Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷାନୀତି ୨୦୨୦ କେତେ ଫଳପ୍ରଦ ହେବ ତାହା ଏବେ ପ୍ରଶ୍ନବାଚୀ: ମିଳିତ ସମନ୍ୱୟ ସମିତି

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଜାତୀୟ ଶିକ୍ଷାନୀତି – ୨୦୨୦ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବା ଦ୍ୱାରା ଶିକ୍ଷା ଜଗତରେ ଏକ ବୈପ୍ଲବିକ ପରିବର୍ତ୍ତନ ହେବ ବୋଲି ଶିକ୍ଷାବିତ୍‌ମାନେ ଆଶାପୋଷଣ କରିଛନ୍ତି ସତ୍ୟ କିନ୍ତୁ ଏହାର କୌଣସି ଢ଼ାଞ୍ଚାଗତ ପରିବର୍ତ୍ତନ ଓ ଆବଶ୍ୟକ ଭିତ୍ତିଭୂମି ନଯୋଗାଇ ଏହାକୁ ଲାଗୁ କରିବା ଦ୍ୱାରା ଓଡ଼ିଶାର ଶିକ୍ଷାକ୍ଷେତ୍ରରେ କି ସୁଫଳ ମିଳିବ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।

ପ୍ରକାଶଥାଉକି, ରାଜ୍ୟସରକାର ବିଦ୍ୟାଳୟ ପାଠ୍ୟକ୍ରମ ଓ ଶିକ୍ଷାଦାନକୁ ନୂତନ ୫+୩+୩+୪ ଢାଞ୍ଚାରେ ପୁନର୍ଗଠନ କରାଯିବା ନେଇ ଖସଡ଼ା ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ପ୍ରାରମ୍ଭିକ ଶିକ୍ଷାକୁ ୫ ବର୍ଷ ରଖାଯାଇଛି। ବୟସର ବିଭିନ୍ନ ପର୍ଯ୍ୟାୟର ଶିକ୍ଷାର୍ଥୀଙ୍କ ବିକାଶର ଅଲଗା ଅଲଗା ଅବସ୍ଥା ଆଧାରରେ ସେମାନଙ୍କ ଆବଶ୍ୟକତା ଓ ଆଗ୍ରହକୁ ଉଚିତ୍ ଦୃଷ୍ଟି ଦିଆଯିବ। ଏଥିନିମନ୍ତେ ବିଦ୍ୟାଳୟ ଶିକ୍ଷାସ୍ତରରେ ଶିକ୍ଷାଦାନ, ଶିକ୍ଷଣ ସଂଗଠନ ଓ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ପରିଚାଳିତ ହେବ। ପ୍ରାରମ୍ଭ/ମୌଳିକ ପର୍ଯ୍ୟାୟ ଦୁଇ ଭାଗରେ ୩ ବର୍ଷ ଅଙ୍ଗନବାଡ଼ି / ପ୍ରାକ୍ ବିଦ୍ୟାଳୟ / ବାଲବାଟିକା (ବୟସ ୩-୬) ଏବଂ ୨ ବର୍ଷ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀଯାଏ (ବୟସ ୬-୮) ରଖାଯାଇଛି।

ଏହାପରେ ଆରମ୍ଭ ହେବ ପ୍ରସ୍ତୁତି ପର୍ଯ୍ୟାୟ, ଯେଉଁଥିରେ ପିଲାଟି ତୃତୀୟରୁ ପଞ୍ଚମ ଶ୍ରେଣୀ ଯାଏ ପଢ଼ିବ। ଏହି ସମୟରେ ତାର ବୟସ ୮ ରୁ ୧୧ ବର୍ଷ ହୋଇଥିବ। ଏହାପରେ ଆରମ୍ଭ ହେବ ମଧ୍ୟ ପର୍ଯ୍ୟାୟ। ଏଥିରେ ପିଲାଟି ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀଯାଏ ପଢ଼ିବ (ବୟସ ୧୧ରୁ ୧୪ ବର୍ଷ)। ଏହାପରେ ମାଧ୍ୟମିକ ପର୍ଯ୍ୟାୟ ହେବ। ଯେଉଁଥିରେ ୪ ବର୍ଷ ଯାଏ ନବମରୁ ଦ୍ୱାଦଶ ଶ୍ରେଣୀଯାଏ ପଢ଼ିବ। ଏହି ସମୟରେ ପିଲାର ବୟସ ୧୪ରୁ ୧୮ ବର୍ଷ ହୋଇଥିବ।

