Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତି ଦାସତ୍ୱ ମାନସିକତାରୁ ମୁକ୍ତି ଦେବ: ଧର୍ମେନ୍ଦ୍ର ପ୍ରଧାନ

ବଡନଗର: ଆମ ଦେଶର ଐତିହ୍ୟକୁ ନେଇ ଗର୍ବିତ ହେବା ଏବଂ ଦାସତ୍ୱ ମାନସିକତାରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟତା ସହ ଯୋଡ଼ି ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ଦେଶରେ ପ୍ରଣୟନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଗୁଜରାଟର ବଡନଗର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବହମୁଖୀ ସଭାଗୃହର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨ ହଜାର ୫୦୦ ବର୍ଷ ପୁରୁଣା ବଡନଗର ସମୃଦ୍ଧ ଇତିହାସ, ଧାର୍ମିକ ସ୍ୱତନ୍ତ୍ରତା ଏବଂ ସହିଷ୍ଣୁତାର ମୁକସାକ୍ଷୀ। ବଡ଼ନଗର ଭଳି ଆମ ଦେଶର ସମୃଦ୍ଧ ଐତିହ୍ୟକୁ ଆହୁରି ଆଗକୁ କିଭଳି ନିଆଯାଇପାରିବ, ଏ ଦିଗରେ ନୂଆପିଢିକୁ ଚିନ୍ତା କରିବାର ଆବଶ୍ୟକତା ରହିଛି। ବିକଶିତ ଭାରତର କଳ୍ପନାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ବହୁତ ବଡ଼ ସଂକଳ୍ପ ନେବାର ଆବଶ୍ୟକତା ରହିଛି। ନୂଆ ଜାତୀୟ ଶିକ୍ଷା ନୀତିରେ ନୂଆପିଢିଙ୍କୁ ବୈଶ୍ୱିକ ନାଗରିକ ଭାବେ ପରିଣତ କରିବାର ସାମର୍ଥ୍ୟ ରହିଛି। ଭାରତର ଲୋକମାନେ ବିଶ୍ୱର ଦାୟିତ୍ୱ ନେବା ପାଇଁ ଇଚ୍ଛୁକ ଅଛନ୍ତି। ଆମେ ଦୁନିଆର ଦାୟିତ୍ୱ ସେବେ ନେବା ଯେବେ ଆମେ ଆମର ଦାୟିତ୍ୱକୁ ବୁଝିବା। ଏଥିପାଇଁ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବା ଏବଂ ଜାତୀୟ ଶିକ୍ଷା ଆଧାରରେ ଆଗାମୀ ପିଢ଼ିକୁ ପ୍ରସ୍ତୁତ କରିବା।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜ୍ଞାନ, ଆଧ୍ୟାତ୍ମିକ, ବୈଭବ, ସଭ୍ୟତା ଏବଂ ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ର ହେଉଛି ବଡନଗର। ଏକବିଂଶ ଶତାବ୍ଦୀର ନେତୃତ୍ୱ ପ୍ରଦାନ କରିବାକୁ ଥିବା ବିଦ୍ୟାର୍ଥୀଙ୍କ ପାଇଁ ଆଜି ବହୁମୁଖୀ ସଭାଗୃହ ଭଳି ସୁବିଧାର ଲୋକାର୍ପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯଦି ଇଚ୍ଛାଶକ୍ତି ଅଛି ତେବେ ବ୍ୟବସ୍ଥା ମାଧ୍ୟମରେ ବଡ଼ ପରିଣାମ ଆସିପାରିବ। ବଡନଗରର ଏହି ନବୋଦୟ ବିଦ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ। ଏଠାକୁ ସାଧାରଣ ପୃଷ୍ଠଭୂମିରୁ ଆସୁଥିବା ପିଲାମାନେ ପାଠପଢ଼ି ଭଲ ମଣିଷ ହୁଅନ୍ତି। ବଡନଗରରେ ଏହି ସଂସ୍କାର ଅଛି ଯେ, ସାଧାରଣ ଘରର ଲୋକ ଆଜି ଦେଶର ପ୍ରଧାନମନ୍ତ୍ରୀ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ଆଜି ମୋଦି ଭାରତର ନୁହଁ ବରଂ ବିଶ୍ୱ ନେତା ଅଟନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସେହିପରି ବଡନଗର ଷ୍ଟେସନ ପରିସରରେ ପ୍ରଧାନମନ୍ତ୍ରୀଙ୍କ ବାପାଙ୍କ ଚା’ ଦୋକାନ ଥିବା ସ୍ଥାନ କେନ୍ଦ୍ରମନ୍ତ୍ରୀ ବୁଲିଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଯେଉଁଠାରୁ ପ୍ରେରଣାଦାୟୀ ଜୀବନ ଯାତ୍ରା ଆରମ୍ଭ କରିଥିଲେ, ସେ ସ୍ଥାନ ଦେଖିବା ମୋ ପାଇଁ ଗର୍ବର କଥା। ବଡନଗର ରେଳ ଷ୍ଟେସନ ନିକଟସ୍ଥ ଚା’ ଦୋକାନ ଯେଉଁଠାରେ ଛୋଟବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବାପାଙ୍କୁ ଚା’ ବିକ୍ରୀରେ ସହଯୋଗ କରୁଥିଲେ। ଏହା ହେଉଛି ନିଷ୍ଠା, ସାହସ ଏବଂ ପରିଶ୍ରମର ଏକ ପ୍ରମାଣ । ତତସହ ଏହା ପ୍ରମାଣ ହେଉଛି, ଯେକୌଣସି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜଣେ ସଫଳ ହୋଇପାରିବ ଏବଂ ଲକ୍ଷାଧିକ ଲୋକଙ୍କ ଆଶାର କିରଣ ହୋଇପାରିବ।

ଏହି ଗୁଜରାଟ ଗସ୍ତ କାଳରେ ଶ୍ରୀ ପ୍ରଧାନ ଶିକ୍ଷା କ୍ଷେତ୍ର ସହ ସମ୍ବନ୍ଧିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବଡନଗର ସ୍ଥିତ ପ୍ରେରଣା ସ୍କୁଲ ପ୍ରକଳ୍ପ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ। ପ୍ରେରଣା ସ୍କୁଲ ପ୍ରକଳ୍ପ ନେଇ ଗୁଜରାଟର ମୁଖ୍ୟ ଶାସନ ସଚିବ ଏବଂ ଶିକ୍ଷା ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏହାବ୍ୟତିତ ବଡନଗର ସ୍ଥିତ ହଟକେଶ୍ୱର ମହାଦେବ ମନ୍ଦିରକୁ ଯାଇ ଦର୍ଶନ କରିବାର ଲାଭ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ‘ଶିକ୍ଷକ ଅଭିନନ୍ଦନ ସମାରୋହ’: ‘ଜୟ ଜଗନ୍ନାଥ’ର ନାରାରେ ପ୍ରକମ୍ପିତ ହେଲା ଶିକ୍ଷାନୁଷ୍ଠାନ

କୋଟା: ଆମ ଦେଶରେ ଗୁରୁ ବା ଶିକ୍ଷକ ଓ ଅଭିଭାବକଙ୍କ ସ୍ଥାନ ଅନନ୍ୟ। ଶିକ୍ଷା ପରିବାରରେ ଗୁରୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। ଆମ ସମାଜରେ ଶିକ୍ଷକ ସବୁଠୁ ଉର୍ଦ୍ଧ୍ୱରେ ଥିବା ବେଳେ ଶିକ୍ଷାର ବିଚାର, ସାରାଂଶ ମନୁଷ୍ୟକୁ ମହାନ କରିବାର ପରମ୍ପରା ବୋଲି ମଙ୍ଗଳବାର ରାଜସ୍ଥାନର କୋଟା ଠାରେ ଆୟୋଜିତ ‘ଶିକ୍ଷକ ଅଭିନନ୍ଦନ ସମାରୋହ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଏବେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅମୃତ ମହୋତ୍ସବ ପାଳନ କରୁଅଛି। ଆଗାମୀ ୨୫ ବର୍ଷ ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ। ଭାରତକୁ ବିକଶିତ ଦେଶ କରିବାର ସ୍ୱପ୍ନ ସେବେ ପୂରଣ ହେବ ଯେବେ ଦେଶର ନୂଆପିଢ଼ି ଜ୍ଞାନ ଆଧାରିତ ଅର୍ଥନୀତିର ନେତୃତ୍ୱ ନେବେ। ଯୁବପିଢ଼ିଙ୍କ ସଂକଳ୍ପ ଦ୍ୱାରା ହିଁ ଏହା ସମ୍ଭବ। ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି -୨୦୨୦(ଏନଇପି) ପ୍ରଣୟନ କରାଯାଇଛି। ଭାରତକୁ ପୁନଃ ନିର୍ମାଣ ଓ ବିଶ୍ୱଗୁରୁ କରିବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଦାର୍ଶନିକ କଳ୍ପନା ଓ ଶିକ୍ଷକ ସମାଜକୁ ଏହାର ଦାୟିତ୍ୱ ନେବାକୁ ହେବ।

ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆହେଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମାତୃଭାଷାରେ ଅନୁସନ୍ଧାନକୁ ପ୍ରୋତ୍ସାହନ ଦିଆଯିବାର ଯୋଜନା କରାଯାଉଛି। ଓଡ଼ିଆ, ଆସାମୀ, ହିନ୍ଦି, ବାଙ୍ଗଲା ସମେତ ସବୁ ଆଞ୍ଚଳିକ ଭାଷା ଆମର ରାଷ୍ଟ୍ରୀୟ ଭାଷା। ସବୁ ଭାଷାର ସନ୍ଦେଶ ଓ ଭାବାବେଗ ସମାନ। ଏହି ସନ୍ଦେଶ ହେଉଛି ଭାରତକୁ ଗୁଲାମୀ ଶିକୁଳୀରୁ ମୁକ୍ତ କରିବା। ଶିକ୍ଷା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ହେବ। ଦେଶକୁ ଏକବିଂଶ ଶତାବ୍ଦୀରେ ବିଶ୍ୱଗୁରୁ କରିବାର ଦାୟିତ୍ୱ ଶିକ୍ଷକ ସମାଜକୁ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କ ସହ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ ଓଡ଼ିଆ ସମେତ ଅନେକ ଛାତ୍ରଛାତ୍ରୀଙ୍କ ସହ ସମବେତ ସ୍ୱରରେ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ‘ଜୟ ଜଗନ୍ନାଥ’ ଓ ‘ଭାରତ ମାତା କି ଜୟ’ ନାରାରେ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ମିଳିତ ସ୍ୱରରେ ନାରା ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ କୋଟା ଶିକ୍ଷା ବିକାଶ ଫୋରମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାବିତ, ବରିଷ୍ଠ ନାଗରିକ ଓ ମାତୃଶକ୍ତି ସହ ଆଲୋଚନା କରିଥିଲେ।

Categories
ବିଶେଷ ଖବର

ବାରାଣସୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ ଉଦଘାଟିତ

ବାରାଣସୀ: ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ଶିକ୍ଷାକୁ ଏକ ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାର କରିବା ଏବଂ ଏହାକୁ ଏକବିଂଶ ଶତାବ୍ଦୀର ଆଧୁନିକ ଚିନ୍ତାଧାରା ସହିତ ଯୋଡିବା ବୋଲି ଗୁରୁବାର ଉତର ପ୍ରଦେଶର ବାରାଣସୀ ଠାରେ ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’କୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ରାଷ୍ଟ୍ରୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ପାଇଁ ବିଚାରବିମର୍ଷ କରିବା ଦିଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିଶୁଙ୍କ ପ୍ରତିଭା ଏବଂ ସେମାନଙ୍କର ଇଚ୍ଛାନୁସାରେ କୁଶଳୀ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

ରାଷ୍ଟ୍ରୀୟ ଶିକ୍ଷା ନୀତି ଯୁବ ବର୍ଗଙ୍କୁ କୁଶଳୀ, ଆତ୍ମବିଶ୍ୱାସ, ପ୍ରାକ୍ଟିକାଲ, କାଲକୁଲେଟିଭ୍ କରିବା ଦିଗରେ କାର୍ଯ୍ୟ କରୁଛି। ଆମର ଶିକ୍ଷା ବ୍ୟବସ୍ଥା କେବଳ ଡିଗ୍ରୀଧାରୀ ଯୁବକ ପ୍ରସ୍ତୁତ କରିବା ନୁହେଁ ବରଂ ଦେଶକୁ ଆଗକୁ ନେବା ପାଇଁ ଦରକାର ଥିବା ମାନବ ସମ୍ବଳ ଦେଶକୁ ପ୍ରଦାନ କରୁ। ଏହି ସଂକଳ୍ପନାର ନେତୃତ୍ୱ ଆମର ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନକୁ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଶିକ୍ଷା ନୀତି ଦ୍ୱାରା ଏବେ ମାତୃଭାଷାରେ ଶିକ୍ଷାଦାନର ରାସ୍ତା ବାହାର କରାଯାଉଛି।

ଏହି କ୍ରମରେ ସଂସ୍କୃତ ଭଳି ପ୍ରାଚୀନ ଭାରତୀୟ ଭାଷାକୁ ବି ଆଗକୁ ବଢ଼ାଯାଉଛି। ଜାତୀୟ ଶିକ୍ଷା ନୀତି ପାଇଁ ଦେଶର ଶିକ୍ଷା ବ୍ୟବସ୍ଥାର ଢାଂଚାଗତ ପରିବର୍ତନ ପାଇଁ କାମ କରାଯାଇଛି। ଆଜି ଦେଶରେ ବ୍ୟାପକ ଭାବେ ନୂଆ କଲେଜ, ନୂଆ ବିଶ୍ୱବିଦ୍ୟାଳୟ ଖୋଲାଯିବା ସହ ଆଇଆଇଟି ଏବଂ ଆଇଆଇଏମର ସ୍ଥାପନା କରାଯାଉଛି।

ଏହି ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ଅସମ୍ଭବର ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ପୂରଣ କରିବା ହିଁ ଭବିଷ୍ୟତର ସଫଳତାର ପୁଞ୍ଜି। ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ଏକ ଦାର୍ଶନିକ ଦସ୍ତାବିଜ। ସମ୍ବିଧାନ ପରେ ଜାତୀୟ ଶିକ୍ଷା ନୀତି ଏଭଳି ଏକ ଦସ୍ତାବିଜ ; ଯାହାକୁ ସମଗ୍ର ଦେଶରେ ଅନେକ ସ୍ତରରେ ବିଚାରବିମର୍ଷ, ଚର୍ଚ୍ଚା କରାଯିବା ସହ ଜନଭାଗିଦାରୀର ରୂପ ଦିଆଯାଇଛି। ସମ୍ବିଧାନ ସମତୁଲ୍ୟ ଜାତୀୟ ଶିକ୍ଷା ନୀତି ଆମ ଦେଶର ଅସୁବିଧା, ଦ୍ୱନ୍ଦରୁ ମୁକ୍ତି ହେବାର ବିଚାର ସହ ଆତ୍ମବିଶ୍ୱାସ ଓ କାର୍ଯ୍ୟରେ ଭାରତୀୟ ହେବାର ଗର୍ବ ଅନୁଭବ ପ୍ରଦାନ କରେ।

ଭାରତରେ ୧୫ ବର୍ଷରୁ ୨୫ ବର୍ଷ ଯୁବ ବର୍ଗଙ୍କ ସଂଖ୍ୟା ବିଶ୍ୱରେ ଅଧିକ। ଦେଶରେ ପାଖାପାଖି ୨୫ କୋଟି ଯୁବବର୍ଗ ଥିବା ବେଳେ ଆସନ୍ତା ୨୫ ବର୍ଷ ଆମ ପାଇଁ ମହତ୍ୱପୂର୍ଣ୍ଣ। ଅମୃତ କାଳ ସମୟରେ ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପ୍ରତିଷ୍ଠା କରିବା ପାଇଁ ଜାତୀୟ ଶିକ୍ଷା ନୀତି ହେଉଛି ଏକ ମାର୍ଗଦର୍ଶକ। ଏହି ସମୟରେ ଯୁବବର୍ଗଙ୍କ କ୍ଷମତା, ଉର୍ଜାକୁ ସମ୍ପୂର୍ଣ୍ଣ ଭାବରେ ଉପଯୋଗ କରିବା ତଥା ଜ୍ଞାନ ଓ ଶିକ୍ଷାରେ ପୂରା ଦୁନିଆରେ ନେତୃତ୍ୱ ନେବା ହେଉଛି ଜାତୀୟ ଶିକ୍ଷା ନୀତିର ଦିଗଦର୍ଶନ। ସେହିପରି ବିଶ୍ୱବିଦ୍ୟାଳୟ ଗୁଡ଼ିକ କେବଳ ବିଦ୍ୟାର୍ଥୀ ଓ ଶିକ୍ଷାର୍ଥୀଙ୍କ ଜୀବନକୁ ଉତମ କରିବା ନୁହେଁ ବରଂ ରାଷ୍ଟ୍ରର କଲ୍ୟାଣ କରିବା ହିଁ ଉଦ୍ଦିଷ୍ଟ। ସେହିପରି ଆମର ଭାରତୀୟ ଜ୍ଞାନ ପରମ୍ପରା ଆଧାରରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଭବିଷ୍ୟତର ସ୍ୱର୍ଣ୍ଣିମ ଆକାର ଦେବାକୁ ହେବ। ଏକବିଂଶ ଶତାବ୍ଦୀ ଜ୍ଞାନର ଶତାବ୍ଦୀ। ଏହି ସମୟରେ ଯୁବ ବର୍ଗଙ୍କୁ କେବଳ ନିଯୁକ୍ତି ଖୋଜିବା ନୁହେଁ ବରଂ ନିଯୁକ୍ତିଦାତା ହେବା ପାଇଁ ପ୍ରୋତ୍ସାହନ ଦେବାକୁ ହେବ।

ଐତିହାସିକ ସହର ବାରାଣସୀରେ ଶିକ୍ଷା ଜଗତର ଏଭଳି ଭବ୍ୟ ସମ୍ମିଳନୀ ହେବା ଏବଂ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ମାର୍ଗଦର୍ଶନ ସାଜିବା ଖୁସିର ବିଷୟ। ଜାତୀୟ ଶିକ୍ଷା ନୀତିର ଘୋଷଣା ପରେ ନୀତିର କ୍ରିୟାନ୍ୱୟନ ପାଇଁ ପ୍ରତିଟି ମୁହୂର୍ତରେ ପ୍ରଧାନମନ୍ତ୍ରୀ ମୋଦି ମାର୍ଗଦର୍ଶନ ଦେଇଛନ୍ତି। ଆଜିର ସମାଗମରେ ପ୍ରଧାନମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତି ସମସ୍ତଙ୍କ ମଧ୍ୟରେ ନୂଆ ଉର୍ଜା ଓ ପ୍ରେରଣା ଦେଇଛି। ବିଗତ ଦିନ ମାନଙ୍କରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ମୁଖ୍ୟ ସଚିବମାନେ ସାରା ଦେଶରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନକୁ ଗତି ଦେବା ଦିଗର ବିଚାରବିମର୍ଷ କରିଥିଲେ।

ଏହି ବିଚାରବିମର୍ଷକୁ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉପରକୁ ନେବ। ତିନିଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମୟର ଆବଶ୍ୟକତା ଅନୁସାରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ଦକ୍ଷତା ପ୍ରଦାନ କରାଯିବା ବିଷୟରେ ଚର୍ଚ୍ଚା ହେବା ଦରକାର। ସେହିପରି ଆମର ପାଠ୍ୟକ୍ରମ ଯୁବବର୍ଗଙ୍କ ଆକାଂକ୍ଷାର ଅନୁରୂପ କି? ନିଜର କରିକୁଲମ କୋର୍ସ ଓ ଉଚ୍ଚ ଶିକ୍ଷା, କୌଶଳ ତଥା ଅନୁସନ୍ଧାନ ପ୍ରତି ଦୃଷ୍ଟିକୋଣରେ ପରିବର୍ତନର ଆବଶ୍ୟକତା ଅଛି କି? ଜାତୀୟ ଶିକ୍ଷା ନୀତି କଠୋର ସ୍ଥିତିକୁ ସାମ୍ନା କରିବା ତଥା ପ୍ରଗତିଶୀଳ ମାନସିକତା କିମ୍ବା ରାଷ୍ଟ୍ରର ପରିବର୍ତନ ହେବାର ବାର୍ତା କଣ ହେବା ଉଚିତ୍‌, ସେ ଉପରେ ଆଲୋଚନା ହେବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତ୍ୟବକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଡା. ସୁବାଷ ସରକାର, ଡା.ରାଜକୁମାର ରଞ୍ଜନ ସିଂହ, ରାଜ୍ୟ ଶିକ୍ଷା ମନ୍ତ୍ରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର କୁଳପତି, ଶିକ୍ଷାବିତ୍ ଏବଂ ଅନେକ ଷ୍ଟେକହୋଲଡର ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୀବନରେ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ: ପ୍ରଫେସର କେ. କେ. ଅଗ୍ରୱାଲ୍

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନଗୁଡ଼ିକ ସବୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରିବା ସହ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ପାଠ୍ୟକ୍ରମ ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି ବୁଧବାର ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍‌ର ଅଧ୍ୟକ୍ଷ ପ୍ରଫେସର କେ. କେ. ଅଗ୍ରୱାଲ୍ କହିଛନ୍ତି।

ଏହା ହାସଲ କରିବା ସହ ବହୁ ବିଷୟକ ଶିକ୍ଷା ଉପରେ ମନୋନିବେଶ କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ହିଁ ଦୀର୍ଘ ୩୪ ବର୍ଷ ପରେ ପ୍ରସ୍ତୁତ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ବାର୍ଷିକ ବକ୍ତୃତା ଦେବା ଅବସରରେ ପ୍ରଫେସର ଅଗ୍ରୱାଲ୍ କହିଛନ୍ତି।

ବିଗତ ଅନେକ ବର୍ଷ ଧରି ଆମେ ଛାତ୍ରଛାତ୍ରୀମାନଙ୍କୁ ଶିଖାଇଛୁ ଯେ ପାଠ୍ୟ ପୁସ୍ତକରୁ ସେମାନେ ଯାହା ପଢ଼ିଛନ୍ତି ତାହାହିଁ ପରୀକ୍ଷା ଖାତାରେ ଲେଖିବା ଉଚିତ୍। ଏହା ଯଦି ସେମାନେ ନ କରନ୍ତି ତେବେ ପରୀକ୍ଷାରେ କମ୍ ମାର୍କ ମିଳିବ। ଶିକ୍ଷା ବ୍ୟବସ୍ଥାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ ହୋଇଆସିଛି ବୋଲି କହିବା ସହ ଆମେ ଅନେକଗୁଡ଼ିଏ ଶୁଆ ସୃଷ୍ଟି କରିଥିବା ବେଳେ କୌଣସି ବିଚାରଧାରା ସମ୍ପନ୍ନ ବ୍ୟକ୍ତି ବାହାର କରି ନାହୁଁ। ଏପରିକି ଆମେ
ଛାତ୍ରଛାତ୍ରୀଙ୍କୁ ଚିନ୍ତାଶୀଳ ହେବା ପାଇଁ ଅନୁମତି ମଧ୍ୟ ଦେଇନାହୁଁ ବୋଲି ସେ କହିଥିଲେ।

ବିଗତ କିଛି ଦଶନ୍ଧି ଧରି ଆମେ ଯୁବକମାନଙ୍କ ଜୀବନରେ ଅନେକ କ୍ଷତି ସାଧନ କରିଛୁ। କାରଣ ସେମାନେ ଜୀବନରେ ଶଙ୍କାର ସମ୍ମୁଖୀନ ହେବା ଶିଖି ନାହାଁନ୍ତି। ଜୀବନରେ ବିପଦର ସମ୍ମୁଖୀନ ହେବା ପାଇଁ ପ୍ରୋତ୍ସାହିତ କରିବା ଉଚିତ୍। ତେବେ ଏହାକୁ ଆମ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିପାରି ନାହିଁ ବୋଲି ସେ କହିଛନ୍ତି।

୧୯୪୭ ମସିହା ପରଠାରୁ ଭାରତରେ ଆଉ କେହି ନୋବେଲ ପୁରସ୍କାର ହାସଲ କରିନାହାଁନ୍ତି ବୋଲି ମନ୍ତବ୍ୟ ଦେଇ ସେ କହିଥିଲେ ଯେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ସମସ୍ୟାର ସମାଧାନ କରିବା ଦିଗରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରେ ନାହିଁ। ତେବେ ଜାତୀୟ ଶିକ୍ଷାନୀତିରେ ଏ କ୍ଷେତ୍ରକୁ ଦୃଷ୍ଟିରେ ରଖି ପରିବର୍ତନ କରାଯାଇଛି ବୋଲି ସେ କହିଛନ୍ତି।

ନୋବେଲ ପୁରସ୍କାର ବିଜେତା ଇସିଡୋର୍ ଆଇ.ରବିଙ୍କ ଉଦାହରଣ ଦେଇ ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଅନ୍ୟ ପିଲାମାନଙ୍କର ବାପା-ମା’ମାନେ ସେମାନଙ୍କ ପିଲା ସ୍କୁଲରୁ ଫେରିବା ପରେ ଦିନସାରା କ’ଣ ପାଠ ପଢ଼ିଛନ୍ତି ସେ ବିଷୟରେ ପଚାରିଥାନ୍ତି। ମାତ୍ର ରବିଙ୍କ ମା’ ଦିନ ମଧ୍ୟରେ ସେ ତାଙ୍କ ଶିକ୍ଷକଙ୍କୁ କିଛି ନୂତନ ପ୍ରଶ୍ନ ପଚାରିଛନ୍ତି କି ବୋଲି ଜାଣିବାକୁ ଚାହିଁଥାନ୍ତି। ରବିଙ୍କର ଉକ୍ତିକୁ ଦର୍ଶାଇ ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ପ୍ରଶ୍ନ ପଚାରିବା ଦ୍ୱାରା ହିଁ ସେ ବୈଜ୍ଞାନିକ ହୋଇପାରିଲେ।

ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଏଭଳି ଏକ ଦିନ ଆସିବ ଯେତେବେଳେ କି ଜଣେ ଛାତ୍ର ନିଜ ପାଠ୍ୟକ୍ରମରେ କେତୋଟି ବିଷୟବସ୍ତୁ ରହିବ ତାହା ସେ ନିଜେ ଚୟନ କରିବ। ୟୁଏସ୍‌ଏର ଜଣେ ଛାତ୍ରୀ କେମିକାଲ୍ ବାୟୋ-ଫିଜିକ୍ସ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। କାରଣ ସେ ଜାଣିବାକୁ ଚାହୁଁଥିଲେ ଯେ ପିଲାମାନେ କାହିଁକି ବଧିର ହୋଇ ଜନ୍ମ ଗ୍ରହଣ କରୁଛନ୍ତି।

ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଜଣେ ଛାତ୍ର ଏକାସଂଗେ ମେଡିସିନ୍ ଓ ଅର୍ଥନୀତି ପଢ଼ିବା ନେଇ ଚିନ୍ତା କରିବା କଷ୍ଟକର। କିନ୍ତୁ ଜଣେ ଛାତ୍ର ଏହି ଦୁଇଟି ବିଷୟକୁ ଏକାସଂଗେ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ କାରଣ ସେ ଆମେରିକାର ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ସାଧନ କରିବାକୁ ଚାହୁଁଥିଲେ।

ସୋଆ ପ୍ରୋ- ଭାଇସ୍ ଚ୍ୟାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହାକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଜାତୀୟ ଶିକ୍ଷା ନୀତିର ନୂତନ ପଦକ୍ଷେପକୁ ସ୍ୱାଗତ

ଭୁବନେଶ୍ଵର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକତା, ଦକ୍ଷତା ନିର୍ମାଣ ଏବଂ ଶିକ୍ଷାର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତିରେ ଅଣାଯାଇଥିବା ସଂସ୍କାରର ର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ପଦକ୍ଷେପର ଶୁଭାରମ୍ଭ କରିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି।

ଏହି ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନ୍ୟାସନାଲ ଡିଜିଟାଲ ଏଜୁକେସନ ଆର୍କିଟେକଚର ଓ ନ୍ୟାସନାଲ ଏଜୁକେସନ ଟେକ୍ନୋଲୋଜି ଫୋରମ ର ଶୁଭାରମ୍ଭ କରିଥିବା ବେଳେ ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ଏହା ଦୃଢ଼ୀଭୁତ କରିବ ଏବଂ ଛାତ୍ରଛାତ୍ରୀଙ୍କ ନିମନ୍ତେ ସହାୟକ ହେବ ବୋଲି ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ କନଫରେନସ କାର୍ଯ୍ୟକ୍ରମରେ ଯୋଗଦେବା ପରେ ପ୍ରଫେସର ମହାପାତ୍ର କହିଥିଲେ ଯେ ଜାତୀୟ ଶିକ୍ଷାନୀତିର ନୂତନ ପଦକ୍ଷେପ ଗୁଡିକ ସହିତ ଖାପ ଖୁଆଇ ସୋଆ ପକ୍ଷରୁ ବିଭିନ୍ନ ଅନଲାଇନ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ବିଶେଷ ଭାବେ କୋଭିଡ ମହାମାରୀ ଯୋଗୁଁ କ୍ଲାସରୁମ ଶିକ୍ଷା ପ୍ରଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ଏହି ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ପ୍ରଚଳନ କରାଯାଇଛି।

ସୋଆରେ ସ୍ଵୟମ ଓ ମୋଡୁଲ ପ୍ଲାଟଫର୍ମ ବ୍ୟବହାର କରାଯାଇ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ। ଏହି ପ୍ଲାଟଫର୍ମ ଜରିଆରେ ଭିଡ଼ିଓ ଅପଲୋଡ଼ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏକାଡେ଼ମିକ ବ୍ୟାଙ୍କ ଅଫ କ୍ରେଡିଟ ବ୍ୟବସ୍ଥା କୁ ସ୍ବାଗତ କରି ସୋଆ ଛାତ୍ରଛାତ୍ରୀ ମାନେ ଏହି ସୁବିଧାର ବିନିଯୋଗ କରିବେ ବୋଲି ସେ ପ୍ରକାଶ କରିଥିଲେ।

ଜାତୀୟ ଶିକ୍ଷାନୀତି ରେ ଗୁରୁତ୍ବ ଦିଆଯାଇଥିବା ୟୁନିଭର୍ସାଲ ହ୍ୟୁମାନ ଭାଲ୍ୟୁ ସିଷ୍ଟମ, ହୋଲିଷ୍ଟିକ ଡେଭେଲପମେଣ୍ଟ ଓ ଯୋଗ କୁ ସୋଆରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ମଧ୍ୟ ସେ କହିଥିଲେ।

ଗତ କିଛି ବର୍ଷ ହେବ ଅନେକ ବିଦେଶୀ ଛାତ୍ରଛାତ୍ରୀ ସୋଆରେ ପାଠ ପଢିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି କୁଳପତି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ କନଫରେନସିଂ କାର୍ଯ୍ୟକ୍ରମରେ କୁଳପତିଙ୍କ ବ୍ୟତୀତ ପ୍ରୋ ଭାଇସ ଚାନ୍ସସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଅ।ଡିସନାଲ ଡିନ (ରିସର୍ଚ୍ଚ ) ପ୍ରଫେସର ପ୍ରିୟବ୍ରତ ପଟନାୟକ ଓ ଅନଲାଇନ କୋଅର୍ଡିନେଟର ଆସିଷ୍ଟାଣ୍ଟ ପ୍ରଫେସର ଅନିଶ ୟୁନୁଭା ଯୋଗ ଦେଇଥିଲେ।