୟ କୁହାଯାଏ। ଏହା ଅଧୀନରେ ପାକ୍ ଆତଙ୍କବାଦୀ ଅବଦୁଲ୍ ରେହମାନ ମକ୍କିଙ୍କୁ ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ଚୀନ୍ ରୋକିବା ଯୋଗୁଁ ଅନ୍ତର୍ଜାତୀୟ ମଞ୍ଚରେ ସମାଲୋଚନା କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ ଭାରତ ଏବଂ ଆମେରିକା ଅବଦୁଲ ରେହମାନ ମକ୍କିଙ୍କୁ ନିଜ ଦେଶର ଆଇନ ଅନୁଯାୟୀ ଆତଙ୍କବାଦୀ ଭାବରେ ଘୋଷଣା କରିସାରିଛନ୍ତି। ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ରହି ଆତଙ୍କବାଦୀ ଆକ୍ରମଣ ପାଇଁ ପାଣ୍ଠି ସଂଗ୍ରହ କରିବା, ଯୁବକମାନଙ୍କୁ ନିଯୁକ୍ତି ତଥା ହିଂସାକାଣ୍ଡରେ ପରିଣତ କରିବା ତଥା ଆକ୍ରମଣ ଯୋଜନା, ବିଶେଷକରି ଜମ୍ମୁ କାଶ୍ମୀରରେ ମକ୍କି ଯୋଜନା କରିଥିଲେ। ଅବଦୁଲ ରେହମାନ ମକ୍କି ଲଶ୍କର-ଏ-ତୋଇବା (ଲେଟି) ମୁଖ୍ୟ ଏବଂ ୨୬/୧୧ ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ଭିଣୋଇ।

ବାସ୍ତବରେ, ଜୁନ୍ ୧୬ ତାରିଖ ୨୦୨୨ରେ ଚୀନ୍ ଆମେରିକା ଏବଂ ଭାରତର ମିଳିତ ପ୍ରସ୍ତାବରେ ବାଧା ସୃଷ୍ଟି କରି ପାକିସ୍ତାନୀ ଆତଙ୍କବାଦୀ ମକ୍କିଙ୍କୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିଷିଦ୍ଧ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା। ସୁରକ୍ଷା ପରିଷଦର ଅଲ କାଏଦା ପ୍ରତିବନ୍ଧକ କମିଟି ଅଧୀନରେ ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ନିଯୁକ୍ତ କରିବା ପାଇଁ ଆମେରିକା ଏବଂ ଭାରତ ମିଳିତ ସଂକଳ୍ପ ଦାଖଲ କରିଥିଲେ। ଜୁନ୍ ୧୬ ତାରିଖରେ, ଚୀନ୍ ବ୍ୟତୀତ ସମସ୍ତ ସଦସ୍ୟ ଆତଙ୍କବାଦୀ ତାଲିକାରେ ମକ୍କିଙ୍କ ନାମ ଯୋଡିବାକୁ ସମର୍ଥନ କରିଥିଲେ।

ଜାତିସଂଘ ସୁରକ୍ଷା ପରିଷଦ ୧୨୬୭ ଅନୁଯାୟୀ ସମସ୍ତ ସଦସ୍ୟଙ୍କ ମଧ୍ୟରେ ମକ୍କିଙ୍କୁ ଆତଙ୍କବାଦୀ ତାଲିକାରେ ରଖିବା ପାଇଁ ଭାରତ ଏହି ପ୍ରସ୍ତାବ ପ୍ରଚାର କରିଥିଲା।

Categories
ବିଶେଷ ଖବର

ଆମକୁ କାହାଠାରୁ ଗଣତନ୍ତ୍ର ବିଷୟରେ ଶିଖିବାର ଆବଶ୍ୟକତା ନାହିଁ: ଜାତିସଂଘରେ ଭାରତର ଜବାବ

ନୂଆଦିଲ୍ଲୀ: ଆସନ୍ତା ଏକ ମାସ ପାଇଁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଅଧ୍ୟକ୍ଷତା ଗ୍ରହଣ କରିଛି। ଯେଉଁଥିରେ ଆତଙ୍କବାଦ ମୁକାବିଲା କରିବା ଏବଂ ବହୁପକ୍ଷବାଦୀକୁ ପ୍ରୋତ୍ସାହିତ କରିବା ଭାରତର ପ୍ରଥମ ପ୍ରାଥମିକତା ହେବ। ଏହି ଅବସରରେ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କମ୍ବୋଜ କହିଛନ୍ତି ଯେ, ଭାରତ କେଉଁ ପ୍ରସଙ୍ଗରେ ଆଗକୁ ବଢିବାକୁ ଚାହୁଁଛି। ସେ କହିଛନ୍ତି ଯେ, ଗଣତନ୍ତ୍ର ବିଷୟରେ କଣ କରିବାକୁ ହେବ ତାହା ଭାରତ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ। ଡିସେମ୍ବର ମାସ ପାଇଁ ରୁଚିରା କମ୍ବୋଜ ୟୁଏନଏସସିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ।

ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ରୁଚିରା କମ୍ବୋଜ ଜାତିସଂଘ ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ, ଆସନ୍ତା ଏକ ମାସ ମଧ୍ୟରେ ଭାରତ କିପରି କାର୍ଯ୍ୟ କରିବ ଏବଂ ମୁଖ୍ୟ ଏଜେଣ୍ଡା କ’ଣ ହେବ। ଏହି ସମୟରେ ଯେତେବେଳେ କମ୍ବୋଙ୍କୁ ଭାରତରେ ଗଣତନ୍ତ୍ର ଏବଂ ବକ୍ତବ୍ୟର ସ୍ଵାଧୀନତା ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଉତ୍ତର ଦେଇଥଲେ ଯେ, ଗଣତନ୍ତ୍ର କିପରି ଚାଲିଛି ତାହା ଭାରତ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ।

ତାଙ୍କ ମତକୁ ଆଗକୁ ନେଇ ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ, ଆପଣ ସମସ୍ତେ ଜାଣନ୍ତି ଯେ ଭାରତ ହେଉଛି ବିଶ୍ୱର ଅନ୍ୟତମ ପ୍ରାଚୀନ ସଭ୍ୟତା। ଭାରତରେ ଗଣତନ୍ତ୍ରର ମୂଳ ୨୫୦୦ ବର୍ଷ ପୂର୍ବେ ଥିଲା। ଯଦି ଆମେ ସାମ୍ପ୍ରତିକ ଯୁଗ ବିଷୟରେ କହିବା, ତେବେ ଆମର ଗଣତନ୍ତ୍ରର ସମସ୍ତ ସ୍ତମ୍ଭ ମଜବୁତ ଭାବରେ ଠିଆ ହୋଇଛି। ଯେଉଁଥିରେ ବିଧାନସଭା, କାର୍ଯ୍ୟନିର୍ବାହୀ, ନ୍ୟାୟପାଳିକା ଏବଂ ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଏହା ବ୍ୟତୀତ ସୋସିଆଲ ମିଡିଆ ମଧ୍ୟ ଅଛି। ସେଥିପାଇଁ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର।

ଭାରତୀୟ ରାଷ୍ଟ୍ରଦୂତ ଏଠାରେ ମଧ୍ୟ କହିଛନ୍ତି ଯେ, ବିଶ୍ୱକୁ ସାହାଯ୍ୟ କରିବା ପାଇଁ ଭାରତ କିପରି ସର୍ବଦା ଛିଡା ହୋଇଛି। ସେ କହିଛନ୍ତି, ଗତ ୨ ବର୍ଷ ମଧ୍ୟରେ ଯେତେବେଳେ ବିଶ୍ୱ ଏକ ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ ଭାରତ ସବୁବେଳେ ସାହାଯ୍ୟ ଏବଂ ସମାଧାନ ପାଇଁ ଖୋଜୁଥିଲେ।

ଭାରତକୁ ୟୁଏନଏସସିର ଅଧ୍ୟକ୍ଷତା ପାଇବା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, “ଭାରତ ଆଜି ଏକ ମାସ ପାଇଁ ୟୁଏନଏସସିର ଅଧ୍ୟକ୍ଷତା ଗ୍ରହଣ କରିଛି। ଦୁଇ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଭାରତକୁ ୟୁଏନଏସସିର ମାସିକ ଅଧ୍ୟକ୍ଷତା ପଦ ମିଳିଛି। ଶେଷ ଥର ପାଇଁ ଅଗଷ୍ଟ ୨୦୨୧ରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ମାସିକ ଅଧ୍ୟକ୍ଷତା ପାଇଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନ ପରେ UNSC ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ଫ୍ରାନ୍ସ, ଜାଣନ୍ତୁ କ’ଣ କହିଲା

ନୂଆଦିଲ୍ଲୀ: ବ୍ରିଟେନ ପରେ ଫ୍ରାନ୍ସ ମଧ୍ୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ଗଠନ ପାଇଁ ଭାରତ, ଜର୍ମାନୀ, ଜାପାନ ଏବଂ ବ୍ରାଜିଲ ପାଇଁ ଫ୍ରାନ୍ସ ନିଜର ସମର୍ଥନକୁ ଦୋହରାଇଛି।

ଜାତିସଂଘର ଫ୍ରାନ୍ସର ଉପ ପ୍ରତିନିଧୀ ନଥାଲି ବ୍ରଡହର୍ଷ୍ଟ ଏଷ୍ଟିଭଲ ଶୁକ୍ରବାର ଦିନ ସୁରକ୍ଷା ପରିଷଦ ସଂସ୍କାର ଉପରେ UNSC ର ବାର୍ଷିକ ବିତର୍କକୁ ସମ୍ବୋଧିତ କରି କହିଛନ୍ତି ଯେ, ସ୍ଥାୟୀ ଆସନ ପାଇଁ ଜର୍ମାନୀ, ବ୍ରାଜିଲ, ଭାରତ ଏବଂ ଜାପାନର ସ୍ଥାୟୀ ସଦସ୍ୟ ଭାବରେ ଫ୍ରାନ୍ସ ବିଚାର କରୁଛି। ସେ କହିଛନ୍ତି ଯେ, ସ୍ଥାୟୀ ସଦସ୍ୟ ପରିଷଦ ଆଫ୍ରିକା ଦେଶ ଠାରୁ ଫ୍ରାନ୍ସ ଅଧିକ ପ୍ରତିନିଧିତ୍ୱ ଚାହୁଁଛି, କାରଣ ଭୌଗଳିକ ପ୍ରତିନିଧିତ୍ୱ ନିଶ୍ଚିତ କରିବାକୁ ଅନେକ ସିଟ୍ ଭାଗ କରାଯିବା ଉଚିତ୍।

ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତାର ଗମ୍ଭୀରତାକୁ ଦୋହରାଇ ଫ୍ରାନ୍ସ କହିଛି ଯେ, ଭିଟୋ ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ। ୟୁଏନଏସସିରେ ଏଷ୍ଟିଭଲ ଜୋର କରି କହିଛନ୍ତି ଯେ, ଏହା ଉପରେ ନିଷ୍ପତ୍ତି ନେବା ପାଇଁ ସ୍ଥାୟୀ ଆସନ ମାଗିଥିବା ଦେଶ ଉପରେ ନିର୍ଭର କରେ।

ଫ୍ରାନ୍ସ ପୂର୍ବରୁ ବ୍ରିଟେନ ମଧ୍ୟ UNSC ର ସ୍ଥାୟୀ ସଦସ୍ୟତା ପାଇଁ ମଧ୍ୟ ସମର୍ଥନ ଦେଇଥିଲା। ମିଳିତ ଜାତିସଂଘରେ ବ୍ରିଟେନର ରାଷ୍ଟ୍ରଦୂତ ବାରବରା ଉଡୱର୍ଡ କହିଛନ୍ତି ଯେ, ଜର୍ମାନୀ, ଜାପାନ ଏବଂ ବ୍ରାଜିଲ ପାଇଁ ଭାରତ ସ୍ଥାୟୀ ଆସନ ଏବଂ ପରିଷଦରେ ସ୍ଥାୟୀ ଆଫ୍ରିକୀୟ ପ୍ରତିନିଧିତ୍ୱକୁ ସମର୍ଥନ କରେ।

ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଦାବି:

ବର୍ତ୍ତମାନ ଜାତିସଂଘ ସୁରକ୍ଷା ପରିଷଦର କେବଳ ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଅଛନ୍ତି। ଏଥି ମଧ୍ୟରେ ଆମେରିକା, ଋଷ, ଚୀନ୍, ଫ୍ରାନ୍ସ ଏବଂ ବ୍ରିଟେନ ଅନ୍ତର୍ଭୁକ୍ତ। ବିଶ୍ଵର ଜନସଂଖ୍ୟା, ଅର୍ଥନୀତି ଏବଂ ନୂତନ ଭୌଗଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ସ୍ଥାୟୀ ସଦସ୍ୟ ଦେଶ ସଂଖ୍ୟା ବୃଦ୍ଧି ପାଇଁ ଦାବି ରହିଆସିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ଦୀର୍ଘ ଦିନ ଧରି ଦାବି କରିଆସୁଛି। ବର୍ତ୍ତମାନ ଅନେକ ୟୁରୋପୀୟ ଦେଶ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି।

Categories
ବିଶେଷ ଖବର

ଶାନ୍ତି ଚାହୁଁଥିବା ଦେଶ, ଆତଙ୍କବାଦକୁ ପ୍ରାୟୋଜିତ କରେ ନାହିଁ’: ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୭ତମ ଅଧିବେଶନରେ ଶୁକ୍ରବାର ଦିନ ଭାରତ ବିରୋଧୀ ବିବୃତ୍ତି ଦେଇଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଭାରତ ସମାଲୋଚନା କରିଛି। ମିଳିତ ଜାତିସଂଘରେ ଭାରତୀୟ ମିଶନର ପ୍ରଥମ ସଚିବ ମିଜିଟୋ ଭିନିଟୋ କାଶ୍ମୀର ପ୍ରସଙ୍ଗରେ ଶେହବାଜ ସରିଫଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଏବଂ ଇସଲାମାବାଦକୁ ସୀମା ଆତଙ୍କବାଦ ସହ ଜଡିତ ଥିବା ଅଭିଯୋଗ କରିଛନ୍ତି।

ଭିନିଟୋ କହିଛନ୍ତି ଯେ, “ଦୁଃଖର ବିଷୟ ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଏହି ସମ୍ମାନଜନକ ସଭାର ମଞ୍ଚକୁ ଚୟନ କରିଛନ୍ତି। ଯାହାକୁ ଦୁନିଆ ଗ୍ରହଣ କରେ ନାହିଁ। ”

ଆତଙ୍କବାଦୀ ଡାୱଡ ଇବ୍ରାହିମଙ୍କ ବିଷୟରେ ଏକ ସ୍ପଷ୍ଟ ସୂଚନା ଦେଇ ସେ କହିଛନ୍ତି ଯେ, ଶାନ୍ତି ଚାହୁଁଥିବା ଦେଶ କେବେ ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଦୋଷୀମାନଙ୍କୁ ଆଶ୍ରୟ ଦେବ ନାହିଁ।

ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ ପାକିସ୍ତାନ ସହ ସାଧାରଣ ପଡୋଶୀ ସମ୍ପର୍କ ଖୋଜୁଛି ବୋଲି ଭିନିଟୋ ଦୃଢତାର ସହ ଦୋହରାଇଛନ୍ତି।

ନିକଟରେ ପାକିସ୍ତାନରେ ହିନ୍ଦୁ, ଶିଖ ଏବଂ ଖ୍ରୀଷ୍ଟିଆନ ପରିବାରର ଝିଅମାନଙ୍କୁ ଅପହରଣ ଏବଂ ବିବାହର ଘଟଣା ସମ୍ପର୍କରେ ଉଲ୍ଲେଖ କରି ଭାରତ କହିଛି ଯେ ଏହା ବିଡମ୍ବନାର ବିଷୟ ଯେ, ଯେଉଁ ଦେଶ ଅଳ୍ପସଂଖ୍ୟଙ୍କ ଅଧିକାରକୁ ଗମ୍ଭୀର ଉଲ୍ଲଂଘନ କରିଛି, ସେ ବିଶ୍ୱ ସ୍ତରରେ ଅଳ୍ପସଂଖ୍ୟକ ବିଷୟରେ କହୁଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

UNSC ବୈଠକରେ ଭାରତର କଡା ପ୍ରତିକ୍ରିୟା: ଆତଙ୍କବାଦ ବିରୋଧରେ ଭିନ୍ନ ଭିନ୍ନ ମନୋଭାବ ଠିକ୍ ନୁହେଁ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଭାରତ ପୁଣି ଥରେ ଆତଙ୍କବାଦ ପ୍ରସଙ୍ଗକୁ ଜୋରଦାର କରିଛି। ଆତଙ୍କବାଦ ପ୍ରତି ଦୃଢ ପ୍ରତିକ୍ରିୟା ପ୍ରକାଶ କରି ଭାରତ ସ୍ପଷ୍ଟ ଭାବେ କହିଛି ଯେ, ଆତଙ୍କବାଦୀଙ୍କ ସହ ମୁକାବିଲା କରିବାରେ ଭିନ୍ନ ଭିନ୍ନ ମନୋଭାବ ରହିବା ଉଚିତ ନୁହେଁ। ମିଳିତ ଜାତିସଂଘ (ଜାତିସଂଘ) ର ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ କହିଛନ୍ତି ଯେ ଆତଙ୍କବାଦୀଙ୍କ ତାଲିକାର ଅନୁରୋଧକୁ ବିଚାରାଧୀନ କିମ୍ବା ବାଧା ଦେବା ଧାରାକୁ ଶେଷ କରିବା ଆବଶ୍ୟକ।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ କହିଛନ୍ତି ଯେ, ଆତଙ୍କବାଦ ସମଗ୍ର ବିଶ୍ୱର ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଆତଙ୍କବାଦ ଭଳି ଏକ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଆମର ପ୍ରତିକ୍ରିୟା ଏକୀଭୂତ ଏବଂ ପ୍ରଭାବଶାଳୀ ହେବା ଉଚିତ୍।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ମଙ୍ଗଳବାର ଚୀନ୍‌ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ‘ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଆନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ’ ପ୍ରସଙ୍ଗରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ କହିଛନ୍ତି ଯେ, ଦୁନିଆର କେତେକ କୁଖ୍ୟାତ ଆତଙ୍କବାଦୀଙ୍କ ସହ ଜଡିତ ପ୍ରକୃତ ତଥା ପ୍ରମାଣ ଭିତ୍ତିକ ତାଲିକା ତଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯିବା ଅତ୍ୟନ୍ତ ଦୁଃଖର ବିଷୟ।

ରୁଚିରା କମ୍ବୋଜ ଆହୁରି ମଧ୍ୟ କହିଛନ୍ତି ଯେ, ଡବଲ ଷ୍ଟାଣ୍ଡାର୍ଡ ଏବଂ ନିରନ୍ତର ରାଜନୀତିକରଣ ୟୁଏନଏସସିର ପ୍ରତିବନ୍ଧକ ବ୍ୟବସ୍ଥାର ବିଶ୍ୱସନୀୟତାକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିଛି। ଆମେ ଆଶା କରୁଛୁ ଯେ, ଆନ୍ତର୍ଜାତୀୟ ଆତଙ୍କବାଦ ବିରୋଧରେ ଏହି ସାମୂହିକ ସଂଗ୍ରାମରେ ୟୁଏନଏସସିର ସମସ୍ତ ସଦସ୍ୟ ଶୀଘ୍ର ଗୋଟିଏ ସ୍ୱରରେ ସ୍ୱର ଉତ୍ତୋଳନ କରିବେ। ଅବଦୁଲ ରେହମାନ ମକ୍କି ଆମେରିକାର ଜଣେ ଆତଙ୍କବାଦୀ। ସେ ଲଶ୍କର-ଏ-ତୋଇବା ମୁଖ୍ୟ ଏବଂ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସଇଦର ସମ୍ପର୍କୀୟ।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ କହିଛନ୍ତି ଯେ, ଅବଦୁଲ ରେହମାନ ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ନାମିତ କରିବା ପାଇଁ ନୂଆଦିଲ୍ଲୀ ଏବଂ ୱାଶିଂଟନ୍ ମିଳିତ ପ୍ରସ୍ତାବ ଆଣିଛନ୍ତି। କିନ୍ତୁ ଶେଷ ମୁହୂର୍ତ୍ତରେ ଚୀନ୍ ଏହି ପ୍ରସ୍ତାବ ଉପରେ ପ୍ରତିବନ୍ଧକ ଲଗାଇଛି। ଏହାପୂର୍ବରୁ ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ ତାଲିକାଭୁକ୍ତ କରିବା ପାଇଁ ଭାରତ ଏବଂ ଏହାର ସହଯୋଗୀଙ୍କ ପ୍ରସ୍ତାବକୁ ଚୀନ୍ ଅବରୋଧ କରିଥିଲା।

Categories
ବିଶେଷ ଖବର

୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଅପେକ୍ଷା ଅଧିକ ହେବ ପ୍ଲାଷ୍ଟିକ୍, ଜାତିସଂଘ ଦେଲା ବଡ଼ ଚେତାବନୀ

ନୂଆଦିଲ୍ଲୀ: ଆଜିର ସମୟରେ ସମଗ୍ର ବିଶ୍ୱ ଆଧୁନିକତାର ପ୍ରଭାବରେ ଗତି କରୁଛି। ଫଳସ୍ୱରୂପ, ପୃଥିବୀରେ ପ୍ଲାଷ୍ଟିକର ଦ୍ରୁତ ବ୍ୟବହାର ଯୋଗୁଁ ପୃଥିବୀରେ ମିଳୁଥିବା କେତେକ ପ୍ରଜାତି ସମାପ୍ତ ହେବାର କାରଣ ହୋଇପାରେ। ବର୍ତ୍ତମାନ ସାରା ବିଶ୍ୱରେ ପ୍ଲାଷ୍ଟିକ୍ ବ୍ୟବହାର କରାଯାଉଛି। ଏହି କାରଣରୁ ପ୍ରତିଦିନ ହଜାର ହଜାର ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି।

ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘ ପ୍ଲାଷ୍ଟିକକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ମିଳିତ ଜାତିସଂଘ ଚେତାବନୀ ଦେଇଛି ଯେ ୨୦୫୦ ସୁଦ୍ଧା ସମୁଦ୍ରରେ ମାଛଙ୍କ ସଂଖ୍ୟା ଠାରୁ ପ୍ଲାଷ୍ଟିକ ଅଧିକ ହେବ। ବାସ୍ତବରେ, ସମଗ୍ର ବିଶ୍ୱରେ ବାହାରୁଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସମ୍ପୂର୍ଣ୍ଣ ରୂପେ ପୁନଃ ବ୍ୟବହାର କରାଯାଏ ନାହିଁ। ଏଭଳି ପରିସ୍ଥିତିରେ ଅଧିକାଂଶ ସ୍ଥାନରେ ସମୁଦ୍ରରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପକାଯିବା ହେତୁ ସମୁଦ୍ରରେ ପ୍ରଦୂଷଣର ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ସମୁଦ୍ରରେ ପ୍ରଦୂଷଣ ବୃଦ୍ଧି ହେତୁ ସମୁଦ୍ରରେ ମିଳୁଥିବା ଜୀବଙ୍କ ସଂଖ୍ୟା ପ୍ରତିବର୍ଷ ଦ୍ରୁତ ଗତିରେ ହ୍ରାସ ପାଉଛି। ମିଳିତ ଜାତିସଂଘ ସମୁଦ୍ରରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦ୍ଵାରା ପ୍ଲାଷ୍ଟିକ ବ୍ୟବହାର ତଥା ପ୍ରଦୂଷଣ ହ୍ରାସ କରିବାକୁ ଚେତାବନୀ ଦେଇଛି ଏବଂ ୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଅପେକ୍ଷା ଅଧିକ ପ୍ଲାଷ୍ଟିକ ରହିବ ବୋଲି ଚେତାବନୀ ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ବିଶ୍ଵରେ ପ୍ରତିବର୍ଷ ୩୦୦ ନିୟୁତ ଟନରୁ ଅଧିକ ପ୍ଲାଷ୍ଟିକ ଉତ୍ପାଦିତ ହୁଏ। ଯେଉଁଥିରେ ପ୍ରତିବର୍ଷ ୧୦ ନିୟୁତ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସମୁଦ୍ରକୁ ଫିଙ୍ଗିଦିଆଯାଏ। ସେହି ସମୟରେ, ସାମୁଦ୍ରିକ ପ୍ରାଣୀମାନେ ଏହି ମାଇକ୍ରୋପ୍ଲାଷ୍ଟିକ୍ସକୁ ସେମାନଙ୍କର ଖାଦ୍ୟ ଭାବରେ ଖାଆନ୍ତି। ଏହି କାରଣରୁ ପ୍ରତିବର୍ଷ ୧୦୦ ନିୟୁତ ସମୁଦ୍ର ପ୍ରାଣୀ ମରିଯାଉଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାତିସଂଘରେ ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ଭୋଟିଂ: ମତଦାନରୁ ନିଜକୁ ଅଲଗା କଲା ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ପୁଣିଥରେ ମିଳିତ ଜାତିସଂଘରେ ନିଜର ନିରପେକ୍ଷ ସ୍ଥିତି ଜାରି ରଖିଛି। ରୁଷ-ୟୁକ୍ରେନ ଯୁଦ୍ଧର ଯାଞ୍ଚ କରିବା ପାଇଁ ଏକ ସ୍ଵତନ୍ତ୍ର ଆୟୋଗ ଦ୍ଵାରା ମିଳିତ ଜାତିସଂଘର ମାନବାଧିକାର ପରିଷଦ ଚାହୁଁଥିଲେ, ଯାହାକୁ ନେଇ ଭୋଟ ଗ୍ରହଣ ହୋଇଥିଲା। କିନ୍ତୁ ଭାରତ ମତଦାନରୁ ନିଜକୁ ଦୂରେଇ ରଖିଛି।

ଏହାପୂର୍ବରୁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଋଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରାଯାଉଥିବା ଏକ ସଂକଳ୍ପ ପାରିତ ହୋଇଛି। ଏହି ସଂକଳ୍ପ ଉପରେ ୧୪୧ ଦେଶ ସମର୍ଥନ ଜଣାଇଥିବାବେଳେ ୫ ଟି ଦେଶ ଏହି ପ୍ରସ୍ତାବ ବିରୋଧରେ ମତ ଦେଇଛନ୍ତି। ଅର୍ଥାତ୍ ଏହି ପାଞ୍ଚଟି ଦେଶ ଋଷର ସମର୍ଥନରେ ଅଛନ୍ତି। ଏହା ବ୍ୟତୀତ ୩୫ ଟି ଦେଶ ଭୋଟିଂରେ ଭାଗ ନେଇ ନାହାଁନ୍ତି। ଏହି ଦେଶଗୁଡିକରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାତିସଂଘରେ ପାକିସ୍ତାନ ଉପରେ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ: ଆତଙ୍କବାଦକୁ ନେଇ କହିଲେ ଏଭଳି କଥା

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୬ ତମ ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦକୁ ରାଜନୈତିକ ସାଧନ ଭାବରେ ବ୍ୟବହାର କରୁଥିବା ଦେଶଗୁଡିକ ପ୍ରତିକ୍ରିୟାଶୀଳ ଚିନ୍ତାଧାରା ସହିତ ସେମାନଙ୍କୁ ବୁଝିବାକୁ ପଡିବ ଯେ, ଆତଙ୍କବାଦ ସେମାନଙ୍କ ପାଇଁ ସମାନ ବିପଦ ଅଟେ।

ମିଳିତ ଜାତିସଂଘର ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାଶ୍ମୀର ପ୍ରସଙ୍ଗ ଉପରେ ଭାରତ ପ୍ରତିକ୍ରିୟା ଦେବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଦୃଢ ପ୍ରତିକ୍ରିୟା ଆସିଛି। ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ବିଶ୍ୱ ସାମ୍ନାରେ ପ୍ରତିକ୍ରିୟାଶୀଳ ଚିନ୍ତାଧାରା ଏବଂ ଉଗ୍ରବାଦର ଧମକ ବୃଦ୍ଧି ପାଉଛି। ଏହି ପରିସ୍ଥିତିରେ, ସମଗ୍ର ବିଶ୍ୱକୁ ବିଜ୍ଞାନ-ଆଧାରିତ, ଯୁକ୍ତିସଙ୍ଗତ ଏବଂ ପ୍ରଗତିଶୀଳ ଚିନ୍ତାଧାରାକୁ ବିକାଶର ଆଧାର ଭାବରେ ପ୍ରସ୍ତୁତ କରିବାକୁ ପଡିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲା ଜାତିସଂଘ

ନୂଆଦିଲ୍ଲୀ: ଜାତିସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି। ବିପର୍ଯ୍ୟୟ ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜାତିସଂଘ ପ୍ରଶଂସା କରିଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ରୋଲ ମଡେଲ ବୋଲି ଜାତିସଂଘ କହିଛି। ଦୁର୍ବିପାକ ସମୟରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ରଖିଥିବାରୁ ଜାତିସଂଘ ସନ୍ତୋଷ ପ୍ରକାଶ କରିଛି।

ଜାତିସଙ୍ଘ ମୁଖ୍ୟ ମାମି ମିଜୁଟାରି ନବୀନଙ୍କୁ ଏନେଇ ପ୍ରଶଂସା କରିଛନ୍ତି। ମାମି ମିଜୁଟାରି କହିଛନ୍ତି ଯେ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟକୁ ବୁଝି, ତାକୁ ସାମ୍ନା କରିବା ସହ ଉଚିତ ପଦକ୍ଷେପ ନେଉଛନ୍ତି। ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚିପାରୁଛି।