Categories
ବିଶେଷ ଖବର

ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ର କାର୍ଯ୍ୟକାରିତା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏନଇପି ୨୦୨୦ କାର୍ଯ୍ୟକାରୀ ହେବାର ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏସବୁ କାର୍ଯ୍ୟକ୍ରମ ଜରିଆରେ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ ସୁଲଭତା, ସମାନତା, ସମାବେଶିତା ଏବଂ ଗୁଣବତ୍ତା ଆଧାରିତ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରାଯାଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଠାବ କରିବା ଏବଂ ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକାଧିକ ପ୍ରବେଶ ଓ ପ୍ରସ୍ଥାନର ବିକଳ୍ପ ଭଳି ପଦକ୍ଷେପ ନିଆଯାଇଛି। ଆମେ ସ୍ବାଧୀନତାର ‘ଅମୃତ କାଳ’ରେ ପ୍ରବେଶ କରୁଥିବାରୁ ଏସବୁ ପଦକ୍ଷେପ ରାଷ୍ଟ୍ର ପ୍ରଗତିକୁ ପରିଭାଷିତ କରିବା ସହିତ ଏଥିପାଇଁ ମାର୍ଗଦର୍ଶନ ମଧ୍ୟ କରିବ।

ବିଦ୍ୟାଳୟ ଶିକ୍ଷା

ଜାତୀୟ ଷ୍ଟିଅରିଂ କମିଟିର ମାର୍ଗଦର୍ଶନରେ ଜାତୀୟ ପାଠ୍ୟକ୍ରମ ଢାଞ୍ଚାର ଗଠନ କାର୍ଯ୍ୟ ଜାରି ରହିଥିବା ନେଇ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଉନ୍ନତ ଅଧ୍ୟୟନ ପରିଣାମ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ବାଲବାଟିକା ଗୁଡ଼ିକରେ ଇସିସିଇ ଭଳି ଗୁଣବତ୍ତା, ନିପୁଣ ଭାରତ, ବିଦ୍ୟା ପ୍ରବେଶ, ପରୀକ୍ଷାରେ ସଂସ୍କାର ଏବଂ କଳା ସହ ସମନ୍ବିତ ଶିକ୍ଷା, ଖେଳନା ଆଧାରିତ ଶିକ୍ଷାଶାସ୍ତ୍ର ଭଳି ଅଭିନବ ଶିକ୍ଷାଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳ ନହେବାକୁ ଦେବା ଲାଗି ଅନଲାଇନ ଏବଂ ଅଫଲାଇନ ଶିକ୍ଷାଦାନର ହାଇବ୍ରିଡ୍‌ ପଦ୍ଧତି ବିକଶିତ କରାଯିବା ଉଚିତ୍‌।

ପିଲାମାନେ ଅଙ୍ଗନବାଡ଼ିରୁ ସ୍କୁଲକୁ ଯାଇଥାନ୍ତି, ଏହାକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ିରେ ରଖାଯାଉଥିବା ପିଲାମାନଙ୍କର ତଥ୍ୟ ବାଧାମୁକ୍ତ ଭାବେ ବିଦ୍ୟାଳୟର ଡାଟାବେସ ସହ ମିଶାଇବାର ଆବଶ୍ୟକତା ରହିଛି। ପ୍ରଯୁକ୍ତି ସହାୟତାରେ ବିଦ୍ୟାଳୟଗୁଡ଼ିକରେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ଓ ସ୍କ୍ରିନିଂ କରାଯିବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଷୟଗତ କୌଶଳ ବିକାଶ କରିବା ଲାଗି ସ୍ବଦେଶୀ ଭାବେ ବିକଶିତ ଖେଳନାର ଉପଯୋଗ କରାଯିବା ଆବଶ୍ୟକ। ସେ ଆହୁରି ପରାମର୍ଶ ଦେଇଥିଲେ ଯେ, ବିଜ୍ଞାନ ପରୀକ୍ଷାଗାର ଥିବା ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସ୍ଥାନୀୟ ଚାଷୀଙ୍କ ସହିତ ସମ୍ପର୍କ ସ୍ଥାପନ କରି ମୃତ୍ତିକା ପରୀକ୍ଷଣରେ ନିୟୋଜିତ ହେବା ଉଚିତ୍‌। ଏହା ମାଧ୍ୟମରେ ମୃତ୍ତିକା ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ପାରିବ।

 ବହୁବିଷୟ ଆଧାରିତ ଉଚ୍ଚଶିକ୍ଷା

ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ନମନୀୟତା ପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ଲାଗି ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାସହିତ ଡିଜିଲକର ପ୍ଲାଟଫର୍ମରେ ଏକାଡେମିକ ବ୍ୟାଙ୍କ ଅଫ୍‌ କ୍ରେଡିଟ୍‌ର ଶୁଭାରମ୍ଭ କରାଯିବା ଫଳରେ ଛାତ୍ରଛାତ୍ରୀ ସେମାନଙ୍କ ସୁବିଧା ଓ ବିକଳ୍ପ ଅନୁଯାୟୀ ପାଠ ପଢ଼ିବାର ସୁଯୋଗ ପାଇବେ। ଜୀବନ ବ୍ୟାପୀ ଅଧ୍ୟୟନ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ଏବଂ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଏବଂ ଆନ୍ତଃବିଷୟକ ଚିନ୍ତାଧାରା ବିକଶିତ କରିବା ଲାଗି, ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାକୁ ଆଧାର କରି ଛାତ୍ରଛାତ୍ରୀମାନେ ଏକକାଳୀନ ଦୁଇଟି ଶିକ୍ଷା ପାଠ୍ୟକ୍ରମରେ ପାଠ ପଢ଼ିପାରିବେ। ଜାତୀୟ ଉଚ୍ଚ ଶିକ୍ଷା ଯୋଗ୍ୟତା ଢାଞ୍ଚା (ଏନଏଚଇକ୍ୟୁଏଫ) ମଧ୍ୟ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଏନଏଚଇକ୍ୟୁଏଫ ଅନୁରୂପ ‘‘ସ୍ନାତକ ପାଠ୍ୟକ୍ରମ ପାଇଁ ବର୍ତ୍ତମାନର ପାଠ୍ୟକ୍ରମ ଢାଞ୍ଚା ଓ କ୍ରେଡିଟ୍‌ ସିଷ୍ଟମ’’ରେ ମଧ୍ୟ ୟୁଜିସି ସଂଶୋଧନ କରୁଛି।

ବହୁମୁଖି ଶିକ୍ଷାଦାନ

ଅନଲାଇନ, ମୁକ୍ତ ଏବଂ ବହୁମୁଖି ଶିକ୍ଷାଦାନ ବ୍ୟବସ୍ଥାକୁ ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ସଂସ୍ଥାନରେ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯାଉଛି। ଏହି କାର୍ଯ୍ୟକ୍ରମ କୋଭିଡ ୧୯ ମହାମାରୀ ଜନିତ ପାଠପଢ଼ା କ୍ଷତିକୁ ହ୍ରାସ କରିବା ଏବଂ ଦେଶର ଉପାନ୍ତ ଓ ଅପହଞ୍ଚ ଇଲାକାରେ ଶିକ୍ଷାର ଆଲୋକ ପହଞ୍ଚାଇବା କ୍ଷେତ୍ରରେ ବିଶେଷ ଭାବେ ଯୋଗଦାନ ଦେଇପାରିବ। ସ୍ବୟମ, ଦିକ୍ଷା, ସ୍ବୟଂପ୍ରଭା, ଭର୍ଚୁଆଲ ଲାବ୍‌ ଏବଂ ଅନ୍ୟ ଅନଲାଇନ ରିସୋର୍ସ ପୋର୍ଟାଲଗୁଡ଼ିକ ଦିନକୁ ଦିନ ବୃଦ୍ଧି ପାଉଛି। ଏଗୁଡ଼ିକର ଲୋକପ୍ରିୟତା ବଢ଼ିବା ସହିତ ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରୁଛନ୍ତି। ଏସବୁ ପୋର୍ଟାଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସାଙ୍କେତିକ ଭାଷା ସମେତ ବିଭିନ୍ନ ଭାରତୀୟ ଭାଷାରେ ପାଠପଢ଼ା ସାମଗ୍ରୀ ଯୋଗାଇ ଦିଆଯାଉଛି।

ଉପରୋକ୍ତ ବ୍ୟତୀତ, ୟୁଜିସି ପକ୍ଷରୁ ମୁକ୍ତ ଓ ଦୂର ଅଧ୍ୟୟନ (ଓଡିଏଲ) ଏବଂ ଅନଲାଇନ ପାଠ୍ୟକ୍ରମ ନିୟାମକ ବ୍ୟବସ୍ଥା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହା ଅଧୀନରେ ୫୯ଟି ଉଚ୍ଚଶିକ୍ଷା ସଂସ୍ଥାନ ୩୫୧ଟି ପୂର୍ଣ୍ଣକାଳୀନ ଅନଲାଇନ ପାଠ୍ୟକ୍ରମ ସୁବିଧା କରିଛନ୍ତି। ସେହିପରି ୮୬ଟି ଉଚ୍ଚ ଶିକ୍ଷାନୁଷ୍ଠାନ ୧୦୮୧ଟି ଓଡିଏଲ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଗୋଟିଏ ପାଠ୍ୟକ୍ରମରେ ଅନଲାଇନ ବିଷୟବସ୍ତୁର ଅନୁମତିପ୍ରାପ୍ତ ସୀମାକୁ ବୃଦ୍ଧି କରି ୪୦% କରି ଦିଆଯାଇଛି।

ନବସୃଜନ ଏବଂ ଷ୍ଟାର୍ଟଅପ୍

ଷ୍ଟାର୍ଟଅପ୍‌ ଓ ନବସୃଜନର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୮ଟି ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ପ୍ରଦେଶରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୨,୭୭୪ଟି ଶିକ୍ଷାନୁଷ୍ଠାନ ନବସୃଜନ ପରିଷଦ ପ୍ରତିଷ୍ଠା କରାଯାଇଛି। ଜାତୀୟ ଶିକ୍ଷା ନୀତି ଅନୁକୂଳ ନବସୃଜନ ଉପଲବ୍ଧି ଉପରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଟଳ ରେଙ୍କିଙ୍ଗ (ଏଆରଆଇଆଇଏ) ଡିସେମ୍ବର ୨୦୨୧ରେ ଆରମ୍ଭ ହୋଇଥିଲା। ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟଅପ୍‌ ପାଇଁ ଏକ ସଂସ୍କୃତି ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ଏଆରଆଇଆଇଏରେ ୧୪୩୮ଟି ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଘୋଷା ପାଠ ପରିବର୍ତ୍ତେ ପରୀକ୍ଷାମୂଳକ ଅଧ୍ୟୟନ ପାଇଁ ‘ବିଚାର ବିକାଶ, ମୂଲ୍ୟାୟନ ଏବଂ ପ୍ରୟୋଗ’(ଆଇଡିଆ) କାର୍ଯ୍ୟକ୍ରମ ପାଇଁ ଏଆଇସିଟିଇ ପକ୍ଷରୁ ଉଦ୍ୟୋଗ ଜଗତର ସହଭାଗିତାରେ ୧୦୦ଟି ଶିକ୍ଷାନୁଷ୍ଠାନକୁ ପାଣ୍ଠି ଯୋଗାଇ ଦିଆଯାଇଛି।

ଭାରତୀୟ ଭାଷାକୁ ପ୍ରୋତ୍ସାହନ

କୌଣସି ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଇଂରାଜୀ ଜ୍ଞାନର ଅଭାବ ଯେପରି ବାଧା ସୃଷ୍ଟି ନକରିବ ତାହା ସୁନିଶ୍ଚିତ କରିବା ଲାଗି ବହୁଭାଷୀ ଶିକ୍ଷାଦାନ ଓ ପରୀକ୍ଷଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହି ଲକ୍ଷ୍ୟକୁ ସାକାର କରିବା ଲାଗି ରାଜ୍ୟମାନେ ମୌଳିକ ଶିକ୍ଷା ସ୍ତରରେ ଦ୍ବିଭାଷୀ/ତ୍ରିଭାଷୀ ପାଠ୍ୟପୁସ୍ତକ ପ୍ରକାଶନ କରୁଛନ୍ତି ଏବଂ ଦୀକ୍ଷା ପ୍ଲାଟଫର୍ମରେ ୩୩ଟି ଭାରତୀୟ ଭାଷାରେ ପାଠ୍ୟ ବିଷୟ ପ୍ରସାରଣ କରାଯାଉଛି। ଏନଆଇଓଏସ ପକ୍ଷରୁ ମାଧ୍ୟମିକ ଶିକ୍ଷା ସ୍ତରରେ ଏକ ଭାଷା ବିଷୟ ଭାବେ ଭାରତୀୟ ସାଙ୍କେତିକ ଭାଷା ପ୍ରଚଳନ କରାଯାଇଛି।

ନେସନାଲ ଟେଷ୍ଟିଂ ଏଜେନ୍ସି-ଏନଟିଏ ୧୩ଟି ଭାଷାରେ ଜେଇଇ ପରୀକ୍ଷା ଆୟୋଜନ କରିଛି। ଏଆଇସିଟିଇ ପକ୍ଷରୁ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଅନୁବାଦ ଆପ୍‌ ବିକଶିତ କରାଯାଇଛି ଏବଂ ପାଠ୍ୟ ବିଷୟକୁ ଭାରତୀୟ ଭାଷାରେ ଅନୁବାଦ କରାଯାଉଛି। ହିନ୍ଦୀ, ମରାଠୀ, ବେଙ୍ଗଲୀ, ତାମିଲ, ତେଲୁଗୁ ଏବଂ କନ୍ନଡ଼ ଭାଷାରେ ବୈଷୟିକ ପୁସ୍ତିକା ଲେଖା ଯାଉଛି। ୨୦୨୧-୨୨ ଠାରୁ ୧୦ଟି ରାଜ୍ୟର ୧୯ଟି ଇଞ୍ଜିନିୟରିଂ କଲେଜରେ ୬ଟି ଭାରତୀୟ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶିକ୍ଷା ଦିଆଯାଉଛି। ଏଆଇସିଟିଇ ଦ୍ବାରା ଆଞ୍ଚଳିକ ଭାଷାରେ ଅତିରିକ୍ତ ୩୦/୬୦ ସିଟ୍‌ ବ୍ୟବସ୍ଥା କରାଯାଇଛି ଏବଂ ମଞ୍ଜୁରି ପ୍ରାପ୍ତ ପ୍ରବେଶ ମଧ୍ୟରୁ ୫୦% ଆଞ୍ଚଳିକ ଭାଷାରେ ନିଆଯାଉଛି।

ଜାତୀୟ ଶିକ୍ଷା ନୀତି ୨୦୨୦ର ସୁପାରିସ ଅନୁଯାୟୀ ଭାରତୀୟ ଜ୍ଞାନ ପ୍ରଣାଳୀକୁ ପ୍ରୋତ୍ସାହିତ କରାଯାଉଛି। ଏଆଇସିଟିଇରେ ଏକ ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ) ପ୍ରତିଷ୍ଠା କରାଯାଇଛି ଏବଂ ସାରା ଦେଶରେ ୧୩ଟି ଆଇକେଏସ କେନ୍ଦ୍ର ଖୋଲାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସୁଭାଷ ସରକାର, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଶିକ୍ଷା ଓ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ରାଜ କୁମାର ରଞ୍ଜନ ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା, ୟୁଜିସି ଅଧ୍ୟକ୍ଷ, ଏଆଇସିଟିଇ ଅଧ୍ୟକ୍ଷ, ଏନସିଭିଇଟିର ଅଧ୍ୟକ୍ଷ, ଏନସିଇଆରଟିର ନିର୍ଦ୍ଦେଶକଙ୍କ ସମେତ ଶିକ୍ଷା ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।