ଜାତୀୟ ଶିକ୍ଷାନୀତି ୨୦୨୦ରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ ଅର୍ଥାତ୍ ଶିକ୍ଷାର ମୂଳଦୁଆକୁ ଗୁରୁତ୍ୱ ମିଳିବ। ସମସ୍ତ ପର୍ଯ୍ୟାୟରେ ଅଭିଜ୍ଞତାଭିତ୍ତିକ ଶିକ୍ଷଣ ପ୍ରଣୟନ କରାଯିବ। ଏଥିରେ କାର୍ଯ୍ୟଭିତ୍ତିକ ଶିକ୍ଷଣ, କଳା ସମନ୍ୱିତ, କ୍ରୀଡ଼ା ସମନ୍ୱିତ ଶିକ୍ଷା, ଗଳ୍ପ ଆଧାରିତ ଶିକ୍ଷାଦାନକୁ ବ୍ୟବହାର କରାଯିବ। ଶ୍ରେଣୀଗୃହ ଶିକ୍ଷାଦାନ ପ୍ରକ୍ରିୟା ଦକ୍ଷତା ଭିତ୍ତିକ ଶିକ୍ଷାକୁ ଅଗ୍ରସର କରାଯିବ। ସ୍ଥାନୀୟ ବିଷୟବସ୍ତୁ ଓ ପ୍ରସଙ୍ଗ ସହ ଜାତୀୟ ପାଠ୍ୟପୁସ୍ତକକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ।

ମୁଖସ୍ତିକରଣ ପରିବର୍ତ୍ତେ ଗଠନମୂଳକ ଶିକ୍ଷଣ ଉପରେ ହୋଇଥିବା ଗୁରୁତ୍ୱ ଆଧାରରେ ପାଠ୍ୟପୁସ୍ତକର ପରିବର୍ତ୍ତନ ହେବ। ଅଙ୍ଗନବାଡ଼ି କେନ୍ଦ୍ରରେ ଯେଉଁ ପିଲାମାନ ତିନି ବର୍ଷରୁ ଛଅ ବର୍ଷ ଯାଏ ପାଠ ପଢ଼ିବେ ସେମାନଙ୍କର ଦକ୍ଷତା ଓ ମୂଳଦୁଆକୁ ଦୃଢ଼ କରିବା ପାଇଁ ଏହି ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି, ନିଜସ୍ୱ ଗୃହ ଓ ଶିକ୍ଷାଦାନ ବ୍ୟବସ୍ଥାର ପରିବର୍ତ୍ତନ କରାଗଲେ ହିଁ ଏହି ଜାତୀୟ ଶିକ୍ଷାନୀତି ସଫଳ ହୋଇପାରିବ।

ସମସ୍ତ ସରକାରୀ ବିଦ୍ୟାଳୟ ଓ ନୂତନଅନୁଦାନ ପ୍ରାପ୍ତ ବିଦ୍ୟାଳୟ ନିମନ୍ତେ ଯେଉଁ ଯେଉଁ ସୁବିଧା ଉପଲବ୍ଧ ତାହାକୁ ସମତୁଲ ନକରି ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବା କେତେଦୂର ଫଳପ୍ରଦ ହେବ ତାହା ଏବେ ସନ୍ଦେହର ବଳୟ ଭିତରେ। ବିଭିନ୍ନ ବିଦ୍ୟାଳୟଗୁଡ଼ିକରୁ ଅବସରପରେ ଶୂନ୍ୟ ପଡ଼ୁଥିବା ପଦବୀଗୁଡ଼ିକର ନିଯୁକ୍ତିର ବ୍ୟବସ୍ଥା ସୃଷ୍ଟି କରାଗଲେ ଶିକ୍ଷାଦାନ ବାଧାପ୍ରାପ୍ତ ହେବନାହିଁ।  ସବୁବର୍ଗର ବିଦ୍ୟାଳୟମାନଙ୍କ ମଧ୍ୟରେ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଷମ୍ୟତା ଦୂର କରି ସମସ୍ତଙ୍କ ପାଇଁ ସମାନ ସୁବିଧା ଯୋଗାଇଦେଲେ ଏବଂ ବିଭିନ୍ନ ବିଦ୍ୟାଳୟଗୁଡ଼ିକର ବ୍ୟବସ୍ଥାରେ ପରିବର୍ତ୍ତନ କରାଗଲେ ଜାତୀୟ ଶିକ୍ଷାନୀତି ଅଧିକ ଫଳପ୍ରଦ ହେବ ନଚେତ୍ ଆଗମୀ ଦିନରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଭାଙ୍ଗିଯିବ। ଏହାଛଡ଼ା ଆହୁରି ଅନେକ ସମସ୍ୟା ଯଥା-  ସେହିପରି ୨୦୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ଓ ଅନେକ ମହାବିଦ୍ୟାଳୟ ଏବେ ସୁଦ୍ଧା ଅନୁଦାନ ପରିସରଭୁକ୍ତ ହୋଇପାରି ନାହାଁନ୍ତି। ପ୍ରଥମେ ସରକାର ସେହି ବିଦ୍ୟାଳୟ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଉଚିତ୍।

ଏପରି ସ୍ଥଳେ ନୂତନ ଶିକ୍ଷାନୀତି ୨୦୨୦ କେତେ ଫଳପ୍ରଦ ହେବ ତାହା ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଶିକ୍ଷାବ୍ୟବସ୍ଥାର ଢାଞ୍ଚାଗତ ପରିବର୍ତ୍ତନ ଘଟିବାକୁ ଯାଉଥିବା ବେଳେ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷକ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ମାନବ୍ୟର ରାଜ୍ୟସରକାରଙ୍କୁ ମିଳିତ ସମନ୍ୱୟ ସମିତିର ନେତୃମଣ୍ଡଳୀ ସର୍ବଶ୍ରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, କଳିଙ୍ଗ କେଶରୀ ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଏବେ ଏନ.ସି.ଇ.ଆର.ଟି.ର ୱେବସାଇଟ୍‌ରେ ଉପଲବ୍ଧ ତୃତୀୟ ଶ୍ରେଣୀର ପାଠ୍ୟପୁସ୍ତକ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି (ଏନ୍‌.ଇ.ପି.) ୨୦୨୦ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରିବାର ତିନିବର୍ଷ ମଧ୍ୟରେ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ଓ ଶିକ୍ଷାଦାନରେ ସଂସ୍କାର ଆରମ୍ଭ ହୋଇଛି। ଅକ୍ଟୋବର ୨୦୨୨ରେ ପ୍ରଥମ ମାଇଲ୍‌ଖୁଣ୍ଟ ହାସଲ କରାଯାଇଥିଲା, ଯେତେବେଳେ ମୌଳିକ / ପ୍ରାରମ୍ଭିକସ୍ତର ପାଠ୍ୟଚର୍ଯ୍ୟା (୨୦୨୨) ଆରମ୍ଭ ହେଲା। ଏହି ପାଠ୍ୟଚର୍ଯ୍ୟାରେ ପ୍ରସ୍ତାବ ଅନୁଯାୟୀ ‘ଯାଦୁଇ ପିଟାରା’, ଖେଳଣା, ଖେଳ, କଣ୍ଢେଇ, ପୋଷ୍ଟର, କାହାଣୀ କାର୍ଡ ଇତ୍ୟାଦି ଏବଂ ଖେଳ ଆଧାରିତ ପାଠ୍ୟପୁସ୍ତକ ସହ ଶିକ୍ଷା-ଶିକ୍ଷାଦାନ ସାମଗ୍ରୀର ସଂଗ୍ରହ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀପାଇଁ ଗତବର୍ଷ ଆରମ୍ଭ ହୋଇଛି। ଜାତୀୟ ଶିକ୍ଷାନୀତି ୨୦୨୦ରେ ବହୂଭାଷିତା ସମ୍ବନ୍ଧୀୟ ଦୃଷ୍ଟିକୋଣ ଉପରେ ଧ୍ୟାନ ଦେଇ ଏନ୍‌ସିଇଆର୍‌ଟି ଭାରତୀୟ ଭାଷାର ଚଉବନଟି ପ୍ରାଇମର ପ୍ରକାଶ କରିଛି। ଏଥି ମଧ୍ୟରୁ କୁଇ ଏବଂ ଦେଶିଆ ଭଳି ଭାଷାରେ ମାତୃଭାଷାରୁ ଭାଷା ସୁଗମ ପରିବର୍ତ୍ତନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇସାରିଛି।

ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟଚର୍ଯ୍ୟା (ଏସ୍‌.ସି.ଏଫ୍‌.ଏସ୍‌.ଇ.) ୨୦୨୩ ଅଗଷ୍ଟ ୨୦୨୩ରେ ଆରମ୍ଭ ହୋଇଥିଲା। ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବରେ ଏନ୍‌.ସି.ଇ.ଆର୍‌.ଟି. ତୃତୀୟରୁ ଦ୍ୱାଦଶ ଶ୍ରେଣୀପାଇଁ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ପ୍ରସ୍ତୁତିର କାର୍ଯ୍ୟ ଆରମ୍ଭ କଲା। ଜାତୀୟ ଶିକ୍ଷାନୀତି ୨୦୨୦ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପାଠ୍ୟପୁସ୍ତକଗୁଡ଼ିକ ଏକ ପର୍ଯ୍ୟାୟ ଅନୁଯାୟୀ ଅଣାଯିବା ଆବଶ୍ୟକ, ଯାହାଦ୍ୱାରା ପୁରାତନ ପାଠ୍ୟକ୍ରମରୁ ନୂତନ ପାଠ୍ୟକ୍ରମକୁ ସ୍ଥାନାନ୍ତର ହୋଇପାରିବ। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ତୃତୀୟ ଶ୍ରେଣୀ (ପ୍ରସ୍ତୁତି ସ୍ତରର ପ୍ରଥମ) ଏବଂ ଷଷ୍ଠ ଶ୍ରେଣୀ (ମଧ୍ୟସ୍ତରର ପ୍ରଥମ) ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଉଛି। ପୁରାତନ ପାଠ୍ୟକ୍ରମରୁ ନୂତନ ପାଠ୍ୟକ୍ରମକୁ ପିଲାମାନଙ୍କର ସୂଗମ ପରିବର୍ତ୍ତନ ନିମନ୍ତେ ଷଷ୍ଠଶ୍ରେଣୀର ଏକ ମାସସଂଯୋଗ କାର୍ଯ୍ୟକ୍ରମ ଏବଂ ତୃତୀୟ ଶ୍ରେଣୀ ପାଇଁ ଦୁଇ ସପ୍ତାହର ମୌଳିକ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ସବୁ କାର୍ଯ୍ୟକ୍ରମ ବିଭିନ୍ନ ବିଷୟ ଯଥା- ଆମ ଚତୁପାଶ୍ୱର୍ର ଦୁନିଆ, କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସ୍ୱସ୍ଥ୍ୟ-ସୁସ୍ଥତା ଉପରେ ପର୍ଯ୍ୟବେସିତ ହେବ। ଏତଦ୍ୱାରା ନୂତନ ପାଠ୍ୟକ୍ରମର ବିଭିନ୍ନ ଆଧାର ଯଥା ଅନୁଭୂତିଶୀଳ ଶିକ୍ଷଣ, ସାଂସ୍କୃତିକ ମୂଳତା, ବହୁଭାଷୀ ଶିକ୍ଷା, ସାମଗ୍ରିକ ବିକାଶକୁ ନେଇ ସାମଗ୍ରିକ ମୂଲ୍ୟାୟନ ଉପରେ ସେମାନଙ୍କର ଶିକ୍ଷଣ ସୁନିଶ୍ଚିତ ହେବ।

ବର୍ତ୍ତମାନ ତୃତୀୟ ଶ୍ରେଣୀର ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁ ଭାଷାରେ ପାଠ୍ୟପୁସ୍ତକ ଏନ.ସି.ଇ.ଆର.ଟି.ର ୱେବସାଇଟ୍‌ରେ ଉପଲବ୍ଧ ଅଛି। ବିଦ୍ୟାଳୟ ଶିକ୍ଷା ଜାତୀୟ ପାଠଚର୍ଯ୍ୟା ୨୦୨୩ରେ ଷଷ୍ଠ ଶ୍ରେଣୀ ପାଇଁ ପ୍ରସ୍ତାବିତ ସମସ୍ତ ୧୦ଟି ବିଷୟ ପାଇଁ ଏକମାସ ସଂଯୋଗ କାର୍ଯ୍ୟକ୍ରମ ମଧ୍ୟ ୱେବ୍‌ସାଇଟ୍‌ରେ ଉପଲବ୍ଧ। ନୂତନ ପାଠ୍ୟ ପୁସ୍ତକ ବ୍ୟବହାର ପୂର୍ବରୁ ମୌଳିକ କିମ୍ବା ସଂଯୋଗ କାର୍ଯ୍ୟକ୍ରମ (Bridge Course) ସାଧାରଣତଃ ଜରୁରୀ। ପିଲାମାନେ ସେମାନଙ୍କର ମୌଳିକ ଓ ଏକମାସ ସଂଯୋଗ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ନୂତନ ପାଠ୍ୟକ୍ରମକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେବେ ଏବଂ ସେମାନଙ୍କ ପାଇଁ ପାଠ୍ୟପୁସ୍ତକ ଉପଲବ୍ଧ ହେବ।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ନୂତନ ପାଠ୍ୟ ପୁସ୍ତକ ପ୍ରକାଶିତ ଓ ଛାପା ଆକାରରେ ଉପଲବ୍ଧ। ସେହିପରି ସପ୍ତମ, ଅଷ୍ଟମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକ ମଧ୍ୟ ଛାପା ଆକାରରେ ଉପଲବ୍ଧ। ଚତୁର୍ଥ, ପଞ୍ଚମ, ନବମ ଓ ଏକାଦଶ ଶ୍ରେଣୀର ଅଧିକାଂଶ ପାଠ୍ୟପୁସ୍ତକ ପ୍ରକାଶ ପାଇସାରିଛି ଏବଂ ଚଳିତ ବର୍ଷ ମଇ ୩୧ ସୁଦ୍ଧା ଆବଶ୍ୟକ ସଂଖ୍ୟାରେ ଉପଲବ୍ଧ ହେବ। ଏହି ପାଠ୍ୟ ପୁସ୍ତକଗୁଡ଼ିକ ଡିଜିଟାଲ ଭାବେ ଏନ୍‌ସିଇଆର୍‌ଟି ୱେବ୍‌ସାଇଟ୍, ଦିକ୍ଷା ଓ ଇ-ପାଠଶାଳା ସହ ମୋବାଇଲ୍ ଆପ୍‌ରେ ମଧ୍ୟ ଉପଲବ୍ଧ। ଏଗୁଡ଼ିକ ସହଜ ଓ ମାଗଣାରେ ଡାଉନ୍‌ଲୋଡ୍ କରାଯାଇପାରିବ।

ଏନ.ସି.ଇ.ଆର.ଟି. ୱେବ୍ ସାଇଟ୍ ରେ କିମ୍ବା ଛାପା ଆକାରରେ ଉଲବଲବ୍ଧ ଥିବା ପାଠ୍ୟପୁସ୍ତକ ବ୍ୟବହାର କରିବାକୁ ସମ୍ବନ୍ଧିତ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।  ଜାତୀୟ ଶିକ୍ଷାନୀତି ୨୦୨୦ ଓ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟଚର୍ଯ୍ୟା (୨୦୨୩) ସହ ସମନ୍ୱୟତା ଓ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଅବଶିଷ୍ଟ ପାଠ୍ୟପୁସ୍ତକ (ତୃତୀୟ ଓ ଷଷ୍ଠ ଶ୍ରେଣୀ)କୁ ଚଳିତ ବର୍ଷ ଉପଲବ୍ଧ କରିବାକୁ ଏନ.ସି.ଇ.ଆର.ଟି.  ସଂକଳ୍ପବଦ୍ଧ ଏବଂ ସମସ୍ତକୁ ଏଥିପାଇଁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିସରରେ କୁଇ ଓ ଦେଶିଆ ଭାଷାର କର୍ମଶାଳା

ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଓଡ଼ିଶା, ବିହାର, ଛତିଶଗଡ ଓ ଝାଡ଼ଖଣ୍ଡ ରାଜ୍ୟରେ ମୁଖ୍ୟତଃ କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE), ଭୁବନେଶ୍ଵର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ତା.୨୯.୦୫.୨୦୨୩ ରୁ ତା.୦୨.୦୬.୨୦୨୩ରିଖ ପର୍ଯ୍ୟନ୍ତ ଏକ ପାଞ୍ଚଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ଜାତୀୟ କର୍ମଶାଳା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି।

ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘କୁଇ’ ବା ‘ଦେଶିଆ’ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କର ମୌଖକ ଭାଷା ବିକାଶ, ପଠନ ଓ ଲିଖନ ଦକ୍ଷତା ବିକାଶ ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଶିକ୍ଷାର୍ଥୀ ତଥା ଶିକ୍ଷକମାନଙ୍କୁ ଯୋଗାଇଦେବା। ଏହି କର୍ମଶାଳାଟି NCERTର ମାନ୍ୟବର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକଲାନି ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ,ର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ମିଳିତ ସହଯୋଗ କ୍ରମେ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ।

ଏଥିରେ ସଦସ୍ୟ ଡ. ମହେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଗୋପବନ୍ଧୁ ମହାନ୍ତି, ଡ. ପରମାନନ୍ଦ ପଟେଲ, ଡ. ରାଜେନ୍ଦ୍ର ପାଢ଼ୀ, ଡ. କପିଳ ଖେମଣ୍ଡୁ, ଡ. ରୁଦ୍ରାଣୀ ମହାନ୍ତି, ଡ. ଗୋବିନ୍ଦ ଚନ୍ଦ୍ର ପେଣ୍ଡେଇ, ସୁରେଶ ଖରା, ସନା ସାନ୍ତା, ତ୍ରିନାଥ ଖରା, ସୋମନାଥ ଅମାନତ୍ୟ, ଗୀତାଞ୍ଜଳି ପୂଜାରୀ, ନାରାୟଣ ମାଝି, ଗୋବିନ୍ଦ କୁମ୍ଝରିଆ, ସୁରେନ୍ଦ୍ର ତନ୍ତୀ ଏବଂ ଶିବଶଙ୍କର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିବେ।